ସ୍ବାର୍ଥର ବନିତା ଅଟେ ତୋଷାମଦ

0

ଛାୟାକାନ୍ତ ଷଡ଼ଙ୍ଗୀ

ଜଣେ ତରୁଣ ରାଜାଙ୍କ ଅତିଥି ହେଲେ ଜଣେ ଋଷି। କିଛିଦିନ ରାଜପ୍ରାସାଦରେ ରହି ଋଷି ବିଦାୟ ନେବା ବେଳକୁ ରାଜା ଋଷିଙ୍କଠାରୁ କିଛି ସଦୁପଦେଶ ଚାହାନ୍ତେ ଋଷି କହିଲେ-୦ ବତ୍ସ! ତୁମେ ରାଜସଭାକୁ ଆସିବା ସମୟରେ ତୁମ ଭାଟମାନେ ତୁମକୁ ବୃହସ୍ପତିଙ୍କଠୁ ବଳି ଜ୍ଞାନୀ, ଇନ୍ଦ୍ରଙ୍କଠୁ ବଳି ଶକ୍ତିମାନ୍୍‌ ଓ କନ୍ଦର୍ପଙ୍କଠୁ ବଳି ସୁନ୍ଦର ବୋଲି ବର୍ଣ୍ଣନା କରୁଛନ୍ତି। ଏଭଳି ପ୍ରଶଂସା ମୋତେ ଭଲ ଲାଗୁନାହିଁ। ଏହି ପ୍ରଥାକୁ ବଦଳାଇ ଦିଅ। ନମ୍ର ହେବା ଶିଖ। ତରୁଣ ରାଜା ଋଷିଙ୍କ ଉପଦେଶ ଗ୍ରହଣ କଲେ ଓ ସେ ନମ୍ର ହେବେ ବୋଲି ପ୍ରତିଶ୍ରୁତି ଦେଲେ। କିଛି ବର୍ଷ ପରେ ଋଷି ପୁଣି ସେହି ତରୁଣ ରାଜାଙ୍କ ଆତିଥ୍ୟ ଗ୍ରହଣ କଲେ। ଶୁଣିଲେ ଭାଟମାନଙ୍କ ପରିବର୍ତ୍ତିତ ସ୍ତୁତି: ଆମ ରାଜା ନମ୍ରାଦପି ନମ୍ର ହୋଇଥିବାରୁ ସେ ବୃହସ୍ପତିଙ୍କଠୁ ବଳି ଜ୍ଞାନୀ, ଇନ୍ଦ୍ରଙ୍କଠୁ ବଳି ଶକ୍ତିମାନ ଓ କନ୍ଦର୍ପଙ୍କଠୁ ବଳି ସୁନ୍ଦର ବୋଲି ବର୍ଣ୍ଣିତ ହେବାକୁ ଭଲ ପାଆନ୍ତି ନାହିଁ। ଋଷି ବୁଝିଲେ ପ୍ରଶଂସିତ ହୋଇ ପୁଲକିତ ହେବା ପ୍ରବୃତ୍ତିରୁ ଶାସକମାନଙ୍କୁ ନିବୃତ୍ତ କରିବା ସମ୍ଭବ ନୁହେଁ। ରାଜତନ୍ତ୍ର ଯାଇଛି ଓ ଗଣତନ୍ତ୍ର ଆସିଛି। ଜଣେ ରାଜାଙ୍କ ସ୍ଥାନରେ ଏକାଧିକ ମନ୍ତ୍ରୀ, ସାଂସଦ, ବିଧାୟକ ଶାସନତନ୍ତ୍ରକୁ ଚଳାଉଛନ୍ତି। ମାତ୍ର ରାଜତନ୍ତ୍ର ଯୁଗର ଭାଟମାନଙ୍କ ଦ୍ବାରା ପରିବେଷିତ ପ୍ରଶସ୍ତି ଧାରାର ଅବସାନ ଘଟିନାହିଁ। ଗୋଟିଏ ବିଦ୍ୟାଳୟର ରୌପ୍ୟଜୟନ୍ତୀ ଉତ୍ସବରେ ଏହି ଲେଖକ ଯୋଗ ଦେଇଥିବାବେଳେ ମଞ୍ଚ ସଂଚାଳକଙ୍କ ଅତିଥି ପରିଚୟ ଶୁଣି ଉପର୍ଯ୍ୟୁକ୍ତ କାହାଣୀଟି ମନେ ପଡ଼ିଯାଇଥିଲା। ସଭାରେ ଅତିଥି ମହିଳା ସାଂସଦଙ୍କୁ ଚଳନ୍ତି ଲକ୍ଷ୍ମୀ ଓ ଅତିଥି ମନ୍ତ୍ରୀଙ୍କୁ ଚଳନ୍ତି ଜଗନ୍ନାଥ ବୋଲି ପରିଚୟ ଦିଆଗଲା। ଯେଉଁମାନେ ମଣିଷ ଭାବରେ ଚଳପ୍ରଚଳ ହେଉଥିଲେ ସେମାନେ ହଠାତ୍‌ ଦେବତା ପାଲଟିଗଲେ। ଆସନ ବା କ୍ଷମତା ଅଭିଳାଷୀ ବ୍ୟକ୍ତି ସାଧାରଣ ସଭାରେ ସେମାନଙ୍କ ନେତାମାନଙ୍କୁ ରାମଚନ୍ଦ୍ରଙ୍କ ସହ ଓ ନିଜକୁ ହନୁମାନଙ୍କସହ ତୁଳନା କରୁଥିବାର ଶୁଣି ବହୁ ବର୍ଷ ତଳେ ବିଶିଷ୍ଟ ଲେଖକ ମନୋଜ ଦାସ ‘ସଂକଟରେ ହନୁମାନ’ ଶୀର୍ଷକରେ ଲେଖିଥିଲେ ଏକ ପ୍ରବନ୍ଧ। ସେହି ପ୍ରବନ୍ଧରେ ସେ କହିଥିଲେ, ‘ରାମଚନ୍ଦ୍ରଙ୍କ ପ୍ରତି ହନୁମାନଙ୍କ ଆନୁଗତ୍ୟ ଆଧ୍ୟାତ୍ମିକ ସ୍ତରର ଆଦର୍ଶ- ଏକ ଆଧ୍ୟାତ୍ମିକ ସମ୍ପର୍କ। ରାଜନୈତିକ ସ୍ତରରେ ସେହିପରି ସମ୍ପର୍କରେ ଦୃଷ୍ଟାନ୍ତ ଖାଲି ଅବାସ୍ତବ ନୁହେଁ, ଗଣତନ୍ତ୍ର ସକାଶେ ବିପଦ।’
ସଭାରେ ଲୋକପ୍ରତିନିଧିମାନଙ୍କୁ ପ୍ରଶଂସା କଲାବେଳେ ତା’ରି ପଛରେ କୌଣସି ଆନ୍ତରିକତା ନଥାଏ। କେବଳ ଥାଏ କପଟତା, କାରଣ ତା’ରି ପଛରେ ପ୍ରଚ୍ଛନ୍ନ ଭାବରେ ଥାଏ ସ୍ବାର୍ଥସାଧନ। ତାହା ହୋଇପାରେ ଆର୍ଥିକ ସାହାଯ୍ୟ ଲାଭ ବା ନେତାଙ୍କ ନିକଟତର ହେବାର ପ୍ରଚେଷ୍ଟା। ନମ୍ର, ଭଦ୍ର, ବିଶିଷ୍ଟ ଚିନ୍ତାନାୟକ, ଦେବତୁଲ୍ୟ ଭଳି ଶବ୍ଦରାଶି ବ୍ୟବହାର କରି ନେତାମାନଙ୍କୁ ଆପ୍ୟାୟିତ କରାଯାଏ। ସେମାନେ ସେହିଗୁଣର ଅଧିକାରୀ ହୋଇନଥିଲେ ମଧ୍ୟ ଏହିଭଳି ପ୍ରଶଂସା ଶୁଣି ନିଜକୁ ସେହିଭଳି ଭାବିନିଅନ୍ତି। ସେମାନେ ଭ୍ରାନ୍ତିକବଳିତ ହୋଇ ବିପଥଗାମୀ ହୁଅନ୍ତି ଓ ତାହା ଗଣତନ୍ତ୍ର ପ୍ରତି ବିପଦ ହୁଏ।
ଏହି ପ୍ରସଙ୍ଗରେ ମନେପଡ଼େ ପାରସ୍ୟର ଏକ କାହାଣୀ। ଜଣେ ଗ୍ରାମବାସୀର ଏକ ଗଧ ରୁଗ୍‌ଣ ଓ ବୁଢ଼ା ହୋଇଯିବାରୁ ସେ ତାକୁ ବିକିବାକୁ ଚାହିଁଲା। ମାତ୍ର ପ୍ରଶ୍ନ ହେଲା ସେଭଳି ଏକ ବୃଦ୍ଧ, ଅକର୍ମଣ୍ୟ ଗଧକୁ କିଣିବ କିଏ? ଜଣେ ଦଲାଲ କହିଲା- ‘ଯଦି ବିକ୍ରୟ ମୂଲ୍ୟର ଏକ-ଚତୁର୍ଥାଂଶ ମୋତେ ଦିଆଯିବ, ତା’ହେଲେ ମୁଁ ଏହି ଗଧଟିକୁ ବିକ୍ରି କରାଇଦେବି।’ ଗଧ ମାଲିକଟି ଖୁସିରେ ରାଜି ହୋଇଗଲା, କାରଣ ସେ କେବେ ଭାବି ନଥିଲା ଯେ ତା’ର ଗଧଟି ବିକ୍ରି ହେବ। ଦଲାଲ ଜଣକ ଗଧଟିକୁ ହାଟ ମଝିକୁ ନେଇଯାଇ ଚିତ୍କାର କଲା, ‘‘ଭାଇମାନେ! ଏଭଳି ସୁନ୍ଦର ଗଧ ଏହି ହାଟରେ ପାଇବେ ନାହିଁ । ଏହାର ରଙ୍ଗ ଯେମିତି ଠାଣି ବି ସେମିତି। ଯଦି ଖଲିଫା ହାରୁନ- ଅଲ ରସିଦ ଏହାକୁ ଦେଖନ୍ତେ ସେ ଏହାକୁ ମୁକୁଟ ପିନ୍ଧାଇ କିଣି ନିଅନ୍ତେ।’’ ଏହା ଶୁଣି ସଙ୍ଗେସଙ୍ଗେ ଅନେକ କ୍ରେତା ମାଡ଼ିଆସିଲେ। ଗଧ ମାଲିକ ଦଲାଲର କଥା ଶୁଣି ଆଶ୍ଚର୍ଯ୍ୟ ହେଲା ଓ ଗଧର ଦଉଡ଼ିଟିକୁ ଦଲାଲ ହାତରୁ ଛଡ଼ାଇ ନେଇ କହିଲା, ‘ମୋ ଗଧ ଯଦି ଏତେ ଭଲ, ମୁଁ ଏହାକୁ ବିକିବି କାହିଁକି?’ ଗଧଟିକୁ ଧରି ମାଲିକ ଘରକୁ ଫେରି ଆସିଲା। ନେତାମାନେ ଅନୁଭବ କରନ୍ତି ଯେ ଶାସନରେ କେଉଁଠି ନା କେଉଁଠି ଦୁର୍ବଳତା ରହୁଛି ଓ ଦୁର୍ନୀତି ପ୍ରବେଶ କରୁଛି। ମାତ୍ର ରାଜନୀତିର ଦଲାଲମାନଙ୍କ ଚାଟୁକଥାରେ ସେମାନେ ଅଭିଭୂତ ହୋଇ ନିଜ ଶାସନକୁ ସ୍ବଚ୍ଛ ମଣନ୍ତି। ଏହା ହେଉଛି ତୋଷାମଦର ଭୟଙ୍କର ପରିଣାମ।
ରାଜତନ୍ତ୍ର ସମୟରେ ଯେଉଁ ଭାଟମାନେ ରାଜାଙ୍କ ସ୍ତୁତି କରୁଥିଲେ ତାହା ସେମାନଙ୍କ ବୃତ୍ତି ଥିଲା। ସେହି ସ୍ତୁତି ପଛରେ ସେମାନଙ୍କ କୌଣସି ସ୍ବାର୍ଥ ସାଧନ ନିହିତ ନଥିଲା। ସେହି ସ୍ତୁତି ଥିଲା କପଟଶୂନ୍ୟ। ସେମାନେ ମିଥ୍ୟାକୁ ସତ୍ୟର ରୂପ ଦେଉନଥିଲେ। ଭାଟମାନେ ଜାଣିଥିଲେ ​‌େ​‌ସମାନେ ରାଜାଙ୍କ ସମ୍ପର୍କରେ ଯାହାସବୁ କହୁଛନ୍ତି ସେସବୁ ମିଥ୍ୟା ଓ ରାଜା ମଧ୍ୟ ଜାଣିଥିଲେ ସେ ସବୁ ମିଥ୍ୟା। ଏଣୁ ଏହି ପ୍ରକାର ପ୍ରଶସ୍ତି ହାନିକାରକ ନଥିଲା। ବିଶିଷ୍ଟ ଇଂରେଜ ପ୍ରାବନ୍ଧିକ ଜି.କେ.ଚେଷ୍ଟର୍‌ଟନ୍‌ ତାଙ୍କ ପ୍ରବନ୍ଧ ‘ଧନୀମାନଙ୍କ ଉପାସନା (ଦି ୱରସିପ୍‌ ଅଫ୍‌ ଦି ୱେଲ୍‌ଦି)ରେ କହିଛନ୍ତି ପୁରାତନ ଯୁଗରେ ଭାଟମାନେ ଜାଣିଥିଲେ ରାଜା ଜଣେ ସାଧାରଣ ମଣିଷ ଓ ସେମାନେ ତାଙ୍କ ପ୍ରଶସ୍ତିରେ ତାଙ୍କୁ ଅସାଧାରଣ ଭାବରେ ଚିତ୍ରଣ କରୁଥିଲେ। ମାତ୍ର ଆଧୁନିକ ଯୁଗରେ ତୋଷାମଦକାରୀମାନେ ପ୍ରଥମେ ଧରିନେଉଛନ୍ତି ଯେ ଯେଉଁ ଶାସକମାନଙ୍କୁ ସେମାନେ ପ୍ରଶଂସା କରିବାକୁ ଯାଉଛନ୍ତି ସେମାନେ ଅସାଧାରଣ। ଏଣୁ ତାଙ୍କ ଜୀବନର ସବୁକିଛି ଅସାଧାରଣ। ଏ ପ୍ରକାର ତୋଷାମଦ ଅତ୍ୟନ୍ତ ବିଷାକ୍ତ ବୋଲି ପ୍ରାବନ୍ଧିକ ଚେଷ୍ଟରଟନଙ୍କ ମତ। ଏହାଦ୍ବାରା ପ୍ରଶଂସିତ ବ୍ୟକ୍ତି ନିଜକୁ ଅତିମୂଲ୍ୟାୟନ କରନ୍ତି ଓ ନିଜର ସର୍ବନାଶର ଦ୍ବାର ଉନ୍ମୁକ୍ତ କରନ୍ତି। ଅନେକ ସମୟରେ କିଛି ନେତା ତୋଷାମଦକାରୀର ଚାଟୁକଥାରେ ପୁଲକିତ ହୋଇ ଭ୍ରାନ୍ତି କବଳିତ ହୁଅନ୍ତି। ସେକ୍ସପିଅରଙ୍କ ଜୁଲିଅସ ସିଜର ନାଟକରେ ବ୍ରୁଟାସ୍‌ଙ୍କ ଅବସ୍ଥା ଠିକ୍‌ ସେୟା।
ଅନେକ ଯୁଦ୍ଧ ଜୟ କରି ରୋମ ସମ୍ରାଟ ଜୁଲିଅସ୍‌ ସିଜର ନିଜ ଦେଶର ଗର୍ବ ଓ ଗୌରବ ବଢ଼ାଇଥିଲେ। ସିଜରଙ୍କ ଲୋକପ୍ରିୟତାରେ ଈର୍ଷାପରାୟଣ ହେଲେ ସମ୍ଭ୍ରାନ୍ତ କେସିଅସ୍‌। ସେ ସିଜରଙ୍କୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର ରଚିଲେ ଓ ସିଜରଙ୍କ ଅନ୍ତରଙ୍ଗ ବନ୍ଧୁ ବ୍ରୁଟାସଙ୍କୁ ସେହି ଷଡ଼ଯନ୍ତ୍ରରେ ସାମିଲ କଲେ। ଏହା ସମ୍ଭବ ହୋଇଥିଲା ତୋଷାମଦ ବଳରେ। ସେ ଜାଣିଥିଲେ ବ୍ରୁଟାସ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ବାସ କରୁଥିଲେ। କେସିଅସ୍‌ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ସିଜର ଏକଚ୍ଛତ୍ରବାଦୀ ଓ ସେ ଜନତାଙ୍କ ସ୍ବାଧୀନତାକୁ ଅପହରଣ କରିଛନ୍ତି। ତଥାପି ବ୍ରୁଟାସ ରୋମପ୍ରତି ଥିବା ତାଙ୍କର ବିଶ୍ବାସ ଓ ଆନୁଗତ୍ୟକୁ ବଳି ​‌େ​‌ଦବାପାଇଁ ଚାହିଁଲେ ନାହିଁ। ଶେଷରେ କେସିଅସ୍‌ ତୋଷାମଦ ଅସ୍ତ୍ର ପ୍ରୟୋଗ କରିବାକୁ ଯାଇ ଜଣେ ରୋମ ନାଗରିକଙ୍କ ନାମରେ ବ୍ରୁଟାସଙ୍କ ପାଖକୁ ଏକ ପତ୍ର ପଠାଇଲେ। ପତ୍ରଟିରେ ବ୍ରୁଟାସଙ୍କ ଭୂୟସୀ ପ୍ରଶଂସା କରାଯାଇଥିଲା। ରୋମ୍‌ର ଜନସାଧାରଣଙ୍କ ଦୃଷ୍ଟିରେ ସେ ମହାନ୍‌ ଥିଲେ ବୋଲି ଦର୍ଶାଯାଇଥିଲା। ଲେଖାଥିଲା- ‘ତୁମେ ଶୋଇପଡ଼ିଛ, ଉଠିପଡ଼ ଓ ନିଜକୁ ଆବିଷ୍କାର କର।’ ଖାଲି ସେତିକି ନୁହେଁ, ପୁଣି ଲେଖାଥିଲା, ‘ସ୍ବର ଉତ୍ତୋଳନ କର, ପ୍ରହାର କର ଓ ଦୁଃଖମୋଚନ କର।’ ଏହିଭଳି ନିଜର ପ୍ରଶଂସା ପଢ଼ି ବ୍ରୁଟାସ ପୁଲକିତ ହେଲେ ଓ ଜୁଲିଅସ ସିଜରଙ୍କୁ ହତ୍ୟା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କଲେ। ସେ ଘୋଷଣା କଲେ ରୋମର ମୁକ୍ତି ପାଇଁ ନିଜର ଅନ୍ତରଙ୍ଗ ବନ୍ଧୁଙ୍କୁ ହତ୍ୟା କଲେ। ଜନତାଙ୍କ ଦୃଷ୍ଟିରେ ସେ ମହାନାୟକ ପାଲଟିଗଲେ। ମାତ୍ର ପରବର୍ତ୍ତୀ ସମୟରେ ଯେତେବେଳେ ମାର୍କ ଏ​‌େ​‌ଣ୍ଟାନି ସିଜରଙ୍କ ହତ୍ୟା କିଭଳି ଏକ ବିଶ୍ବାସଘାତକତା ଥିଲା ତା’ର ଅବତାରଣା କଲେ ସମବେତ ଜନତାଙ୍କ ଦୃଷ୍ଟିରେ ବ୍ରୁଟାସ ପାଲଟିଗଲେ ଶତ୍ରୁ। ବିକ୍ଷୁବ୍ଧ ଜନତା ବ୍ରୁଟାସ କେସିଅସ୍‌ ଆଦି ଷଡ଼ଯନ୍ତ୍ରକାରୀଙ୍କୁ ହତ୍ୟା କରିବାପାଇଁ ସଂକଳ୍ପବଦ୍ଧ ହେଲେ। ତୋଷାମଦ ମଣିଷକୁ କିପରି ଭ୍ରାନ୍ତି କବଳରେ ପକାଏ ଏହା ହେଉଛି ଏକ ଜ୍ବଳନ୍ତ ଉଦାହରଣ।
ବିଡ଼ମ୍ବନାର ବିଷୟ ଆଜିର ଗଣତନ୍ତ୍ର ଯୁଗରେ ମଧ୍ୟ ତୋଷାମଦର ଅନ୍ତ ଘଟିନାହିଁ, ବରଂ ବଢ଼ିଛି। ନିଜର ସ୍ବାର୍ଥ ସାଧନ କରିବା ପାଇଁ ଖୋସାମତି କରିବାରେ ଚାଲିଛି ପ୍ରଚଣ୍ଡ ପ୍ରତିଯୋଗିତା। ଉତ୍କଳ ଗୌରବ ମଧୁସୂଦନ ଦିନେ ସତର୍କ କରାଇ କହିଥିଲେ, ‘ତୋଷାମଦକାରୀ କ୍ଷିପ୍ତ ଶ୍ବାନ ପରି ସହଜେ ଚିହ୍ନା ନଯାଏ/ ଭୃତ୍ୟଭାବ ଧରି ଗୋଡ଼ ଚାଟୁଚାଟୁ ବିଷ ଲେପି ଦେଇଥାଏ।’ ତା ସତ୍ତ୍ବେ ନେତାମାନେ ତୋଷାମଦକାରୀର ଚାଟୁବାଣୀରେ ପୁଲକିତ ହୋଇ ତା’ଉପରେ ଆଶୀର୍ବାଦ ଢାଳୁଛନ୍ତି। ମାତ୍ର ଏହି ତୋଷାମଦକାରୀଙ୍କୁ ଧର୍ମଶାସ୍ତ୍ରମାନଙ୍କରେ ହୀନ ଦୃଷ୍ଟିରେ ଦେଖାଯାଇଛି। ପ୍ରସିଦ୍ଧ କବି ଦାନ୍ତେ ତାଙ୍କର ପୁସ୍ତକ ‘ଡିଭାଇନ କମେଡ଼ି’ରେ ତୋଷାମଦକାରୀଙ୍କୁ ନର୍କର ଅଷ୍ଟମ ଚକ୍ରରେ ସ୍ଥାନିତ କରିଛନ୍ତି ଓ ତାକୁ ମଣିଷ ବିଷ୍ଠା ମଧ୍ୟରେ ଚାଲୁଥିବାର ବର୍ଣ୍ଣନା କରିଛନ୍ତି। ଏହା ଅବଶ୍ୟ ସତ୍ୟ ଯେ ମଣିଷ ମାତ୍ରକେ ପ୍ରଶଂସାପ୍ରିୟ। ପ୍ରଶଂସା ଅନେକ ସମୟରେ ମଣିଷକୁ ମହତ୍ତର କାର୍ଯ୍ୟ କରିବା ପାଇଁ ଉତ୍ସାହ ପ୍ରଦାନ କରେ। ବିଶିଷ୍ଟ ଲେଖକ ଇରାସମସ୍‌ ତାଙ୍କର ‘ପ୍ରେଜ ଅଫ୍‌ ଫୋଲି’ ପୁସ୍ତକରେ କହିଛନ୍ତି, ପ୍ରଶଂସା ବିଷଣ୍ଣ ମଣିଷକୁ ପୁଲକିତ କରେ, ଅବସାଦଗ୍ରସ୍ତ ମଣିଷକୁ ଆଶ୍ବସ୍ତି ଦିଏ, ଉଦାସୀନ ମଣିଷକୁ କାର୍ଯ୍ୟଶୀଳ କରେ। ଋଗ୍‌ଣ ବ୍ୟକ୍ତିକୁ ପ୍ରଫୁଲ୍ଲିତ କରେ ଓ ପ୍ରେମିକ ପ୍ରେମିକାକୁ ଏକତ୍ର କରେ।’ ଅବଶ୍ୟ ନିଷ୍କପଟ ପ୍ରଶଂସା ସକାରାତ୍ମକ କାର୍ଯ୍ୟକୁ ପ୍ରୋତ୍ସାହିତ କରେ। ସୀତାଙ୍କୁ ଠାବ କରିବାକୁ ଲଙ୍କା ଯିବା ପାଇଁ ଉଦ୍ୟତ ହେଲେ ହନୁମାନ। ଦେଖିଲେ, ସମ୍ମୁଖରେ ବିଶାଳ ସମୁଦ୍ର ଓ ସମୁଦ୍ର ପାରିହେଲେ ଲଙ୍କା। ଯୋଜନଯୋଜନ ସମୁଦ୍ର ପାରିହେବା ଏକ ଦୁରୂହ ବ୍ୟାପାର ଭାବି ବିଷଣ୍ଣ ମନରେ ବସିପଡ଼ିଲେ ହନୁମାନ। ଜାମ୍ବବାନ୍‌ କହିଲେ, ହନୁମାନ! ତୁମେ ପ୍ରଚଣ୍ଡ ଶକ୍ତିର ଅଧିକାରୀ, ସାମାନ୍ୟ ସମୁଦ୍ର ଅତିକ୍ରମ କରିବା ତୁମପାଇଁ ଅସମ୍ଭବ ନୁହେଁ। ତୁମେ ସେହି ହନୁମାନ ଯିଏ ଅନନ୍ତ ଆକାଶରେ ଉଡ଼ିଉଡ଼ି ଯାଇ ସୂର୍ଯ୍ୟଙ୍କୁ ଗିଳି ପକାଇଥିଲ। ତୁମେ ବେଗବାନ୍‌ ଓ ଶକ୍ତିମାନ୍‌।’ ଏତକ ପ୍ରଶଂସା ଶୁଣି ହନୁମାନ ତାଙ୍କର ଅତୀତକୁ ସ୍ମରଣ କଲେ। ନିଜ ଶକ୍ତିକୁ ସେ ଆବିଷ୍କାର କଲେ ଓ ଆକାଶ ମାର୍ଗରେ ଉଡ଼ିଯାଇ ଲଙ୍କାରେ ପହଞ୍ଚିଲେ। ମାତ୍ର ଏହି ପ୍ରଶଂସା ଥିଲା ହନୁମାନଙ୍କ ଅନ୍ତର୍ନିହିତ ଗୁଣର ପ୍ରଶଂସା। ଏଥିରେ ନ ଥିଲା କପଟତା ବା କୌଣସି ସ୍ବାର୍ଥସିଦ୍ଧିର ଅଭିଳାଷ। ମାତ୍ର ଯେତେବେଳେ ପ୍ରଶଂସା ପଛରେ ଥାଏ କପଟତା ଓ ସ୍ବାର୍ଥସାଧନ, ତାହା ହୋଇଯାଏ ତୋଷାମଦ ଏବଂ ଏହି ତୋଷାମଦ ପ୍ରବୃତ୍ତି ହେଉଛି ଦେଶର ଶତ୍ରୁ। ଏଣୁ ଯେଉଁମାନେ ଆଜି ତୋଷାମଦକରି ବଡ଼ହେବାପାଇଁ ଚାହୁଁଛନ୍ତି ସେମାନଙ୍କୁ ଦେଶପ୍ରାଣ ମଧୁସୂଦନଙ୍କ ବାଣୀ ଆଉଥରେ ଶୁଣାଇ ଦିଆଯାଇପାରେ।
ତୁ ମନେ ଭାବିଛୁ ତୋଷାମଦ କରି ବଢ଼ାଇବୁ ଜାତି ମାନ
ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ଧ୍ୟାନ।
xx xx xx
ସ୍ବାର୍ଥର ବନିତା ଅଟେ ତୋଷାମଦ ଭୟ ମିଥ୍ୟା ତାଙ୍କ ପୁତ୍ର
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ ଏମାନେ ହେଲେ ଏକତ୍ର।

Leave A Reply