ଧର୍ମର ନିର୍ଯାସ

0

ପ୍ରାଚୀନକାଳରେ ଗୁରୁକୁଳରେ ରହି ଶିଷ୍ୟମାନେ ବିଦ୍ୟାଧ୍ୟୟନ କରୁଥିଲେ। ଗୁରୁକୁଳର କଠୋର ଅନୁଶାସନ ଭିତରେ ଥିବା ଶିଷ୍ୟମାନଙ୍କର ସାମଗ୍ରିକ ବିକାଶ ଦିଗରେ ଗୁରୁବିଶେଷ ଯତ୍ନଶୀଳ ଥିଲେ। ବିଦ୍ୟାଧ୍ୟୟନ ସମାପ୍ତ ହେବାପରେ କେତେକ କ୍ଷେତ୍ରରେ ଶିଷ୍ୟଙ୍କ ଜ୍ଞାନ ପରୀକ୍ଷା କରି ଶିକ୍ଷା ସମାପ୍ତ ହୋଇଛି ବୋଲି ଗୁରୁ ଧରି ନେଉଥିଲେ।
ଏହିଭଳି ଏକ ଗୁରୁକୁଳରେ ରହୁଥିବା ଦୁଇ ଶିଷ୍ୟଙ୍କ ସହ ଗୁରୁ ପ୍ରାତଃ କାଳରେ ସ୍ନାନ ନିମନ୍ତେ ନଦୀକୁ ଯାଇଥିଲେ। ସ୍ନାନ ସମାପ୍ତ ପରେ ପ୍ରାତ୍ୟହିକ କର୍ମ ଅନୁଯାୟୀ ଗୁରୁଙ୍କସହ ଦୁଇ ଶିଷ୍ୟ ଧ୍ୟାନରେ ବସିପଡ଼ିଲେ।
ଗୁରୁଙ୍କ ସହ ଶିଷ୍ୟ ଧ୍ୟାନରେ ବସିବାର କିଛି କ୍ଷଣ ପରେ ହଠାତ ଏକ କରୁଣ ଚିତ୍କାର ଶୁଣାଗଲା। ଚିତ୍କାରଟି ଥିଲା ଜଣେ ବାଳକର। ବାଳକଟି ସ୍ନାନ କରୁଥିବା ସମୟରେ ଅସାବଧାନତାବଶତଃ ଗଭୀର ଜଳକୁ ଚାଲିଯାଇଥିଲା। ପହଁରା ଜାଣି ନଥିବା ବାଳକଟି ତାକୁ ରକ୍ଷା କରିବାପାଇଁ ଚିତ୍କାର କରୁଥାଏ।
ଜନୈକ ଶିଷ୍ୟ ଧ୍ୟାନଭଗ୍ନ କରି ଆଖି ଖୋଲନ୍ତେ ଦେଖିବାକୁ ପାଇଲେ ବାଳକଟି ନଦୀସ୍ରୋତରେ ଅସହାୟ ଭାବେ ଭାସିଯାଉଛି। କାଳବିଳମ୍ବ ନକରି ଶିଷ୍ୟ ତତ୍‌କ୍ଷଣାତ୍‌ ପାଣିକୁ ଡେଇଁ ବାଳକଟିକୁ ଉଦ୍ଧାର କରିଥିଲେ। ହେଲେ ସେହି ଶିଷ୍ୟସହ ଧ୍ୟାନରେ ବସିଥିବା ଅନ୍ୟଜଣେ ଶିଷ୍ୟ ଏସବୁ ଘଟଣା ପ୍ରତି ଆଦୌ କର୍ଣ୍ଣପାତ କରି ନଥିଲେ। ଯଦିଚ ତାଙ୍କ କାନରେ ସେହି ବାଳକର କରୁଣ ଚିତ୍କାର ପଡ଼ିଥିଲା ତଥାପି ଧ୍ୟାନଭଗ୍ନ ହେବାକୁ ଦୃଷ୍ଟିରେ ରଖି ସେ ଉଠିନଥିଲେ।
ସକଳ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ସେମାନଙ୍କ ପାଖରେ ଥିବା ଗୁରୁ। ଧ୍ୟାନ ସରିବା ପରେ ସେହି ଶିଷ୍ୟକୁ ଗମ୍ଭୀର ଭାବରେ ପଚାରିଥିଲେ କ’ଣ ତୁମେ ସେହି ବାଳକର କରୁଣ ଚିତ୍କାର ଶୁଣି ପାରିନଥିଲ ନା ଶୁଣି ନ ଶୁଣିବାର ଅଭିନୟ କରୁଥିଲ?
ଶିଷ୍ୟର ଉତ୍ତର ଥିଲା- ଗୁରୁଦେବ! ମୁଁ ଶୁଣିପାରିଥିଲି। ହେଲେ ଧ୍ୟ​‌​‌ାନଭଗ୍ନ ହେବା କାରଣରୁ ମୁଁ ସେଥିପ୍ରତି ଦୃଷ୍ଟିଦେଇ ନଥିଲି। ଗୁରୁଦେବ! ଧ୍ୟାନ ମଝିରୁ ପଳାଇବା କ’ଣ ପାପରେ ଭାଗୀ ହେବା ନୁହେଁ?
ଗୁରୁ ଏହା ଶୁଣି ଖେଦଭରା କଣ୍ଠରେ କହିଥିଲେ- ‘ଲାଗୁଛି, ମୁଁ ତୁମକୁ ଠିକ୍‌ ଶିକ୍ଷା ଦେଇପାରିନି ବତ୍ସ! ମୋର ଦୁର୍ଭାଗ୍ୟ ଯେ ତୁମେ ଏତେ ବର୍ଷ ଆଶ୍ରମରେ ରହି ଢ଼େର ଧର୍ମଶାସ୍ତ୍ର ଅଧ୍ୟୟନ କଲ- ହେଲେ ଧର୍ମର ସାରବତ୍ତା, ପାପ-ପୁଣ୍ୟର ପରିଭାଷା ସମ୍ପର୍କରେ ଜାଣିପାରିଲ ନାହିଁ। ଧର୍ମର ନିର୍ଯାସ ଲୋକ ଦେଖାଣିଆ କର୍ମକାଣ୍ଡ ଭିତରେ ନଥାଏ, ଏହା ପୀଡ଼ିତ ମାନବାତ୍ମାର ସେବାରେ ହିଁ ନିହିତ ଥାଏ। ତୁମର ସାଥି ଶିଷ୍ୟ ସଚ୍ଚାଧର୍ମ ପାଳନ କଲେ। ହେଲେ ବିଡ଼ମ୍ବନା ଯେ ତୁମେ ମୋର ଶିଷ୍ୟ ଭିତରୁ ଜଣେ ହୋଇ ଧର୍ମର ଆଳ ଦେଖାଇ ଧର୍ମକୁ ଧୋକ୍‌କା ଦେଲ। ମାନବସେବା ଶ୍ରେଷ୍ଠ ସେବା- ଏହା ପ୍ରତ୍ୟେକ ଧର୍ମଶାସ୍ତ୍ରରେ ଅଛି। ମୋର ହୃଦ୍‌ବୋଧ ହେଉଛି ଧର୍ମଶାସ୍ତ୍ର ଅଧ୍ୟୟନ କରିଥିଲେ ହେଁ ଏହା ଏପର୍ଯ୍ୟନ୍ତ ତୁମେ ଜାଣି ପାରିନାହଁ।’

Leave A Reply