ଭାଷା ବିକୃତି ଯୁଗେଯୁଗେ

0

ଭାଗୀରଥି ମହାସୁଆର

କଖାରୁ ନାମକ ଫଳଟି ପ୍ରକୃତରେ ଏକ ସୁନ୍ଦର ଜ୍ୟାମିତିକ ସଂରଚନା। ଏହାର ସମପ୍ରସ୍ଥ ବିଶିଷ୍ଟ ବିଭାଜିତ ଢେଉପରି ଅବୟବ ସୁଦୃଶ୍ୟ। ଏହାର ଗଭୀର ବିଭାଜକ ରେଖାକୁ କହନ୍ତି ‘ସୋରା’। ସୋରା ଅନୁଯାୟୀ କାଟିଲେ ଏ ଫଳଟି ଅନେକ ଖଣ୍ଡ ହୋଇଯାଏ, ଯେଉଁଗୁଡ଼ିକର ରୂପ ଓ ମାପ ସମାନ। ଏହି ଖଣ୍ଡିତ ଅଂଶଗୁଡ଼ିକୁ କହନ୍ତି ‘ପଗ’। ପିଲାଦିନେ ବଇନ ଦୋକାନ ବା ରଘୁସାହୁ ଦୋକାନକୁ ଯାଉଥିଲୁ ‘ପଗେ’ (ଗୋଟିଏ ପଗ) କଖାରୁ କିଣିବାକୁ। ଲିଙ୍ଗରାଜ ମନ୍ଦିରର ‘ଅଁଳା’ (ପାଠାନ୍ତରେ ଅଏଁଳା) ଦେଖିଲେ କଖାରୁ କଥା ମନକୁ ଆସେ।
ମନ୍ଦିର ସ୍ଥାପତ୍ୟର ଜ୍ୟାମିତିକ ବିଭାଜନକୁ ମଧ୍ୟ ‘ପଗ’ କୁହାଯାଏ। ମନ୍ଦିରର ବାହ୍ୟ କାନ୍ଥ ଉପରୁତଳ ଯାଏ ଉଭୟ ସମାନ ଓ ସମାନ୍ତର ‘ପଗ’ରେ ବିଭକ୍ତ ହୋଇ ସୋରାସୋରା ହୋଇ ଗଡ଼ିଆସିଛନ୍ତି। ପଗଗୁଡ଼ିକର ନାମକରଣ ବି ହୋଇଛି; ଯଥା- ରାହା ପଗ, ଅନର୍ଥ ପଗ ଓ କନକ ପଗ ଇତ୍ୟାଦି। ଏହି ଶବ୍ଦଗୁଡ଼ିକ ଚିନ୍ତାମଣି ଆଚାର୍ଯ୍ୟଙ୍କ ‘ଭୁବନେଶ୍ବର’ ବହିରେ ଅଛି, କିନ୍ତୁ ଅନ୍ୟ ସମସ୍ତ ଐତିହାସିକ ଓ ପ୍ରତ୍ନତତ୍ତ୍ବବିତ୍‌ଙ୍କ ବହିରେ ଏହା ‘ପଗ’ ପରିବର୍ତ୍ତେ ‘ପାଗ’ ବୋଲି ଲେଖାଯାଇଛି। ତା’ର କାରଣ ମଧ୍ୟ ସ୍ପଷ୍ଟ। ଏଠାରେ ପ୍ରତ୍ନତାତ୍ତ୍ବିକ ଅନୁଶୀଳନ କାର୍ଯ୍ୟ ପ୍ରଥମେ ଆରମ୍ଭ କଲେ ଇଂରେଜ ଓ ବଙ୍ଗାଳୀମାନେ। ସେମାନେ ସମକାଳୀନ ଶିଳ୍ପୀମାନଙ୍କଠାରୁ ବିଭିନ୍ନ ଅଂଶର ନାମ ବୁଝିଥିବେ। ସେମାନେ ପଗ କହିଥିବେ ଓ ଗବେଷକ ଇଂରାଜୀରେ ଲେଖିଥିବେ ‘ପଗ’। ତାହା ପଢ଼ି ପୁଣି ଓଡ଼ିଆରେ ଲେଖିଲାବେଳକୁ ଐତିହାସିକ ଲେଖିଲେ ‘ପାଗ’। ହୁଏତ ‘ପାଗା’ ମଧ୍ୟ ଲେଖି ପାରିଥାନ୍ତେ। ଶିଳ୍ପଶାସ୍ତ୍ର ଅଧ୍ୟୟନ କରି ନଥିବା ଆଜିର ଶିଳ୍ପୀ-ବଂଶଜମାନେ ମଧ୍ୟ ବାବୁଭାୟାଙ୍କଠାରୁ ଶୁଣି ଏହାକୁ କହୁଛନ୍ତି ‘ପାଗ’। ତେବେ ଏହାଦ୍ବାରା କିଛି ପାଗ ବିଗିଡ଼ି ଯାଇନାହିଁ। ଭାଷା ଦୃଷ୍ଟିରୁ ‘ପାଗ’ ଶବ୍ଦର ଅନେକ ଅର୍ଥ, ଯେପରିକି ବାତାବରଣର ଅବସ୍ଥା, ପଗଡ଼ି, ବିଭିନ୍ନ ଖାଦ୍ୟ ପ୍ରସ୍ତୁତିର ତରଳ ମିଶ୍ରଣ ଇତ୍ୟାଦି (ଯଥା:- କୋରାଖଇ ପାଗ, ଆରିସା ପାଗ)। ଆମ ମତର ପ୍ରାସଙ୍ଗିକ (ମନ୍ଦିର) କ୍ଷେତ୍ରରେ ‘ପଗ’ ଶବ୍ଦଟି ହିଁ ପ୍ରକୃତ ଅର୍ଥବାହକ।
ଏବେ ‘ଯୋଗ’ ହୋଇଯାଇଛି ‘​ଯୋଗା’। ଏହା ଇଂରାଜୀ ‘ୟୋଗା’ର କରାମତି। ଯୋଗା ମଧ୍ୟ ଯୋଗଠାରୁ ବାସ୍ତବ ଦୂରବର୍ତ୍ତୀ; ଠିକ୍‌ ଅପମିଶ୍ରିତ ଓଡ଼ିଶୀ ନୃତ୍ୟ ପରି। ‘ରଜ’କୁ ‘ରଜୋ’ କୁହାଗଲା ବଙ୍ଗୀୟ ପ୍ରଭାବରୁ ଏବଂ ଏହାର ବିରୋଧ ହେଲା। ଏମିତି ଅନେକ ଅପସୃଜନ ହୋଇଛି ସାଂପ୍ରତିକ ଶବ୍ଦ ସମ୍ଭାରରେ ଓ ଆମ ପିଲାମାନେ ଆମେ ଉଚ୍ଚାରଣ କରୁଥିବା ଶୁଦ୍ଧ ଶବ୍ଦଟି ଗ୍ରହଣ କରିବା ଅବସ୍ଥାରେ ନାହାନ୍ତି। କାରଣ ତାଙ୍କ ପିଢ଼ି ଓ ପରିସର ଅପସୃଜିତ ଶବ୍ଦଟିକୁ ହିଁ ବ୍ୟବହାର କରୁଛନ୍ତି। ‘ଉଚିତ’ ଶବ୍ଦଟି କେବେଠୁ ‘ଉଚିତ୍’ ପାଲଟିଗଲାଣି। ରାଜନୀତି ସଭାମାନଙ୍କରେ ବହୁତ ଶବ୍ଦ ଅଯଥା ହଳନ୍ତ ଯୋଗ କରି ଉଚ୍ଚାରଣ ହେଉଛି। ପିଲାମାନେ ସେଗୁଡ଼ିକୁ ପ୍ରାୟ ଗ୍ରହଣ କରି ନେଲେଣି। ଏହାର କାରଣ ହେଲା, ଆମ ନେତାମାନେ ଭାଷାପ୍ରତି ସ୍ପର୍ଶକାତର ନୁହନ୍ତି ଏବଂ ଏହାର ଆବଶ୍ୟକତା କ’ଣ, ତାହା ଜାଣନ୍ତି ନାହିଁ। ସେମା‌େ​‌ନ କହନ୍ତି, ‘ଏ କଥା ପରୀକ୍ଷିତ୍‌’, ‘ପ୍ରମାଣିତ୍‌’ ଓ ‘ଲିଖିତ୍‌’ ଇତ୍ୟାଦି। ଭାଷା ଆଉ ସମାଜର ଭୂଷଣ ହୋଇ ରହିନାହିଁ। ଏହା ସୀମିତ ହୋଇଯାଇଛି କିଛି ଭାଷାପ୍ରେମୀ ବ୍ୟକ୍ତି ଓ ଅନୁଷ୍ଠାନଙ୍କ ମଧ୍ୟରେ। ବେଳେବେଳେ ସେମାନଙ୍କ ଜିଭ ଓ କଲମ ମଧ୍ୟ ଭୁଲ କରୁଛନ୍ତି।
ଏଇ ପରିବେଶରେ ସୋନା ମହାପାତ୍ର ଗାଇଲେ ‘ଆହେ ନୀଳ ଶଇଳ’। ସେ ଗାଇଲେ ‘ମତ୍ତ’କୁ ‘ମାତ୍ତୋ’, ‘କହେ ସାଲବେଗ’କୁ ‘କାହେ ସାଲେବେଗ’, ‘ଚକ୍ର’କୁ ‘ଚକ୍ରୋ’, ‘ନକ୍ର’କୁ ‘ନକ୍ରୋ’, ‘ଉଦ୍ଧରିଲ’କୁ ‘ଉଦ୍ଧାରିଲା’ ଏବଂ ‘ଜଣାଣ’କୁ ‘ଜନନ’। ପ୍ରତିବାଦ ହେଲା ଅତି କ୍ଷୀଣ ଓ ସାବଧାନ ସ୍ବରରେ। ସୋନା ଉତ୍ତରଦେଲେ ‘ମୁଁ ଆଦୌ ଦୁଃଖିତ ନୁହେଁ’। ଏ ଆସ୍ପର୍ଦ୍ଧା ଉପରକୁ କେହି ଉଠିପାରିଲେ ନାହିଁ। ଓଲଟି କେତେକ ତାଙ୍କ ପକ୍ଷ ସମର୍ଥନ କଲେ ଅନେକ ବାଜେ ଯୁକ୍ତି ସହ। କ’ଣ ହେଲା? ଶୁଦ୍ଧ ଓଡ଼ିଆ ଉଚ୍ଚାରଣ ଜିଣିଲା କି? ଭିଡ଼ିଓରୁ ଦେଖିଲି ବହୁତ ଶ୍ରୋତା ଏ ବିକୃତ ଉଚ୍ଚାରଣକୁ ପିଇ ଯାଇ ତାଳି ମାରୁଛନ୍ତି। ସେମାନେ ନିଶ୍ଚୟ ସୋନାଙ୍କ ପର୍ଯ୍ୟାୟର ଓଡ଼ିଆ। ଆମ ମତରେ ଓଡ଼ିଆ ଶବ୍ଦକୁ ଇଂରାଜୀ ଅକ୍ଷରରେ ଲେଖି ସେଥିରୁ ଓଡ଼ିଆ ଉଚ୍ଚାରଣ କଲେ ଏପରି ହୁଏ। ଉଦାହରଣ ହେଲା- ‘ବାରିପଦା’ରୁ ‘ବାରିପୋଡ଼ା’।
ଅସଲ କଥା ହେଲା ଓଡ଼ିଆମାନେ ଆଉ ଶୁଦ୍ଧ ଓଡ଼ିଆ ହୋଇ ନାହାନ୍ତି। ଏଇ ବିକୃତି-ଚର୍ଚ୍ଚା ଅବସରରେ ମୁଣ୍ଡ ନଇଁଯାଏ ହିନ୍ଦୀ ଗାୟକ ଗାୟିକାମାନଙ୍କ ଆଗରେ। ସେମାନେ ଯେତେ ଓଡ଼ିଆ ଗୀତ ଗାଇଛନ୍ତି, ସବୁ ଅସଲ ଓଡ଼ିଆ ଭାଷା; ଯେହେତୁ ନିର୍ଦେଶକମାନେ ଥିଲେ ଓଡ଼ିଆ-ପ୍ରାଣ। ଏ ଲେଖକ ଗୋଟିଏ ମାତ୍ର ତ୍ରୁଟି ସେଥିରୁ ଆବିଷ୍କାର କରିଛି। ମହମ୍ମଦ ରଫି ଗାଇଥିବା ‘ମୟୂରୀ ଗୋ, ତୁମ ଆକାଶେ ମୁଁ’ ଗୀତରେ ‘ଭାବୁଛି’ ଶବ୍ଦଟିକୁ ସେ ‘ବାବୁଛି’ ବୋଲି ଗାଇ ଦେଇଛନ୍ତି। ଏହା ଯଦି ରଫି ସାହେବଙ୍କ ଜୀବଦ୍ଦଶାରେ ସୂଚିତ କରାଯାଇଥାନ୍ତା, ତେବେ ସେ ନମ୍ରତାର ସହ ସ୍ବୀକାର କରିଥାନ୍ତେ। ସେତେବେଳର ଗାୟକ-ଗାୟିକାମାନେ ଉଦ୍ଧତ ନଥିଲେ।
ଏବେ ଦେଖିବା, ସୋନାଙ୍କ ଗୀତର ନିର୍ଦେଶନା କିଏ ଦେଇଥିଲେ। ସେହି ଅନାଲୋଚିତ ବ୍ୟକ୍ତିଙ୍କ ଆଡ଼କୁ କେହି ଅଙ୍ଗୁଳି ନିର୍ଦେଶ କରିନାହାନ୍ତି। ଏହା ମଧ୍ୟ ଏକ ତ୍ରୁଟି। ଶୁଦ୍ଧ ଓଡ଼ିଆପ୍ରେମୀମାନେ କ’ଣ କରିବେ? ବିକୃତି ତ’ ଘଟି ସାରିଲାଣି। ଆମ ପରାମର୍ଶ ହେଲା; ବୋହିଗଲା ପାଣି ଯାଉ ତେଣିକି/ ବନ୍ଧ ବାନ୍ଧିଦିଅ ରହୁ ଏଣିକି। ଆଗକୁ ବିକୃତି-ବିରୋଧୀ ଚିନ୍ତାଧାରା ଶକ୍ତ ଓ ନିରନ୍ତର ହେଉ। ଏକ ଧାରାବାହିକ ଆନ୍ଦୋଳନ ଚାଲୁ ଏ ସବୁ ବିକୃତି ବିରୋଧରେ। ଏଥିରେ ଟିଭି ଚାନେଲ୍‌ଗୁଡ଼ିକ ଭାଗ ନିଅନ୍ତୁ।

Leave A Reply