ଅକ୍ଷମଣୀୟ

0

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛି ଯେ ବିମୁଦ୍ରାୟନ ଦ୍ବାରା ଅବୈଧ ଘୋଷିତ ୧୫.୪୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ପାଞ୍ଚଶହ ଓ ହଜାରେ ଟଙ୍କିଆ ନୋଟ୍‌ ମଧ୍ୟରୁ ୧୫.୩୧ ଲକ୍ଷ କୋଟି ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଭିତରକୁ ଫେରିଆସିଛି। ଏଥିରୁ ୮ ନଭେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରାୟନ ଦ୍ବାରା ଯେଉଁ ଲାଭଗୁଡ଼ିକ ହେବ ବୋଲି ଦେଶବାସୀଙ୍କୁ ନିଶ୍ଚିତ ପ୍ରତିଶ୍ରୁତି ଦେଇଥିଲେ, ତାହା ପ୍ରାୟତଃ ଧୂଆଁବାଣରେ ପରିଣତ ହୋଇଛି। ବିମୁଦ୍ରାୟନ ଦ୍ବାରା କଳାଧନ ଉପରେ ଅଙ୍କୁଶ ଲାଗିବ ବୋଲି କୁହାଯାଇଥିଲା; କିନ୍ତୁ ତାହା ହୋଇନାହିଁ; ବରଂ ସ୍ପଷ୍ଟ ହେଲା ଯେ ତାହା ଏକ ଅବୋଧ୍ୟ ବିଚାର ଉପରେ ପର୍ଯ୍ୟବସିତ ଥିଲା; କାରଣ ନଗଦରେ କଳାଧନ କେହି ରଖୁନଥିବା ଆରମ୍ଭରୁ ହିଁ କୁହାଯାଉଥିଲା। ବିମୁଦ୍ରାୟନର ଫାଇଦା ଜାଣିବାକୁ କିଛି କାଳ ଅପେକ୍ଷା କରିବାକୁ ପଡ଼ିବ ବୋଲି ସରକାର କହିଆସୁଥିଲେ; କିନ୍ତୁ ଦୁଇବର୍ଷ ପରେ ବି ତା’ର ସୁଫଳ କ’ଣ ଜଣାପଡ଼ୁନାହିଁ। ମଝିରେ ଅର୍ଥମନ୍ତ୍ରୀ ଏହାକୁ ଏକ ସଫଳ ପଦକ୍ଷେପ ଭାବେ ବର୍ଣ୍ଣନା କରି ଏହାଦ୍ବାରା ନଗଦ କାରବାର କମିବ ଓ ଡିଜିଟାଲ୍‌ ଦେଣନେଣ ବୃଦ୍ଧି ପାଇବ ବୋଲି ମଧ୍ୟ ସଫେଇ ଦେଇଥିଲେ; କିନ୍ତୁ ସରକାରଙ୍କ ଏକାଧିକ ରିପୋର୍ଟରୁ ହିଁ ଜଣାପଡ଼ିଛି ଯେ ଦେଶରେ ପୂର୍ବାପେକ୍ଷା ନଗଦ କାରବାର ବୃଦ୍ଧି ପାଇଛି। ଜାଲ୍‌ନୋଟ ରୋକିବା କ୍ଷେତ୍ରରେ ମଧ୍ୟ ବିମୁଦ୍ରାୟନ ଆଦୌ କିଛି ପ୍ରଭାବ ପକାଇପାରି ନାହିଁ। କେବଳ ସେତିକି ନୁହେଁ, ଏହି ଅପରିଣାମଦର୍ଶୀ ପଦକ୍ଷେପ ଦ୍ବାରା ଦେଶର ସାଧାରଣ ଲୋକ ଯେଉଁ କକର୍ଥନା ଓ ଯନ୍ତ୍ରଣା ଭୋଗିଲେ, ତାହା ସ୍ବାଧୀନ ଭାରତରେ ଥିଲା ଅଭୂତପୂର୍ବ ଏବଂ ଅକ୍ଷମଣୀୟ। ବିମୁଦ୍ରାୟନ ଦ୍ବାରା ଦେଶ ବିଭିନ୍ନ କ୍ଷେତ୍ରରେ ଆର୍ଥିକ କ୍ଷତି ସହିଲା ଓ ଲକ୍ଷାଧିକ ଲୋକ ହଠାତ୍ ରୋଜଗାରଶୂନ୍ୟ ହୋଇଗଲେ। ଏହାସତ୍ତ୍ବେ ମୋଦୀ ସରକାର ଏବେମଧ୍ୟ ବିମୁଦ୍ରାୟନ ଦ୍ବାରା ଦେଶର ଲାଭ ହୋଇଛି ବୋଲି ସଫେଇ ଦେବାରେ ବ୍ୟସ୍ତ। ଯଦି ପ୍ରକୃତରେ ଲାଭ ହୋଇଛି, ତା’ର ପ୍ରମାଣ ସରକାର ଦିଅନ୍ତୁ। ଭୁଲ୍‌କୁ ଠିକ୍ ଦର୍ଶାଇ ଚାଲିଲେ ତାହା ଠିକ୍ ହୋଇଯାଏ ନାହିଁ। ଭୁଲ୍‌କୁ ସ୍ବୀକାର କରିବା ହିଁ ବିଜ୍ଞତା। ମୋଦୀ ସରକାର ଏହା ବୁଝିଲେ ଦେଶର ମଙ୍ଗଳ ହେବ।

Leave A Reply