ତୈଳଦର ବୃଦ୍ଧିରେ ଲଗାମ ଦେବା ଉପାୟ

0

ହାଡ଼ିବନ୍ଧୁ ଖଣ୍ଡୁଆଳ

ପେଟ୍ରୋଲ ଓ ଡିଜେଲ ଦର ଦିନକୁଦିନ ଆକାଶଛୁଆଁ ହେଲାଣି। ତୈଳଦର ବୃଦ୍ଧି ପାଇଁ ଆମେରିକାକୁ କେହିକେହି ଦାୟୀ କରୁଛନ୍ତି। ଆମେରିକା ନଭେମ୍ବର ସୁଦ୍ଧା ଇରାନର ଅଶୋଧିତ ତୈଳ ବିକ୍ରି ଉପରେ ଲଗାମ ଦେବ ବୋଲି ଧମକ ଦେଇଛି। ଇରାନ କିନ୍ତୁ ଚୋରାଚାଲାଣ ଜରିଆରେ ତା’ର ଇଚ୍ଛା ମୁତାବକ ତୈଳ ବିକି ଚାଲିବ ବୋଲି ମଧ୍ୟ ଖବର ପ୍ରକାଶ ପାଇଛି। ଏହା ତୈଳଦର ବୃଦ୍ଧିରେ କିଛି ପ୍ରଭାବ ପକାଇବ ନାହିଁ। ତୈଳ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିିଛି। ଏହା ସପକ୍ଷରେ ଯେତେ ସଫେଇ ଦେଲେ ମଧ୍ୟ ଦରବୃଦ୍ଧିର ଅନ୍ତରାଳରେ ରହିଛି ତୈଳ କମ୍ପାନୀଙ୍କ ମୁନାଫା ବୃଦ୍ଧି ଓ ଦେଶ ତଥା ରାଜ୍ୟସରକାରଙ୍କର ମୋଟା ଅଙ୍କର ଶୁଳ୍କ ବା ଟିକସ ଲାଗୁ। ପ୍ରକାଶ ଯୋଗ୍ୟଯେ କେନ୍ଦ୍ରସରକାର ଯେତିକି ବହିଃ ଓ ଉତ୍ପାଦନ ଶୁଳ୍କ ଆଦାୟ କରନ୍ତି, ତା’ର ପ୍ରାୟ ୪୦ ପ୍ରତିଶତ ପେଟ୍ରୋଲିୟମ ସାମଗ୍ରୀରୁ ପାଆନ୍ତି।
ଅତୀତରେ ୨୦୦୮ରେ ତୈଳଦର ଅହେତୁକ ବୃଦ୍ଧିରେ ଯେତେବେଳେ ଜନଅସନ୍ତୋଷ ତୀବ୍ର ହେଲା, ସେତେବେଳେ ଦର ନିର୍ଦ୍ଧାରଣ ପାଇଁ କେନ୍ଦ୍ରସରକାର ତତ୍କାଳୀନ ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ସବ୍‌କମିଟି ଗଠନ କଲେ। ସବ୍‌ କମିଟି କିଂକର୍ତ୍ତବ୍ୟବିମୂଢ଼ ହୋଇ ଦରବୃଦ୍ଧି ଭାର କ୍ୟାବିନେଟ ଉପରେ ଛାଡ଼ିଦେଲେ। ସେତେବେଳେ ସରକାର ସଫେଇ ଦେଲେ ଯେ ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ, ତୈଳ କମ୍ପାନୀମାନେ ଦୈନିକ କୋଟିକୋଟି ଟଙ୍କାର କ୍ଷତି ସହୁଛନ୍ତି ଓ ତାଙ୍କ କ୍ଷତି ଭରଣା ପାଇଁ ତୈଳଦର ବୃଦ୍ଧି ଘଟିଛି; ଅଶୋଧିତ ତୈଳଦର ବୃଦ୍ଧି ଚାବିକାଠି ରହିଛି ତୈଳ ଉତ୍ପାଦନକାରୀ ରାଷ୍ଟ୍ରଙ୍କ ହାତରେ। ୨୦୦୮ରେ କିଛିଦିନ ପାଇଁ ସେମାନେ ଉତ୍ପାଦନ ହ୍ରାସ କରି ନିଅଣ୍ଟିଆ ବଜାର ସୃଷ୍ଟି କରିଥିଲେ ଓ ଅଶୋଧିତ ତୈଳ ବ୍ୟାରେଲ ପ୍ରତି ୧୪୭ ଡଲାରକୁ ବୃଦ୍ଧି ପାଇଥିଲା। ସେତେବେଳେ ପେଟ୍ରୋଲିୟମ ଉତ୍ପାଦନକାରୀ ରାଷ୍ଟ୍ର ସମୁହର ସେକ୍ରେଟାରି ଜେନେରାଲ ଅବ୍‌ଦୁଲ ବାଦ୍ରିକ ଉଦ୍ୟମରେ ଉତ୍ପାଦନ ବଢ଼ି ଦର କମିଥିଲା।
ଯଦି କୌଣସି ଦ୍ରବ୍ୟର ଚାହିଦା ବଢ଼େ, ତେବେ ଦ୍ରବ୍ୟ ଉତ୍ପାଦନକାରୀ ମୂଲ୍ୟ ବୃଦ୍ଧି କରିଚାଲେ ଓ ମଧ୍ୟସ୍ଥ ଯୋଗାଣକାରୀ ଫାଇଦା ଉଠାଏ। ତୈଳ ବା ପେଟ୍ରୋଲିୟମ କ୍ଷେତ୍ରରେ ତାହାହିଁ ଘଟୁଛି। ପେଟ୍ରୋଲିୟମ ଇତିହାସରୁ ଜଣାଯାଏ, ୧୮୯୦ ମସିହା ବେଳକୁ ପୃଥିବୀରେ ବାର୍ଷିକ ମାତ୍ର ୧୦ ମିଲିୟନ ଟନ୍‌ ବା ୬୬ମିଲିଅନ ବ୍ୟାରେଲ ପେଟ୍ରୋଲିୟମ ଉତ୍ପାଦନ କରାଯାଉଥିଲା। ବିଂଶ ଶତାବ୍ଦୀ ପ୍ରାରମ୍ଭରେ ଉତ୍ତୋଳିତ ହେଉଥିଲା ମାତ୍ର ୭୯ ବିଲିୟନ ବ୍ୟାରେଲ୍‌। ସେତେବେଳେ ପେଟ୍ରୋଲିୟମ ବ୍ୟବହାର କରାଯାଉଥିଲା କେବଳ ଗୃହ ଆଲୋକିତ କରିବାକୁ। ମାନବ ସମାଜ ଯେତେବେଳେ ଜାଣିଲା ପେଟ୍ରୋଲିୟମରେ ନିହିତ ଶକ୍ତି ଦ୍ବାରା ଯାନ ଓ କଳକାରଖାନା ଚାଲିପାରିବ, ତା’ପରେ ପେଟ୍ରୋଲିୟମର ଆବଶ୍ୟକତା କ୍ଷିପ୍ରଗତିରେ ବଢ଼ିଚାଲିଲା। ୧୯୭୦ରେ ଯେତେବେଳେ ତୈଳ ସଂକଟ ଦେଖାଦେଲା, ସେତେବେଳେ ବିଶ୍ବରେ ବାର୍ଷିକ ୧୬,୫୦୦ ମିଲିଅନ ବ୍ୟାରେଲ ତୈଳ ଉତ୍ପାଦନ କରାଯାଉଥିଲା। ଅର୍ଥାତ୍‌ ୭୦ବର୍ଷ ବ୍ୟବଧାନରେ ତୈଳ ଚାହିଦା ବଢ଼ିଲା ୨୦୦ଗୁଣରୁ ଅଧିକ। ତୈଳଚାଳିତ ଯାନ ଓ କଳକାରଖାନା ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ରାସ୍ତାକୁ ବାହାରି ପଡ଼ିଲେ ଦେଖିବା କାର,୍‌ ଟ୍ରକ୍‌, ବସ, ସ୍କୁଟର, ଅଟୋ ପଛକୁ ପଛ ଧାଡ଼ିଲଗାଇ ଧାଇଁଛନ୍ତି। ଆକାଶରେ ଉଡ଼ାଜାହାଜ, ପାଣିରେ ବୁଡ଼ାଜାହାଜ, ରେଳଧାରଣାରେ ରେଳଗାଡ଼ି ଧାଇଁଛି ଏହି ତୈଳ ବ୍ୟବହାର କରି। ଆମ ରାଜ୍ୟରେ ବର୍ଷକୁ ୩ରୁ ୪ଲକ୍ଷ ପର୍ଯ୍ୟନ୍ତ ନୂଆ ଯାନ ରାସ୍ତାକୁ ଆସୁଛି। ସରକାରୀ ହିସାବ ଅନୁସାରେ ବିଗତ କିଛି ବର୍ଷରେ ପଞ୍ଜିକୃତ ଯାନ ସଂଖ୍ୟା ନିମ୍ନ ପ୍ରକାରେ ବଢ଼ିଥିଲା।
ବର୍ଷ ପଞ୍ଜିକୃତ ଯାନ ସଂଖ୍ୟା
୨୦୦୮-୨୦୦୯…… ୨୩,୦୦,୦୦୦
୨୦୦୯-୨୦୧୦…….. ୨୭,୪୦,୦୦୦
୨୦୧୦-୨୦୧୧…… ୩୦,୩୪,୦୦୦
୨୦୧୧-୨୦୧୨…… ୩୪,୦୦,୦୦୦ରୁ ଊର୍ଦ୍ଧ୍ବ
ନିଜର ଆଭିଜାତ୍ୟ ଦେଖାଇବାକୁ ସାଇକଲ ଚଢ଼ାଳି, ମୋଟର ସାଇକଲ, ମୋଟର ସାଇକେଲ ଚଢ଼ାଳି, କାର ଚଢ଼ୁଛନ୍ତି। ଟ୍ରେନ୍‌ ଯାତ୍ରାକୁ ଏଡ଼ାଇ ଲୋକେ ପ୍ଲେନ (ବିମାନ) ଯାତ୍ରାମୁହାଁ ହେଲେଣି। ଫଳରେ ତୈଳର ଆବଶ୍ୟକତା ବଢ଼ିବଢ଼ି ଚାଲିଛି। ଆଗକୁ ତୈଳ ଦୁଷ୍ପ୍ରାପ୍ୟ ଓ ଦୁର୍ମୂଲ୍ୟ ହେବ। ତତ୍‌ସଙ୍ଗେ ପୃଥିବୀର ତୈଳଭଣ୍ଡାର କେତେଟା ବର୍ଷ ପରେ ଖାଲି ହୋଇଯିବ। ଆମ ଦେଶ ଲକ୍ଷଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ବିଦେଶରୁ ତୈଳ ଆମଦାନୀ କରୁଛି। ତୈଳ ଦରବୃଦ୍ଧି ଆଗକୁ ଅସହ୍ୟ ହେବ ଓ ଏହା ଆମ ଅର୍ଥନୈତିକ ଅଭିବୃଦ୍ଧିରେ ଚାପ ସୃଷ୍ଟି କରିବ। ଆର୍ଥିକ ଚାପରୁ ରକ୍ଷା ପାଇବାକୁ ତୈଳ ବ୍ୟବହାର କମାଇବାକୁ ପଡ଼ିବ। ତୈଳ ବ୍ୟବହାର କମିଲେ ପରିବେଶ ପ୍ରଦୂଷଣ କମିବ ଓ ପୃଥିବୀ ତୈଳ ଭଣ୍ଡାର କିଛି ବର୍ଷ ବଞ୍ଚି ରହିବ।
ତୈଳ ବ୍ୟବହାର କମାଇବାକୁ ସବୁବେଳେ ତୈଳଚାଳିତ ଯାନ ବ୍ୟବହାର ନକରି ଅଳ୍ପବାଟ ଯିବାକୁ ସାଇକଲ, ବ୍ୟବହାର କରିପାରିବା। କିଛିଦିନ ତଳେ ଖବର କାଗଜରେ ଏକ ଫଟୋ ବାହାରିଥିଲା ଓ ସେଥିରେ ଦେଖାଯାଇଥିଲାଯେ ମସ୍କୋସ୍ଥିତ ଏକ ପାର୍କରେ ରୁଷିଆ ରାଷ୍ଟ୍ରପତି ଦିମତ୍ରି ମେଦଭେଦଭ ଓ ପ୍ରଧାନମନ୍ତ୍ରୀ ଭ୍ଲାଦିମିର ପୁତିନ ସାଇକଲ ଚଳାଉଛନ୍ତି। ଆମ ରାଜ୍ୟରେ ଅନେକ ଅବସରପ୍ରାପ୍ତ ଉଚ୍ଚପଦାଧିକାରୀ ସାଇକଲ ବ୍ୟବହାର କରୁଥିବାର ଦେଖିବାକୁ ମିଳେ। ଏହା ଆମ୍ଭମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ। ଉନ୍ନତ ରାଷ୍ଟ୍ରମାନଙ୍କରେ ଅଧିକରୁ ଅଧିକ ସାଇକଲ ବ୍ୟବହାର ଆଡ଼େ ଆଖି ଫେରାଇଲେଣି। ମେକ୍‌ସିକୋ ସିଟିରେ ସେ ଦେଶ ସରକାର ସାଇକଲ ବ୍ୟବହାର ପାଇଁ ଆହ୍ବାନ ଦେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି।
କିଛିଦିନ ତଳେ ଖବର ପ୍ରକାଶ ପାଇଛି ଯେ ୟୁରୋପର ଅସ୍‌ମୋନିଆଁ ରାଜ୍ୟରେ କାର ସଂଖ୍ୟା ହ୍ରାସ କରିବାକୁ ସରକାର ବିନାଭଡ଼ାରେ ମାଗଣାରେ ଟ୍ରାମ ସେବା ଯୋଗାଇ ଦେଇଛନ୍ତି। ଅନ୍ତତଃ ୨୦% କାର୍‌ ଚାଲିବା ବନ୍ଦ ହେବା ଲକ୍ଷ୍ୟ ରଖାଯାଇଛି। ଅଧିକାଂଶ ଲୋକ ପ୍ରଶାସନର ଏ ନୂଆ ନୀତିକୁ ସ୍ବାଗତ କରିଛନ୍ତି। ଖଣିଜ ତୈଳ ସଂକଟରୁ ରକ୍ଷାପାଇବା ପାଇଁ ଭିନ୍ନ ଜାଳେଣିରେ ଯାନ ଚଳାଇବାକୁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି।
କୋଟିତୀର୍ଥ, ଭୁବନେଶ୍ବର-୨