ଚେଲା ଚାହାନ୍ତି ଚମତ୍କାର!

0

ଓଁ ପ୍ରକାଶ ପାଣିଗ୍ରାହୀ

ଖବରକାଗଜରେ ବାବାଜୀ-ମାତାଜୀଙ୍କ ଅଲୌକିକ ଘଟଣାର ଦାବିକୁ ଅକ୍ଷରେଅକ୍ଷରେ ସତ ବୋଲି ଭାବୁଥିବା କିଛି ପାଠକଙ୍କ ମଧ୍ୟରୁ ବାବୁ ନବେନ୍ଦ୍ରନାଥଙ୍କ ସହଧର୍ମିଣୀ ଆନନ୍ଦୀ ଦେବୀ ଜଣେ। ଏକ ଚମତ୍କାର ବାବାଙ୍କ କଥା କିଛିଦିନ ତଳେ ଖବରକାଗଜରୁ ପଢ଼ି ସେ ଖୁବ୍‌ ଉଲ୍ଲସିତ। ଖବରଟି ହେଲା- ପିଲାବେଳେ ତିନିଟି ଦେବୀ କନ୍ୟା ପ୍ରକଟ ହୋଇ ବାବାଙ୍କ ଜିଭକୁ ଛୁଇଁଲେ। ସେ ମୁହୂର୍ତ୍ତରୁ ବାବାଙ୍କ ଭୋକଶୋଷ ଗାଏବ୍‌! ସେବେଠାରୁ ବିନା ଅନ୍ନଜଳରେ ଆଠ ଦଶନ୍ଧି ଧରି ଜୀବିତ ଅଛନ୍ତି। ଏଭଳି ଖବର ପଢ଼ି ଆନନ୍ଦୀ ଦେବୀ ଗଦ୍‌ଗଦ୍‌ ଭକ୍ତିଭାବରେ ରୋମାଞ୍ଚିତ ହୋଇଯାଆନ୍ତି। ନବବାବୁ କିନ୍ତୁ ବିରକ୍ତ ହୁଅନ୍ତି। ବାବାଭକ୍ତିରେ ସ୍ତ୍ରୀଙ୍କ ଉଚ୍ଚାଟ ଦେଖି ପାଟିକଲେ- ଏଭଳି ‘ଚମତ୍କାରୀ’ ଚିଲମ ଫୁଙ୍କିଫୁଙ୍କି ବାବାଙ୍କ ଚେଲାମାନେ ତୁମଭଳି ସରଳ ଭକ୍ତମାନଙ୍କ ମୁଣ୍ଡ ବିଗାଡି ସାରିଲେଣି। କଟାକ୍ଷ ଶୁଣି ଆନନ୍ଦୀ ଦେବୀ ରାଗିକି ନିଆଁ। ତୁରନ୍ତ ଖବରତଳେ ନାଲି ଗାରମାରି ନବବାବୁଙ୍କ ଆଡ଼କୁ ଫୋପାଡ଼ି ଦେଲେ। ଖବରକୁ ଧ୍ୟାନଦେଇ ପଢ଼ିଲେ ଶୁଭବୁଦ୍ଧି ଉଦୟ ହେବ ବୋଲି ଚେତେଇ ଦେଲେ। ତାଙ୍କ ଧାରଣା, ଖବରଟିକୁ ‘ଅକାଟ୍ୟ ସତ୍ୟ’ ବୋଲି ନିଜେ ଯେମିତି ଭାବୁଛନ୍ତି, ସ୍ବାମୀ ମଧ୍ୟ ସେମିତି ଭାବି ନିଜ ଭୁଲ୍‌ ମାନିନେବେ।
ଫଳ କିନ୍ତୁୁ ହେଲା ଓଲଟା। କଥା କଣକି, ଏ ଘଟଣା ପରେପରେ ଏକ ବିଫଳ ଚମତ୍କାର ଖବର ଖବରକାଗଜରେ ଆସିଗଲା- ମୁମୂର୍ଷୁ ପୁଅର ଆରୋଗ୍ୟ ପାଇଁ ଜଣେ ବାପା, ବାବାଙ୍କ ଭଜନ କ୍ୟାସେଟ ଚଳାଇଲା। ପୁଅ ମରିଯିବା ପରେ ମଧ୍ୟ ଚାଲିଲା ଚେଲାଙ୍କ ଉଦ୍ଦଣ୍ଡ କୀର୍ତ୍ତନ। ଶେଷରେ ପୁଅ ନ ବଞ୍ଚିବାରୁ ଲୋକେ ଉତ୍ତମମଧ୍ୟମ ଦେଇ ଚେଲାଙ୍କୁ ବିଦା କଲେ। ଏଥର ଏଇ ଖବରଟିରେ ନାଲିଗାର ମାରିଲେ ନବବାବୁ। ସ୍ତ୍ରୀଙ୍କୁ ପଢ଼ିବାକୁ ଦେଇ ବାବାଙ୍କ ଚମତ୍କାରିତାର କାଟତି କେତେ ବୁଝିବାକୁ ଚେତାଇଲେ।
ସେ ଦିନ ପୁରୀ ରଥଯାତ୍ରା ଦେଖି ଫେରିବା ବାଟରେ କୁଣିଆଁ ହୋଇ ପହଞ୍ଚିଲେ ନବବାବୁଙ୍କ ଶ୍ବଶୁର ଘର କୁଟୁମ୍ବ। ନବବାବୁଙ୍କଠୁ ସ୍ତ୍ରୀଙ୍କ ଅନ୍ଧଭକ୍ତି ଅଭିଯୋଗ ଶୁଣିଲେ। ବଡ଼ଶଳା ସାଇଣ୍ଟିଷ୍ଟ ଚାକିରି କରନ୍ତି। ଚାକିରିକୁ ଜାଣି ସବୁ କଥାର ବୈଜ୍ଞାନିକ ତର୍ଜମା କରନ୍ତି। ଘଟଣା ଶୁଣି ଭଉଣୀଙ୍କୁ ବୁଝାଇଲେ, ‘ମଲା ମଣିଷ ବଞ୍ଚିବା କିମ୍ବା ବିନା ଅନ୍ନଜଳରେ ବଞ୍ଚିବା ଜୈବିକ ନିୟମତଃ ଅସମ୍ଭବ। ଖାଦ୍ୟ ଖାଇଲେ ଶରୀରରେ ‘ମେଟାବୋଲିଜମ୍‌’ ବା ‘ବିପାକ’ ପ୍ରକ୍ରିୟା ହୁଏ। ତହିଁରୁ ନିର୍ଗତ ହୁଏ ‘ଫ୍ରି-ରେଡିକାଲ୍ସ’ ଯାହା ଯୋଗୁଁ ମଣିଷ ବୁଢ଼ା ହୁଏ। ଖାଦ୍ୟବିନା ଶରୀରରେ ‘ବିପାକ’ ହେବନାହିଁ। ଫଳରେ ଶରୀରକୋଷ ବୃଦ୍ଧାବସ୍ଥାକୁ ଅଗ୍ରସର ହେବ ନାହିଁ। ଅର୍ଥାତ୍‌ ନିର୍ଜଳା ଅନାହାରରେ ବାବା ଯଦି ବଞ୍ଚିଛନ୍ତି ତେବେ ସେ ଅମର ହେବା ମଧ୍ୟ ସମ୍ଭବ।’
ନବବାବୁ କହିଲେ, ‘କେହିବି ଅମର ହେବା ଅସମ୍ଭବ। ମର୍ତ୍ତ୍ୟମଣ୍ଡଳେ ଦେହ ବହି; ଦେବତା ହୋଇଲେ ମରଇ। ଅବଶ୍ୟ କିଛି ଠକବାବା ନିଜକୁ ମୃତ୍ୟୁଞ୍ଜୟୀ ବୋଲାନ୍ତି। ଅଶୀତିପର ବୟସରେ ମଧ୍ୟ ତାଙ୍କ କଳା ମଚମଚ କେଶ ଧୂସର ହୁଏନାହିଁ। ଉଦ୍ଦଣ୍ଡ ରାସଲୀଳା ଖେଳାରେ ଭଟ୍ଟା ପଡ଼େନାହିଁ। ତା’ ସତ୍ତ୍ବେ ବୟସ ଗଡ଼େ। ବାର୍ଦ୍ଧକ୍ୟର ଲକ୍ଷଣ ସବୁ ଉଙ୍କିମାରେ। ମୁହଁରେ ଲୋଳିତ ଚର୍ମ ଆତ୍ମପ୍ରକାଶ କରେ। ପଛରେ ନିନ୍ଦୁକମାନେ କହନ୍ତି- ​‌େ​‌ଢାଙ୍ଗିବାବା ହେ; କେଶରେ ସିନା କାଉକଳା ରଂଗ ମାରିଦେଲ, ମୁହଁର ଝୁଲା ଚମକୁ ଲୁଚେଇବ କେମିତି। ଉତ୍ତେଜକ ନେଇ ସିନା ଉଦ୍ଦଣ୍ଡ ଲୀଳାଖେଳା କଲ, ଦେହରେ ଯୌବନ ସତେଜତା ଆଣିବ କେମିତି।’ କିନ୍ତୁ ଚେଲାଙ୍କ ଆଖିକୁ ତାହା ଦିଶେ ଚମତ୍କାର।
ଭଉଣୀକୁ ସମର୍ଥନ କରି ସାନଶଳା କହିଲା, ‘ଯାହାହେଉ ନା କାହିଁକି, ଧର୍ମଧାରଣା ଓ ଚମତ୍କାରିତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବାବାଙ୍କ ଚମତ୍କାରିତା ଦେଖି ଚେଲାଏଁ ଭରସା ପାଆନ୍ତି। ସଂସାର ସଂକଟରୁ, ପାପତାପରୁ ତ୍ରାହି କରିପାରିବେ ବୋଲି ମନରେ ଦମ୍ଭ ପାଆନ୍ତି। ଏପରିକି, ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାମଚନ୍ଦ୍ର ମଧ୍ୟ ମାନବ ଅବତାରରେ ଅନେକ ଚମତ୍କାରିତା ଦେଖାଇ ଭକ୍ତଙ୍କୁ ଭରସା ଦେଇଥିଲେ।’
ଶାସ୍ତ୍ର ପୁରାଣ ଉପରେ ଭଲ ଦଖଲ ରଖିଥିବା ନବବାବୁଙ୍କ ଶ୍ବଶୁର କହିଲେ, ‘ସେକଥା ନୁହେଁ, କେବଳ ଦୁଷ୍କୃତ ବିନାଶ ପାଇଁ ସ୍ଥଳ ବିଶେଷରେ ସେମାନେ ଚମତ୍କାରୀ ଶକ୍ତି ପ୍ରୟୋଗ କରିଛନ୍ତି। ଅନ୍ୟଥା ବିଷ୍ଣୁଙ୍କ ଅଂଶ ହୋଇ ମଧ୍ୟ ଶ୍ରୀରାମ-କୃଷ୍ଣ ସାଧାରଣ ମଣିଷଙ୍କ ଭଳି ଆଚରଣ କରିଛନ୍ତି। ଯେପରିକି, ବନବାସରେ ଶ୍ରୀରାମ ସ୍ବର୍ଣ୍ଣମୃଗର ମାୟା ଜାଣିପାରିଲେ ନାହିଁ। ନିଜେ ଅଜ୍ଞାନପୁରୁଷ ଭଳି କାନ୍ଦିକାନ୍ଦି ସୀତାଙ୍କୁ ବଣପାହାଡ଼ରେ ଖୋଜିବୁଲିଲେ। ଲୁଚିରହି ବାଳୀକୁ ମାରିଲେ। ଲୋକନିନ୍ଦାକୁ ଡରି ପବିତ୍ର ସୀତାଙ୍କୁ ବଣକୁ ପଠାଇ ଦେଲେ। ନିଜ ପୁଅ ଲବ-କୁଶଙ୍କୁ ଚିହ୍ନିପାରିଲେ ନାହିଁ। ସେହିପରି ଶ୍ରୀକୃଷ୍ଣ କଂସ ଭୟରେ ଗୋକୁଳରେ ରହିଲେ। ସୁଦର୍ଶନଧାରୀ ମହାଶକ୍ତି ହୋଇ ମଧ୍ୟ ଜରାସନ୍ଧ ଭୟରେ ମଥୁରା ଛାଡ଼ି ଦ୍ବାରକା ପଳାଇଲେ। ନିଜ ପୁଅ ପ୍ରଦ୍ୟୁମ୍ନକୁ ସମ୍ବରାସୁର ହରଣ କରିନେବା କଥା ଜାଣିପାରିଲେ ନାହିଁ। ପୁତ୍ର ଶୋକରେ ବିଳାପ କରି ମାତା ଭଗବତୀଙ୍କ ଶରଣ ନେଲେ- ଶେଷରେ ମାମୁଲି ଏକ ଜରାଶବର ହାତରେ ନିହତ ହେଲେ। ଏସବୁକୁ ଅନୁଧ୍ୟାନ କଲେ ଏକଥା ସ୍ପଷ୍ଟ ଯେ ଭଗବାନ୍‌ ବି ମର୍ତ୍ତ୍ୟରେ ଜନ୍ମ ନେଲାମାତ୍ରେ ତାଙ୍କ ପାଖରେ ଚମତ୍କାରିତା ବଦଳରେ ସବୁ ମାନବୋଚିତ ଗୁଣ ପ୍ରକାଶ ପାଏ। ଏହାକୁ ‘ଶାମ୍ଭବୀମାୟା’ କୁହାଯାଏ।’
ନବବାବୁ କହିଲେ, ‘ସ୍ବୟଂ ବିଷ୍ଣୁଙ୍କର ଅବତାର ଯଦି ଶାମ୍ଭବୀମାୟାରୁ ମୁକୁଳି ନାହାନ୍ତି, ସାଧାରଣ ବାବାମାନେ ତହିଁରୁ ମୁକୁଳି ଚମତ୍କାର କରିପାରିବେ ବୋଲି ଆମେ କେମିତି ବିଶ୍ବାସ କରିବା? ଗୀତାରେ ମଧ୍ୟ କୁହାଯାଇଛି, ଚାରିପ୍ରକାର ଭକ୍ତ- ଆର୍ତ୍ତ, ଜିଜ୍ଞାସୁ, ଅର୍ଥାର୍ଥୀ ଓ ଜ୍ଞାନୀଙ୍କ ମଧ୍ୟରୁ କେବଳ ଜ୍ଞାନବାନ୍‌ ଭକ୍ତମାନେ ଚମତ୍କାରୀ ଫଳ ଆଶା ରଖନ୍ତି ନାହିଁ। ସେଥିଯୋଗୁଁ ସେମାନେ ପରଲୋକରେ ପରମାତ୍ମାଙ୍କ ସତ୍ତାରେ ବିଲୀନ ହୁଅନ୍ତି।’
ସମସ୍ତେ ତାଙ୍କୁ ବୁଦ୍ଧି ଶିଖାଇବା ମତିଗତିରେ ଥିବାର ଠଉରାଇ ଆନନ୍ଦୀଦେବୀ ଚଢ଼ା ଗଳାରେ କହିଲେ, ‘ପରଲୋକର ସେଇ ଆତ୍ମା- ପରମାତ୍ମା, ଲୀନ-ବିଲୀନରୁ ଆମକୁ କ’ଣ ମିଳିବ? ଆମେ ଘରସଂସାର କରିଛୁ ଇହଲୋକରେ। ଏଇଠି ବାବା-ମାତାଙ୍କୁ ଆମ ଦୁଃଖ ଗୁହାରିବୁ। ତାଙ୍କ ଚମତ୍କାରୀ ଶକ୍ତିରୁ ଗନ୍ଧେପୁଷ୍ପେ ମାଗି ମଙ୍ଗଳ ମନାସିବୁ। ତେଣୁ ସେ ପ୍ରବଚନଗୁଡ଼ା ଶୁଣାଇବା ଦୟାକରି ବନ୍ଦ କର।’
ସ୍ତ୍ରୀଙ୍କ ଉକ୍ତିରୁ ନବବାବୁଙ୍କ ହୃଦ୍‌ବୋଧ ହେଲା, ଅନ୍ଧଭକ୍ତିରୁ ହିଁ ମିଳେ ଅଳୀକ ଚମତ୍କାରୀ ଶକ୍ତି; ଚେଲାଙ୍କ କାଳ୍ପନିକ ସୁରକ୍ଷା କବଚ। ସେ ମାନସିକତାରୁ ମୁକୁଳିବା ଭାରି ଦୁଷ୍କର।
କିମ୍ସ ମେଡିକାଲ କଲେଜ୍‌, ଭୁବନେଶ୍ବର

Leave A Reply