ବିଜୁଳିର ହୁଗୁଳା ଶାସନ; ମୋ ସରକାର ତା’କୁ ସୁଧାରି ପାରିବ ତ?

ରାଜ୍ୟର ବିଜୁଳି ଶାସନରେ ଅନେକ ସମସ୍ୟା ରହିଛି ଯାହା ନାନାବିଧ ସଂସ୍କାର ଓ ପଦକ୍ଷେପ ସତ୍ତ୍ବେ ସୁଧୁରୁ ନାହିଁ। ଏହା ଏକ ଅତ୍ୟାବଶ୍ୟକ କ୍ଷେତ୍ର ହୋଇଥିଲେ ହେଁ ଉପଭୋକ୍ତାକୁ ସନ୍ତୋଷଜନକ ସେବା ମିଳି ନ ଥାଏ। ଏଥିରେ ପୁଣି ସହର ଓ ଗ୍ରାମାଞ୍ଚଳ ପାତରଅନ୍ତର ରହିଛି। ସେବା ନାମରେ ବିଜୁଳି ବ୍ୟବସାୟ ଏବଂ ଏହାର ଘରୋଇକରଣ ପରିସ୍ଥିିତିକୁ ଅଧିକ ବିଗାଡ଼ିଛି। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ବିଦ୍ୟୁତ୍‌ କ୍ଷେତ୍ରରେ ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲା ବିଜୁ ପଟ୍ଟନାୟକଙ୍କ ଦ୍ବିତୀୟ ଓ ଶେଷପାଳି ଶାସନ ସମୟରେ। ତା’ମଧ୍ୟରେ ମହାନଦୀରେ ଅନେକ ପାଣି ବହି ଯାଇଥିଲେ ମଧ୍ୟ ବିଜୁଳି ବ୍ୟବସ୍ଥାରେ ଆଶାଜନକ ଉନ୍ନତି ପରିଲକ୍ଷିତ ହୋଇନାହିଁ। ଉତ୍ତମମାନର ନିରନ୍ତର ବିଜୁଳି ପାଇବା ଉପଭୋକ୍ତାଙ୍କ ପାଇଁ ଏବେ ମଧ୍ୟ ଦିବାସ୍ବପ୍ନ ପାଲଟିଛି। ତା’ସହିତ ବିଜୁଳି ସଂଯୋଗ ନେବା, ଅଭିଯୋଗ ସମାଧାନ, ଦେୟପୈଠ, ରକ୍ଷଣାବେକ୍ଷଣ ଏବଂ ଉପଭୋକ୍ତାଙ୍କୁ ପ୍ରତିଶ୍ରୁତି ମୁତାବକ ସେବା ଓ ସୁବିଧା ଦେବାବେଳେ ଘୋଷଣାରେ ସୀମିତ ହୋଇରହିଛି। ପରିଚାଳନାଗତ ସମସ୍ୟା ସହିତ ଦୁର୍ନୀତି, ଲାଞ୍ଚ ଓ ଅନ୍ୟାନ୍ୟ କାରବାର ଏହା ସହିତ ଯୋଡ଼ି ହୋଇଯାଇଛି। ବୋଧହୁଏ ସରକାର ଏ ସବୁକୁ ହୃଦୟଙ୍ଗମ କରି ଏହାକୁ ‘ଫାଇଭ-ଟି’ର ଅନ୍ତର୍ଭୁକ୍ତ କରିଛନ୍ତି। ‘ମୋ ବିଦ୍ୟୁତ୍‌’ ଓ ​‌େମାବାଇଲ ଆପ୍‌ ଆଦି ବ୍ୟବସ୍ଥା ପ୍ରବର୍ତ୍ତନ କରି ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାକୁ ପଦକ୍ଷେପ ନେଇଛନ୍ତି। ସରକାରଙ୍କର ଏହି ନିଷ୍ପତ୍ତି ଯେ ଅଭିନନ୍ଦନୀୟ ଏଥିରେ ସନ୍ଦେହର ଅବକାଶ ନାହିଁ। ବିଦ୍ୟୁତ୍‌ସେବା ଉପରେ ଏଣିକି ‘ମୋ ସରକାର’ ଆଖି ରଖିବ ଏବଂ ଲୋକଙ୍କୁୁ ତୁରନ୍ତ ସୁବିଧାସୁଯୋଗ ମିଳିବ ଏ ପ୍ରତିଶ୍ରୁତି ତ ବେଶ୍‌ ଭଲ। ଅନ୍‌ଲାଇନ ବ୍ୟବସ୍ଥାରେ ବିଜୁଳି ସଂଯୋଗ, ଅନୁରୂପ ବ୍ୟବସ୍ଥାରେ ବିଲ୍‌ ପୈଠ କଲେ ୨ ଶତାଂଶ ରିଆତି ପ୍ରଦାନ ସୁବିଧା ଏସବୁ ଭଲ କଥା; ହେଲେ ଏହାର ଉପଯୁକ୍ତ କାର୍ଯ୍ୟକାରିତା ଓ ପରିପାଳନ ଅଧିକ ଗୁରୁତ୍ବପୂର୍ଣ୍ଣ।
ଅନ୍‌ଲାଇନରେ ଦେୟ ପୈଠକଲେ ୨ଶତାଂଶ ରିଆତି ପ୍ରଦାନ ବ୍ୟବସ୍ଥା ନୂଆ କଥା ନୁହେଁ। ପୂର୍ବରୁ ଏହି ବ୍ୟବସ୍ଥା ରହିଥିଲେ ମଧ୍ୟ ଉପଭୋକ୍ତାଙ୍କୁ ସେ ସୁବିଧା ମିଳୁନାହିଁ। ତା’ଛଡ଼ା ଉପଭୋକ୍ତାଙ୍କଠାରୁ ପ୍ରତି ମାସରେ ବିଦ୍ୟୁତ୍‌ ଶୁଳ୍କ ବାବଦରେ ଏକ ନିର୍ଦି​‌ଷ୍ଟ ଅତିରିକ୍ତ ଟିକସ ଆଦାୟ ଏବଂ ସ୍ଲାବ ବ୍ୟବସ୍ଥାରେ ମାତ୍ରାଧିକ ଟିକସ ବ୍ୟବସ୍ଥା ଅଯୌକ୍ତିକ। ଆଜିକାଲି ମାସିକ ୩୦୦ ୟୁନିଟ୍‌ ବିଜୁଳି ଅଧିକାଂଶ ଘରେ ବ୍ୟବହୃତ ହେଉଛି। ଏଥିପାଇଁ ତିନିଟି ସ୍ଲାବକରି ଅଧିକ ଶୁଳ୍କ ଆଦାୟ କରିବା ଉପଭୋକ୍ତାଙ୍କୁ ଏକପ୍ରକାର ଶୋଷଣ। ଏହି ସ୍ଲାବ୍‌ ସଂଶୋଧନ ଉପରେ କମ୍ପାନୀ ଓ ସରକାର ନିରବ। ଏବେ ଚାଇନା ମିଟରକୁ ନେଇ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ରହିଛି। ଏ ମିଟର କମ୍ପାନୀଙ୍କୁ ଲାଭ ଦେଉଛି ଏବଂ ଉପଭୋକ୍ତାଙ୍କୁ ଶୋଷଣ କରୁଥିବାର ଅଭିଯୋଗ ହେଉଛି। ଏହି ଅଭିଯୋଗର ତଦନ୍ତ କରି ବିକଳ୍ପ ମିଟର ବ୍ୟବସ୍ଥା କରାଯାଉ। ଆହୁରି ମଧ୍ୟ ବିଭିନ୍ନ ବିଦ୍ୟୁତ୍‌ ବିତରଣକାରୀ କଂପାନୀ ନିଜେ ଚାଇନା ମିଟର ଉପଭୋକ୍ତାଙ୍କ ଘରେ ବସାଇଥିଲେ। ଏଥିପାଇଁ ପ୍ରତି ମାସରେ ବିଲ୍‌ ମାଧ୍ୟମରେ ୫୦ ଟଙ୍କା କରି ଆଦାୟ କରାଯାଉଛି। ଏଭଳି ମିଟର ୧୦୦୦ରୁ ୧୨୦୦ ଟଙ୍କାରେ ଉପଲବ୍ଧ; କିନ୍ତୁ କର୍ତ୍ତୃପକ୍ଷ ଦୁଇବର୍ଷରୁ ଅଧିକକାଳ ଧରି ଉପଭୋକ୍ତାଙ୍କଠାରୁ ଏ ବାବଦରେ ଅର୍ଥ ଆଦାୟ କରିଆସୁଛନ୍ତି। ଅଭିଯୋଗ କଲେ କୌଣସି ପ୍ରତିକାର ହେଉନାହିଁ। ସରକାର ଓ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।

ଏବେ ବିଜୁଳି ଏକ ଲାଭଜନକ ବ୍ୟବସାୟ ପାଲଟିଛି। ଏଥିରେ ଉପଭୋକ୍ତାଙ୍କ ସ୍ବାର୍ଥ ରକ୍ଷା ହେଉନାହିଁ। ନିୟାମକ ବା ଅନ୍ୟ ଯେଉଁସବୁ ବ୍ୟବସ୍ଥା ରହିଛି ସେସବୁର କାମ ଜନତାଙ୍କ କାମରେ ଲାଗୁନି। ବ୍ୟବସାୟରେ ନୈତିକତା ଓ ସାମାଜିକ ଦାୟିତ୍ବ ନିର୍ବାହ ଗୌଣ ହୋଇ ଲାଭ ଅଗ୍ରାଧିକାର ପାଏ। ଆମ ବିଚାରରେ ଓଡ଼ିଶାରେ ବିଜୁଳି କ୍ଷେତ୍ରରେ ତାହା ଚାଲିଛି।
ବିଜୁଳି ଶାସନରେ ପରିଚାଳନାଗତ ସମସ୍ୟା ଓ ଅନ୍ୟାନ୍ୟ କଥା ଯେ ସରକାରଙ୍କୁ ଅଛପା ତାହା ନୁହେଁ। ସବୁ ଜାଣି ମଧ୍ୟ ନିଦାବିଷ୍ଣୁ ସାଜିବା ଏବଂ ମଝିରେ କିଛି ଗୋଟେ ଘୋଷଣା କରିଦେଇ ପ୍ରହେଳି ସୃଷ୍ଟିକରିବା ଦ୍ବାରା ସମସ୍ୟାର ସମାଧାନ ହୁଏନା କିମ୍ବା ଲୋକଙ୍କ ଦୁଃଖ ହଟେ ନାହିଁ।

ବିଦ୍ୟୁତ୍‌ କ୍ଷେତ୍ରରେ ସଂସ୍କାର ଏବଂ ବ୍ୟବସ୍ଥାର ଉନ୍ନତି ପାଇଁ କେନ୍ଦ୍ରସରକାର ଗୁରୁତ୍ବ ଦେଇ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ପ୍ରଚୁର ଅର୍ଥ ବିଭିନ୍ନ ଆକାରରେ ବିତରକ କମ୍ପାନୀ ଓ ପ୍ରାଦେଶିକ ସରକାରଙ୍କୁ ଦିଆଯାଉଛି। ତା’ସତ୍ତ୍ବେ ସଂପୃକ୍ତ କମ୍ପାନୀମାନେ କ୍ଷତିରେ ଚାଲିବା ଏବଂ ଲୋକଙ୍କ ଉପରେ ଅଧିକ ଶୁଳ୍କ ଲଗାଇବାକୁ ଚାପ ପକାଇବା ଆଦୌ ଗ୍ରହଣୀୟ ନୁହେଁ। ସଂସ୍କାର ତ ସର୍ବଦା ଏକ ମାୟା ଓ ମରୀଚିକା। ଏହା ଯେ ଜନତାଙ୍କ ଦୁଃଖ ଦୂର କରିବାରେ ସହାୟକ ହୁଏ ସେ ବିଶ୍ବାସ କମ୍‌ ଏକଥା ଆମେ ଅନୁଭୂତିରୁ କହିପାରିବା। ଏହା ସତ୍ତ୍ବେ ଆମର ଦୃଢ଼ ବିଶ୍ବାସ ଯେ ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଜନକଲ୍ୟାଣ ଆଭିମୁଖ୍ୟ ରହିଲେ ପରିସ୍ଥିତିରେ ଉନ୍ନତି ନିଶ୍ଚିତ ଆସିବ। ମୋ ସରକାର ଅଧୀନରେ ‘ବିଜୁଳି’ ଆସିବା ପରେ ବ୍ୟବସ୍ଥାରେ କେତେ ଉନ୍ନତି ଘଟିବ ତାହା ସମୟ ହିଁ କହିବ।

Comments are closed.