ଅବୈଧ ମହିଳା ଓ ଶିଶୁ ଚାଲାଣର ନିରାକରଣ

0

ରୀନା ରାଉତରାୟ

ମାନବ ଚାଲାଣ ନାଗରିକଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା ସବୁଠୁ ବଡ ସଂଗଠିତ ଅପରାଧ । ମାନବ ଚାଲାଣର ଅର୍ଥ ହେଲା ଯେ କୌଣସି ବ୍ୟକ୍ତିଙ୍କୁ ସେ ପୁରୁଷ, ମହିଳା କିମ୍ବା ଶିଶୁ ହେଉ, ତାଙ୍କୁ ଭୟଭୀତ କରି, କ୍ଷମତାର ଅପବ୍ୟବହାର କରି, କୌଣସି ନିର୍ଦିଷ୍ଟ ଉଦ୍ଦେଶ୍ୟ ନ ଥାଇ କିମ୍ବା ବାଧ୍ୟତାମୂଳକ ଭାବରେ ଶ୍ରମିକ ବା ଦାସତ୍ୱ ଉଦ୍ଦେଶ୍ୟରେ ଗୋଟିଏ ସ୍ଥାନରୁ ଆଉ ଗୋଟାଏ ସ୍ଥାନକୁ ନେଇଥିଲେ, ନିଯୁକ୍ତି ଦେଇଥିଲେ ବା ରଖିଥିଲେ ତାହାକୁ ଆମେ ଚାଲାଣ ବା ମାନବ ଚାଲାଣ କହିପାରିବା ; ଯେଉଁଥିରେ କିଛି ଲୋକର ମଧ୍ୟସ୍ଥତା ଥିବ, ଶୋଷଣ ଉଦ୍ଦେଶ୍ୟ ଥିବ ଏବଂ ବ୍ୟକ୍ତିର ମାନବାଧିକାର କ୍ଷୁଣ୍ଣ ହେଉଥିବ। ଜାତିସଂଘର ରିପୋର୍ଟ ଅନୁଯାୟୀ ଆନ୍ତର୍ଜାତିକ ସ୍ତରରେ ୪ ନିୟୁତରୁ ଅଧିକ ସଂଖ୍ୟକ ବ୍ୟକ୍ତି ଏହି ଚାଲାଣର ଶିକାର ହୋଇଥାନ୍ତି। ଭାରତ‌େ‌ର ପାଖାପାଖି ପ୍ରତିବର୍ଷ ୨୦୦୦୦ ମହିଳା ଓ ଶିଶୁ ଚାଲାଣର ଶିକାର ହୁଅନ୍ତି । ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ, ଆସାମ ଓ ଛତିଶଗଡ ପରି ୮ ଟି ପ୍ରମୁଖ ରାଜ୍ୟ ଏହି ବେଆଇନ ମାନବ ଚାଲାଣର ପେଣ୍ଠସ୍ଥଳ ଅଟେ।
ତଥ୍ୟ ଅନୁଯାୟୀ ଗତବର୍ଷ ଓଡ଼ିଶାରେ ପ୍ରାୟ ୨୦୦୦ରୁ ଅଧିକ ମହିଳା ଓ ଶିଶୁ ରାଜ୍ୟ ବାହାରକୁ ଚାଲାଣ କରାଯାଇଛି। ସେହିପରି ଜାତୀୟ ମାନବଧିକାର କମିସନଙ୍କ ରିପୋର୍ଟ ଅନୁଯାୟୀ ଗତ ୫ବର୍ଷ ମଧ୍ୟରେ କେବଳ ସୁନ୍ଦରଗଡ ଜିଲାରୁ ୫୦୦୦ରୁ ଊର୍ଦ୍ଧ୍ବ ମହିଳା ଓ ଶିଶୁ ଏହି ବେଆଇନ ଚାଲାଣର ଶିକାର ହୋଇଛନ୍ତି। ବଲାଙ୍ଗୀର ଜିଲାରେ ୨୦୧୪ ମସିହାରେ ପାଖାପାଖି ୨୦୦ରୁ ଅଧିକ ମହିଳା ଓ ଶିଶୁ ଚାଲାଣ ହୋଇଛନ୍ତି ଏବଂ ପୁଲିସର ତଥ୍ୟ ଅନୁସାରେ ୨୦୧୪ ମସିହାରେ ୭୦୦ ଶିଶୁ ଶ୍ରମିକ ଭାବରେ ଚାଲାଣ ହୋଇଥିଲେ। ଓଡ଼ିଶାରେ, ଵିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ବେଆଇନ ଚାଲାଣ ପ୍ରଭାବ ବିସ୍ତାର କରି ରହିଛି।
ସାଧାରଣତଃ ଦାରିଦ୍ର୍ୟ ହିଁ ଏଭଳି ଦୁଃସ୍ଥିତିର ମୁଖ୍ୟ କାରଣ । ଯେତେବେଳେ ଜଣେ ବ୍ୟକ୍ତି ନିଜ ଅଂଚଳରେ ନିଜର ଜୀବନଜୀବିକା ପାଇଁ କୌଣସି ସୁଯୋଗ ନପାଏ, ପେଟ ପୋଷିବା ପାଇଁ ବିଭିନ୍ନ ମିଛ ପ୍ର‌େଲାଭନର ଶିକାର ହୋଇ, ଦୁଷ୍ଟ ମଧ୍ୟସ୍ଥଙ୍କ ହାବୁଡ଼ରେ ପଡେ ଓ ଶୋଷଣର ଶିକାର ହୁଏ। ବିଶେଷକରି ମହିଳା ଓ ବାଳିକା ଚାଲାଣ ସମସ୍ୟାକୁ ଲିଙ୍ଗଗତ ଭେଦଭାବଜନିତ ହିଂସା ଦୃଷ୍ଟିରେ ଦେଖିଲେ ଏହାହିଁ ମୁଖ୍ୟ କାରଣ ଭାବେ ଜଣାପଡେ। ସରକାରଙ୍କର ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନା ବିଷୟରେ ସଚେତନତାର ଅଭାବ ସହିତ ବିଭିନ୍ନ ସ୍ଥାନରେ ଏହି ଯୋଜନାଗୁଡିକର ରୂପାୟନରେ ବିଫଳତା ହିଁ ଏହାର ଅନ୍ୟ କାରଣ ଅଟେ। ତତ୍‌ସହିତ ମହିଳାମାନେ ଶିକାର ହେଉଥିବା ବିଭିନ୍ନ ପ୍ରକାରର ଘରୋଇ ହିଂସା, ଯୌତୁକଜନିତ ନିର୍ଯାତନା ଓ ଲିଙ୍ଗଗତ ବୈଷମ୍ୟ ଇତ୍ୟାଦି ଚାଲାଣର ମୁଖ୍ୟ କାରଣ ଅଟେ। ଏହିସବୁ କାରଣରୁ ଓଡ଼ିଶାର ଉଭୟ ଉପକୂଳ ଓ ଆଦିବାସୀ ବହୁଳ ଅଞ୍ଚଳର ବହୁ ମହିଳା ଓ ଯୁବତୀ ଦେଶର ବିଭିନ୍ନ ରାଜ୍ୟକୁ, ବିଶେଷ କରି ଉତ୍ତରପ୍ରଦେଶ, ପଂଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ, କେରଳ ଓ ଗୁଜରାଟ ପ୍ରଭୃତି ରାଜ୍ୟର ବିଭିନ୍ନ ଅଣ ସଂଗଠିତ କ୍ଷେତ୍ରକୁ, ଯେମିତି କି ଇଟାଭାଟି, ପଥର କଟା, ଘରୋଇ ସହାୟକ, ଲୁଗାକଳ ଇତ୍ୟାଦିରେ ନିଯୁକ୍ତି ପାଇଁ ଚାଲାଣ ହୋଇଥାନ୍ତି । ଏତଦବ୍ୟତୀତ ବାହାଘର ଆଳରେ ଆଣି ବିଭିନ୍ନ ଅନୈତିକ କାର୍ଯ୍ୟରେ ମଧ୍ୟ ଲିପ୍ତ କରାଇଥାନ୍ତି। ଏହି ଚାଲାଣ ପ୍ରକ୍ରିୟା ସାଧାରଣତଃ ସେମାନଙ୍କର ପାଖାପାଖି ଥିବା ଶ୍ରମିକ ଠିକାଦାର, ଗାଁର ସମ୍ପର୍କୀୟ ଭାଇ, ଦାଦା, ମାମୁ ବା ନିଯୁକ୍ତି ପ୍ରଦାନରେ ସହଯୋଗ କରୁଥିବା ସଂସ୍ଥା ଦ୍ୱାରା ହୋଇଥାଏ। ଫଳସ୍ୱରୂପ ନିଜର ଅଧିକାର ବିଷୟରେ ଅଜ୍ଞଥିବା ଚାଲାଣ ପୀଡିତ ମହିଳାଟି ଶାରୀରିକ ଓ ଯୌନଗତ ହିଂସାର ଶିକାର ହେବା ସହିତ ଉଚିତ ମଜୁରିରୁ ବଂଚିତ ହୁଅନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଓ ସୁସ୍ଥ ପରିବେଶ ସହିତ ବଞ୍ଚିବାର ସ୍ୱାଧୀନତା ହରାଇ ଆଧୁନିକ ଦାସତ୍ୱରେ ସେମାନେ ଛନ୍ଦି ହୋଇପଡନ୍ତି। ଯଦି କୌଣସି କାରଣରୁ ପରବର୍ତ୍ତୀ ସମୟରେ ସେମାନେ ଫେରି ଆସିଥାନ୍ତି ତେବେ ମଧ୍ୟ ବିଭିନ୍ନ ଶାରୀରିକ, ମାନସିକ, ଓ ନୈତିକ ଚାପରେ ସମାଜ ସେମାନଙ୍କୁ ପୁଣି ସେହିପରି ଗ୍ରହଣ କରିପାରେନାହିଁ। ପରିସ୍ଥିତି ଏମିତି ହୁଏ କି ଯେଉଁ ପରିବାର ପାଇଁ ସେମାନେ ନିଜ ସ୍ବପ୍ନ ଓ ନିରାପତ୍ତାକୁ ବିପନ୍ନ କରିଥାନ୍ତି, ଶେଷରେ ସେଇମାନେ ହିଁ ତାଙ୍କୁ ଗ୍ରହଣ କରନ୍ତି ନାହିଁ ଏବଂ ସେମାନଙ୍କୁ ସୁଧାର ଭଳି ଗୃହରେ ଆଶ୍ରୟ ନେବାକୁ ପଡେ। ଶିକ୍ଷା ଓ ସଚେତନତାର ଅଭାବ ହିଁ ଏହି ପରିସ୍ଥିତିକୁ ଆହୁରି ଗୁରୁତର କରିରଖିଛି।
ଏ ସବୁ ରୋକିବା ପାଇଁ ଓଡିଶା ସରକାର ୨୦୦୯ ମସିହାରେ ଏକ ଆଇନ ପ୍ରଣୟନ କରିଥିଲେ ଏବଂ ନିକଟରେ ଭାରତ ସରକାରଙ୍କ ଦ୍ୱାରା ମାନବ ଚାଲାଣ (ନିରାକରଣ, ସୁରକ୍ଷା, ଏବଂ ଥଇଥାନ) ଆଇନ ୨୦୧୮ ପ୍ରଣୟନ ହୋଇଛି । ଏହି ଆଇନ ଅନୁଯାୟୀ ମାନବ ଚାଲାଣ ସମସ୍ୟାର ସମାଧାନ ପାଇଁ,ମାନବ ଚାଲାଣକୁ ସହଯୋଗ ଓ ପ୍ରୋତ୍ସାହନ କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ବିଧାନ ସହିତ, ଶ୍ରମିକ, ଭିକ୍ଷାବୃତ୍ତି, ଜୋର ଜବରଦସ୍ତ ବିବାହ କିମ୍ବା ବିବାହପରେ ମହିଳା ଚାଲାଣ ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ଯୌନ ପରିପକ୍ବତା ହାସଲ କରିବାଲାଗି ହରମୋନର ଉପଯୋଗ କରିବା, ଜାରି ହୋଇନଥିବା, ଜଳ ଏବଂ ନକଲି ପ୍ରମାଣପତ୍ର ପ୍ରସ୍ତୁତି କରିବା ଇତ୍ୟାଦିକୁ କଡ଼ାକଡ଼ି ଭାବେ ରୋକିବା ପାଇଁ ପଦକ୍ଷେପମାନ ନିଆଯାଇଛି । ଏହାଦ୍ବାରା ଉଦ୍ଧାର କରାଯାଇଥିବା ଲୋକମାନଙ୍କୁ ତୁରନ୍ତ ସୁରକ୍ଷା ଓ ଥଇଥାନ (୩୦ ରୁ ୬୦ ଦିନ ମଧ୍ୟରେ) ପାଇଁ ପାଣ୍ଠି ନିର୍ମାଣ କରାଯାଇଛି ।
ଭାରତୀୟ ସମ୍ବିଧାନର ବିଭିନ୍ନ ଧାରାରେ ମାନବ ଚାଲାଣ, ବିଶେଷତଃ ମହିଳା ଚାଲାଣ ବନ୍ଦ କରିବା ପାଇଁ ବ୍ୟବସ୍ଥା ଅବା ଏହି ଚାଲାଣ ରୋକିବାରେ ପୁଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମ୍ପ୍ରତି ଓଡ଼ିଶାର ୧୧ଟି ଜିଲାରେ ସମନ୍ୱିତ ମାନବ ଚାଲାଣ ବିରୋଧ କେନ୍ଦ୍ର ରହିଛି । ଯେ କୌଣସି ମହିଳା ବା ତାଙ୍କ ପରିବାର ଲୋକ ସିଧାସଳଖ ଏହି କେନ୍ଦ୍ରର ସାହାଯ୍ୟ ନେଇ ପାରିବେ।
ପ୍ରଶାସନ, ପୁଲିସ, ସ୍ବେଚ୍ଛାସେବୀ ସଂସ୍ଥା ଓ ସାଧାରଣ ନାଗରିକଙ୍କ ମିଳିତ ସହଯୋଗରେ ମାନବ ଚାଲାଣ ବା ଆଧୁନିକ ଦାସତ୍ୱ ପରି ଘୃଣ୍ୟ ପ୍ରକ୍ରିୟାକୁ ନିଶ୍ଚୟ ରୋକାଯାଇ ପାରିବ।
ଭୁବନେଶ୍ବର

Leave A Reply