ସରକାର ବନାମ ସାମାଜିକ ଗଣମାଧ୍ୟମ

ଉଭୟ ପକ୍ଷଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ହେବ

ସାମାଜିକ ଗଣମାଧ୍ୟମ ଏବେ କେବଳ ବାର୍ତ୍ତା ଆଦାନପ୍ରଦାନ ପାଇଁ ବା ସୂଚନା ଜାଣିବାପାଇଁ ବ୍ୟବହୃତ ହେଉନାହିଁ, ବରଂ ଏହା ତର୍କବିତର୍କ ଓ ବିମର୍ଶର ସହଜ ଅଥଚ ଖୁବ୍‌ ପ୍ରଭାବଶାଳୀ ମଞ୍ଚ ପାଲଟିଛି। ଏଥିରେ ତୀବ୍ରବେଗରେ ମୁକ୍ତ ବିଚାର ଓ ସ୍ବାଧୀନ ମତର ପ୍ରଚାରପ୍ରସାର ହୋଇପାରୁଥିବାରୁ କ୍ଷମତାସୀନଙ୍କ ପାଇଁ କ୍ରମଶଃ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଏଥିରେ ଆଦୌ ସନ୍ଦେହ ନାହିଁ ଯେ ଏହା ବର୍ତ୍ତମାନ ମିଥ୍ୟା ସୂଚନା ଓ ଅସତ୍ୟ ବା ଅର୍ଦ୍ଧସତ୍ୟ ଖବରର ପେଣ୍ଠସ୍ଥଳ ମଧ୍ୟ ପାଲଟିଛି। ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପକ୍ଷରୁ ଏହାକୁ ରୋକିବାକୁ ଉଦ୍ୟମ କରାଯାଉଛି କୁହାଗଲେ ସୁଦ୍ଧା ତାହା ଯେ ଆଦୌ ଯଥେଷ୍ଟ ନୁହେଁ, ଏହା ପ୍ରମାଣିତ ହେଲାଣି। ସାମାଜିକ ଗଣମାଧ୍ୟମଗୁଡ଼ିକ ନିରପେକ୍ଷ, ସ୍ବଚ୍ଛ ଓ ସେମାନଙ୍କ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ସ୍ଥିରତା ରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ; କିନ୍ତୁ ଏବେ ଟ୍ବିଟର ଓ ଭାରତ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଦର୍ଶାଉଛି ଯେ ଏ ସମସ୍ୟା ଅଧିକ ଜଟିଳ। ଜାନୁଆରୀ ୨୬ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରା ଅବସରରେ ହୋଇଥିବା ହିଂସା ପରେ ସରକାର ହଜାରେରୁ ଊର୍ଦ୍ଧ୍ବ ଆକାଉଣ୍ଟ୍‌କୁ ବନ୍ଦ କରିବା ନିମନ୍ତେ ଟୁଇଟରକୁ ନିର୍ଦେଶ ଦେଇଥିଲେ; କିନ୍ତୁ ଟୁଇଟର କହିଥିଲା ଯେ ତାହା ଆଂଶିକଭାବେ ଏହି ନିର୍ଦେଶକୁ ପାଳନ କରିଛି ଏବଂ ଗଣମାଧ୍ୟମ ସଂସ୍ଥା, ସାମ୍ବାଦିକ, ସାମାଜିକ କର୍ମୀ ଓ ରାଜନେତାଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରିନାହିଁ; କାରଣ ସେପରି କଲେ ଭାରତର ଆଇନ ଅନୁସାରେ ସେମାନଙ୍କୁ ମୌଳିକ ଅଧିକାର ଭାବେ ପ୍ରାପ୍ତ ବାକ୍‌ ଓ ଅଭିବ୍ୟକ୍ତିର ସ୍ବାଧୀନତା କ୍ଷୁଣ୍ଣ ହେବ।

ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆମେରିକାର କ୍ୟାପିଟଲ ହିଲ୍‌ ହିଂସା ଓ ଦିଲ୍ଲୀର ଲାଲ୍‌କିଲା ଘଟଣା ପରିପ୍ରେକ୍ଷୀରେ ଟୁଇଟର ‘ଦୋମୁହାଁ ନୀତି’ ଅବଲମ୍ବନ କରୁଥିବା ଅଭିଯୋଗ କରିଥିଲେ। ତାଙ୍କ ରୋଷ ଅସ୍ବାଭାବିକ ନୁହେଁ; କାରଣ ସରକାରଙ୍କ ପକ୍ଷରୁ ଜାନୁଆରୀ ୩୧ ଓ ଫେବୃଆରୀ ୪ରେ ଟୁଇଟରକୁ ଦୁଇଦୁଇଥର ଚେତାବନୀ ଦିଆଯାଇଥିଲା; ତା’ ସତ୍ତ୍ବେ ଟୁଇଟର ସଂପୂର୍ଣ୍ଣ ରୂପେ ନିର୍ଦେଶକୁ ପାଳନ କରିନଥିଲା, ବରଂ କହିଥିଲା ଯେ ଦେଶର ଆଇନ ସହ ତାଙ୍କୁ ମିଳିଥିବା ନୋଟିସ୍‌ର ବିଷୟବସ୍ତୁ ଭିତରେ ଅସଂଗତି ରହିଛି; କାରଣ ଭାରତରେ ବାକ୍‌ ସ୍ବାଧୀନତା ଲୋକଙ୍କର ମୌଳିକ ଅଧିକାର ଓ ସେଥିରୁ ସେମାନଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ। ଏହା ଅବଶ୍ୟ ଭଲ କଥା; କିନ୍ତୁ କେତେକ ଘଟନାରେ ଟୁଇଟର ହେଉ ବା ଅନ୍ୟ ସାମାଜିକ ଗଣମାଧ୍ୟମ, କଥିତ ନିରପେକ୍ଷତା ଓ ସ୍ବଚ୍ଛତା ରକ୍ଷା କରୁନଥିବା ଦେଖାଯାଇଛି। କିଛିଦିନ ପୂର୍ବରୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ ମଧ୍ୟ ଶ୍ରୀ ପ୍ରସାଦଙ୍କ ପରି ଅସନ୍ତୋଷ ବ୍ୟକ୍ତ କରିଥିଲେ। ତାଙ୍କର କହିବା କଥା ହେଲା, ଯେଉଁ ଟ୍ରମ୍ପଙ୍କୁ ଏହି ସାମାଜିକ ଗଣମାଧ୍ୟମସବୁ ଦକ୍ଷ ବୋଲି ଏକଦା ଧରିନେଇଥିଲେ, ସେ କ୍ଷମତାଚ୍ୟୁତ ହେବା ନିଶ୍ଚିତ ହୋଇଯିବାପରେ ତାଙ୍କୁ ନିଜ ମଞ୍ଚରୁ ବିଦା କରିବାର ଉପାୟ ବାହାର କଲେ। ଏହା ସାମାଜିକ ଗଣମାଧ୍ୟମର ‘ଅସ୍ଥିର ମାନସିକତା’ର ପ୍ରତିଫଳନ ଓ ନିର୍ଦିଷ୍ଟ ନିୟମକାନୁନ ଅଭାବ ଥିବା ଦର୍ଶାଉଛି। କେତେବେଳେ ଜଣକୁ ମଞ୍ଚରୁ ମନଇଚ୍ଛା ବିଦା ଦିଆଯିବ ବା ତାଙ୍କୁ ନିଜର ବିଚାର ଉପସ୍ଥାପନର ସୁଯୋଗ ଦିଆଯିବ ନାହିଁ, ତା’ର ଅଧିକାର କୌଣସି ନିର୍ଦିଷ୍ଟ ବ୍ୟକ୍ତି, ଅନୁଷ୍ଠାନ ବା ସଂସ୍ଥା ହାତରେ ରହିବା ଅନ୍ୟାୟପୂର୍ଣ୍ଣ।

କ୍ଷମତାସୀନ ସରକାରଗୁଡ଼ିକ ନିଜର ସ୍ବାର୍ଥସାଧନ ପାଇଁ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କଲାବେଳେ ସେସବୁ ସେମାନଙ୍କୁ ଖୁବ୍‌ ଭଲ ମନେହୁଏ; କିନ୍ତୁ ଯେତେବେଳେ ସେଥିରେ ସେମାନଙ୍କର ସମାଲୋଚନା ପ୍ରସାରିତ ହୁଏ ତାହା ଚକ୍ଷୁଶୂଳ ପାଲଟେ। ଏହି କାରଣରୁ ସରକାରଙ୍କ ଆଭିମୁଖ୍ୟ ଉପରେ ମଧ୍ୟ ସ୍ବାଭାବିକଭାବେ ପ୍ରଶ୍ନ ଉଠିଛି। ଏ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣବେଳେ ସ୍ବଚ୍ଛତା ଓ ନିରପେକ୍ଷତା ରକ୍ଷା ଜରୁରୀ। ଯେତେବେଳେ କୌଣସି ସାମାଜିକ ଗଣମାଧ୍ୟମକୁ ତା’ର ଶହଶହ ଆକାଉଣ୍ଟ୍ ବନ୍ଦ କରିବାକୁ କୁହାଯାଉଛି, ସେତେବେଳେ ପୂର୍ବନିର୍ଦ୍ଧାରିତ ଏବଂ ଜନସାଧାରଣଙ୍କ ଗୋଚରରେ ଥିବା ନିୟମକାନୁନ ଅନୁସାରେ ତାହା କରାଯିବା ବିଧେୟ। ସରକାର ଯଦି ଏପରି ନିୟମାବଳୀ ଅନୁସରଣ କରିବେ ନାହିଁ, ତା’ର ଅର୍ଥ ସରକାରଙ୍କୁ ସମାଲୋଚନା କରୁଥିବା ଓ ଭିନ୍ନମତ ରଖୁଥିବା ସ୍ବରକୁ ଦବାଇଦେବାକୁ ଏପରି ପଦକ୍ଷେପ ନିଆଯାଉଛି ବୋଲି ବୁଝାଯିବ, ଯାହା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ। ଅତଏବ ଟୁଇଟର ଓ ସରକାରଙ୍କ ଏହି ବିବାଦରେ ଉଭୟ ପକ୍ଷଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ଅଛି। ସର୍ବୋପରି, ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯ (କ)କୁ ନ୍ୟାୟିକ କଷଟିରେ ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞଙ୍କ ମତ; କାରଣ ଏହି ଧାରାରେ ଜଣେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ (ୟୁଜର୍‌)ର ଆକାଉଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇ ହେବ ଏବଂ ତାକୁ ନଜଣାଇ ତା’ର ବାର୍ତ୍ତାକୁ ହଟାଇ ଦେଇହେବ। ବର୍ତ୍ତମାନ ସାମାଜିକ ଗଣମାଧ୍ୟମର ବିଷୟବସ୍ତୁ ନିୟନ୍ତ୍ରଣ ସମ୍ପର୍କରେ ସୁପ୍ରିମ୍‌କୋର୍ଟରେ ମାମଲା ବିଚାରାଧୀନ ରହିଥିବାବେଳେ ଏହି ଧାରାର ନ୍ୟାୟିକ ପରୀକ୍ଷା ମଧ୍ୟ ହେବ ବୋଲି ଆଶା କରାଯାଇପାରେ।

Comments
Loading...