ଜାତିଭିତ୍ତିକ ଜନଗଣନା ଆଡ଼କୁ

0

କେନ୍ଦ୍ର ସରକାର ୨୦୨୧ ମସିହାର ଜନସୁମାରିରେ ଜାତି ଆଧାରିତ ତଥ୍ୟ ସଂଗ୍ରହ କରିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୧୯୩୧ ମସିହା ପରେ କୌଣସି ଜନଗଣନାରେ ଜାତିକୁ ଅନ୍ତର୍ଭୁକ୍ତ କରାଯାଇନଥିଲା। ଆହୁରି ମଧ୍ୟ ପ୍ରଥମ ଥରପାଇଁ ଅନ୍ୟ ପଛୁଆ ଜାତି(ଓବିସି)ଙ୍କ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ। ଭି.ପି. ସିଂହ ସରକାର ଯେତେବେଳେ ମଣ୍ଡଳ ଆୟୋଗଙ୍କ ସୁପାରିସ ମୁତାବକ ଓବିସିଙ୍କ ପାଇଁ ୨୭ ଶତାଂଶ ସଂରକ୍ଷଣ ବ୍ୟବସ୍ଥା ଲାଗୁ କଲେ, ସେହିଦିନଠାରୁ କେଉଁ ଆଧାରରେ ଏହା କାର୍ଯ୍ୟକାରୀ ହୋଇଛି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ କରାଯାଇଆସିଛି। ଏହି ଅନିଶ୍ଚିତତାକୁ ପ୍ରସଙ୍ଗ କରି ପ୍ରଭାବଶାଳୀ ଓବିସି ସମ୍ପ୍ରଦାୟ ପକ୍ଷରୁ ମଧ୍ୟ ଜନଗଣନାରେ ଜାତି ଆଧାରିତ ତଥ୍ୟ ସଂଗ୍ରହ କରାଯିବା ପାଇଁ ଦାବି କରାଯାଉଥିଲା। ଏହି ସମ୍ପ୍ରଦାୟର ଦାବି ଅନୁଯାୟୀ ସେମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୫୦ ଶତାଂଶରୁ ବି ଅଧିକ। ସେହି ଦୃଷ୍ଟିରୁ ୨୭ ଶତାଂଶ ସଂରକ୍ଷଣ ବହୁତ କମ୍। ଏଭଳି ଦାବିକୁ ସମ୍ମାନ ଦେଇ ଗତ ୟୁପିଏ ସରକାର ୨୦୧୧-୧୨ ମସିହାରେ ସାମାଜିକ-ଆର୍ଥିକ ଜାତି ଜନଗଣନା କରାଇଥିଲେ; ମାତ୍ର ଏ ପର୍ଯ୍ୟନ୍ତ ସେହି ପରିସଂଖ୍ୟାନକୁ ସାର୍ବଜନୀନ କରାଯାଇନାହିଁ। ଏହାର କାରଣ କ’ଣ ତାହା ସରକାର ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି।
ଏଥିରେ ସନ୍ଦେହ ନାହିଁ ଯେ ଭାରତରେ ଜାତି ଆଧାରିତ ତଥ୍ୟ ଏତେ ଜଟିଳ ଓ ବିବିଧତାପୂର୍ଣ୍ଣ ହେବା ନିଶ୍ଚିତ ଯେ ତା’ର ବର୍ଗୀକରଣ ଏକ କଷ୍ଟସାଧ୍ୟ ବ୍ୟାପାର। କୁହାଯାଉଛି ଯେ ଦେଶରେ ୪୬ ଲକ୍ଷ ପ୍ରକାରର ଜାତି ଓ ଉପଜାତି ରହିଛି। ଏହାର ସମାଧାନ ପାଇଁ ୨୦୨୧ରେ ଜନଗଣନା କର୍ମୀମାନଙ୍କୁ ପ୍ରଥମରୁ ହିଁ ବର୍ଗୀକୃତ ଫର୍ମ ପ୍ରଦାନ କରାଯିବାର ଯୋଜନା ରହିଛି, ଯେପରିକି ପ୍ରତ୍ୟେକ ପରିବାର ସହଜରେ କେଉଁ ବର୍ଗରେ ସେମାନେ ଆସୁଛନ୍ତି, ତାହା ସ୍ଥିର କରିପାରିବେ। ଖବର ଅନୁଯାୟୀ, କେନ୍ଦ୍ର ସରକାର ଏହି ଜନଗଣନାରେ ଓବିସିର ଉପବର୍ଗୀକରଣ ମଧ୍ୟ କରାଇବେ। ଏହାକୁ ଆଧାର କରି ପରବର୍ତ୍ତୀ ସାଧାରଣ ନିର୍ବାଚନରେ ଅଣପ୍ରଭାବଶାଳୀ ପଛୁଆ ଜାତି ଲୋକଙ୍କ ନିକଟରେ ମଧ୍ୟ ପହଞ୍ଚିବା ସହଜ ହେବ ବୋଲି ଶାସକ ଦଳ ଚିନ୍ତା କରୁଥାଇପାରେ। ଯଦି ସେପରି ହୁଏ, ତେବେ ତାହା ଅଧିକ ସାମାଜିକ ବିଭେଦ ସୃଷ୍ଟିକାରୀ ଓ ଅନିଷ୍ଟକାରୀ ସାବ୍ୟସ୍ତ ହେବ। ଏଥିପ୍ରତି ଦୃଷ୍ଟି ରଖିବା ଜରୁରୀ। ସର୍ବୋପରି ଏଭଳି ଜାତିଭିତ୍ତିକ ଜନସୁମାରି କରି ସଂରକ୍ଷଣ ପ୍ରଦାନ ସଂରକ୍ଷଣ ବ୍ୟବସ୍ଥାର ମୌଳିକ ଉଦ୍ଦେଶ୍ୟକୁ ହିଁ ପ୍ରତିହତ କରିବାର ଆଶଙ୍କା ବେଶି। ଏଥିପ୍ରତି ସତର୍କତା ଲୋଡ଼ା।

Leave A Reply