ଆଉ କେତେ କାଳ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା?

0

ବିପିନ ବିହାରୀ ମିଶ୍ର

୧୮୮୨ ମସିହାରେ କୋହ୍ଲାପୁର ମହାରାଜା ଅଣବ୍ରାହ୍ମଣଙ୍କ ପାଇଁ ଚାକିରିରେ ସ୍ଥାନ ସଂରକ୍ଷଣ ନିଷ୍ପତ୍ତି ନେଲେ, କିନ୍ତୁ ଏହା ୧୯୦୨ ମସିହାରେ କାର୍ଯ୍ୟକାରୀ ହେଲା। ପରବର୍ତ୍ତୀ ସମୟରେ ମହୀଶୂର ମହାରାଜା ଅନୁରୂପ ନିଷ୍ପତ୍ତି ନେଇଥିଲେ। ସେତେବେଳ ସମୟରେ ଆଦିବାସୀ ଓ ଦଳିତ ଜାତିଙ୍କର ଯାହା ଅର୍ଥନୀତିକ ଓ ସାମାଜିକ ସ୍ଥିତି ଥିଲା ସେ ଦୃଷ୍ଟିରେ ଦେଖିବାକୁ ହେଲେ ଏହାଥିଲା ଏକ ମହତ ପଦକ୍ଷେପ, କିନ୍ତୁ ଭାରତୀୟମାନଙ୍କୁ ଭାଗଭାଗ କରିବା ପାଇଁ ଇଂରେଜ ସରକାର ସ୍ଥାନ ସଂରକ୍ଷଣ ଯୋଜନା କରିଥିଲେ ଓ ଏ ଉଦ୍ଦେଶ୍ୟ ଜାଣିପାରି ମହାତ୍ମାଗାନ୍ଧି ୧୯୩୦ ମସିହାରେ ଅନଶନ କରିଥିଲେ। ପରେ ଡଃ ଆମ୍ବେଦକର ତାଙ୍କ ସାଙ୍ଗରେ ରାଜିନାମା କଲେ ଯେ ଦଳିତ ଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ହେବ, କିନ୍ତୁ ସେମାନେ ହିନ୍ଦୁ ବୋଲି ଗଣାହେବେ। ସ୍ବାଧୀନତା ପରେ ଅନୁସୂଚିତ ଉପଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଗଲା। ଏହା ଦଶବର୍ଷ ପାଇଁ କରାଯାଇଥିଲା। ୧୯୫୫ ମସିହାରେ ସରକାରଙ୍କ ଦ୍ବାରା ଗଠିତ କମିସନ କାକା କେଳକର ଏ ସଂକ୍ରାନ୍ତରେ ରିପୋର୍ଟ ଦେଇଥିଲେ। ସେମାନଙ୍କୁ କୁହାଯାଇଥିଲା କିଏ ପଛୁଆ ବର୍ଗ, ସେଥି ମଧ୍ୟରେ ସାକ୍ଷର କେତେ ଅଛନ୍ତି ସେ ବିଷୟରେ ରିପୋର୍ଟ ଦେବାପାଇଁ। ସେ ଜଉମୁଦରେ ତାଙ୍କର ରିପୋର୍ଟ ଦେଲେ ଓ ସଂଲଗ୍ନ ଚିଠିରେ ରାଷ୍ଟ୍ରପତିଙ୍କୁ ଲେଖିଲେ ଏଭଳି ଭାଷାରେ ଯାହାର ଅର୍ଥ ହେଉଛି ରିପୋର୍ଟ ଗ୍ରହଣ କରାନଯାଉ। ରିପୋର୍ଟ ସେଇଭଳି ପଡ଼ିରହିଲା ଓ ୧୯୬୧ ଜୁନ୍‌ ୨୭ରେ ପଣ୍ଡିତ ନେହେରୁ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠିଲେଖି ଏ ବିଷୟରେ ମତ ମାଗିଲେ ଓ ତା’ ସାଙ୍ଗେ ନିଜ ମତ ଦେଲେ ‘‘ଯଦି ସ୍ଥାନ ସଂରକ୍ଷଣ ହେବ ତାହା ଜାତିଭିତ୍ତିକ ନହୋଇ ବର୍ଗଭିତ୍ତିକ ହେଉ।’’ ସବୁ ମୁଖ୍ୟମନ୍ତ୍ରୀ କିନ୍ତୁ ଜାତିଭିତ୍ତିକ ସଂରକ୍ଷଣ ଚାହିଁଲେ; କାରଣ ତାଙ୍କ ପାଇଁ ଦେଶର ସ୍ବାର୍ଥ ଅପେକ୍ଷା ଦଳର ସ୍ବାର୍ଥ ଥିଲା ଅଧିକ ମୂଲ୍ୟବାନ। ଦଶବର୍ଷ ପରେ ଏହାକୁ ପୁଣି ଦଶବର୍ଷ ପାଇଁ ବଢ଼େଇ ଦିଆଗଲା। ଏଇଭଳି ଗଲା ୬୮ ବର୍ଷ ହେଲା ସ୍ଥାନ ସଂରକ୍ଷଣ ଚାଲିଛି, ନାନାଦି କେସ୍‌ ହେଉଛି ଓ ବାରମ୍ବାର ସୁପ୍ରିମକୋର୍ଟକୁ ମୁଣ୍ଡ ଖେଳେଇବାକୁ ପଡ଼ୁଛି। ଯେହେତୁ ସରକାର ସଂସଦ, ବିଧାନସଭା, ସରକାରୀ ଚାକିରି ସହିତ ସ୍କୁଲ କଲେଜରେ ମଧ୍ୟ ସ୍ଥାନ ସଂରକ୍ଷଣ କଲେଣି ଏଥିପାଇଁ ପ୍ରତିବାଦ ହେଲା। ମାଡ୍ରାସର (ଏବେ ତାମିଲନାଡ଼ୁ)ର ଜଣେ ଛାତ୍ର ନାଁ ଚମ୍ପକମ୍‌ ଦୁରାଇ ରାଜନ୍‌ କେସ୍‌ କଲେ ମାଡ୍ରାସ ହାଇକୋର୍ଟରେ। ଜିତିଲେ ଓ ସୁପ୍ରିମକୋର୍ଟକୁ କେସ୍‌ ଗଲା। ସୁପ୍ରିମ୍‌କୋର୍ଟର ବିଶିଷ୍ଟ ଜଜ୍‌ ସୁଧୀର ରଞ୍ଜନ ଦାସ (ଚିତ୍ତରଞ୍ଜନ ଦାସଙ୍କ ପୁଅ) ମାଡ୍ରାସ ସରକାରଙ୍କ ଆଦେଶକୁ ବାତିଲ୍‌ କରିଦେଲେ, କିନ୍ତୁ ସରକାର ସମ୍ବିଧାନ ସଂଶୋଧନ କରି ( ପ୍ରଥମ ସଂଶୋଧନ-୧୯୫୧) ଆଦେଶକୁ କାଏମ ରଖିଲେ। ଅନ୍ୟ ଏକ କେସ ବାଲାଜୀ ବନାମ ମହୀଶୂର ରାଜ୍ୟରେ ସୁପ୍ରିମକୋର୍ଟ ନିଷ୍ପତ୍ତି ଦେଲେ ଯେ ସାମାଜିକ- ଅର୍ଥନୈତିକ ପଛୁଆ ବର୍ଗଙ୍କୁ ଜାଣିବା ପାଇଁ ଜାତି କେବଳ ମାପଦଣ୍ଡ ନୁହେଁ। ଅନ୍ୟାନ୍ୟ ବହୁତ ମାପଦଣ୍ଡ ଅଛି। ସେଥିପାଇଁ ସ୍ବମ୍ବିଧାନ ସଂଶୋଧନ କରିଦିଆଗଲା। ଏଇ ଭଳି ନାନାଦି କେସ୍‌ ହେଉଥାଏ। ବିିଭିନ୍ନ ପ୍ରଦେଶର ସରକାରମାନେ ବିିଭିନ୍ନ ଜାତି ଓ ଉପଜାତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ସ୍ଥାନସଂରକ୍ଷଣ କରେଇ ଚାଲିଲେ। ସମସ୍ତଙ୍କୁ ବଳିଗଲା ତାମିଲନାଡ଼ୁ। ୬୯% ସ୍ଥାନ ସଂରକ୍ଷଣ କରାଗଲା। ଏ ସଂକ୍ରାନ୍ତରେ ଗୋଟିଏ କେସ୍‌ ହେଲା ଓ ଜନତା ସରକାର ୧୯୭୯ରେ କଥାକୁ ଅଧିକ ବଢ଼େଇଲେ। ସେମାନେ ଚାହିଁଲେ ଯେ ଅନୁସୂଚିତ ଜାତି ଓ ଜନଜାତି ସମେତ ଅନ୍ୟାନ୍ୟ ପଛୁଆ ଜାତିକୁ ମଧ୍ୟ ଏ ସୁବିଧାସୁଯୋଗ ଦିଆଯିବ। ବିନ୍ଧେଶ୍ବରୀ ପ୍ରସାଦ ବୋଲି ଜଣେ ବ୍ୟବସ୍ଥାପକଙ୍କୁ ଏ ଦାୟିତ୍ବ ଦିଆଗଲା, କିନ୍ତୁ ତାଙ୍କୁ କୁହାଯାଇଥିଲା ସାମାଜିକ- ଅର୍ଥନୈତିକ ଦିଗରେ ପଛୁଆ ବର୍ଗ (ଜାତିନୁହେଁ) ସମ୍ବନ୍ଧରେ ରିପୋର୍ଟ ଦିଅ। ସେ ଥିଲେ ବିହାରର ଜଣେ ବଡ଼ ଜମିଦାର। ସେ ଯେଭଳିଭାବେ ଚିହ୍ନଟ କଲେ ତାହା ହାସ୍ୟାସ୍ପଦ। ପାଠକମାନେ ଜାଣିଥିବେ ଯେ ଭାରତରେ ଜନସୁମାରି ଆରମ୍ଭ ହେଲା। ୧୮୭୧ରେ ଓ ଭାରତୀୟମାନଙ୍କ ମଧ୍ୟରେ ଜାତିଗତ ବିଭେଦ ସୃଷ୍ଟି କରିବାର ମନ୍ଦ ଉଦ୍ଦେଶ୍ୟ ରଖି ଇଂରେଜମାନେ ପ୍ରତ୍ୟେକ ଭାରତୀୟମାନଙ୍କର ଧର୍ମ ଓ ଜାତି ଏକ ଲେଖିଲେ। ମଣ୍ଡଳ କମିସନ ଏକ- ପ୍ରଶ୍ନପତ୍ର ତିଆରି କରି ପ୍ରତ୍ୟେକ ଜିଲାରେ ଦୁଇଟି ଗାଁ ବାଛି ବାଣ୍ଟିଲେ ଉତ୍ତର ପାଇବା ପାଇଁ। କେତେକ ଉତ୍ତର ଦେଲେ, କେତେକ ଦେଲେ ନାହିଁ। ପୁଣି ଗାଁରେ କେବଳ ଅନ୍ୟାନ୍ୟ ପଛୁଆ ବର୍ଗ ନଥାନ୍ତି, ଅନେକ ନିରକ୍ଷର ଥିଲେ। ସେମାନେ ଯିଏ ଯାହା କହିଲେ ସେଇ ଅନୁସାରେ ଟିପ ଚିହ୍ନ ଦେଲେ। ଗୁଡ଼ାଏ ଅସମର୍ଥିତ, ଅବାସ୍ତବ ତଥ୍ୟକୁ ଭିତ୍ତିକରି ମଣ୍ଡଳ କହିଲେ ଯେ ସମୁଦାୟ ୩୭୪୩ ପଛୁଆ ଜାତି ଅଛନ୍ତି। ସେ ପଛୁଆ ବର୍ଗ ବଦଳରେ ଜାତି ହିଁ ଲେଖିଲେ। ୧%ରୁ କମ୍‌ (.୦୬) ଗାଁରେ ସର୍ବେକ୍ଷଣ କରାଯାଇଥିଲା। ସେ ଦେଇଥିବା ସଂଖ୍ୟା ବିଶିଷ୍ଟ ନୃତତ୍ତ୍ବବିତ୍‌ ଓ ବିଭିନ୍ନ ସମାଜ ବିଜ୍ଞାନବିତ୍‌ଙ୍କ ରିପୋର୍ଟରେ ପ୍ରକାଶ ପାଇଥିବା ସଂଖ୍ୟାଠାରୁ ବହୁତ ବେଶୀ। ଜାତି ବିଭାଗ ତ ଆବହମାନ କାଳରୁ ଅଛି, ତେଣୁ ମଣ୍ଡଳ ହିସାବ କଲାବେଳକୁ ଜାତିଗୁଡ଼ା ଏତେ ବଢ଼ିଗଲା କେମିତି? କେତେଗୁଡ଼ିଏ ରାଜ୍ୟ (ଓଡ଼ିଶା, ରାଜସ୍ଥାନ ଇତ୍ୟାଦି ସମେତ) ପଛୁଆ ବର୍ଗଙ୍କ ତାଲିକା ବନେଇଥିଲେ। ସେଗୁଡ଼ିକ ମଣ୍ଡଳ ଆଖିବୁଜି ଗ୍ରହଣ କରିନେଲେ। ସେମାନେ କେଉଁ ଭିତ୍ତିରେ ତାଲିକା ବନେଇଥିଲେ, ତାହା କେତେଦୂର ସତ୍ୟ ତାହା ସେ ଜାଣିବା ପାଇଁ ଚେଷ୍ଟା କଲେ ନାହିଁ। ୧୯୩୧ ମସିହାର ଜନଗଣନାକୁ ଭିତ୍ତିକରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ତାହା ମଧ୍ୟ ତ୍ରୁଟିପୂର୍ଣ୍ଣ। ଏହାସତ୍ତ୍ବେ ପ୍ରଧାନମନ୍ତ୍ରୀ ଭିପି ସିଂହ ଉପ ପ୍ରଧାନମନ୍ତ୍ରୀ ଦେବୀଲାଲ, ଯିଏ କି ଦିଲ୍ଲୀର ବୋଟ୍‌ କ୍ଲବରେ ଏକ ସଭାର ଆୟୋଜନ କରିଥିଲେ ନିଜର ପରାକାଷ୍ଠା ଦେଖେଇବାକୁ ତାଙ୍କୁ ପରାଭବ ଦେବା ପାଇଁ ତରବରିଆ ହୋଇ ଆଲମାରି ଭିତରେ ପଡ଼ିରହିଥିବା ମଣ୍ଡଳ କମିସନ ରିପୋର୍ଟକୁ ଉଦ୍ଧାର କରି ଗ୍ରହଣକଲେ । ସମଗ୍ର ଭାରତ ବର୍ଷ ଅବାକ୍‌ ହୋଇଗଲା। ପ୍ରତିବାଦ, ଆତ୍ମହତ୍ୟା ଓ ଆତ୍ମହତ୍ୟା ଉଦ୍ୟମ ଓ ଶେଷରେ ବିଚାର ବିଭାଗର ଆଶ୍ରୟ ନିଆଗଲା। ଅନେକ ହାଇକୋର୍ଟ ଆଦେଶକୁ ବାତିଲ୍‌ କରିଦେଲେ। ଶେଷରେ ମାମଲା ଗଲା ସୁପ୍ରିମକୋର୍ଟକୁ ଓ ଏହା ହେଉଛି ବିଖ୍ୟାତ ଇନ୍ଦ୍ର ସାହାଣୀ ବନାମ ଭାରତ ସରକାର କେସ୍‌। ଏହାର ଗ୍ରହଣର ଘୋର ପ୍ରତିବାଦ କଲେ ଖ୍ୟାତନାମା ଆଇନଜ୍ଞ ନନି ପାଲଖିଞ୍ୱାଲା ଓ ତାଙ୍କୁ ସାହାଯ୍ୟ କଲେ ବିଖ୍ୟାତ ଆଇନଜୀବୀ କେକେ ବେଣୁଗୋପାଳ। ଉଭୟ ଅତି କଠୋର ଭାଷାରେ ରିପୋର୍ଟକୁ ସମାଲୋଚନା କଲେ ଓ ଅନେକ ତ୍ରୁଟି ଦେଖାଇଲେ। କଥାଛଳରେ କୁହାଗଲା ଯେ ଜଣେ ବ୍ରାହ୍ମଣ ପିଅନର ପୁଅ ଯଦି ବେଶୀ ନମ୍ବର ରଖିବା ସତ୍ତ୍ବେ ଜଣେ ପଛୁଆ ଜାତିର ଚିଫ୍‌ ସେକ୍ରେଟାରୀଙ୍କ ପୁଅ ଚାକିରି ପାଇବ ତେବେ ଦେଶରେ ନ୍ୟାୟ କେମିତି ରହିବ? ସରକାର ବେଶ୍‌ ଲଢ଼ିଲେ। ଭିପି ସିଂହ କହିଲେ ଯେ ମରିବା ପୂର୍ବରୁ ‘ମୁଁ ଦେଖିବା ପାଇଁ ଚାହୁଁଛି ଯେ ମୋ ନିଷ୍ପତ୍ତି କାଏମ୍‌ ରହୁ’। ନିଷ୍ପତ୍ତି କାଏମ ରହିଲା ଓ ବିଶିଷ୍ଟ ଆଇନଜ୍ଞ ସିରଭାଇ ଭୀଷଣ ଅସନ୍ତୁଷ୍ଟ ହୋଇ କହିଲେ ଯେ ଏଭଳି ନିମ୍ନମାନର ନିଷ୍ପତ୍ତି ମୁଁ ଦେଖିନାହିଁ, କିନ୍ତୁ ସୁପ୍ରିମକୋର୍ଟ ଦୁଇଟି ପ୍ରତିବନ୍ଧକ ଲଗେଇଲେ। ଯଥା- ଉଚ୍ଚବର୍ଗ (ସେମାନେ କହିଥିଲେ କ୍ରିମି ଲେୟର)ଙ୍କ ପିଲାମାନେ ଏଭଳି ସୁବିଧା ପାଇବେ ନାହିଁ। ଦ୍ବିତୀୟ ହେଲା ଯେତେ ସଂରକ୍ଷଣ ହେଉଛି ସବୁ ମିଶି ୫୦%ରୁ କୌଣସି ମତେ ଟପିବ ନାହିଁ। କ୍ରିମି ଲେୟର (ସ୍ବଚ୍ଛଳ ବର୍ଗ) ବିଷୟରେ ଆଦେଶ ହେଲା ଯେ ପ୍ରତ୍ୟେକ ରାଜ୍ୟ ଚିହ୍ନଟ କରିବେ କେଉଁମାନେ କ୍ରିମି ଲେୟର। ସୁପ୍ରିମକୋର୍ଟଙ୍କର ଏହି ପ୍ରତିବନ୍ଧକୁ ସହଜରେ ଅତିକ୍ରମ କରିବାପାଇଁ ବିିଭିନ୍ନ ରାଜ୍ୟ ବିଭିନ୍ନ ଉପାୟ ପାଞ୍ଚିଲେ। ତାଙ୍କର ଆଦେଶ ଥିଲା ଯେଉଁ କର୍ମଚାରୀଙ୍କର ଆୟ ଦଶଲକ୍ଷରୁ ଅଧିକ ହୋଇଥିବ ତାଙ୍କ ପିଲା ଏ ସୁଯୋଗ ପାଇବେ ନାହିଁ। ବିହାର ସରକାର ଏ ନିଷ୍ପତ୍ତି ଯେତେବେଳେ ନେଲେ ସେତେବେଳେ ଚିଫ୍‌ ସେକ୍ରେଟାରୀଙ୍କ ଦରମା ଥିଲା ମାସକୁ ଆଠହଜାର, ଅର୍ଥାତ୍‌ ବର୍ଷକୁ ୯୬ହଜାର। କ୍ୟାବିନେଟ ସେକ୍ରେଟାରୀଙ୍କ ଦରମାଥିଲା ବର୍ଷକୁ ଲକ୍ଷେ ଆଠହଜାର। ଏଇଭଳି ଭାବେ କ୍ରିମିଲେୟାର ପ୍ରତିବନ୍ଧକ ବାଏଁବାଏଁ ଉଡ଼ିଗଲା। ବାକି ରହିଲା ଶତକଡ଼ା ୫୦% ପ୍ରତିବନ୍ଧକ। ତାକୁ ମଧ୍ୟ ଅତିକ୍ରମ କରିବା ପାଇଁ ବାରମ୍ବାର ପ୍ରୟାସ କରାଗଲା। ନିକଟ ଅତୀତରେ ବିହାର ଓ ଝାଡ଼ଖଣ୍ଡ ୭୩% ସ୍ଥାନ ସଂରକ୍ଷଣ କରିଛନ୍ତି। ପାଟନା ହାଇକୋର୍ଟର ଆଦେଶ ବାତିଲ କରିବାରୁ ସରକାର ଯାଇଛନ୍ତି ସୁପ୍ରିମକୋର୍ଟ। ଦେଶପାଇଁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ ସୁପ୍ରିମକୋର୍ଟ ଘୋର ପ୍ରତିବାଦ ଓ ବଳିଷ୍ଠ ଯୁକ୍ତି ଥାଇ ମଧ୍ୟ କୋହଳ ମନୋଭାବ ଦେଖାଇଲେ। ତାଙ୍କର ଯୁକ୍ତି ଥିଲା ଯେ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଅନ୍ୟମାନେ କିଛି ତ୍ୟାଗ କରିବା ଦରକାର। ଏତିକି ସୁଯୋଗ ହାସଲ କରି ମଧ୍ୟ ରାଜନୈତିକ ଦଳମାନେ ସନ୍ତୁଷ୍ଟ ନୁହନ୍ତି। ସେମାନେ ପରିସର ବୃଦ୍ଧି କରି ସଂଖ୍ୟା ବଢ଼େଇ ଚାଲୁଛନ୍ତି ଏବଂ କେସ୍‌ ଚାଲୁଛି। ଏତେ ପରିମାଣରେ ଚାକିରି ଦେବା ସତ୍ତ୍ବେ ରାଜନୈତିକ ଦଳମାନେ ସନ୍ତୁଷ୍ଟ ନହୋଇ ପଦୋନ୍ନତିରେ ମଧ୍ୟ ସ୍ଥାନ ସଂରକ୍ଷଣ କରିଛନ୍ତି। ଏହାକୁ ସୁପ୍ରିମକୋର୍ଟ ବାତିଲ କରିବାରୁ ସମ୍ବିଧାନ ସଂଶୋଧନ କରିଦେଲେ। ଏବେ ବିଜେପି ସରକାର ଯାଇଛନ୍ତି ସୁପ୍ରିମକୋର୍ଟ ଓ ତାଙ୍କ ପାଇଁ ସରକାର ଲଢ଼ୁଛନ୍ତି। ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ। ଏକଦା ସ୍ଥାନ ସଂରକ୍ଷଣକୁ ଘୋର ବିରୋଧ କରୁଥିବା ବେଣୁଗୋପାଳ ଏବେ କହୁଛନ୍ତି ସ୍ଥାନସଂରକ୍ଷଣ ହୋଇ ମଧ୍ୟ ପଛୁଆ ବର୍ଗମାନଙ୍କର ଆଶାନୁରୂପ ଉନ୍ନତି ହେଉନାହିଁ। ସେତେବେଳେ ସରକାର ଏ ବିରୋଧରେ ଗୋଲ ମାରୁଥିଲେ, ଏବେ ସରକାରଙ୍କ ସପକ୍ଷରେ ଗୋଲ ମାରୁଛନ୍ତି।
ପଛୁଆବର୍ଗଙ୍କ ଉନ୍ନତି ପାଇଁ ସ୍ଥାନ ସଂରକ୍ଷଣର ଆବଶ୍ୟକତା ଅଛି, କିନ୍ତୁ କେତେଦିନ ପର୍ଯ୍ୟନ୍ତ? ବର୍ତ୍ତମାନ ମଧ୍ୟପ୍ରଦେଶର ଉଚ୍ଚବର୍ଗଙ୍କ ଦ୍ବାରା ହିଂସାକାଣ୍ଡ କରାଯାଉଛି ଏଇଥିପାଇଁ; କାରଣ ଯାହା କାଲି ପଛୁଆ ଥିଲା ତାହା ଆଜି ଆଗୁଆ ହୋଇଗଲା ଓ ଯାହା ଆଗୁଆ ଥିଲା ଆଜି ପଛୁଆ ହୋଇଗଲା। ତାମିଲନାଡ଼ୁରେ ସମସ୍ୟା ଉତ୍କଟ ହେବାରୁ ବ୍ରାହ୍ମଣମାନେ ଆଇଏଏସ, ଆଇପିଏସ ପ୍ରତି ଆକୃଷ୍ଟ ନହାଇ ଓକିଲାତି ପ୍ରତି ବେଶୀ ଆକୃଷ୍ଟ ହୋଇଛନ୍ତି, କାରଣ ସେଥିରେ ସ୍ଥାନ ସଂରକ୍ଷଣ ନାହିଁ।
ସ୍ଥାନ ସଂରକ୍ଷଣକୁ ଅତି ବେଶୀ ହେଲେ ୩୦%ରେ ସୀମିତ ରଖାଯିବା ଉଚିତ ବୋଲି ବହୁ ଆଇନଜୀବୀ ଓ ବୁଦ୍ଧିଜୀବୀ ମତ ଦେଇଛନ୍ତି। ପୁଣି ଆଇଆଇଏମ୍‌, ଆଇଟିଆଇ, ଉଚ୍ଚସ୍ତରର ଡାକ୍ତରୀ ବିଦ୍ୟା ପାଇଁ ସଂରକ୍ଷଣ ହେବନାହିଁ ବୋଲି ସୁପ୍ରିମ୍‌କୋଟ ଆଦେଶ ଦେଇଥିଲେ। ତାକୁ ସରକାର ସମ୍ବିଧାନ ସଂଶୋଧନକରି ବାତିଲ କରିଦେଲେ। ଯେଉଁ ଲୋକଟି ସ୍ଥାନ ସଂରକ୍ଷଣରେ ଏମ୍‌ବିବିଏସ୍‌ ପଢ଼ିଲା, ପୁଣି ସ୍ଥାନସଂରକ୍ଷଣ କରି ଏମ୍‌ଡି କଲା ସେ ଚିକିିତ୍ସା କଲେ ରୋଗୀର କ’ଣ ହେବ? ସ୍ଥାନ ସଂରକ୍ଷଣ ମାଧ୍ୟମରେ ଯିଏ ଇଞ୍ଜିନିୟର ହୋଇଥିବ ସେ କରିଥିବା ପୋଲ କେମିତି ସୁରକ୍ଷିତ ହେବ ସେକଥା ଭଗବାନ ଜାଣନ୍ତି।
କଂଗ୍ରେସ, ସିପିଏମ, ଜନତାପାର୍ଟିର (ଏବେନାହିଁ), ଓ ଅନ୍ୟାନ୍ୟ ଦଳ ବିଜେପି, କେହି ବିଲେଇ ବେକରେ ଘଣ୍ଟି ବାନ୍ଧିବା ପାଇଁ ସାହସ କରୁନାହାନ୍ତି। ଏବେ ମାତ୍ର ଭରସା ହେଲା ହାଇକୋର୍ଟ ଓ ସୁପ୍ରିମକୋର୍ଟ। ସେଇମାନେ ଉପଯୁକ୍ତ ତର୍ଜମାକରି ପରିମାଣ ୫୦%କୁ କମେଇଲେ କିମ୍ବା ବନ୍ଦ କଲେ ସମାଜ ବର୍ତ୍ତମାନ ଯେପରି ଭାଗଭାଗ ହେବା ପାଇଁ ଯାଉଛି ସେଥିରୁ ବଞ୍ଚିଯିବ।