ଚେଇଁ ଶୋଇଥିବ ଯିଏ…

ରାଜନୈତିକ ଦଳଙ୍କ ପ୍ରତି ଲୋକଦେଖାଣିଆ ଚେତାବନୀ ନିର୍ବାଚନ ଆୟୋଗର ନିକମାପଣକୁ ଘୋଡ଼ାଇବା ପାଇଁ ଯଥେଷ୍ଟ ନୁହେଁ

ଗତ ଶୁକ୍ରବାର (୯ ଏପ୍ରିଲ) ନରୱେର ପ୍ରଧାନମନ୍ତ୍ରୀ ଏର୍ନା ସୋଲ୍‌ବର୍ଗଙ୍କଠାରୁ ସେଠାକାର ପୁଲିସ ୨୦ ହଜାର କ୍ରୋନ୍‌ (ଭାରତୀୟ ମୁଦ୍ରାରେ ପ୍ରାୟ ୧ ଲକ୍ଷ ୭୭ ହଜାର ଟଙ୍କା) ଜୋରିମାନା ଆଦାୟ କରିଛି। ତାଙ୍କର ଦୋଷ ହେଲା, ସେହି ଦେଶର କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରି ଗୋଟିଏ ସ୍ଥାନରେ ସର୍ବାଧିକ ୧୦ ଜଣ ଏକତ୍ର ହୋଇପାରି‌େବ; କିନ୍ତୁ ସୋଲବର୍ଗ ୧୩ ଜଣଙ୍କୁ ନେଇ ଗୋଟିଏ ହୋଟେଲରେ ନିଜର ଜନ୍ମଦିନ ଉତ୍ସବ ପାଳନ କରିଥିଲେ। ଯେଉଁ ଦେଶର ପ୍ରଧାନମନ୍ତ୍ରୀ ସକାଳେ କୋଭିଡ ନିୟମକାନୁନକୁ କଡ଼ାକଡ଼ି ପାଳନ କରିବା ସମ୍ପର୍କରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଅପରାହ୍ଣରେ ହଜାରହଜାର ଲୋକଙ୍କୁ ଠୁଳ କରି ନିର୍ବାଚନ ପ୍ରଚାରରେ ଲାଗିଯାଆନ୍ତି, ସେହି ଦେଶର ଲୋକଙ୍କୁ ଉପରୋକ୍ତ ଘଟନା ବିସ୍ମିତ କରିବା ସହ ଅକଳ୍ପନୀୟ ମନେହେବା ଅସ୍ବାଭାବିକ ନୁହେଁ। ନରୱେ କାହିଁକି ୟୁଏନ୍‌ଡିପିର ୧୮୯ଟି ଦେଶର ମାନବ ବିକାଶ ସୂଚକାଙ୍କ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ଓ ଭାରତର ସ୍ଥାନ ସେଥିରେ ୧୩୧, ତାହା ମଧ୍ୟ ଏଥିରୁ ପ୍ରମାଣିତ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଜୋରିମାନା କରିଥିବା ପୁଲିସ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ। ସେ ସମ୍ବାଦଦାତା ସମ୍ମିଳନୀରେ କହିଛନ୍ତି ଯେ ଯଦିଚ ଆଇନ ସମସ୍ତଙ୍କ ପାଇଁ ସମାନ, ଆଇନ ସମ୍ମୁଖରେ ସମସ୍ତେ ସମାନ ନୁହନ୍ତି। ସାଧାରଣ ଲୋକଙ୍କ ଅପେକ୍ଷା ନେତୃତ୍ବ ନେଉଥିବା ଲୋକ ଯଦି ନୀତିନିୟମର ଉଲ୍ଲଙ୍ଘନ କରନ୍ତି, ସେମାନେ ଅଧିକ ଦଣ୍ଡନୀୟ ହେବା ଉଚିତ; ଯାହାଫଳରେ ଦେଶର ନୀତିନିୟମ ଓ ଆଇନକାନୁନ ଉପରେ ସାଧାରଣ ଲୋକଙ୍କ ଆସ୍ଥା ଅତୁଟ ରହିବ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ସୋଲବର୍ଗ କେବଳ ଜୋରିମାନା ଦେଇନାହାନ୍ତି, ଦେଶବାସୀଙ୍କ ନିକଟରେ କ୍ଷମାପ୍ରାର୍ଥନା ମଧ୍ୟ କରିଛନ୍ତି।
ଏଇ ଘଟନାର ଅବତାରଣା ଏଇଥିପାଇଁ ମଧ୍ୟ ଯେ ଭାରତର ନିର୍ବାଚନ ଆୟୋଗ ଏବେ ନିର୍ବାଚନ ପ୍ରଚାର ସମୟରେ କରୋନା ସମ୍ପର୍କିତ ନିୟମାବଳୀର ପାଳନ କରୁନଥିବାରୁ ରାଜନୈତିକ ଦଳଗୁଡ଼ିକୁ ଭର୍ତ୍ସନା କରିବା ସହ ଦରକାର ପଡ଼ିଲେ ସେମାନଙ୍କ ସଭା ଶୋଭାଯାତ୍ରା ଆଦିକୁ ନିଷିଦ୍ଧ କରାଯିବ ବୋଲି କହିଛନ୍ତି। ଭାରତରେ ହିଁ ଯେତେସବୁ ବିଚିତ୍ର ଘଟନା ଦେଖାଯାଏ। ଯେଉଁମାନେ ସକାଳୁ ଉଠିଲେ ଲୋକଙ୍କୁ ନୀତିନୈତିକତାର ପାଠ ପଢ଼ାନ୍ତି, ସେମାନେ ତା’ର ଉଲ୍ଲଙ୍ଘନ କଲେ ଦଣ୍ଡ ମିଳିବା କଥା ଦୂରେ ଥାଉ, ପ୍ରଶଂସାର ପାତ୍ର ହୁଅନ୍ତି। ଯେଉଁମାନେ ଆଇନର ରକ୍ଷକ, ସେମାନେ ସବୁ ଦେଖିଶୁଣି ଅନ୍ଧ ମୂକ ବଧିର ପାଲଟିଯାଆନ୍ତି। ନିର୍ବାଚନ ଆୟୋଗ କ୍ଷେତ୍ରରେ ମଧ୍ୟ ସେଇ ସମାନ କଥା ଘଟିଛି କହିଲେ ଆଦୌ ଅତିରଂଜିତ ହେବନାହିଁ। ଦେଶର ପାଞ୍ଚଟି ରାଜ୍ୟର ନିର୍ବାଚନ ଅନୁଷ୍ଠିତ ହେଉଛି ଓ ସେଥିରୁ ଚାରିଟି ରାଜ୍ୟର ନିର୍ବାଚନ ଶେଷ ହୋଇସାରିଛି। ଯେଉଁ ଗୋଟିଏ ରାଜ୍ୟ ପଶ୍ଚିମବଙ୍ଗର ନିର୍ବାଚନ ବାକି ରହିଛି, ସେଠାରେ ମଧ୍ୟ ଚାରିଟି ପର୍ଯ୍ୟାୟ ସରିଗଲାଣି। ନିର୍ବାଚନ ଆୟୋଗର ଦୃଷ୍ଟି ଏତେଦିନ ଧରି ନିର୍ବାଚନ ପ୍ରଚାରରେ ମାତିଥିବା ରାଜନୈତିକ ଦଳଗୁଡ଼ିକ ଉପରେ କିପରି ପଡ଼ୁନଥିଲା, ଯେଉଁମାନେ କରୋନା ସମ୍ପର୍କିତ ମାର୍ଗଦର୍ଶିକା ଓ ନିୟମକାନୁନର ଖୋଲାଖୋଲି ଉଲ୍ଲଙ୍ଘନ କରିଆସିଛନ୍ତି? ପାଞ୍ଚଟି ରାଜ୍ୟର ନିର୍ବାଚନ ପ୍ରକ୍ରିୟା ଯେତେବେଳେ ଆରମ୍ଭ ହେଲା, ସେତେବେଳେ ହିଁ କରୋନା ମାମଲା ଦେଶରେ ବୃଦ୍ଧି ପାଇବା ଆରମ୍ଭ କରିଥିଲା ଓ ଅନେକ ରାଜ୍ୟରେ ଚିନ୍ତାଜନକ ସ୍ଥିତି ପହଞ୍ଚି ସାରିଥିଲା। ଏହାସତ୍ତ୍ବେ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଶହଶହ ଲୋକଙ୍କୁ ଧରି ଶୋଭାଯାତ୍ରା କରିବା ସହ ଗଳିଗଳି, ଘରଘର ବୁଲି ଭୋଟଭିକ୍ଷା କରୁଥିଲେ; ଏପରିକି ଦେଶର ସର୍ବୋଚ୍ଚ ପଦରେ ଥିବା ନେତୃବୃନ୍ଦ ଲକ୍ଷାଧିକ ଲୋକଙ୍କୁ ନେଇ ପ୍ରତ୍ୟହ ନିର୍ବାଚନ ସଭାମାନ ଆୟୋଜନ କରୁଥିଲେ; ତଥାପି ଆୟୋଗ ପାଖରେ ଖବର ନଥିଲା? ତେବେ କଥାରେ ଅଛି, ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ!
ସମ୍ଭବତଃ ଏହି କାରଣରୁ ନିର୍ବାଚନ ଆୟୋଗକୁ ନିଦରୁ ଉଠାଇବାକୁ ଉଦ୍ୟମ କରାଯାଇଥିଲେ ହେଁ ତାହା ସେଥିପ୍ରତି ଆଦୌ କର୍ଣ୍ଣପାତ କରିନଥିଲା। ରାଜନୈତିକ ଦଳଗୁଡ଼ିକ କରୋନା ମାର୍ଗଦର୍ଶିକାକୁ ପାଳନ କରୁନଥିବା ସମ୍ପର୍କରେ ସୋସିଆଲ୍‌ ମିଡିଆରେ ବହୁଳ ଚର୍ଚ୍ଚା ହେବା ସହ ମୁଖ୍ୟଧାରାର ଗଣମାଧ୍ୟମଗୁଡ଼ିକରେ ମଧ୍ୟ ଆଲୋଚନା ସମାଲୋଚନା ହୋଇଆସୁଛି ଓ ଚିନ୍ତାପ୍ରକଟ କରାଯାଉଛି; କିନ୍ତୁ ଆୟୋଗ ନିଦାବିଷ୍ଣୁ। ଇତିମଧ୍ୟରେ କେତେକ ରାଜ୍ୟରେ ସଂକ୍ରମଣ ତୀବ୍ରବେଗରେ ବ୍ୟାପୁଥିବାରୁ ରାତ୍ରି କର୍ଫ୍ୟୁ ଓ ସପ୍ତାହାନ୍ତ ଲକ୍‌ଡାଉନ୍‌ ଆଦି ଘୋଷଣା କରାଯାଇଛି। ଯେଉଁ ଲୋକ ନିୟମ ଉଲ୍ଲଂଘନ କରୁଛି, ସେମାନଙ୍କ ବିରୋଧରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଓଡ଼ିଶା ଭଳି ରାଜ୍ୟରେ ମାସ୍କ ନ ପିନ୍ଧିଥିବାରୁ ସାଧାରଣ ଲୋକଙ୍କୁ ପୁଲିସ ନିର୍ଘାତ ମାଡ଼ ମାରିବା ଓ ଗିରଫ କରିବାର ନଜିର ରହିଛି; କିନ୍ତୁ ହଜାର ହଜାର ଲୋକଙ୍କ ସମ୍ମୁଖରେ ବିନା ମାସ୍କରେ ନେତୃବର୍ଗଙ୍କ ଘଣ୍ଟାଘଣ୍ଟା ଭାଷଣ ଆୟୋଗ ଆଖିକୁ ଦିଶୁନାହିଁ ଏବଂ ଏବେ କେବଳ ସାମାନ୍ୟ ଚେତାବନୀ ଦେଇ ନିଜର କର୍ତ୍ତବ୍ୟ ସାରିଦେଇଛି। କହିବା ବାହୁଲ୍ୟ ଯେ ରାଜନୈତିକ ଦଳଙ୍କ ପ୍ରତି ଏହି ଲୋକଦେଖାଣିଆ ଚେତାବନୀ ଆୟୋଗର ନିକମାପଣକୁ ଘୋଡ଼ାଇ ଦେବା ପାଇଁ ଯଥେଷ୍ଟ ନୁହେଁ। ନିଜର ଇଜ୍ଜତ ବଞ୍ଚାଇବାକୁ ହେଲେ ଏହି ସଂସ୍ଥାକୁ ନିରପେକ୍ଷ ଭାବେ ପ୍ରକୃତ କର୍ତ୍ତବ୍ୟ ତୁଲାଇବାକୁ ପଡ଼ିବ। ଆଜି ନବନିଯୁକ୍ତ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଳ ଚନ୍ଦ୍ରା କାର୍ଯ୍ୟଭାର ଗ୍ରହଣ କରିବେ। ସେ ଦେଶର ଏହି ସ୍ଥାୟୀ ସାମ୍ବିଧାନିକ ସଂସ୍ଥାର ସ୍ବାଧୀନତା ଓ ଗରିମାକୁ କିପରି ରକ୍ଷା କରିବେ, ତାହା ଆଗାମୀ ଦିନରେ ଜଣାପଡ଼ିବ।

Comments are closed.