ଓଟୱାରେ ଘୂର୍ଣ୍ଣିବାତ୍ୟା

0

ଅରୁଣ କୁମାର ସାହୁ

୨୧ ସେପ୍ଟେମ୍ବର ୨୦୧୮। ଶୁକ୍ରବାର ଅପରାହ୍ଣ ୪ଟା ୪୦ ମିନିଟ। ମୋବାଇଲ ଫୋନରେ ସତର୍କ ଘଣ୍ଟି। ପ୍ରବଳ ଘୁର୍ଣ୍ଣିବାତ୍ୟା ଆସିବାର ସମ୍ଭାବନା । ଶୁକ୍ରବାର ମହରମ ପାଇଁ ଅଫିସ ଛୁଟି ଥିଲେ ବି ମୁଁ ଜରୁରୀ କାମ ପାଇଁ ଅଫିସ ଆସିଥିଲି। ଅଫିସରୁ ମୋ ଘର ସାତ କିଲୋମିଟର ଦୂର। ଟ୍ରାଫିକ ଭିଡ ହୋଇ ନଥିଲେ ଗାଡ଼ିରେ ଯିବାକୁ ବାର ମିନିଟ ଲାଗେ। ଫୋନରେ ଆସିଥିବା ସତର୍କ ସମ୍ବାଦକୁ ପଢ଼ିଲି। ଏଠି ସରକାର ଓ ଜନତା ସମସ୍ତେ ଖୁବ ତରକା। ମଣିଷ ଜୀବନର ମୂଲ୍ୟ ଖୁବ ବେଶୀ। ମୋବାଇଲ ଫୋନରେ ବିଭିନ୍ନ ସମୟରେ ଏମିତି ସବୁ ସତର୍କ ସମ୍ବାଦ ଆସିଥାଏ। ଅଧିକ ବର୍ଷା। ରାସ୍ତା ଦୁର୍ଘଟଣା। ବେଶୀ ଖରା। ଶୀତଦିନେ ବରଫ ବର୍ଷା (ଫ୍ରିଜିଙ୍ଗ ରେନ) ଇତ୍ୟାଦି ଇତ୍ୟାଦି।
“ପାପା, ଏରିକର ମାଆ ଆପଣଙ୍କ ସଂଗେ କଥା ହେବେ ।” ଦଶ ବର୍ଷର ପୁଅ ଫୋନ କରି କହିଲା। ଏରିକ ପୁଅର ସାଙ୍ଗ। ସ୍କୁଲ ପରେ ସେ ଏରିକ ଘରକୁ ସାଇକଲ ଚଲାଇ ଖେଳିବାକୁ ଯାଇଥିଲା। ମୁଁ ଏରିକର ମାଆ ସଂଗେ କଥା ହେଲି । ଏରିକର ମାଆ ମୋତେ କହିଲେ ଯେହେତୁ ଘୂର୍ଣ୍ଣିବାତ୍ୟା ଆସିବାର ସମ୍ଭାବନା ଅଛି, ପୁଅ ସାଇକଲ ଚଳାଇ ଘରକୁ ଫେରିବା ଠିକ ହେବନି ଏବଂ ମୁଁ ଆସି ତା’କୁ ଗାଡ଼ିରେ ନେଇଯାଏ । ଏରିକ ଓ ଆମ ଘର ଭିତରେ ଦୂରତା ପ୍ରାୟ ଅଧ କିଲୋମିଟର । ମନକୁ ଆସିଲା, କେତେବଡ ଘୂର୍ଣ୍ଣିବାତ୍ୟା ଯେ!ଅନିଚ୍ଛା ସତ୍ତ୍ବେ ମନକୁ ମନ କହିଲି “ହଉ । କାନାଡ଼ାର ପୁରୁଣା ବାସିନ୍ଦା ଜଣେ କହୁଛନ୍ତି ଯେତେବେଳେ ।’’
ଏରିକ ଘରେ ପହଞ୍ଚିଲା ବେଳକୁ ୫.୧୦। ପୁଣି ଥରେ ବାଜିଲା ସତର୍କ ଘଣ୍ଟି। ପୁଣି ଥରେ ସତର୍କ ସମ୍ବାଦ, କିନ୍ତୁ ଘର ବାହାରେ ପବନର ବେଗ ସେତେ ଦ୍ରୁତ ନଥିଲା। ପୁଅ କହିଲା, “ପାପା! କୁଆଡେ ଏଫ-୨ ସ୍ତରର ଘୂର୍ଣ୍ଣିବାତ୍ୟା ହେବାକୁ ଅଛି।” “ମାନେ?” ମୁଁ ପଚାରିଲି। “ମାନେ ଘଣ୍ଟାକୁ ୧୫୦ ମାଇଲରୁ ଅଧିକ ବେଗରେ ପବନ ବୋହିବ।” ଘୂର୍ଣ୍ଣିବାତ୍ୟା ବିଷୟରେ ମୋର ଜ୍ଞାନ କମ। ମୋ ଏଯାବତ ଜୀବନ କାଳ ଭିତରେ ମୁଁ ଆମ ଗାଁ ସତୀ ନଈରେ ବନ୍ୟା ଏବଂ କାଠଯୋଡ଼ି ଉପରେ ବନ୍ୟା ବ୍ୟତୀତ ଅନ୍ୟ କୌଣସି ବାତ୍ୟା କି ଘୂର୍ଣ୍ଣିବାତ୍ୟା ଦେଖିନି। ସିନେମାରେ ମୁଁ ଘୂର୍ଣ୍ଣିବାତ୍ୟା ଦେଖିଛି । ଏହାର ବିଜ୍ଞାନ ଓ ଭୂଗୋଳ ବିଷୟରେ ସମ୍ୟକ ଧାରଣା ରଖିଛି। ବାପା ଓ ପୁଅ ଗାଡ଼ିରେ ସାଇକଲ ଲଦିଲା ବେଳକୁ ପୁଅ କହିଲା, “ଏତେ ଜୋରରେ ପବନ ବୋହିଲେ ମୁଁ ତ ଆରାମରେ ଆକାଶରେ ଉଡି ଯାଇ ପାରିବି। ହାରି ପୋଟର ଭଳିଆ ନା ପାପା ।” ମୋତେ ହସ ଲାଗିଲା। ଆଜିର ପିଲା, ତା’ର ସବୁ ଅଲଗା। କଳ୍ପନା । ସ୍ବପ୍ନ ।
ଦି’ ମିନିଟରେ ଆମେ ଘରେ ପହଞ୍ଚିଲୁ । ଖାଇବା ଟେବୁଲ ଚାରିକଡେ ବସି ପୂରା ପରିବାର ଆସନ୍ନ ଘୂର୍ଣ୍ଣିବାତ୍ୟା ଉପରେ ନିଜ ନିଜର ଜ୍ଞାନ ଓ ମନ୍ତବ୍ୟ ଦେଉଦେଉ ଏଇ ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ଘୂର୍ଣ୍ଣିବାତ୍ୟାର ସତର୍କସମ୍ବାଦ ସ‌େ​‌ତ୍ତ୍ବ ସେମିତି କିଛି ବଡ ଘଟଣା ଘଟି ନପାରେ। କଥାବାର୍ତ୍ତା ସରୁ ନସରୁଣୁ ଆଲୁଅ ଲିଭିଗଲା।
ଓଟୱାରେ ଲାଇଟ ଯିବା ଆମପାଇଁ ଏଇ ପ୍ରଥମ । ଭାବିଲୁ- କିଛି ସମୟ ପରେ ଆସିଯିବ, କିନ୍ତୁ ଆଲୁଅ ଆଉ ଆସିଲାନି । ପ୍ରାୟ ତିନିଘଂଟା ଚାଲିଗଲା । ପିଲାମାନଙ୍କର ଉତ୍ସୁକତା ଧୀରେଧୀରେ ଅଧୀରତାରେ ପରିବର୍ତ୍ତନ ହେଉଥିଲା। ବିନା ବିଜୁଳିରେ ଟି ଭି, ଫ୍ରିଜଠୁ ଆରମ୍ଭ କରି ରୋଷେଇ ଚୁଲି ପର୍ଯ୍ୟନ୍ତ ସବୁ ବନ୍ଦ । କମ୍ପ୍ୟୁଟର ଓ ଫୋନ ବି । ମୋବାଇଲ ଫୋନର ଜୀବନ ଉପରେ ବି ସଂଧ୍ୟା ଢଳି ଆସୁଥିଲା। ଘରେ ଗୋଟିଏ ଟର୍ଚ୍ଚ ଓ ମହମବତି । ଝିଅ ମହମବତି ଆଲୁଅରେ ପଢିବାକୁ ଚେଷ୍ଟା କରୁଥିଲା । ପୁଅ ଭାରି ଖୁସି । ଏତେ ଦିନକେ ଟର୍ଚ୍ଚଟା ସଂଗେ ଖେଳିବାର ସୁଯୋଗ ମିଳିଛି । ଖେଳୁଖେଳୁ ପଚାରିଲା, “ପାପା! ଏମିତି ଅନ୍ଧାର ତୁମେ କେବେ ଆଗରୁ ଦେଖିଛ?”
“ହଁ। ଗାଆଁରେ । ପିଲାଦିନେ ।’’ ମୁଁ କହିଲି । ମୋର ମନେପଡିଲା ପିଲାଦିନ। ଗାଆଁ । କିରାସିନି ଡିବି । ଲଣ୍ଠନ। ଟର୍ଚ୍ଚ ଲାଇଟ। ବାହାଘର କି ପର୍ବପର୍ବାଣିରେ ପେଟ୍ରୋମାକ୍ସ ଲାଇଟ, ତା’ ଚାରିପଟେ ନାଚ । ଛାଇ ଆଲୁଅ ଖେଳ । କହିଲି, “ଅଂଧାରରୁ ତ ଆଲୁଅର ଜନ୍ମରେ ବାପା ।“ ପୁଅ ଟିକେ ଆଶ୍ଚର୍ଯ୍ୟ ହେଲା । ପ୍ରଶ୍ନକଲା, “ସେ କେମିତି ସମ୍ଭବ? ବ୍ଲାକହୋଲ ଭିତରୁ ତ ଆଲୁଅ ବାହାରେନି । ତା ଭିତରଟା ପୂରା ଅଂଧାର, ଆଉ ସେ ସବୁ ଆଲୁଅକୁ ଗିଳିପକାଏ ।“ ଷୋହଳ ବର୍ଷର ଝିଅ ବହି ପୃଷ୍ଠା ଓଲଟାଉ ଓଲଟାଉ କହିଲା, ‘ତୁ ଆଉ ଟିକେ ବଡ ହେଲେ ବୁଝିବୁ ।’
ଘୂର୍ଣ୍ଣିବାତ୍ୟା କମି ସାରିଥିଲା। ଭାବିଲି ଟିକେ ବାହାରେ ଦେଖି ଆସିବା କ’ଣ ଅବସ୍ଥା । ଗାଡ଼ିନେଇ ବାହାରିଲୁ । ପୂରା ଅନ୍ଧାର। ସାମ୍ନାରେ କାର ଆଲୁଅ ଯାହା। ଟ୍ରାଫିକ ଲାଇଟ ବିନା ରାସ୍ତାରେ ଗାଡିଚାଳକ ନିଜ ଓ ଅନ୍ୟ ମାନଂକ ସୁରକ୍ଷା ପାଇଁ ନିଜେ ଦାୟୀ। ପାଦ ଚଲା ରାସ୍ତାରେ କିନ୍ତୁ ଲୋକ। ପିଲାଂକ ଦୌଡ । ହାତରେ ଛୋଟବଡ ଟର୍ଚ୍ଚ ଲାଇଟ । ସ୍ତ୍ରୀ ଓ ପୁରୁଷଙ୍କ ଭାବ ବିନିମୟ । ଶୁକ୍ରବାର ସନ୍ଧ୍ୟା । ସପ୍ତାହର ଶେଷ ଦିନ । କେତେ ଯୋଜନା । ପରିବାର ମିଳନ। ଭୋଜନ। ବନ୍ଧୁ ମିଳନ। ପ୍ରେମ, ବିଚ୍ଛେଦ। ଘୂର୍ଣ୍ଣିବାତ୍ୟା ଗୋଟିଏ ସାମାନ୍ୟ ବ୍ୟତିକ୍ରମ ମାତ୍ର।
ସକାଳକୁ ଲାଇଟ ଆସିଯାଇଥିବାର ସମ୍ଭାବନା ନେଇ ଆମେ ଶୋଇପଡିଲୁ । ସକାଳୁ ଉଠିଲା ବେଳକୁ ବାହାରେ ସବୁ ସ୍ପଷ୍ଟ । ସାଧାରଣ । ସୂର୍ଯ୍ୟ କିରଣ। ପଡୋଶୀଙ୍କ ସକାଳ ଚଲା। କସରତ । ପୋଷା କୁକୁର। କାର୍‌। ପଡିଆରେ ଫୁଟବଲ । ଟେନିସ ବଲ। କିନ୍ତୁ ବିଜୁଳି କାହିଁ? ପ୍ରଥମେ ମୋତେ ଲାଗିଲା ହୁଏତ କେବଳ ଆମ ଘରେ ବିଜୁଳି ନାହିଁ । ପଡୋଶୀଙ୍କୁ ପଚାରିଲି । ସେ ହସି ଦେଇ କହିଲେ, “ଓଟୱା ସହର ବିବରଣୀ ଅନୁସାରେ ଦି’ ତିନି ଦିନ ଲାଗିବ ବିଜୁଳିକୁ ।’’ “ଖାଇବା ପିଇବା ?” ମୁଁ ପଚାରିଲି । ସେ କହିଲେ, “ବିଶ୍ୱବିଦ୍ୟାଳୟ, ଡାକ୍ତରଖାନା, ୱାଲମାର୍ଟ ଭଳିଆ ବଡବଡ ଦୋକାନ ଏବଂ ମାକଡୋନାଲଡ, ଟିମ ହର୍ଟନ କି ପିଜ୍ଜାପିଜ୍ଜା ଭଳିଆ ଫାଷ୍ଟଫୁଡ ଜଏଂଟ ଖୋଲିଯିବ, କାରଣ ତାଂକର ନିଜର ଆପଦକାଳୀନ ବିଜୁଳି ବ୍ୟବସ୍ଥା ଥାଏ ।’’ ମନେମନେ ଆଶ୍ବସ୍ତ ହେଲି ।
ମାକଡୋନାଲ୍ଦରେ ଖୁବ ଭିଡ । ଆମ ଭଳିଆ ସମସ୍ତେ। ପ୍ରାୟ ଘଂଟାଏ ଆପେକ୍ଷା କରିବାକୁ ପଡିଲା । ସକାଳଟା କଟିଗଲା । ଉପରବେଳା ପିଲାଂକୁ ନେଇ ବାହାରିଗଲି କାର୍ଲଟନ ବିଶ୍ୱବିଦ୍ୟାଳୟ । ଆମ ଘରଠୁ ସାତ ମିନିଟ ଦୂର। ଓଟୱାରେ ଥିବା ଦୁଇଟି ନାମୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନ୍ୟତମ । ଭିତରେ ପଶିଲା ପରେ ଲାଗିଲା ବିଦ୍ୟାର୍ଥୀଙ୍କ ଜୀବନଯାତ୍ରାରେ ସେମିତି କିଛି ପରିବର୍ତ୍ତନ ହୋଇନି । ବହି, ପାଠ ଓ ପାଠାଗାର । ପାଠାଗାର ଅଗଣାରେ ପିଜ୍ଜା ସଂଗେ ଲାପଟପ ଓ ଆଇପ୍ୟାଡକୁ ନେଇ ବ୍ୟସ୍ତ ରହିଲେ ପିଲାମାନେ । ୱାଇଫାଇ ମାଧ୍ୟମରେ ମୋର ବି କିଛି କାମ ହୋଇଗଲା । ଜରୁରୀ ଇ-ମେଲ ସବୁ ଚାଲିଗଲା । ବଂଧୁ ଓ ପରିଜନଂକୁ ଖବର ଦେଇ ପାରିଲି ଯେ ‘ଆମେ ଭଲ ଅଛୁ’।
‘ଲାଇଟ ଆସିଗଲା- ଘରୁ ସ୍ତ୍ରୀଙ୍କ ଫୋନ।’ ପିଲାମାନଙ୍କ ନାଚ । ପୂରା ପଚିଶ ଘଂଟା । ଘରକୁ ଫେରିଲୁ । ଫେରିବା ରାସ୍ତାରେ ମନକୁ ଆସୁଥିଲା–ମଣିଷର ବଂଚିବାର ଇଚ୍ଛା କେତେ ଅଦମ୍ୟ ଆଉ ସେଇ ଅଦମ୍ୟ ଇଚ୍ଛାର ପରିଣାମ ହିଁ ବିକାଶ, ପ୍ରଗତି।
ଉପ ରାଷ୍ଟ୍ରଦୂତ, ଭାରତୀୟ ଦୂତାବାସ
ଓଟୱା, କାନାଡ଼ା

Leave A Reply