ଶକ୍ତିମାନର ପରାଭବ

0

କୁଚକ୍ରୀ ଶକୁନିର କୁପରାମର୍ଶରେ ଓ ଖଳମତି ଦୁ​‌େ​‌ର୍ଯ୍ୟାଧନର ଚକ୍ରାନ୍ତରେ ଆୟୋଜିତ କପଟ ପଶା ଖେଳରେ ଯୁଧିଷ୍ଠିର ରାଜ୍ୟ, ଭ୍ରାତା, ଧନସଂପଦ ପତ୍ନୀ, ସବୁକିଛି ବାଜି ଲଗାଇ ହାରି ଯାଇଥିଲେ। ଧର୍ମାତ୍ମା ଯୁଧିଷ୍ଠିର ଦ୍ୟୁତକ୍ରୀଡ଼ା ରାଜପୁରୁଷଙ୍କ ପାଇଁ ଶୁଭଙ୍କର ନୁହେଁ ଜାଣି ମଧ୍ୟ ଖେଳିବା ଲାଗି ସମ୍ମତି ଦେଇଥିଲେ। ପରିଣାମ ଯାହା ହେବାକଥା ତାହାହିଁ ହୋଇଥିଲା। ଖେଳର ସର୍ତ୍ତ ଅନୁଯାୟୀ ହାରିଯିବା ପରେ ପାଣ୍ଡବମାନେ ରାଜ୍ୟ ତ୍ୟାଗ କରି ବନବାସରେ ରହୁଥାନ୍ତି। ସେ ସମୟରେ ପାଣ୍ଡବ ପାଞ୍ଚଭ୍ରାତା, ପତ୍ନୀ ଦ୍ରୌପଦୀଙ୍କ ସହ ହିମାଳୟର ଗିରି କନ୍ଦରରେ ରହୁଥାନ୍ତି। ଦିନେ ଦ୍ରୌପଦୀ ପର୍ଣ୍ଣ କୁଟୀରରୁ ବାହାରକୁ ଆସିବା ପରେ ଦିବ୍ୟ କମଳର ସୁଗନ୍ଧରେ ମୋହିତ ହୋଇଥିଲେ। ଆଖପାଖ ସର୍ବତ୍ର ସେହି ପୁଷ୍ପର ସୌରଭ​‌‌ରେ ସୁରଭିତ ହୋଇଯାଇଥାଏ। ଏଣେତେଣେ ଅନାଇଲେ, ସମ୍ମୁଖରେ ପଡ଼ିଲେ ବୃକୋଦର। ସେହି ଦିବ୍ୟକମଳର ସୁଗନ୍ଧରେ ଏତେ ବିମୋହିତ ହୋଇଯାଇଥିଲେ ଯେ ଭୀମଙ୍କ ଉଦ୍ଦେଶ୍ୟରେ କହିଥିଲେ- ଆର୍ଯ୍ୟପୁତ୍ର! ତୁମେ ମୋତେ ଏହି ଦିବ୍ୟକମଳ ଦେଇପାରିବନି?
ନିଜ ଶକ୍ତି ଉପରେ ଅତୁଟ ବିଶ୍ବାସ କାରଣରୁ ଭୀମସେନ ତତ୍‌କ୍ଷଣାତ୍‌ କହିଥିଲେ- କାହିଁକି ନୁହେଁ। ଏହି ଦିବ୍ୟକମଳ ଗନ୍ଧମାର୍ଦନ ପର୍ବତରେ ଅଛିବୋଲି ମୁଁ ଜାଣିଛି। ଏବେ ମୁଁ ସେଠାକୁ ଯାଉଛି ଏହା ଆଣିବା ପାଇଁ। ଭୀମସେନ୍‌ ଗନ୍ଧମାର୍ଦନ ଅାଭିମୁଖେ ଯାତ୍ରା ଆରମ୍ଭ କଲେ। ପର୍ବତ ଆରୋହଣ ସମୟରେ ସଂକୀର୍ଣ୍ଣ ମାର୍ଗରେ ଭୀମସେନ ଦେଖିବାକୁ ପାଇଥିଲେ ଏକ ଅଭାବନୀୟ ଦୃଶ୍ୟ। ଏକ ବିଶାଳକାୟ ବାନର ନିଜର ଲାଞ୍ଜକୁ ରାସ୍ତାରେ ପକାଇ ସମ୍ଭବତଃ ଶୋଇଯାଇଥାଏ। ଲାଞ୍ଜକୁ ନ ଡେଇଁ ଯିବାପାଇଁ ଭୀମସେନ ବିକଳ୍ପ ମାର୍ଗ ଖୋଜିଥିଲେ, ହେଲେ ପାଇ ନଥିଲେ। ଠିକ୍‌ ଏହି ସମୟରେ ବାନରଟି ଆଖି ଖୋଲିଥିଲା। ବାନର ଆଖି ଖୋଲିବା ଦେଖି ଭୀମସେନ୍‌ ବାନର ଉଦ୍ଦେଶ୍ୟରେ କହିଥିଲେ- ବାନରରାଜ୍‌! ତୁମ ଲାଞ୍ଜଟିକୁ ବାଟରୁ ଉଠାଅ।
ମୁଁ ଭୀଷଣ ଅସୁସ୍ଥ ଅଛି। ଏହାକୁ ନିଜେ ହଟାଇବାକୁ ଅକ୍ଷମ। ଆଗକୁ ଯିବାର ଅଛି ତ ଏହାକୁ ଡେଇଁ ଚାଲିଯାଅ। ଏହା ତୁମ ପ୍ରତି ଘୋର ଅପମାନ ହେବ। ଲାଞ୍ଜ ଡେଇଁବା ଅର୍ଥ ଏହା ଶରୀର ଡେଇଁବା ସଦୃଶ ହେବ। ଏଭଳି କାର୍ଯ୍ୟ କରିବାକୁ ମୁଁ ଚାହୁଁନାହିଁ- ଭୀମସେନ୍‌ କହିଥିଲେ। ତେବେ ଗୋଟିଏ କାମକର, ମୋର ଲାଞ୍ଜକୁ ଆଡ଼େଇ ଦେଇ ଯାଇପାର। ଏଥିରେ ମୋର କୌଣସି ଆପତ୍ତି ନାହିଁ। ଠିକ୍‌ ଅଛି, ଏଇଟା ତ ଅତି ସାମାନ୍ୟ କାମ। ମୁଁ ତାହା ହିଁ କରୁଛି। ମୋତେ ଅନେକ ବାଟ ଯିବାକୁ ହେବ। ଏହା କହି ବୃକୋଦର ପ୍ରୟାସ ଆରମ୍ଭ କରିଥିଲେ ଲାଞ୍ଜର ଶେଷଭାଗ (ପୁଚ୍ଛ)କୁ ରାସ୍ତାରୁ ହଟାଇବା ପାଇଁ। ସକଳ ଶକ୍ତି ଖଟାଇ ବାରମ୍ବାର ପ୍ରୟାସ କରିଥିଲେ। ହେଲେ ଏହାକୁ ଆଙ୍ଗୁଳେ ମାତ୍ର ଘୁଞ୍ଚାଇ ପାରି ନଥିଲେ। ଅମିତ ବଳଶାଳୀ ହେତୁ ନିଜ ସାମର୍ଥ୍ୟ ଉପରେ ଅତୁଟ ବିଶ୍ବାସ ଥିଲା। କ୍ଲାନ୍ତ ଶ୍ରାନ୍ତ ହୋଇପଡ଼ିଲେ ବି ଏହାକୁ ଟିକେ ବି ଘୁଞ୍ଚାଇ ପାରି ନଥିଲେ। ଏବେ ହୃଦ୍‌ବୋଧ ହେଲା ଏ ସାଧାରଣ ବାନର ନୁହନ୍ତି। ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ- ଆପଣ କିଏ ମହାତ୍ମା? ଆପଣଙ୍କ ପରିଚୟ ଦିଅନ୍ତୁ। ଲାଞ୍ଜରେ ଏତେ ବଳ, ଶରୀର କେତେ ବଳଶାଳୀ ହୋଇ ନଥିବ!
ମୁଁ ରାମଭକ୍ତ ହନୁମାନ। ତୁମେ ମୋର ଶରୀର (ଲାଞ୍ଜ)କୁ ନ ଡେଇଁ ମୋତେ ଯେଉଁ ସମ୍ମାନ ପ୍ରଦର୍ଶନ କରିଛ ସେ ନିମନ୍ତେ ମୁଁ ତୁମ ଉପରେ ବହୁତ ଖୁସି। ଏହା ମନେ ରହିଲା। ଭବିଷ୍ୟତରେ ମୁଁ ନିଶ୍ଚୟ ତୁମକୁ ସାହାଯ୍ୟ କରିିବି।

Leave A Reply