ସଚ୍ଚା ବନ୍ଧୁତା

0

ନିବିଡ଼ ବନ୍ଧୁତ୍ବ ନିକଟରେ ହାର ମାନିଯାଇଥାଏ ସ୍ଥାନ, କାଳ, ପାତ୍ର, ପରିସ୍ଥିତି ସବୁକିଛି। ଅକୃତ୍ରିମ, ସଚ୍ଚୋଟ ବନ୍ଧୁତ୍ବର ଡୋରି ଏତେ ଦୃଢ଼ ଯେ ଏହା ବନ୍ଧୁ ପାଇଁ ନିଜ ଜୀବନ ବାଜି ଲଗାଇ ଦେବାକୁ ବି କୁଣ୍ଠା କରି ନଥାଏ। ତ୍ୟାଗରେ ହିଁ ବନ୍ଧୁତ୍ବର ପରୀକ୍ଷା ହୋଇଥାଏ।
ବାଲ୍ୟକାଳରୁ ଦୁହିଁଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଥିଲା। ଦୁହେଁ ଏକାଠି ଖେଳିବାବୁଲିବା ସହ ଇଂଲଣ୍ଡରେ ଗୋଟିଏ ବିଦ୍ୟାଳୟରେ ପାଠ ପଢ଼ିଥିଲେ। ଶିକ୍ଷାସମାପ୍ତ ପରେ ଦେଶ ସେବା ଉଦ୍ଦେଶ୍ୟରେ ଦୁହେଁ ​ସେନାବାହିନୀରେ ଯୋଗ ଦେଇଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଗଲା। ଦୁହେଁ ଗୋଟିଏ ୟୁନିଟ୍‌ରେ ହିଁ ରହିଥିଲେ। ସେଦିନ ଶିବିରରେ ରାତିରେ ବିଶ୍ରାମ ନେଇ ଥିବାବେଳେ ହଠାତ୍‌ ଶତ୍ରୁ ସୈନ୍ୟ ଚତୁର୍ଦିଗରୁ ଶିବିର ଉପରକୁ ଗୁଳିବର୍ଷଣ କରିବାକୁ ଲାଗିଲେ। ଘୋର ଅନ୍ଧକାର ଭିତରେ ଏକ ସ୍ବର ଶୁଣିବାକୁ ପାଇଥିଲେ- ‘ହ୍ୟାରି- ଏଠାକୁ ଆସ ମୁଁ ତୁମର ସାହାଯ୍ୟ ଚାହୁଁଛି ମୋତେ ଟିକିଏ ସାହାଯ୍ୟକର।’
ବାଲ୍ୟବନ୍ଧୁ ଘନିଷ୍ଠ ମିତ୍ର ବେଲ୍‌ଙ୍କ ଆର୍ତ୍ତଚିତ୍କାର ଶୁଣିବାକୁ ପାଇଥିଲେ ହ୍ୟାରି ଯିଏ ଶିବିରଠାରୁ କିିଛି ଦୂରରେ ରାତ୍ରିକାଳୀନ ପହରା ଦେଉଥିଲେ। ଆର୍ତ୍ତ ସ୍ବର ଶୁଣିବା ସଙ୍ଗେସଙ୍ଗେ ବେଲ୍‌ କ୍ୟାପଟେନ୍‌ଙ୍କୁ କହିଥିଲେ- ‘ସାର୍‌! ମୁଁ ମୋର ମିତ୍ରଙ୍କୁ ସାହାଯ୍ୟ କରିବାକୁ ଯାଇପାରେ କି? ସମ୍ଭବତଃ ସେ ବିପଦରେ ପଡ଼ି ମୋର ସାହାଯ୍ୟ ଚାହୁଁଛନ୍ତି।’
‘ନା, ଏ ସମୟରେ ତୁମକୁ ମୁଁ କେବେ ବି ବାହାରକୁ ଯିବାକୁ ଅନୁମତି ଦେବିନାହିଁ।’ କ୍ୟାପ୍‌ଟେନ୍‌ ଦୃଢ଼ ସ୍ବରରେ କହିଲେ।
‘ମୁଁ ତା’ର କରୁଣ ଚିତ୍କାର ଶୁଣିବାକୁ ପାଉଛି ସାର୍‌। ଲାଗୁଛି ସେ ଆଉ ବଞ୍ଚିବ ନାହିଁ। ମୋତେ ଯିବାକୁ ଦିଅନ୍ତୁ ହ୍ୟାରି ଅନୁନୟ ସ୍ବରରେ କହିଥିଲେ।
ପୁଣି ସେଇ ମର୍ମଭେଦୀ ସ୍ବର ଶୁଭିଲା- ‘ହ୍ୟାରୀ ! ମୋତେ ଟିକେ ସାହାଯ୍ୟ କର!’ ସେହି କରୁଣ ସ୍ବର ବେଲ୍‌ଙ୍କ ହୃଦୟକୁ ବିଦୀର୍ଣ୍ଣ କରିଦେବା ଭଳି ଲାଗୁଥିଲା। ସେହି ସ୍ବର ଏତେ ମର୍ମାନ୍ତିକ ଥିଲା ଯେ ହ୍ୟାରି ନିଜକୁ ଆଉ ସମ୍ଭାଳି ପାରିନଥିଲେ। କ୍ୟାପ୍‌ଟେନଙ୍କୁ କହିଥିଲେ- ‘ସାର୍‌! ସେ ମୋର ବାଲ୍ୟକାଳର ଅତି ଘନିଷ୍ଠ ବନ୍ଧୁ। ତାକୁ ସାହାଯ୍ୟ କରିବା ନିମିତ୍ତ ମୋତେ ଯିବାକୁ ହିଁ ହେବ।’
ବାରମ୍ବାର ଅନୁରୋଧ କରିବାପରେ କ୍ୟାପ୍‌ଟେନ୍‌ ଅନିଚ୍ଛା ସତ୍ତ୍ବେ ତାଙ୍କୁ ସତର୍କତାର ସହ ଯିବାକୁ ଅନୁମତି ଦେଇଥିଲେ। ଘନଘୋର ଅନ୍ଧାର ରାତି। ହ୍ୟାରି ନିଜ ଜୀବନକୁ ବିପନ୍ନ କରି ଅତି ସାବଧାନତାର ସହ ଆଗକୁ ବଢ଼ିଥିଲେ ଅନ୍ଧାରରେ ଯେଉଁଦିଗରୁ ସ୍ବର ଆସୁଥିଲା ସେହି ଦିଗକୁ । ବେଲଙ୍କୁ ଠାବ କରିବାରେ ସକ୍ଷମ ହୋଇଥିଲେ ସେହି ଅନ୍ଧାରରେ। ବହୁ କଷ୍ଟରେ ସାଥିଙ୍କୁ ସେଠାରୁ ଆଣିଥିଲେ ଶିବିରକୁ ଚିକିତ୍ସା ଉଦ୍ଦେଶ୍ୟରେ।
ଶିବିରକୁ ଆସିଲାପରେ କ୍ୟାପଟେନ ଦେଖିବାକୁ ପାଇଥିଲେ ବେଲ୍‌ ମରିଯାଇଛନ୍ତି। ଏହା ଦେଖି ନାରାଜ କ୍ୟାପ୍‌ଟେନ ହ୍ୟାରିଙ୍କୁ କହିଥିଲେ- ‘ମୁଁ କହିଥିଲି ନା ସେ ବଞ୍ଚି ନଥିବ ବୋଲି। ତୁମେ କିନ୍ତୁ ନିଜ ଜୀବନକୁ ବିପଦାପନ୍ନ କରି ଯାଇଥିଲ। ମୁସ୍କିଲ ପରିସ୍ଥିତିରେ ଫସି ଯାଇଥାନ୍ତ। ହୁଏତ ଶତ୍ରୁପକ୍ଷ ହାତରେ ବନ୍ଦୀ ହୋଇଥାନ୍ତ। ତୁମେ ସେଠାକୁ ଯାଇ ବଡ଼ ଭୁଲ କରିଥିଲ।’
ଏହା ଶୁଣିବାପରେ ଘନିଷ୍ଠ ବନ୍ଧୁଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ହ୍ୟାରି କ୍ୟାପଟେନଙ୍କ ଉଦ୍ଦେଶ୍ୟରେ ମଥା ନୁଆଁଇ କହିଥିଲେ- ‘ସାର୍‌! ସେ ବୋଧହୁଏ ମୋତେ ଅପେକ୍ଷା କରିଥିଲା ମୃତ୍ୟୁ ପୂର୍ବରୁ ଶେଷ ସାକ୍ଷାତ୍‌ ପାଇଁ। ମୁଁ ଯିବା ସମୟରେ ସେ ଜୀବିତ ଥିଲା- ତା’ର ଶ୍ବାସକ୍ରିୟା ଚାଲୁଥିଲା? ମୋତେ ଦେଖି ମୋ ଉଦ୍ଦେଶ୍ୟରେ ସେ ଶେଷ କଥା ପଦକ କହିଥିଲା- ହ୍ୟାରୀ! ମୋର ଦୃଢ଼ ବିଶ୍ବାସ ଥିଲା ତୁମେ ନିଶ୍ଚୟ ଆସିବ।’

Leave A Reply