ବେଲଗାମ ବ୍ୟାଙ୍କିଙ୍ଗ୍

0

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦେଶର ସରକାରୀ ବ୍ୟାଙ୍କଗୁଡ଼ିକର ଦୁରବସ୍ଥା ନେଇ ଯେଉଁ ଚିତ୍ର ପ୍ରଦାନ କରିଛି, ତାହା ବେଶ୍ ଚିନ୍ତାଜନକ। ଏପ୍ରିଲ ୨୦୧୪ରୁ ଏପ୍ରିଲ ୨୦୧୮ ମଧ୍ୟରେ ୨୧ଟି ସରକାରୀ ବ୍ୟାଙ୍କ ଯେତିକି ଋଣ ଅର୍ଥ ଅସୁଲ କରିଛନ୍ତି, ତା’ଠାରୁ ସାତଗୁଣରୁ ଅଧିକ ‘ରାଇଟ୍ ଅଫ୍‌’ କରିଦେଇଛନ୍ତି; ଅର୍ଥାତ ଏତିକି ଟଙ୍କାର ଋଣ ଅର୍ଥକୁ ବୁଡ଼ିଗଲା ବୋଲି କହି ତାକୁ କରଜ ଖାତାରୁ ହଟାଇ ଦେଇଛନ୍ତି। ଯଦି ଭବିଷ୍ୟତରେ ଏଥିରୁ କିଛି ବି ଅସୁଲ ହୁଏ, ତେବେ ସେତେବେଳେ ଏସବୁ ବ୍ୟାଙ୍କ ତାକୁ ନିଜର ଆୟ ଖାତାରେ ଦେଖାଇବେ!
ଆର୍‌ବିଆଇ ସଂସଦର ବିତ୍ତୀୟ ସମିତି ନିକଟରେ ଯେଉଁ ତଥ୍ୟ ଉପସ୍ଥାପନ କରିଛି, ସେହି ଅନୁସାରେ ସରକାରୀ ବ୍ୟାଙ୍କଗୁଡ଼ିକ ୪୪,୯୦୦ କୋଟି ଟଙ୍କାର ଋଣ ଅର୍ଥ ଅସୁଲ କରିଥିବାବେଳେ ୩ ଲକ୍ଷ ୧୬ ହଜାର ୫ ଶହ କୋଟିର ବିଶାଳ ଅର୍ଥରାଶିକୁ ବୁଡ଼ାଇ ଦେଇଛନ୍ତି; ଅର୍ଥାତ ଏହି ଅର୍ଥ ଆଉ ଅସୁଲ ହେବାର ସମ୍ଭାବନା ନାହିଁ। ୨୦୧୪ ମସିହା ପରଠାରୁ କ୍ରମାଗତ ବ୍ୟାଙ୍କଗୁଡ଼ିକର ଏନପିଏ ବା ଅନାଦାୟ ଋଣ ପରିମାଣ ବଢ଼ିବଢ଼ି ଚାଲିଛି। ୨୦୧୪-୧୫ରେ ଏହା ମୋଟ ଋଣର ୪.୬୨ ଶତାଂଶ ଥିଲା, ଯାହା ୨୦୧୫-୧୬ରେ ବଢ଼ି ୭.୭୯ ଶତାଂଶ ହୋଇଗଲା। ୨୦୧୭-୧୮ରେ ଏଥିରେ ଦ୍ରୁତ ବୃଦ୍ଧି ଘଟି ୧୦.୪୧ରେ ପହଞ୍ଚିଲା।
ବଡ଼ବଡ଼ କମ୍ପାନୀମାନେ ବ୍ୟାଙ୍କଗୁଡ଼ିକର କୋହଳ ନୀତିର ଫାଇଦା ଉଠାଇ ହଜାରହଜାର କୋଟି ଟଙ୍କା ଋଣ ନେଇ ଫେରାଉ ନାହାନ୍ତି। ମୋଦୀ ସରକାରଙ୍କ ଅମଳରେ ଏହା ସତେଯେମିତି ଲଗାମଛଡ଼ା ହୋଇପଡ଼ିଥିବା ମନେହେଉଛି। କେବଳ ବ୍ୟକ୍ତିଗତ ଋଣ ନୁହେଁ, ବିଭିନ୍ନ ସରକାରୀ ଯୋଜନାରେ ମଧ୍ୟ ବେଲଗାମ ଋଣ ବଣ୍ଟନ କରାଯାଇଛି, ଯାହା ଫେରସ୍ତ ହେବାର କିଛି ନିଶ୍ଚିତତା ନାହିଁ ବା ନଥିଲା। ଏହି କାରଣରୁ ଶଠ ଉଦ୍ୟୋଗୀମାନେ ସହସ୍ରାଧିକ କୋଟି ଟଙ୍କା ଋଣ ନେଇ ନଶୁଝି ବିଦେଶକୁ ପଳାଇଛନ୍ତି। ଫଳରେ ବହୁ ସରକାରୀ ବ୍ୟାଙ୍କର ଅବସ୍ଥା ଭଲ ନାହିଁ।
ନେଡ଼ିଗୁଡ଼ କହୁଣିକି ବୋହିଯିବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେତେକ ନୂଆ ନୀତିନିୟମ ତିଆରି କରାଯାଇଛି ଓ ସରକାର ଦେବାଳିଆ ଆଇନରେ କେତେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରି ଋଣ ଅସୁଲି ପାଇଁ ଚେଷ୍ଟା କରିଛନ୍ତି। କହିବା ବାହୁଲ୍ୟ ଯେ ଏହା ଆଦୌ ଯଥେଷ୍ଟ ନୁହେଁ। ବ୍ୟାଙ୍କଗୁଡ଼ିକର ଅବସ୍ଥା ସୁଧାରିବାକୁ ହେଲେ ନୀତିନିୟମକୁ ଅଧିକ କଠୋର କରିବାକୁ ହେବ। ବଡ଼ବଡ଼ିଆ ଯେମିତି ଏହାକୁ ନିଜନିଜର ଟଙ୍କାଗଛ ଭାବେ ବ୍ୟବହାର କରିଆସିଛନ୍ତି, ତାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ନିରବ ମୋଦୀ ମାମଲାରୁ ସ୍ପଷ୍ଟ ହୋଇଛି ଯେ ଅଧିକାରୀ-କର୍ମଚାରୀଙ୍କ ଦୁର୍ନୀତି ମଧ୍ୟ ବ୍ୟାଙ୍କ ଦୁର୍ଦଶାଗ୍ରସ୍ତ ହେବାର ଏକ ବଡ଼ କାରଣ। ଏହାର ନିରାକରଣ ନିହାତି ଜରୁରୀ। ଦେଶର ଅର୍ଥବ୍ୟବସ୍ଥାର ସ୍ବାସ୍ଥ୍ୟ ଭଲ ରଖିବାକୁ ହେଲେ ବ୍ୟାଙ୍କଗୁଡ଼ିକୁ ମଧ୍ୟ ସୁସ୍ଥ ରଖାଯିବା ଆବଶ୍ୟକ। ସରକାର ଓ ରିଜର୍ଭ ବ୍ୟାଙ୍କ ଏଥିପ୍ରତି ସତର୍କ ଦୃଷ୍ଟି ରଖନ୍ତୁ।

Leave A Reply