ବିଚ୍ଛିନ୍ନାଞ୍ଚଳର ଆଲୋକିତ ସେତୁ

0

ଗିରିଧାରୀ ମହାନ୍ତି

ପ୍ରାୟ ଅର୍ଦ୍ଧଶତାବ୍ଦୀର ଦୀର୍ଘ ପ୍ରତୀକ୍ଷା ପରେ ମାଲକାନଗିରି ଜିଲାର ୧୫୧ଟି ଗ୍ରାମର ୩୫ ହଜାର ଜନସାଧାରଣ ଓଡ଼ିଶାର ମୂଳ ଭୂଖଣ୍ଡ ସହିତ ଯୋଡ଼ି ହୋଇଛନ୍ତି। ଜୁଲାଇ ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ କରିବାପରେ ଏହା ସମ୍ଭବ ହୋଇଛି। ମାଓବାଦୀ ଅଧ୍ୟୁଷିତ ଏହି ଅଞ୍ଚଳର ଲୋକେ ଏହି ସେତୁକୁ ବହୁଦିନ ଧରି ଅପେକ୍ଷା କରିଥିଲେ; କାରଣ ଏହା ହିଁ ସେମାନଙ୍କୁ ଜଳବନ୍ଦୀ ହେବାରୁ ମୁକ୍ତ କରି ବାହାର ଜଗତ ସହିତ ଯୋଡ଼ିପାରିବ। ଏହା ହେବା ଫଳରେ ସେଠାକାର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ ସମ୍ପର୍କିତ ସୁବିଧା ପାଇବା ସହିତ ରାଜ୍ୟ ସରକାରଙ୍କ ପ୍ରବର୍ତ୍ତିତ ସରକାରୀ ଯୋଜନାଗୁଡ଼ିକର ଲାଭ ଉଠାଇ ପାରିବେ।
୧୯୭୨ ମସିହାରେ ଚିତ୍ରକୋଣ୍ଡା ଜଳଭଣ୍ଡାର ବାଲିମେଳା ଜଳବିଦ୍ୟୁତ୍‌ ଯୋଜନା ହେବା ଫଳରେ ଏହି ଅଞ୍ଚଳଟି ଓଡ଼ିଶାର ମୁଖ୍ୟ ଭୂଖଣ୍ଡରୁ ବିଚ୍ଛିନ୍ନ ହୋଇପଡ଼ିଥିଲା। ସେଠା ଲୋକଙ୍କ ଯାତାୟାତ ପାଇଁ ମୋଟରବୋଟ୍‌ ଓ ମୋଟରଲଞ୍ଚ୍‌ ହିଁ ଏକମାତ୍ର ସାହାରା ଥିଲା। ଗୋଟିଏ ଦୃଷ୍ଟିରୁ ଦେଖିଲେ ସେମାନେ ଜଳବନ୍ଦୀ ଜୀବନଯାପନ କରିବାକୁ ବାଧ୍ୟ ହେଉଥିଲେ। ମାଓବାଦୀମାନେ ହିଁ ସେମାନଙ୍କ ଜୀବନକୁ ଅଧିକାଂଶତଃ ନିୟନ୍ତ୍ରଣ କରୁଥିଲେ କହିଲେ ଭୁଲ୍ ହେବନାହିଁ; କାରଣ ଉକ୍ତ ଅଞ୍ଚଳ ସମ୍ପୂର୍ଣ୍ଣଭାବେ ମାଓବାଦୀଙ୍କ ଅକ୍ତିଆରରେ ଥିଲା। ଲୋକମାନେ ନାହିଁ ନ ଥିବା ଦୁର୍ଦଶା ଦେଇ ଗତି କରୁଥିଲେ।
ଓଡ଼ିଶା ସରକାର ଜନସାଧାରଣଙ୍କ ଦୁଃଖକୁ ବୁଝିପାରି ଗୁରୁପ୍ରିୟା ନଦୀରେ ୮ କୋଟି ଟଙ୍କା ବ୍ୟୟରେ ଏକ ଝୁଲାସେତୁ ନିର୍ମାଣ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରସ୍ତାବିତ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ଉକ୍ତ ସେତୁଟି ନିର୍ମିତ ହୋଇପାରି ନଥିଲା। ଉକ୍ତ ସେତୁ ନିର୍ମାଣ ପାଇଁ ୧୧ ଥର ଟେଣ୍ଡର ହୋଇଥିବା ସ​‌େ​‌ତ୍ତ୍ୱ କାର୍ଯ୍ୟ ଆଦୌ ଆଗେଇ ପାରିନଥିଲା। ସେତୁଟି ପାଇଁ ଏହାର ବ୍ୟୟ ଅଟକଳ ୭ କୋଟିରୁ ୧୭୨କୋଟି ଟଙ୍କାରେ ପହଞ୍ଚିଥିଲା। ଶେଷକୁ ଅନେକ ଘାତପ୍ରତିଘାତ ଓ ସଂଘର୍ଷ ପରେ ଓଡ଼ିଶା ସରକାରଙ୍କ ଅକ୍ଲାନ୍ତ ପରିଶ୍ରମରେ ସେତୁଟି ସଂପୂର୍ଣ୍ଣ ହୋଇ ଏବେ କାର୍ଯ୍ୟକ୍ଷମ ହୋଇପାରିଛି।
୨୦୦୫ ମସିହାରେ ଗାମ୍ମାନ ଇଣ୍ଡିଆ କମ୍ପାନି ୪୩ କୋଟି ଟଙ୍କା ବ୍ୟୟ ଅଟକଳ ରଖି ନିର୍ମାଣ କାର୍ଯ୍ୟ କରୁଥିଲା; କିନ୍ତୁ ପରବର୍ତ୍ତୀ ସମୟରେ ମାଓବାଦୀଙ୍କ ଧମକ ଏବଂ ବାରମ୍ବାର ବିସ୍ଫୋରଣ ଫଳରେ ଉକ୍ତ କମ୍ପାନି ଏହି ନିର୍ମାଣ କାର୍ଯ୍ୟରୁ ନିବୃତ୍ତ ରହିଥିଲା। ୨୦୧୧ ମସିହାରେ ମାଲକାନଗିରି ଜିଲାପାଳ ଆର. ଭିନିଲ୍‌କୃଷ୍ଣଙ୍କୁ ମାଓବାଦୀ ଅପହରଣ କରିନେଇଥିଲେ ଏବଂ ୨୦୧୨ ମସିହାରେ ମାଓବାଦୀଙ୍କ ଦ୍ବାରା ଲାଣ୍ଡମାଇନ୍‌ ବିସ୍ଫୋରଣ ଫଳରେ ଜଣେ କମାଣ୍ଡାଣ୍ଟଙ୍କ ସମେତ ୪ ବିଏସ୍‌ଏଫ୍‌ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ଏହା ସେହି ଅଞ୍ଚଳରେ ଭୟ ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ୨୦୧୪ରେ କଲକାତାର ରୟାଲ ଇନ୍‌ଫ୍ରା କମ୍ପାନିକୁ ବିଏସ୍‌ଏଫ୍‌ର ପହରା ମଧ୍ୟରେ ସେତୁ ନିର୍ମାଣ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ମାଓବାଦୀ ଇଲାକା ମଧ୍ୟରେ ଅନେକ ସତର୍କତାର ସହିତ ଏହି କମ୍ପାନି ନିର୍ମାଣ କାର୍ଯ୍ୟ କରିଥିଲା। ଏହି କମ୍ପାନୀ ଦ୍ବାରା ୩ ବର୍ଷରେ ଏହି ସେତୁ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧୭୨.୫୮ କୋଟି ଟଙ୍କା।
ଏହାସତ୍ତ୍ବେ ବି ବହୁ ବାଧାବିଘ୍ନ ଥିଲା। ୨୦୧୬ ମସିହାରେ ଭିନ୍ନଭିନ୍ନ ସମୟରେ ଅନେକ ନିରାପତ୍ତାରକ୍ଷୀ ମାଓବାଦୀଙ୍କ ଦ୍ୱାରା ନିହତ ହୋଇଥିଲେ। ନଦୀରେ ଅତ୍ୟଧିକ ପାଣି ପ୍ରବାହିତ ହେବା ଦ୍ୱାରା ସେତୁର ତିନିଟି ପାଇଲ ଭାଙ୍ଗିଯାଇଥିଲା। ଫଳରେ କମ୍ପାନି ଅଧିକ ପାଇଲ ନିର୍ମାଣ କରିବା ପାଇଁ ନିର୍ମାଣ ଶୈଳୀକୁ ମଧ୍ୟ ବଦଳାଇବାକୁ ବାଧ୍ୟ ହୋଇଥିଲା। ଏପରିକି ୨୦୧୭ରେ ଜୋର୍‌ ପବନରେ ସେତୁର କିଛି ଅଂଶ ଭାଙ୍ଗିଯିବାରୁ ପୁଣି ତା’ର ନିର୍ମାଣ ଶୈଳୀରେ ପରିବର୍ତ୍ତନ କରାଯାଇଥିଲା। ଏହା ବ୍ୟତୀତ ନଦୀର ଜଳସ୍ତର ବୃଦ୍ଧି ସେତୁ ନିର୍ମାଣ କାର୍ଯ୍ୟକୁ ଅନେକ ସମୟରେ ବିପଦାପନ୍ନ କରିପକାଉଥିଲା।
ପ୍ରାକୃତିକ ବିପର୍ଯ୍ୟୟ ଏବଂ ମାଓବାଦୀଙ୍କ ଉପଦ୍ରବ ସତ୍ତ୍ବେ ସେତୁଟି ସଂପୂର୍ଣ୍ଣ ହେବା ସହ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ସେତୁକୁ ଆଧୁନିକ ଶୈଳୀରେ ଏଲ୍‌ଇଡ଼ି ବଲ୍‌ବ ଏବଂ ଫ୍ଲଡ ଲ୍ୟାମ୍ପସ ଯୋଗେ ଆଲୋକିତ କରାଯାଇଛି। ସନ୍ଦେହଜନକ କାର୍ଯ୍ୟ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ମଧ୍ୟ ଖଞ୍ଜାଯାଇଛି। ଏହି କ୍ୟାମେରା ମାଧ୍ୟମରେ ବିଏସ୍‌ଏଫ ଅଧିକାରୀମାନେ ଚବିଶ ଘଣ୍ଟା ଏହାକୁ ନିରୀକ୍ଷଣ କରିବେ। ମାଓବାଦୀଙ୍କ ପକ୍ଷରୁ ସେତୁକୁ ଯେଭଳି କ୍ଷତି ନପହଞ୍ଚିବ, ସେଥିପାଇଁ ଦିବାରାତ୍ର ବିଏସ୍‌ଏଫ୍ ପକ୍ଷରୁ ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ କରାଯିବ।
ଏହି ସେତୁ କେବଳ ପୂର୍ବରୁ ମୂଳ ଭୂଖଣ୍ଡ ସହ ବିଚ୍ଛିନ୍ନ ହୋଇ ରହିଥିବା ଜନସାଧାରଣଙ୍କ ପାଇଁ ଜୀବନରେଖା ନୁହେଁ, ଉଗ୍ରବାଦୀଙ୍କ ସହ ଲଢ଼ିବା କ୍ଷେତ୍ରରେ ମଧ୍ୟ ସୁରକ୍ଷା କର୍ମୀଙ୍କୁ ବେଶ୍ ସହାୟତା କରିବ।
ଭୁବନେଶ୍ବର

Leave A Reply