ନୀତୀଶଙ୍କ ନୀତି ଓ ପ୍ରୀତି

0

ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର ଜଣେ ଅତି ଚତୁର ରାଜନେତା। ସେ କେତେବେଳେ କାହା ସହିତ ମେଣ୍ଟ କରିବେ ଓ ଭାଙ୍ଗିବେ ତାହା କଳନା କରିବା କଷ୍ଟ। ତାଙ୍କର ଏହି ସୁବିଧାବାଦୀ ରାଜନୀତିକୁ ସେ ଅନ୍ୟଭାବେ ଯଥାର୍ଥ ପ୍ରମାଣିତ କରିବାକୁ କହୁଛନ୍ତି ଯେ ବିହାରର ବିକାଶ ଓ ସ୍ବାର୍ଥରକ୍ଷା ପାଇଁ ସେ ଯେ କୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ। ଏହାର ଅର୍ଥ ହେଲା କ୍ଷମତାରେ ରହିବାକୁ ନୀତୀଶଙ୍କ ପାଇଁ ନୀତି-ଅନୀତି ସବୁ ସମାନ। ବିହାରରେ ରାଜନୈତିକ ସମୀକରଣର ବାସ୍ତବତା ଯାହା ସେଥିରେ କୌଣସି ଗୋଟିଏ ଦଳ ଏକାକୀ କ୍ଷମତାକୁ ଆସିବା ସମ୍ଭବ ନୁହେଁ। ତେଣୁ ରାଜନୈତିକ ଦୃଷ୍ଟିରୁ ପ୍ରଭାବଶାଳୀ ଓ ସମ୍ବେଦନଶୀଳ ଏହି ରାଜ୍ୟରେ ନୀତୀଶ ସବୁଦଳ ସହ ପର୍ଯ୍ୟାୟକ୍ରମେ ହାତ ମିଳେଇ ସୁବିଧାକ୍ରମେ କ୍ଷମତାରେ ରହିଛନ୍ତି।
ଲାଲୁଙ୍କ ଆର୍‌ଜେଡି ଓ କଂଗ୍ରେସର ହାତ ଛାଡ଼ିବା ପରେ ନୀତୀଶ ଏବେ ପୁରୁଣା ମିତ୍ର ବିଜେପି ସହିତ ବିହାରରେ କ୍ଷମତା ଉପଭୋଗ କରୁଛନ୍ତି। ତେବେ ଦୁଇଦଳ ମଧ୍ୟରେ ସମ୍ପର୍କରେ ତିକ୍ତତା ରହିଛି। ବିଜେପିର ବିସ୍ତାରବାଦୀ ନୀତିକୁ ନୀତୀଶ ବିରୋଧ କରୁଛନ୍ତି। ତାଙ୍କୁ ବିରୋଧୀମାନେ ସେମାନଙ୍କ ମେଣ୍ଟକୁ ଫେରିଯିବାକୁ ଡାକୁଥିଲେ ମଧ୍ୟ ସେ ବିଜେପି ସହ ଆଗାମୀ ଲୋକସଭା ନିର୍ବାଚନ ମିଳିତଭାବେ ଲଢ଼ିବାକୁ ଘୋଷଣା କରିଛନ୍ତି। ନୀତୀଶଙ୍କ ବଡ଼ ଶକ୍ତି ହେଲା ସାଂଗଠନିକ କ୍ଷମତା, ସ୍ବଚ୍ଛ ଶାସନ ଓ ଏକ ଅନୁଗତ ଭୋଟବ୍ୟାଙ୍କ । ତାଙ୍କୁ କୌଣସି ଦଳ ସେଥିପାଇଁ ଉପେକ୍ଷା କରିପାରିବେ ନାହିଁ। ଦଳର ସବୁଠୁ ଖରାପ ପ୍ରଦର୍ଶନ ସମୟରେ ଏହା ୧୭ଶତାଂଶ ଭୋଟ ପାଇବାକୁ ସକ୍ଷମ ହୋଇଥିଲା। ତେଣୁ ବିଜେପି ବିହାରରେ ତାହାର ରାଜନୈତିକ ପ୍ରଭାବ ବୃଦ୍ଧି ପାଇଁ ପ୍ରୟାସ କରିବାବେଳେ ନୀତୀଶଙ୍କୁ କ୍ଷୁବ୍ଧ କରିବା ଏକ ଆତ୍ମଘାତୀ ପଦକ୍ଷେପ ହେବ।
ବିହାରର ମୋଟ ୪୦ ଲୋକସଭା ଆସନ ମଧ୍ୟରୁ ଏନଡିଏ ହାତରେ ଏବେ ମୋଟ ୩୩ ଆସନ ଥିବାବେଳେ ସେଥିରୁ ବିଜେପି ଏକା ୨୨ଟିରେ ଜିତିଛି। ଜେଡିୟୁ ମାତ୍ର ୨ଟି ଆସନରେ ବିଜୟୀ ହୋଇଛି। ଏବେ ପରିସ୍ଥିତି ବଦଳି ଯାଇଛି ଏବଂ ନୂଆ ସମୀକରଣରେ ଜେଡିୟୁ ୧୭ ଆସନରେ ଲଢ଼ି ଅବଶିଷ୍ଟ ୨୩ ଆସନ ବିଜେପି ଓ ଅନ୍ୟ ସହଯୋଗୀଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଏଭଳି ଅବସ୍ଥାରେ ବିଜେପି ଏକା ୨୫ ଆସନ ଉପରେ ଆଖିରଖି ଜେଡିୟୁ ଓ ଅନ୍ୟ ସହଯୋଗୀଙ୍କୁ ମାତ୍ର ୧୫ ଆସନ ଛାଡ଼ିବାକୁ ଯେଉଁ ବିଚାର କରୁଛି ତାହା ଗ୍ରହଣୀୟ ହୋଇ ନ’ପାରେ। ୨୦୧୪ ତୁଳନାରେ ବିଜେପିର ଲୋକପ୍ରିୟତା ୨୦୧୯ରେ କମିବ ବୋଲି ଅନୁମାନ କରାଯାଉଥିବାରୁ ସହଯୋଗୀଦଳଙ୍କ ବିଜୟ ଉପରେ ଏନଡିଏ-୩ ଓ ମୋଦିଙ୍କ ଦ୍ବିତୀୟ ପାଳି ଶାସନର ଭବିଷ୍ୟତ ନିର୍ଭର କରୁଛି। ଅତଏବ ବିହାରରେ ଜେଡିୟୁକୁ ସନ୍ତୁଷ୍ଟ ରଖିବାକୁ ବିଜେପି ବାଧ୍ୟ ହୋଇପାରେ।

Leave A Reply