ଗଣତନ୍ତ୍ରରେ ମାନବିକ ଅଧିକାରର ସୁରକ୍ଷା

0

ସାତକଡ଼ି ହୋତା

ବିଭିନ୍ନ ସମୟରେ ପ୍ରାୟ ହଜାରେ ବର୍ଷ ଭାରତ ପରାଧୀନ ରହିଥିବା ସତ୍ତ୍ବେ ଏବେ ଦେଶବାସୀଙ୍କ ମନେପଡ଼ୁଛି ଯେ ସ୍ବାଧୀନତାଠାରୁ ଅଧିକ ମୂଲ୍ୟବାନ ଆଉ କିଛି ନୁହେଁ। ଆମ ଦେଶ ପରାଧୀନ ଥିଲାବେଳେ ବିଦେଶୀ ଶାସକଙ୍କ ମର୍ଜି ଅନୁସାରେ ଆମକୁ ଶାସନ କରୁଥିଲେ, ଦେଶର ଧନରତ୍ନ କେବଳ ଲୁଟ କରୁନଥିଲେ, ବରଂ ଲୋକଙ୍କୁ କ୍ରୀତଦାସ ପରି ମନଇଚ୍ଛା ବ୍ୟବହାର କରୁଥିଲେ। ମାଗ୍ନାକାର୍ଟା ମାଧ୍ୟମରେ ଇଂରେଜମାନଙ୍କୁ ରାଜା ଜନ ୧୨୧୫ରେ ବ୍ୟକ୍ତିଗତ ଓ ରାଜନୀତିକ ଅଧିକାର ଦେଇଥିବାବେଳେ ଭାରତୀୟମାନଙ୍କୁ ଇଂରେଜଶାସକ ୧୯୪୭ରେ ସେଇ ଅଧିକାର ଦେଇଥିଲେ। ଧୀରେଧୀରେ ଭାରତୀୟଙ୍କୁ ଇଂରେଜମାନେ ଶାସନଭାର ହସ୍ତାନ୍ତର କରି ଦେଶ ଛାଡ଼ି ନିଜ ଦେଶକୁ ଫେରିଗଲେ। ଏହାହିଁ ଏ ଜାତିର ମହାନତା। ଭାରତ ସ୍ବାଧୀନ ହେବାର ସତୁରି ବର୍ଷ ହୋଇଗଲା। ଦେଶବାସୀ ୧୯୪୭ ମସିହା ଅଗଷ୍ଟ ପନ୍ଦର ଦିନ ସ୍ବାଧୀନ ହେଲେ ଏବଂ ସେଇ ଦିନ ମଧ୍ୟରାତ୍ରିରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ଆଜି ମଧ୍ୟରାତ୍ରିରେ ସମସ୍ତ ଜଗତ ଶୋଇଥିବାବେଳେ ଭାରତ ଜାଗିଛି। ବ୍ରିଟିଶ ଶାସକମାନେ ଦେଶଛାଡ଼ି ଚାଲିଯିବା ପରେ ଭାରତୀୟମାନେ ନିଜେ ନିଜର ସ୍ବାଧୀନତା ଫେରି ପାଇଛନ୍ତି। ସେଇ ମଧ୍ୟରାତ୍ରିରେ ଦେଶବାସୀ ଅନୁଭବ କଲେ ଯେ ସେମାନେ ସ୍ବାଧୀନ ଏବଂ ଏବେ ନିଜେ ନିଜର ଶାସକ।
ସେମାନେ ପ୍ରସ୍ତୁତ କରିଥିବା ସମ୍ବିଧାନ ଭାରତୀୟଙ୍କୁ ନିଜ ପାଦରେ ଛିଡ଼ା ହେବାର ଅଧିକାର ଦେଇଛି। ଆଇନର ଶାସନ ସେମାନଙ୍କୁ ମର୍ଯ୍ୟାଦାର ସହିତ ବଞ୍ଚିବା ପାଇଁ କେବଳ ନୁହେଁ, ବରଂ ନିଜର ସୁବିଧା ଅନୁସାରେ ଚଳାଚଳ ଓ ବସବାସ କରିବାପାଇଁ ଅଧିକାର ଦେଇଛି। ଏଇ ଅଧିକାରରୁ କେହି ବଞ୍ଚିତ କରିପାରିବ ନାହିଁ ଏହା ସମ୍ବିଧାନରେ ଲିପିବଦ୍ଧ ରହିଛି। ଏଇ ବ୍ୟବସ୍ଥା ସମ୍ବିଧାନରେ ରହିବା ପରେ ପ୍ରତ୍ୟେକ ନାଗରିକ ସ୍ବାଧୀନ ଭାବେ ବସବାସ କରିବାର ମର୍ଯ୍ୟାଦା ପାଇଛନ୍ତି। ଶାସକ ମନଇଚ୍ଛା କୌଣସି ନାଗରିକଙ୍କୁ ଗିରଫ କରିପାରିବ ନାହିଁ ଏଇ ଧାରଣା ମଧ୍ୟ ସମସ୍ତଙ୍କ ମନ​‌େ​‌ର ସୃଷ୍ଟି ହୋଇଛି। ସମ୍ବିଧାନର ୨୧ଧାରା ଅନୁସାରେ ଶାସନ କୌଣସି ବ୍ୟକ୍ତିକୁ ନିଜ ଜୀବନ ବା ବ୍ୟକ୍ତିଗତ ସ୍ବାଧୀନତାରୁ ବଞ୍ଚିତ କରିପାରିବ ନାହିଁ। ଗଣତନ୍ତ୍ରର ସବୁଠାରୁ ବଡ଼ ଅବଦାନ ହେଉଛି ବୁଝାମଣା, ବିଶ୍ବାସ ଏବଂ ସହଯୋଗୀତା।
ଗଣତନ୍ତ୍ରର ମୂଲ୍ୟବୋଧଗୁଡ଼ିକୁ ଆଧାର କରି ସତୁରି ବର୍ଷ ଧରି ଶାସନ କାର୍ଯ୍ୟ ଚାଲିଛି। ଆଇନ ଆଗରେ ସମସ୍ତଙ୍କୁ ସମାନ ମର୍ଯ୍ୟାଦା ମିଳୁଛି, କିନ୍ତୁ ତଥାପି ସଚେତନତା ବା ବୁଝାମଣା ଅଭାବରୁ ଆଇନ ବେଳେବେଳେ ବାଟବଣା ହେଉଛି। ଶାସନର ତିନିଟି ବିଭାଗ ଯଥା- ବିଧିପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା। ଏଇ ତିନି ବିଭାଗର ସଫଳତା ଯୋଗୁଁ ଶହେ ତିରିଶ କୋଟି ଲୋକ ଶାସନରୁ ନ୍ୟାୟ ପାଇବାପାଇଁ ଆଶା କରନ୍ତି। କିନ୍ତୁ କେତେକ ଅପରିହାର୍ଯ୍ୟ ରାଜନୀତିକ କାରଣରୁ କାର୍ଯ୍ୟପ୍ରଣାଳୀର ମନ୍ଥରତା ଓ ଲୋକହିତକର କାର୍ଯ୍ୟ କରିବାରେ ପକ୍ଷପାତିତା କାର୍ଯ୍ୟପାଳିକାକୁ କେବଳ ଅପାରଗ କରିନାହିଁ ବରଂ ନିନ୍ଦିତ କରୁଛି। କ୍ଷମତାରେ ରହୁଥିବା ରାଜନୀତିକ ଦଳମାନଙ୍କ ପକ୍ଷପାତିତ୍ବ ଶାସନକୁ ପ୍ରଭାବିତ କରୁଥିବାରୁ ନ୍ୟାୟ ମିଳିବା କଷ୍ଟକର ହେଉଛି। କାର୍ଯ୍ୟପାଳିକାର ଅସାମର୍ଥ୍ୟ ଯୋଗୁଁ ଆଇନର ଶାସନ ଓ ନ୍ୟାୟ ପ୍ରଦାନ ବ୍ୟବସ୍ଥାର ସ୍ବଚ୍ଛତା ଓ ସକ୍ରିୟତାର ପ୍ରଭାବ ଦେଶବାସୀଙ୍କ ପାଖରେ ପହଞ୍ଚି ପାରୁନାହିଁ। କାର୍ଯ୍ୟପାଳିକାକୁ ଅଧିକ ସକ୍ରିୟ, ସ୍ବଚ୍ଛ, ନିରପେକ୍ଷ ଓ ହିତବାଦୀ କରିବା ଦିଗରେ ରାଜନେତା ସମ୍ମାନ ପ୍ରଦର୍ଶନ ନକରିପାରିବା ଯୋଗୁଁ ଟଙ୍କାଟିଏ ସରକାର ଲୋକଙ୍କ ହାତକୁ ଦବାବେଳେ ସେମାନଙ୍କ ହାତରେ ମାତ୍ର ପନ୍ଦରଭାଗ ପହଞ୍ଚୁଛି ଅନ୍ୟଥା ବାଟମାରଣା ହେଉଛି। ଦୀର୍ଘକାଳ ଧରି ଧର୍ମ, ଜାତିଗୋତ୍ର, ଅସମାନତା ଭିତରେ ଚଳି ଆସିଥିବା ଭାରତବାସୀ ନିଜେ ଆଇନର ଶାସନ ସହିତ ନିଜର ଆଚାରବିଚାର ଓ ଚଳଣିକୁ ଖାପ ଖୁଆଇ ନିଜର କର୍ମଧାରାକୁ ପରିଚାଳନା କରିବା ଏବେ ଅଭ୍ୟାସରେ ପଡ଼ିଗଲାଣି। କାର୍ଯ୍ୟପାଳିକା ଶାସନ ଓ ନ୍ୟାୟପ୍ରଦାନ ପରିଚାଳନା ବ୍ୟବସ୍ଥାରୁ ଅସମାନତା, ଅକ୍ଷମତା ଓ ଦୁର୍ବଳତାକୁ ଦୂର କରିବାରେ ଅସମର୍ଥ ହେବାରୁ ଦେଶବାସୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ୁଛି। ଏଇ କାରଣରୁ ବର୍ତ୍ତମାନ ନକ୍ସଲବାଦ ଓ ମାଓବାଦ ପରି ଉଗ୍ରବାଦୀମନସ୍କତା ସୃଷ୍ଟି ହେଉଛି। ନ୍ୟାୟ ପାଇବାରେ ଅସମାନତା ବା ନିଜର ଅଧିକାର ହାସଲ କରିବାବେଳେ ଲାଞ୍ଚମିଛର ଶିକାର ହେବାଦ୍ବାରା ନକ୍ସଲବାଦୀମନସ୍କତା ବଢ଼ୁଛି।
ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ସ୍ଥିତାବସ୍ଥା ଓ ପ୍ରତିକ୍ରିୟାଶୀଳତା ବିରୋଧରେ କେତେକ ବରିଷ୍ଠ ସାମ୍ବାଦିକ ଓ ବୁଦ୍ଧିଜୀବୀ ଗଣମାଧ୍ୟମରେ ବରାବର ଲେଖୁଥିବାରୁ ସେମାନଙ୍କୁ ଖତମ୍‌ କରିବାପାଇଁ କେତେକ ଅସାମାଜିକ ଲୋକ ଯୋଜନା କରିଥିଲେ। ସାମ୍ବାଦିକ ଓ ଳେଖକଙ୍କ ମଧ୍ୟରେ ଗୌରୀ ଲଙ୍କେଶ, ଏମ୍‌ଏମ୍‌ କଲବୁର୍ଗୀ, ନରେନ୍ଦ୍ର ଡାଭୋଲକର ଏବଂ ଗୋବିନ୍ଦ ପାନ୍‌ସରେଙ୍କୁ ହତ୍ୟାକରିବା ଯୋଗୁଁ ଗଣଆନ୍ଦୋଳନ ବଢ଼ୁଛି। ହିନ୍ଦୁତ୍ବବାଦୀମାନେ ଗୋବଧ କରୁଥିବା ଭିନ୍ନଧର୍ମୀଙ୍କୁ ଭିଡ଼ହତ୍ୟା କରିବା ଦ୍ବାରା ଦେଶର ଅନେକ ସ୍ଥାନରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ହିଂସାକାଣ୍ଡ ଘଟୁଛି। ଦୁର୍ଭାଗ୍ୟରୁ ଦକ୍ଷିଣପନ୍ଥୀଙ୍କ ଆକ୍ରମଣ ଓ ବାମପନ୍ଥୀଙ୍କ ପ୍ରତିଆକ୍ରମଣ ମଧ୍ୟରେ ସଂଘର୍ଷ ହେଉଥିବାରୁ ମାଓବାଦୀଙ୍କ ସମର୍ଥକ କବି ବାରବରା ରାଓ, ଭାରନନ୍‌ ଗନ୍‌ସାଲଭେସ୍‌, ଅରୁଣ ଫେରେଇରା, ଗୌତମ ନୌଲଖା ଏବଂ ସୁଧା ଭରଦ୍ବାଜଙ୍କୁ ପୁଲିସ ଗିରଫ କରିବା ଦ୍ବାରା ବାମପନ୍ଥୀ ବୁଦ୍ଧିଜୀବୀମାନେ ସେମାନଙ୍କୁ ଗିରଫ ନକରିବାପାଇଁ ସର୍ବୋଚ୍ଚ ଅଦାଲତରେ ଆଶ୍ରୟ ନେଇଥିଲେ। ସେମାନଙ୍କ ନିବେଦନ ଗ୍ରହଣ କରି ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସହନଶୀଳତାକୁ ଦୃଢ଼ କରିବାପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନେତୃସ୍ଥାନୀୟ ବୁଦ୍ଧିଜୀବୀମାନଙ୍କୁ ଗିରଫ କରି ଜେଲକୁ ନନେଇ ଗୃହବନ୍ଦୀ କରିବାପାଇଁ ଆଦେଶ ଦେବାବେଳେ କହିଥିଲେ ଯେ ଗଣତନ୍ତ୍ରକୁ ପରିପୁଷ୍ଟ କରିବାପାଇଁ ସହନଶୀଳତାର ଆବଶ୍ୟକତା ଅଛି। କାର୍ଯ୍ୟପାଳିକାର ଅକ୍ଷମତା ଦୂର କରିବାପାଇଁ ନ୍ୟାୟପାଳିକା କାର୍ଯ୍ୟପାଳିକାର ସ୍ବଚ୍ଛତା, ସକ୍ରିୟତା ଓ ନିରପେକ୍ଷତା ଉପରେ ସଜାଗ ଦୃଷ୍ଟି ରଖିଛି।
ବିଧିପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରେ ସମବାୟିକ ଉଦ୍ୟମ ଓ କ୍ଷମତାର ଯୁକ୍ତିଯୁକ୍ତ ବଣ୍ଟନ ଅଭାବ ହେଉଥିବାରୁ ଏହାଦ୍ବାରା ହିତବାଦୀ ଶାସନର କାର୍ଯ୍ୟ ବ୍ୟାହତ ହେଉଛି। ଶାସନର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ। ଚତୁର୍ଥ ସ୍ତମ୍ଭର କର୍ତ୍ତବ୍ୟ ନିର୍ବାହ କରିବାକୁ ଯାଇ କାର୍ଯ୍ୟପାଳିକା ଅକ୍ଷମତା ପ୍ରଦର୍ଶନ କରିବା ଦ୍ବାରା ସେଠାରେ ଶାସନକୁ ହଟହଟା ହେବାକୁ ପଡ଼ୁଛି। ସୁତରାଂ ତିନିଟି ବିଭାଗ ମଧ୍ୟରେ ଯଦି ଉତ୍ତରଦାୟିତ୍ବ ପାଳନରେ ଅକ୍ଷମତା ଓ ଅପୂର୍ଣ୍ଣତା ରହିଯାଏ ତେବେ ହିତବାଦୀ ଶାସନ ଥାଇ ମଧ୍ୟ କାର୍ଯ୍ୟ ସମ୍ପାଦନା କରିବାରେ ପକ୍ଷପାତିତା ଓ ଅକ୍ଷମତା ଯୋଗୁଁ ସ୍ବଚ୍ଛତା ଓ ସମବାୟିକ ଉଦ୍ୟମ ଅଭାବରୁ ଶାସନ ବଦନାମ୍‌ ହେଉଛି। ନିକଟରେ ଶିଶୁମାନଙ୍କୁ ଯୌନାଚାରର ମାଧ୍ୟମ କରି ଉପଯୁକ୍ତ ଦଣ୍ଡ ଦେବାରେ ଅବହେଳା ହେବାରୁ ସମାଜ ଓ ଶାସନ ଉଭୟ ନିନ୍ଦିତ ହେଉଛନ୍ତି। ଗୋମାଂସ ଚାଲାଣ ଓ ବ୍ୟବହାର କରିବା ଧରାପଡ଼ିଲେ ସେମାନଙ୍କୁ ତଥାକଥିତ ଗୋରକ୍ଷକମାନେ ଭିଡ଼ ଆକ୍ରମଣ କରିବା ଦ୍ବାରା କେତେକ ମୃତ୍ୟୁ ହୋଇଛି। ସେମାନଙ୍କୁ କେତେକ ରାଜନୀତିକ ଦଳ ଓ କର୍ମୀ ସମର୍ଥନ କରୁଥିବା ଯୋଗୁଁ ଧର୍ମ ଓ ଜାତିଗୋଷ୍ଠୀ ବିବାଦ ଗତ କେତେ ମାସଧରି ବଢ଼ିବାରେ ଲାଗିଛି।
ସମ୍ବିଧାନରେ ଦିଆଯାଇଥିବା ଅଧିକାର ସୁରକ୍ଷିତ ରଖିବା କାର୍ଯ୍ୟପାଳିକାର କର୍ତ୍ତବ୍ୟ। ଆଇନରେ ଏଥିପାଇଁ ଉପଯୁକ୍ତ ବିଧିବିଧାନ ରହିଥିଲେ ମଧ୍ୟ ଏ ପ୍ରସଙ୍ଗରେ କାର୍ଯ୍ୟପାଳିକା କର୍ତ୍ତବ୍ୟରେ ଅବହେଳା କରୁଥିବାର ପ୍ରମାଣ ରହିଛି। କାର୍ଯ୍ୟପାଳିକାର ଅକ୍ଷମତା ପାଇଁ ଆଇନ ଅନୁସାରେ ସେମାନଙ୍କୁ ଦଣ୍ଡ ଦବା ଉଚିତ ହେବ। କିନ୍ତୁ କାର୍ଯ୍ୟପାଳିକା ଦୋଷୀଙ୍କ ପ୍ରତି କୋହଳ ମନୋଭାବ ଆପଣାଉଥିବାରୁ ଅପରାଧୀମାନେ ଅପରାଧ କରି ମଧ୍ୟ ଉଚିତ ଶିକ୍ଷା ପାଉନାହାନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବ୍ୟକ୍ତିର ଅଧିକାର ଧାରା ୨୧ରେ ଲିପିବଦ୍ଧ ହୋଇଥିଲେ ମଧ୍ୟ ସେଥିପ୍ରତି ଉଚିତ ଧ୍ୟାନ ଦିଆଯାଉନାହିଁ। ମଣିଷର ବଞ୍ଚିବାପାଇଁ ଥିବା ଅଧିକାର ଏବଂ ସେଥିରେ ତାକୁ ସହାୟତା କରିବା ହେଉଛି କାର୍ଯ୍ୟପାଳିକାର କର୍ତ୍ତବ୍ୟ ଏବଂ ଆଇନକୁ ଏ ବିଷୟରେ ଅଧିକ କଠୋର କରିବା ସ୍ବାଗତଯୋଗ୍ୟ ଅଟେ। ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଯେ ସମ୍ବିଧାନର ୨୧ ଧାରା ଅନୁସା​‌େ​‌ର ୨୭ଟି ବିଷୟରେ ଜୀବନ ବଞ୍ଚିବାର ଅଧିକାରକୁ ଉଦାରବାଦୀ ଦୃଷ୍ଟିକୋଣରୁ ରକ୍ଷା କରିବା ସକାଶେ ବ୍ୟବସ୍ଥା ରହିଛି।
ସମ୍ବିଧାନ ଅନୁସାରେ ଭାରତ ଏକ ଧର୍ମନିରପେକ୍ଷ ଦେଶ। ତେଣୁ ଧର୍ମନିରପେକ୍ଷତା ବଜାୟ ରଖିବା ପାଇଁ ଓଡ଼ିଶା, ମଧ୍ୟପ୍ରଦେଶ ପ୍ରଭୃତି ଉପଯୁକ୍ତ ଆଇନ ପ୍ରଣୟନ କରିଥିବାରୁ ଆଇନକୁ ଫାଙ୍କିଦେଇ ଧର୍ମ ପରିବର୍ତ୍ତନ କରିବା ଦ୍ବାରା ଧର୍ମନିରପେକ୍ଷତାର ପ୍ରଭାବ ହ୍ରାସ ପାଉଛି। ଧର୍ମ, ଭାଷା ଓ ସଂସ୍କୃତି କ୍ଷେତ୍ରରେ ବିବିଧତା ରକ୍ଷା କରିବା ହିଁ ସହାବସ୍ଥାନ ଓ ଶାନ୍ତିପୂର୍ଣ୍ଣ ମାର୍ଗକୁ ପ୍ରଶସ୍ତ କରିବ। ଧର୍ମ ଅନେକ ହେଲେ ମଧ୍ୟ ଈଶ୍ବର ଯେ ଏକ ଏଇ ଭାବନା ଦୃଢ଼ ହେଲେ ଧର୍ମ ଓ ଜାତିଗୋଷ୍ଠୀ ବିବାଦ ଉଭେଇଯିବ।
ଆମ ସମ୍ବିଧାନରେ ମାନବିକ ଅଧିକାର ସମ୍ପର୍କରେ ସ୍ପଷ୍ଜଟ ଭାବରେ ଲୋକଙ୍କ ଅଧିକାର ଓ କର୍ତ୍ତବ୍ୟ ପାଳନ ସମ୍ପର୍କରେ ଯେପରି ଉଲ୍ଲେଖ ରହିଛି ଶାସନର ତିନିଟି ବିଭାଗ ଯଥା ବିଧିପାଳିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାର ଦାୟିତ୍ବ ସମ୍ପର୍କରେ ମଧ୍ୟ ସେମାନଙ୍କର କାର୍ଯ୍ୟ ପରିସରର ଉଲ୍ଲେଖ ରହିଛି। ଶାସନ ବ୍ୟବସ୍ଥା ଏହି ସବୁ ବିଧିବ୍ୟବସ୍ଥା ମାନିବାପାଇଁ ବାଧ୍ୟ। କିନ୍ତୁ ସମ୍ବିଧାନ ବାହାରେ ପ୍ରୟୋଜନ ନହେଲେ ବିଭିନ୍ନ ସମସ୍ୟାର ମୁକାବିଲା କରିବାପାଇଁ ଯଦି ଆଇନ ପ୍ରଣୟନ କରିବା ଆବଶ୍ୟକ ହୁଏ ତେବେ ରାଜ୍ୟ ବା କେନ୍ଦ୍ର ସରକାର ସେସବୁ ପ୍ରସଙ୍ଗରେ ଆଇନ ପ୍ରଣୟନ କରିବାରେ ବ୍ୟବସ୍ଥା କରିପାରିବେ। ଉଦାହରଣ ସ୍ବରୂପ ପଚାଶ ଦଶକରୁ କୃଷକ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଉଦ୍ୟମ ସତ୍ତ୍ବେ ତାହା କ୍ରମଶଃ ଉଗ୍ର ହେବାରୁ ଆଇନ କାନୁନ୍‌ ସମସ୍ୟା ସୃଷ୍ଟି ହେଉଛି। ଦକ୍ଷିଣରେ ନକ୍ସଲମାନଙ୍କ ହିଂସାକାଣ୍ଡ ନିୟନ୍ତ୍ରଣରେ ଉନ୍ନତି ହେଉଛି, କିନ୍ତୁ ଉତ୍ତରରେ ମାଓବାଦୀମାନଙ୍କ ହିଂସାକାଣ୍ଡ ଥମି ନାହିଁ। ପ୍ରାୟ ଷୋହଳଟି ରାଜ୍ୟରେ ନକ୍ସଲବାଦ ଓ ମାଓବାଦୀଙ୍କୁ ଦମନ କରିବାପାଇଁ ସରକାର ଉଦ୍ୟମ କରିବା ସହିତ କୃଷି, ଯୋଗାଯୋଗ, ପାନୀୟଜଳ, ଶିକ୍ଷା ଓ ସ୍ବାସ୍ଥ୍ୟ ସହିତ ଗରିବମାନଙ୍କ ଜୀବନଧାରଣ ବ୍ୟବସ୍ଥାରେ ବିକାଶକୁ ପ୍ରାଧାନ୍ୟ ଦେଲେ ଆତଙ୍କବାଦ ଲୋପ ପାଇବ। ଅଗଷ୍ଟ ୨୮,୨୦୧୮ରେ ସଂଘବଦ୍ଧ ଭାବେ ଆଇନ ବିରୋଧୀକାର୍ଯ୍ୟ କରୁଥିବା କୁହାଯାଇ ବୁଦ୍ଧିଜୀବୀ ଓ ସାମାଜିକ କର୍ମକର୍ତ୍ତାଙ୍କୁ ଗିରଫ କରାଯିବା ପରେ ନ୍ୟାୟାଳୟଙ୍କ ନିର୍ଦେଶରେ ଗୃହବନ୍ଦୀ କରି ରଖାଯାଇଛି। ଶାସନର ମୂଳ ଲକ୍ଷ୍ୟ ହିତସାଧନ କରିବା। ଆଇନର ବଳ ପ୍ରୟୋଗ କରି ସବୁବେଳେ ହିତବାଦୀଙ୍କୁ ଗିରଫ କରିବା ସମାଧାନର ପନ୍ଥା ନୁହେଁ। ସୁତରାଂ ଆଇନର ଶାସନକୁ ଗୁରୁତ୍ବ ଦେଇ ଉଭୟ ଗୋଷ୍ଠୀ ମଧ୍ୟରେ ସହଯୋଗ ଓ ସମାଧାନକୁ ପ୍ରାଧାନ୍ୟ ଦେବା ଦ୍ବାରା ଶାନ୍ତି ବଜାୟ ରଖିବା ସହଜ ହେବ ଏବଂ ସାମାଜିକ ଶୃଙ୍ଖଳା ରକ୍ଷା କରିବା ଦିଗରେ ପରିସ୍ଥିତି ଅନୁକୂଳ ହେବ।

Leave A Reply