‘ସେଫ୍ଟି ଭାଲ୍‌ଭ’

0

ମଙ୍ଗଳବାର ଚାରିଟି ରାଜ୍ୟର ବିଭିନ୍ନ ସହରରେ ଚଢ଼ଉ କରି ପୁଣେ ପୁଲିସ ଦେଶର ପାଞ୍ଚ ଜଣ ପ୍ରମୁଖ ମାନବାଧିକାର କର୍ମୀଙ୍କୁ ଯେଉଁ ଢଙ୍ଗରେ ଗିରଫ କଲା, ସେଥିନେଇ ସ୍ବାଭାବିକ ଭାବେ ଏବେ ଅନେକ ପ୍ରଶ୍ନ ଉଠିଛି। କେଉଁ କାରଣରୁ ସେମାନଙ୍କୁ ଗିରଫ କରାଗଲା, ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ। ଗିରଫଦାରି ପରେ ପୁଣେ ପୁଲିସ ଗଣମାଧ୍ୟମ ସମ୍ମୁଖରେ ଯାହା ବିବୃତି ରଖିଲା, ତାହା ମଧ୍ୟ ଅନିର୍ଦିଷ୍ଟ ଓ ଅନିଶ୍ଚିତ। ଫଳରେ ଏହି ଗିରଫଦାରିକୁ ‘ସହରୀ ନକ୍ସଲ’(ବୋଧହୁଏ ଇତାଲୀୟ ଲେଖକ ଓ ରାଜନେତା କାର୍ଲୋସ ମେରିଘେଲାଙ୍କ ଦ୍ବାରା ପ୍ରଥମେ ବ୍ୟବହୃତ ‘ସହରୀ ଗୁରିଲା’ ଶବ୍ଦ ଅନୁକରଣରେ ଏହାର ସୃଷ୍ଟି)ରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହତ୍ୟା ଷଡ଼ଯନ୍ତ୍ର ପର୍ଯ୍ୟନ୍ତ ଯୋଡ଼ାଗଲା। ପରଦିନ ଅର୍ଥାତ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟରେ ପୁଲିସ ଦେଇଥିବା ସତ୍ୟପାଠରୁ ହିଁ ଜଣାପଡ଼ିଲା ଯେ ମାମଲାଟି ବହୁଚର୍ଚିତ ଭୀମା-କୋରେଗାଓଁ ହିଂସା ସମ୍ବନ୍ଧୀୟ। କୌଣସି ପ୍ରକାର ଷଡ଼ଯନ୍ତ୍ର ବା ହିଂସାରେ ଏହି ପାଞ୍ଚଜଣ କର୍ମୀଙ୍କର ସମ୍ପୃକ୍ତି ରହିଛି ନା ନାହିଁ ଏବଂ ଯଦି ବା ରହିଛି, କେତେ ଦଣ୍ଡଯୋଗ୍ୟ ତାହା ତଦନ୍ତର ବିଷୟ। ନ୍ୟାୟାଳୟ ସାକ୍ଷ୍ୟପ୍ରମାଣକୁ ଆଧାର କରି ନ୍ୟାୟ ପ୍ରକ୍ରିୟାକୁ ଆଗକୁ ବଢ଼ାଇବେ। ତେବେ ପୁଲିସ ସଂପୃକ୍ତ କର୍ମୀମାନଙ୍କୁ ଯେପରି ବିନା କୌଣସି ପଚରାଉଚୁରାରେ ହଠାତ୍ ଯାଇ ଗିରଫ କଲା, ତା’ର ମଧ୍ୟ ଯାଞ୍ଚ ହେବା ଆବଶ୍ୟକ ମନେହୁଏ। ଏଭଳି ପ୍ରଶ୍ନ ଉଠିବାର ଗୋଟିଏ ପ୍ରମୁଖ କାରଣ ହେଲା, ଡିସେମ୍ବର ୩୧ରେ ବାମପନ୍ଥୀ ଓ ଦଳିତ ସଂଘଗୁଡ଼ିକ ଦ୍ବାରା ସେଇ ପୁଣେ ପୁଲିସର ନାକତଳେ ‘ଏଲ୍‌ଗାର ପରିଷଦ’ ଆୟୋଜିତ ହୋଇଥିଲା; ମାତ୍ର ସେତେବେଳେ ତାକୁ ସେଥିରେ କିଛି ଖୁଣ ଦେଖାଗଲା ନାହିଁ କିପରି। ଏକ ରାଜନୈତିକ ସଂଗଠନର ଅଭିଯୋଗ ପରେ ହିଁ ପୁଣେ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କଲା?
ହୁଏତ ଏସବୁ କାରଣରୁ ବିଭିନ୍ନ ମହଲରେ ମାନବାଧିକାର କର୍ମୀ ଓ ବୁଦ୍ଧିଜୀବୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ‘ଅତ୍ୟଧିକ’ ମନେ କରାଯାଉଛି ଏବଂ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହାକୁ ସନ୍ଦେହ ଚକ୍ଷୁରେ ଦେଖିଛନ୍ତି। ଏଥିଯୋଗୁଁ ନ୍ୟାୟାଳୟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏକ ସପ୍ତାହ ପାଇଁ ସେମାନଙ୍କୁ କାରାବଦ୍ଧ ନକରି ‘ନିଜଘରେ’ ନଜରବନ୍ଦୀ କରି ରଖିବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ ଏହି ମାମଲାରେ ନ୍ୟାୟାଳୟ କେନ୍ଦ୍ର ସରକାର ଓ ମହାରାଷ୍ଟ୍ର ସରକାରଙ୍କୁ ଜବାବ ତଲବ କରିବାକୁ ଉଚିତ ମଣିଛନ୍ତି। ଧ୍ୟାନଯୋଗ୍ୟ, ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ବାଧୀନ ପୀଠର ଅନ୍ୟତମ ସଦସ୍ୟ ନ୍ୟାୟମୂର୍ତ୍ତି ଡି.ୱାଇ ଚନ୍ଦ୍ରଚୂଡ଼ ମାମଲାର ମଞ୍ଜକଥାଟିକୁ ଗୋଟିଏ ବାକ୍ୟରେ କହିବାକୁ ଚେଷ୍ଟା କରିଛନ୍ତି: ‘‘ଭିନ୍ନମତ ବା ଅସମ୍ମତି ଗଣତନ୍ତ୍ରର ‘ସେଫ୍ଟି ଭାଲ୍‌ଭ’; ଯଦି ଭିନ୍ନମତକୁ ଅନୁମତି ଦିଆନଯାଏ, ତେବେ ପ୍ରେସର୍‌କୁକର ବିସ୍ଫୋରିତ ହୋଇପାରେ’’। କହିବା ବାହୁଲ୍ୟ ଯେ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ଚେତାବନୀକୁ ସରକାର ଏକ ସତର୍କଘଣ୍ଟି ସଦୃଶ ଗ୍ରହଣ କରିବା ଉଚିତ, କାରଣ ଏହି ସରକାର ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କ ପ୍ରତି ଘୋର ଅସହିଷ୍ଣୁତା ପ୍ରଦର୍ଶନ ଏବଂ କୌଣସି ପ୍ରକାର ଆନ୍ଦୋଳନର ଅପରାଧୀକରଣ ପାଇଁ ଦୁର୍ନାମ ଅର୍ଜିଛନ୍ତି। ଭିନ୍ନମତକୁ ଅସମ୍ମାନ ଓ ଦମନ କରାଯାଉଥିବା ମଧ୍ୟ ଆରମ୍ଭରୁ ଅଭିଯୋଗ ହୋଇଆସୁଛି। ଏଥିରେ ସାମାନ୍ୟତମ ସନ୍ଦେହ ନାହିଁ ଯେ ଅସ୍ତ୍ରଶସ୍ତ୍ରରେ ବିଶ୍ବାସୀ ଓ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ନକ୍ସଲବାଦ ବା ମାଓବାଦ ଦେଶପାଇଁ ଏକ ବଡ଼ ବିପଦ; କିନ୍ତୁ ଯେଉଁମାନଙ୍କର ଭିନ୍ନମତ ବା ବିଚାର ରହୁଛି ଏବଂ ତାହା ଅହିଂସାତ୍ମକ, ସେହି ନାଗରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଗଣତାନ୍ତ୍ରିକ। ବାମପନ୍ଥା ହେଉ କି ହିନ୍ଦୁତ୍ବ, ଯେ କୌଣସି ବିଚାର ସହ ଲଢ଼େଇ ଅଧିକ ଉନ୍ନତ ବିଚାର ଦ୍ବାରା ହେବା ଆବଶ୍ୟକ, ଦମନ ଦ୍ବାରା ନୁହେଁ। ଗଣତନ୍ତ୍ର ଓ ଏକଚ୍ଛତ୍ର ଶାସନ ଭିତରେ ତାହା ହିଁ ମୌଳିକ ପାର୍ଥକ୍ୟ। ଭାରତ ଭଳି ଏକ ପରିପକ୍ବ ଗଣତନ୍ତ୍ରରେ କୌଣସି ପ୍ରକାରର ଦମନମୂଳକ ପଦକ୍ଷେପ ଗ୍ରହଣୀୟ ନୁହେଁ।
ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଯେପରି ପୁଲିସ-ପ୍ରଶାସନକୁ ନାଗରିକ ଅଧିକାର ସମ୍ବନ୍ଧରେ ସାବଧାନ ରହିବାର ଆବଶ୍ୟକତା ଦର୍ଶାଇଛନ୍ତି, ତାକୁ ଗୁରୁତ୍ବ ଦିଆଯିବା ଜରୁରୀ। ଦେଶର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ମାନବାଧିକାର କର୍ମୀଙ୍କ ଗିରଫଦାରିର ଔଚିତ୍ୟ ଦର୍ଶାଇବାକୁ ଚେଷ୍ଟା କରିବା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ନକ୍ସଲଙ୍କୁ ସମର୍ଥନ ନକରିବା ପାଇଁ ପରାମର୍ଶ ଦେବା ବାସ୍ତବିକ ବିସ୍ମୟକର; କାରଣ ଏ ପର୍ଯ୍ୟନ୍ତ ପ୍ରମାଣିତ ହେବା ଦୂରର କଥା, ତଦନ୍ତ ମଧ୍ୟ ହୋଇନାହିଁ ଯେ ସଂପୃକ୍ତ କର୍ମୀମାନଙ୍କର ନକ୍ସଲଙ୍କ ସହ ସମ୍ପର୍କ ଅଛି ନା ନାହିଁ ଏବଂ ଯଦି ଅଛି ତାହା କେଉଁ ପ୍ରକାରର। ପ୍ରଧାନମନ୍ତ୍ରୀଙ୍କୁ ହତ୍ୟାଭଳି ଭୟଙ୍କର ଷଡ଼ଯନ୍ତ୍ରରେ ଅଭିଯୁକ୍ତମାନେ ସଂପୃକ୍ତ ଥିବାର ଆପାତପ୍ରମାଣ ଯୋଗ୍ୟତା ଥିଲେ ପୁଲିସ କାର୍ଯ୍ୟାନୁଷ୍ଠାନରେ ବାଧା ରହିବ ନାହିଁ। ତେବେ ଏ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁଶୀଳନ ପ୍ରଣିଧାନଯୋଗ୍ୟ।
ସର୍ବୋଚ୍ଚ ନ୍ୟାୟାଳୟ କେତେକ ପ୍ରଶ୍ନ ପଚାରିଛନ୍ତି, ଯାହାର ବିଶ୍ବସନୀୟ ଉତ୍ତର ସରକାରଙ୍କଠାରୁ ଆଶା କରାଯାଏ। ବିଶେଷତଃ ଆଇନଜୀବୀ, କବି, ବୁଦ୍ଧିଜୀବୀ, ଅଧ୍ୟାପକ ଆଦି ଶ୍ରେଣୀର ସମ୍ମାନନୀୟ ନାଗରିକଙ୍କୁ ଯେପରି ଅପରାଧୀ କି ଆତଙ୍କବାଦୀ ଭଳି ବ୍ୟବହାର କରାଗଲା, ସରକାର ସେଭଳି ଅନୁଭବ କରିବାର ଯଥାର୍ଥତା କ’ଣ? ଯେଉଁ କଠୋର ଆଇନ ବଳରେ ସେମାନଙ୍କୁ ଗିରଫ କରାଯାଇଛି, ତା’ର ଔଚିତ୍ୟ କେତେ? ଶାସନ-ପ୍ରଶାସନ ଯଦି ବିପଥଗାମୀ ହୁଏ, ତେବେ ସର୍ବୋଚ୍ଚ ନ୍ୟାୟାଳୟ ଆପଣାର ସାମ୍ବିଧାନିକ କର୍ତ୍ତବ୍ୟ ତୁଲାଇ ତାକୁ ସୁପଥକୁ ଆଣିବେ ବୋଲି ଆମର ଆଶା।

Leave A Reply