ଆମ ଅଭିବୃଦ୍ଧି ବନାମ ତୁମ ଅଭିବୃଦ୍ଧି

0

ସରଳକୁମାର ଦାସ

ସତ୍ୟକୁ ଚିରଦିନ ଲାଗି ଲୁଚାଇ ହେବନାହିିଁ। ଜିଡିପିର ଓଲଟ କ୍ରମ ଗଣନା (ବ୍ୟାକ ସିରିଜ କାଲକୁଲେସନ) ପ୍ରମାଣ କରିଛି ଯେ ଅର୍ଥନୈତିକ ଅଭିବୃଦ୍ଧି ଦୃଷ୍ଟିରୁ ୟୁପିଏ ଶାସନର ଦଶ ବର୍ଷ (୨୦୦୪ରୁ ୨୦୧୪) ସର୍ବୋତ୍ତମ ଥିଲା।’ ଏହା ଥିଲା ଜାତୀୟ ପରିସଂଖ୍ୟାନ ଆୟୋଗ ଦ୍ୱାରା ସଦ୍ୟ ଜାରି ହୋଇଥିବା ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ସଂକ୍ରାନ୍ତ ତଥ୍ୟ ଉପରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ଟିପ୍ପଣୀ। ଅନ୍ୟ ପକ୍ଷରେ ସାରା ବିଶ୍ୱରେ ମାନ୍ଦାବସ୍ଥା ସତ୍ତ୍ବେ ଗତ ଚାରି ବର୍ଷ ଧରି କ୍ରମାଗତ ଭାବେ ଅଧିକ ଅଭିବୃଦ୍ଧି ସହ ଭାରତ ସର୍ବାଧିକ ଗତିଶୀଳ ଅର୍ଥନୀତିରେ ପରିଣତ ହୋଇଛି ବୋଲି ଏନଡିଏର ଅର୍ଥମନ୍ତ୍ରୀ ଜେଟଲିଙ୍କ ମନ୍ତବ୍ୟ ପରେ ‘ଆମ ଅଭିବୃଦ୍ଧି ହାର ତୁମ ଅଭିବୃଦ୍ଧି ହାର ଅପେକ୍ଷା ଅଧିକ’ ବୋଲି ଉଭୟଙ୍କ ମଧ୍ୟରେ ଶୀତଳଯୁଦ୍ଧ ଆରମ୍ଭ ହୋଇଛି।
୨୦୧୫ ମସିହାରୁ ସରକାର ୨୦୧୧-୧୨ ମୂଳ ବର୍ଷ ଆଧାରରେ ଜିଡିପି ପ୍ରସ୍ତୁତ କରିବା ଆରମ୍ଭ କଲେ, ଯାହା ପୂର୍ବେ ୨୦୦୪-୦୫ ମୂଳ ବର୍ଷ ଆଧାରରେ ହେଉଥିଲା। ନୂଆ କ୍ରମର ଜାତୀୟ ଆକାଉଣ୍ଟସହ ପୁରୁଣା କ୍ରମର ଆକାଉଣ୍ଟକୁ ସଂଯୁକ୍ତ କରିବା ପାଇଁ ଓଲଟ କ୍ରମ ଗଣନାର ବ୍ୟବହାର ହୋଇଥାଏ। ୨୦୧୭ ମସିହା ଏପ୍ରିଲ ମାସ ଜାତୀୟ ପରିସଂଖ୍ୟାନ ଆୟୋଗ ଦ୍ୱାରା ଅର୍ଥନୀତିଜ୍ଞ ସୁଦୀପ୍ତ ମୁଣ୍ଡଲେଙ୍କ ଅଧ୍ୟକ୍ଷତାରେ ଗଠିତ ବାସ୍ତବ କ୍ଷେତ୍ର ପରିସଂଖ୍ୟାନ କମିଟି (କମିଟି ଅନ ରିଏଲ ସେକ୍ଟର ଷ୍ଟାଟିଷ୍ଟିକସ) ୧୯୯୪-୯୫ ବର୍ଷ ପର୍ଯ୍ୟନ୍ତ ଏକ ଓଲଟ କ୍ରମ ଜିଡିପି ପ୍ରସ୍ତୁତ କରିଛନ୍ତି। ଜିଡିପି ବାସ୍ତବିକ କ୍ଷେତ୍ର ​‌େ​‌ଡଟାବେସରେ ଉନ୍ନତି ଓ ନବୀକରଣ ପାଇଁ ଏହି ନୂଆ ପଦ୍ଧତିରେ ଅନେକ ନୂତନ ଉତ୍ସରୁ ତଥ୍ୟ ନିଆଯାଇଛି। ସଦ୍ୟ ପ୍ରକାଶିତ ତଥ୍ୟ ଅନୁୟାୟୀ ୟୁପିଏ ଶାସନର ପ୍ରଥମ ପାଳି (୨୦୦୪-୦୫ରୁ ୨୦୦୮-୦୯)ରେ ଜିଡିପି ଅଭିବୃଦ୍ଧି ହାର ହାରାହାରି ଶତକଡା ୮.୩୪ ଥିବାବେଳେ ଏହାର ଦ୍ୱିତୀୟ ପାଳି (୨୦୦୯-୧୦ରୁ ୨୦୧୩-୧୪)ରେ ହାରାହାରି ଶତକଡା ୭.୬୭ ଥିଲା। ଅନ୍ୟ ପକ୍ଷରେ ବାଜପେୟୀଙ୍କ ସମୟରେ ଏନଡିଏ ଶାସନର ପ୍ରଥମ ପାଳି (୧୯୯୮-୯୯ରୁ ୨୦୦୩-୦୪)ରେ ଜିଡିପି ଅଭିବୃଦ୍ଧି ହାର ହାରାହାରି ଶତକଡା ୫.୭୩ ଥିବାବେଳେ ଏନଡିଏର ଦ୍ୱିତୀୟ ପାଳି (୨୦୧୪-୧୫ରୁ ୨୦୧୭-୧୮)ରେ ଏହା ହାରାହାରି ଶତକଡା ୭.୩୪ ଅଛି। ଅର୍ଥାତ, ମୋଦୀଙ୍କ ଶାସନର ଚାରି ବର୍ଷର ହାରାହାରି ଅଭିବୃଦ୍ଧି ହାର ମନମୋହନ ସିଂହଙ୍କ ଶାସନର ଦୁଇଟି ଯାକ ପାଳିର ଅଭିବୃଦ୍ଧି ହାର ମଧ୍ୟରୁ କୌଣସିଟିର ସମକକ୍ଷ ନୁହେଁ। କେବଳ ସେତିକି ନୁହେଁ, ୨୦୦୬-୦୭ରେ ଅଭିବୃଦ୍ଧି ହାର ସର୍ବାଧିକ ଶତକଡା ୧୦.୦୮ରେ ପହଂଚିିଥିଲାବେଳେ ମୋଦୀଙ୍କ ଶାସନର ଚାରି ବର୍ଷ ମଧ୍ୟରେ କେବଳ ଗୋଟିଏ ବର୍ଷକୁ ବାଦ ଦେଲେ କୌଣସି ବର୍ଷ ଏହା ଶତକଡା ୮ ଛୁଇଁ ପାରିନାହିଁ। ଏହି ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇବା ପରେ ତାହା ଏନଡିଏ ସରକାରକୁ ଅଡୁଆରେ ପକାଇବାରୁ ତୁରନ୍ତ ‘ଏହା ଆଧିକାରିକ ତଥ୍ୟ ନୁହେଁ’ ବୋଲି କହି ସମ୍ପୃକ୍ତ ମନ୍ତ୍ରଣାଳୟ କରଛଡା ଦେଇଛି। ଜିଡିପି ଅଭିବୃଦ୍ଧି ହାର ବୃଦ୍ଧିରେ ସରକାରଙ୍କ ନୀତି ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ ମଧ୍ୟ ଏକ ନିର୍ଦିଷ୍ଟ ସରକାର ଅମଳରେ ହୋଇଥିବା ଜିଡିପି ଅଭିବୃଦ୍ଧିର ସମ୍ପୂର୍ଣ୍ଣ ଶ୍ରେୟ ସେହି ସରକାରକୁ ଦେବା ଯେତିକି ପ୍ରମାଦପୂର୍ଣ୍ଣ, ଜିଡିପି ଅଭିବୃଦ୍ଧି ହାର କମ ହେଲେ ତାର ସବୁ ଦୋଷ ସେହି ସରକାର ଉପରେ ଲଦି ଦେବା ମଧ୍ୟ ସେତିକି ଭୁଲ।
ଉପରୋକ୍ତ ଚାରି ପାଳି ମଧ୍ୟରୁ ବାଜପେୟୀଙ୍କ ସମୟରେ ଅଭିବୃଦ୍ଧି ହାର ସର୍ବନିମ୍ନ ଶତକଡା ୫.୭୩ ହେବାର ଏକ ପ୍ରମୁଖ କାରଣ ହେଉଛି, ପୋଖରାଣରେ ପରମାଣୁ ପରୀକ୍ଷା ପରେ ଭାରତ ଉପରେ ଲାଗିଥିବା ବିଭିନ୍ନ ଆନ୍ତର୍ଜାତିକ କଟକଣାର କୁପ୍ରଭାବ। ଅବଶ୍ୟ ସେତେବେଳେ ବିଶ୍ୱ ଅର୍ଥନୀତିରେ ବାର୍ଷିକ ଅଭିବୃଦ୍ଧି ହାର ହାରାହାରି ଶତକଡା ୨.୮୬ ଥିଲା। ଏହା ସ​‌େ​‌ତ୍ତ୍ବ ସେ ସମୟରେ ଅନେକ ଅର୍ଥନୈତିକ ସଂସ୍କାରକୁ ଆନ୍ତରିକତାର ସହ କାର୍ଯ୍ୟକାରୀ କରାଯାଇଥିଲା, ଯାହା ଫଳରେ ତାଙ୍କ ଶାସନର ଶେଷ ବର୍ଷରେ ଅଭିବୃଦ୍ଧି ହାର ଶତକଡା ୮.୦୮ରେ ପହଂଚିିଥିଲା। ପରବର୍ତ୍ତୀ ସମୟରେ ସେହି ସଂସ୍କାରର ସୁଫଳ ୟୁପିଏ ସରକାର ମଧ୍ୟ ପାଇଥିଲେ ଓ ମନମୋହନ ସିଂହ ତାଙ୍କ ପ୍ରଥମ ପାଳିରେ ହାରାହାରି ଅଭିବୃଦ୍ଧି ହାରକୁ ଶତକଡା ୮.୩୪କୁ ବଢ଼ାଇବାକୁ ସମର୍ଥ ହୋଇଥିଲେ। ଅବଶ୍ୟ ସେତେବେଳେ ବିଶ୍ୱ ଅର୍ଥନୀତିରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇ ହାରାହାରି ଅଭିବୃଦ୍ଧି ହାର ଶତକଡା ୩.୭୨ରେ ପହଂଚିବା ଦ୍ୱାରା ଭାରତର ଅର୍ଥନୀତି ଉପରେ ତାହାର ଭଲ ପ୍ରଭାବ ପଡିଥିଲା।
ବିଶ୍ୱ ସ୍ତରରେ ସେପ୍ଟେମ୍ବର ୨୦୦୮ ପରଠାରୁ ଆର୍ଥିକ ସଙ୍କଟ ଦେଖାଦେଇ ହାରାହାରି ଅଭିିବୃଦ୍ଧି ହାର ଶତକଡା ୨.୧୫କୁ ଖସି ଆସିବା ସତ୍ତ୍ବେ ମନମୋହନ ସିଂହଙ୍କ ଦ୍ୱିତୀୟ ପାଳି (୨୦୦୯-୧୪)ରେ ତାହା ହାରାହାରି ଶତକଡା ୭.୬୭ ସ୍ତରରେ ରହିବା ବାସ୍ତବିକ ପ୍ରଶଂସନୀୟ। ସାରା ବିଶ୍ୱ ଯେତେବେଳେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିଲା ସେତେବେଳେ ଭାରତ ଉପରେ ତାର କଳାଛାଇ ପଡିନଥିଲା। ତେବେ ଏଥିପାଇଁ ସରକାରୀ ବ୍ୟୟକୁ ଯଥେଷ୍ଟ ବୃଦ୍ଧି କରାଯାଇଥିଲା। ୨୦୦୯-୧୦ରେ ସରକାରୀ ବ୍ୟୟ ବଢ଼ି ଜିଡିପିର ଶତକଡା ୧୧.୪୯ରେ ପହଂଚିଥିଲା। ଅଧିକନ୍ତୁ, ଉଚ୍ଚ ଅଭିବୃଦ୍ଧି ହାରରେ ସମ୍ମୋହିତ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକ ଅବିବେକୀ ଭାବେ ନୀତିନିୟମକୁ ଉପେକ୍ଷା କରି ଋଣ ଦେବାକୁ ଲାଗିଲେ, ଯାହା ଫଳରେ ଅନେକ ଋଣ ମନ୍ଦ ଋଣରେ ପରିଣତ ହୋଇ ବ୍ୟାଙ୍କଗୁଡିକର ଅନାଦାୟ ଋଣର ପରିମାଣ ହଜାର ହଜାର କୋଟି ଟଙ୍କା ବଢିଗଲା। ଫଳସ୍ୱରୂପ, ପ୍ରଥମ ଦୁଇ ବର୍ଷ ଜିଡିପି ଅଭିବୃଦ୍ଧି ହାର ଅଧିକ ରହିଥିଲେ ମଧ୍ୟ ଏହାର କୁପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡି ଦରଦାମ ବୃଦ୍ଧି ପାଇଥିଲା। ତେବେ ମନମୋହନଙ୍କ ଶାସନର ଶେଷ ତିନି ବର୍ଷ ହାରାହାରି ଅଭିବୃଦ୍ଧି ହାର ନାଟକୀୟ ଢଙ୍ଗରେ ଶତକଡା ୬.୨୭କୁ ଖସିଆସିଥିଲା। ବିଶ୍ୱ ବଜାରରେ ତୈଳ ଦରବୃଦ୍ଧି, ନୀତି ପକ୍ଷାଘାତ (ପଲିସି ପାରାଲିସିସ), ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଦି ସେତେବେଳର ସରକାରଙ୍କୁ ଚାରିଆଡୁ ଏପରି ଷଣ୍ଢୁଆସି ଆକ୍ରମଣ କରିଥିଲା ଯେ ସରକାର ଜିଡିପି ଅଭିବୃଦ୍ଧି ହାର ବୃଦ୍ଧି କରିବାକୁ ଅସମର୍ଥ ହୋଇଥିଲେ।
ଇତି ମଧ୍ୟରେ ବିଶ୍ୱ ଆର୍ଥିକ ଅବସ୍ଥାରେ ଉନ୍ନତି ହୋଇ ଅଭିବୃଦ୍ଧି ହାର ଶତକଡା ୨.୮୪ରେ ପହଂଚିଛି। ମୋଦୀଙ୍କ ଶାସନର ଚାରି ବର୍ଷ ମଧ୍ୟରେ ଅଭିବୃଦ୍ଧି ହାର ହାରାହାରି ଶତକଡା ୭.୩୪, ଯାହା ମନମୋହନ ସିଂହଙ୍କ ଶାସନର ଶେଷ ତିନି ବର୍ଷର ହାରାହାରି ଅଭିବୃଦ୍ଧି ହାରଠାରୁ ଅଧିକ। ଏହି ସମୟରେ ବିତ୍ତୀୟ ଶୃଙ୍ଖଳା ଉପରେ ଅଧିକ ଧ୍ୟାନ ଦିଆଯାଇ ବିତ୍ତୀୟ କ୍ଷତିକୁ କମ କରାଯାଇ ପାରିଛି। ମନମୋହନ ସିଂହଙ୍କ ସମୟରେ ବିଶ୍ୱ ବଜାରରେ ତୈଳଦର ବ୍ୟାରେଲ ପିଛା ହାରାହାରି ୧୦୦ ଡଲାରରୁ ଅଧିକ ଥିବାବେଳେ ମୋଦୀଙ୍କ ଶାସନ କାଳରେ ଏହା ହାରାହାରି ୫୦ ଡଲାର ମଧ୍ୟରେ ସୀମିତ ଥିଲେ ମଧ୍ୟ ଅଭିବୃଦ୍ଧି ହାର ବଢାଇବାରେ ତା’ର ଠିକ ଉପଯୋଗ ହୋଇପାରି ନାହିଁ। ମୋଦୀଙ୍କ ବିମୁଦ୍ରାୟନ ନିଷ୍ପତ୍ତି ଦ୍ୱାରା ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡିକ ବିପର୍ଯ୍ୟସ୍ତ ହୋଇ ଦେଶର ଅଭିବୃଦ୍ଧି ହାର ଉପରେ ପ୍ରତିକୂଳ ପ୍ରଭାବ ପଡିଛି ବୋଲି ରିଜର୍ଭ ବ୍ୟାଙ୍କ ମଧ୍ୟ ମତ ପୋଷଣ କରିଛନ୍ତିି। ସେହିପରି ଜିଏସଟିର ଅଧପନ୍ତରିଆ କ୍ରିୟାନ୍ୱୟନ ମଧ୍ୟ ଜିଡିପି ଅଭିବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରିଛି। ତେବେ ବିଭିନ୍ନ କାରଣରୁ କୌଣସି ସରକାରଙ୍କ ସମଗ୍ର କାର୍ଯ୍ୟକାଳରେ ହୋଇଥିବା ହାରାହାରି ଅଭିବୃଦ୍ଧି ହାର ଅପେକ୍ଷା ପ୍ରତିବର୍ଷର ଅଭିବୃଦ୍ଧି ହାରକୁ ପୃଥକ ଭାବେ ତର୍ଜମା କରିବା ବରଂ ଅଧିକ ସମୀଚୀନ ହେବ। ଏ ସବୁରୁୁ ଗୋଟିଏ କଥା ସ୍ପଷ୍ଟ ଯେ ଜିଡିପି ଅଭିବୃଦ୍ଧିରେ ସରକାରଙ୍କ ନୀତିନିଷ୍ପତ୍ତି ସହ ବିଶ୍ୱ ଅର୍ଥନୈତିକ ଅବସ୍ଥା ଓ ପୂର୍ବ ସରକାରଙ୍କ ନୀତିନିଷ୍ପତ୍ତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ସରକାର ଏକ ନିରନ୍ତର ପ୍ରକ୍ରିୟା, ଏକ ରିଲେ ଦୌଡ ସଦୃଶ। ସରକାର ବଦଳିଲେ ପୂର୍ବ ସରକାର ଦୌଡିଥିବା ଦୂରତା ପରେ ନୂଆ ସରକାରକୁ ବାଡ଼ି (ବେଟନ) ହାତକୁ ନେଇ ଆଗକୁ ଦୌଡ଼ିବାକୁ ହୋଇଥାଏ। ରିଲେ ଦୌଡ଼ର ଆବଶ୍ୟକତା ହେଉଛି ଅନ୍ୟକୁ ଦୋଷ ନ ଦେଇ ନିଜର ସର୍ବଶ୍ରେଷ୍ଠ ସାମର୍ଥ୍ୟର ଉପଯୋଗ କରିବା। ନୂଆ ସରକାର ଆଗରେ ଆହ୍ୱାନ ଥାଏ, ଉପଲବ୍ଧ ସମୟ ମଧ୍ୟରେ କେତେ କ୍ଷିପ୍ର ଗତିରେ ବିକାଶକୁ ତ୍ୱରାନ୍ୱିତ କରିହେବ। ଏ କଥା କଲା ବେଳେ ପୂର୍ବ ସରକାର ଆଦୌ ଦୌଡିନାହାନ୍ତି ବୋଲି କହିବା ଭ୍ରମାତ୍ମକ ହେବ; ବରଂ ପୂର୍ବ ସରକାରଙ୍କ ବେଗ କମ ବୋଲି ଅନୁଭବ କରୁଥିଲେ, ଦୋଷାରୋପ ନ କରି କି ପଦକ୍ଷେପ ନେଇ ତା’ର ଭରଣା କରିହେବ ସେ ନେଇ ଉଦ୍ୟମରତ ହେଲେ ଦେଶ ଆଗେଇବ। କେହି ଭ୍ରମରେ ରହିବା ଅନୁଚିତ ଯେ ବିଗତ ୭୦ ବର୍ଷ ଧରି ଦେଶରେ କିଛି ହୋଇ ନଥିଲା, ଯାହା କିଛି ହେଉଛି ଏବେ ହେଉଛି। ତେଣୁ ‘ଆମ ଅଭିବୃଦ୍ଧି ତୁମ ଅଭିବୃଦ୍ଧି’ର ବିତର୍କରୁ କ୍ଷାନ୍ତ ହୋଇ ପ୍ରକୃତ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରି ଆବଶ୍ୟକ ପଦକ୍ଷେପ ନେବା ଉଚିତ। ତଥାପି କୌଣସି କାରଣରୁ ଜିଡିପି ଅଭିବୃଦ୍ଧି କମିଗଲେ ପରବର୍ତ୍ତୀ ସରକାର ତାହା ବଢ଼ାଇବା ପାଇଁ ବ୍ରତୀ ହେବେ। ଦେଶ ପାଇଁ କେହି ଅନିବାର୍ଯ୍ୟ ନୁହନ୍ତି, କାରଣ କାହା ପାଇଁ ଦେଶ ଅଟକି ଯାଇ ନଥାଏ।

Leave A Reply