ବିପତ୍ତି ଓ ପ୍ରସ୍ତୁତି

0

ପ୍ରାକୃତିକ ଦୁର୍ବିପାକରୁ ମଣିଷ ଅନେକ ଅଭିଜ୍ଞତା ଅର୍ଜନ କରେ ଏବଂ ସେଥିରୁ ସୁରକ୍ଷିତ ରହିବାର ଉପାୟ ବାହାର କରି ବଞ୍ଚିବା ଶିଖେ। ସଭ୍ୟତାର ଆରମ୍ଭ କାଳରୁ ମଣିଷ ନିଜକୁ ଏହି ପ୍ରକ୍ରିୟାରେ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛି ଓ ନୂଆନୂଆ ଉପାୟ ଅବଲମ୍ବନ କରୁଛି; ତେଣୁ ଏହା ଏକ ନିରନ୍ତର ପ୍ରକ୍ରିୟା। ଏବେ ବିଶ୍ବର ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଯେଉଁ ନୂଆ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଅତିବୃଷ୍ଟି, ଭୟଙ୍କର ବନ୍ୟା, ଅନାବୃଷ୍ଟି, ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା, ସାମୁଦ୍ରିକ ପ୍ଳାବନ, ନୂଆନୂଆ ଅସାଧ୍ୟ ରୋଗ ଓ ମଡ଼କର ଆଶଙ୍କା ଅଧିକ। ଏକଥା କେବଳ ବିଶେଷଜ୍ଞ କହୁନାହାନ୍ତି, ଭାରତ ସମେତ ବିଶ୍ବର ଅନ୍ୟ କେତେକ ପ୍ରାନ୍ତରେ ଏହାର କେତେକ ନଜିର ସୃଷ୍ଟି ହେଲାଣି। ନିକଟରେ କେରଳରେ ଘଟିଯାଇଥିବା ବନ୍ୟା ବିଭୀଷିକା, କେଇବର୍ଷ ତଳର ଉତ୍ତରାଖଣ୍ଡର ବର୍ଷା ପ୍ରଳୟ, ବିହାର ଓ ଚେନ୍ନଇର ମହାପ୍ଲାବନ ସେଥିମଧ୍ୟରୁ କେତୋଟି। ଅତଏବ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ଓ ପ୍ରସ୍ତୁତିର ରୂପରେଖ ବଦଳାଇବାକୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍‌ କି ବାତ୍‌’ ରେଡ଼ିଓ କାର୍ଯ୍ୟକ୍ରମରେ ଯାହା କହିଛନ୍ତି ତାହା ଅବଶ୍ୟ ଗୁରୁତ୍ବପୂର୍ଣ୍ଣ। ପ୍ରଶ୍ନ ଉଠୁଛି, ପ୍ରଧାନମନ୍ତ୍ରୀ ଏକଥା କାହାକୁ କହୁଛନ୍ତି? ସେ ତ ଦେଶର ସରକାରୀ ମୁଖ୍ୟ। ଏ କ୍ଷେତ୍ରରେ ଯେତେଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ତାହା ସେତେ ମଙ୍ଗଳ।
ଆମେ ଦୈବୀ ଦୁର୍ବିପାକର ମୁକାବିଲା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରୁଛୁ। ଓଡ଼ିଶା ଭଳି କେତେକ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ମଡ଼େଲ ବା ଢ଼ାଞ୍ଚା ବୋଲି କହି ଅନ୍ୟତ୍ର ଏହାର ଅନୁକରଣ ପାଇଁ ପ୍ରୟାସୀ ହେଉଛୁ। ହେଲେ ଆମକୁ ଏକଥା ମନେ ରଖିବାକୁ ପଡ଼ିବ ଯେ ପ୍ରାକୃତିକ ବିପର୍ଯ୍ୟୟର ସ୍ବରୂପ ଓ ବିଭୀଷିକା ଦେଶର ସବୁ ଅଞ୍ଚଳରେ ସମାନ ନୁହେଁ। ଭୌଗୋଳିକ ବିବିଧତା ଦୃଷ୍ଟିରୁ ଏହା ଭିନ୍ନଭିନ୍ନ। ଆହୁରି ମଧ୍ୟ ଏସବୁ ବିପତ୍ତିର ଭୟାବହତା ଓ ଭୀଷଣତାକୁ ଆକଳନ କରିବା କିମ୍ବା ସେଥିପାଇଁ ଆମ ପ୍ରସ୍ତୁତି ସର୍ବଦା ଯଥେଷ୍ଟ ବୋଲି କୁହାଯାଇ ପାରିବ ନାହିଁ। ୧୯୯୯ର ମହାବାତ୍ୟା, ଉତ୍ତରାଖଣ୍ଡ ପ୍ଲାବନ କିମ୍ବା ସାଂପ୍ରତିକ କେରଳ ବନ୍ୟା ବିତ୍ପାତର ପ୍ରକୋପ ଓ ବ୍ୟାପକତା ଭଳି ବିପର୍ଯ୍ୟୟ ବା ତା’ଠାରୁ ଅଧିକ ସେଭଳି ବିତ୍ପାତ ଦେଶରେ ଯେ କେଉଁଠି ପୁନର୍ବାର ନ’ଘଟିବ ସେକଥା ଆମେ କହିପାରିବା ନାହିଁ। ଓଡ଼ିଶା ସରକାର ଫାଇଲିନ୍‌ ଓ ହୁଦ୍‌ହୁଦ୍‌ ଭଳି ଦୁଇଟି ମହାବାତ୍ୟାର ମୁକାବିଲାରେ ସଫଳ ହୋଇଥିଲେ ହେଁ ଏ ଦୁଇଟିର ବ୍ୟାପକତା ଓ ଭୟାବହତା ୧୯୯୯ର ମହାବାତ୍ୟା ପରି ନଥିଲା। ଯଦି ସୁନାମି କିମ୍ବା ସାମୁଦ୍ରିକ ଜୁଆର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୀଷଣ ଆକାରରେ ଦେଖାଦେବ ତାହାର ମୁକାବିଲା କରିବାକୁ ଆମ ପ୍ରସ୍ତୁତି ଯଥେଷ୍ଟ ବୋଲି କୁହାଯାଇ ପାରିବ ନାହିଁ। ସେହିଭଳି ଭୂମିକମ୍ପ ଭଳି ବିପତ୍ତି ଯାହାର ଆଗୁଆ ସୂଚନା ମିଳେନାହିଁ, ତାହା ତ ଅଶେଷ କ୍ଷତି ସାଧନ କରିବାକୁ ସକ୍ଷମ। ଏଭଳି ବିପତ୍ତିର ମୁକାବିଲା ପାଇଁ ଆମ ପାଖରେ ପ୍ରସ୍ତୁତି ଓ ସାମର୍ଥ୍ୟ କେତେ ତାହା ବିଚାରଯୋଗ୍ୟ।
ସୁତରାଂ ବିପର୍ଯ୍ୟୟ ପରିଚାଳନା ଓ ପ୍ରାକୃତିକ ବିପତ୍ତିର ମୁକାବିଲା ପାଇଁ ପ୍ରଥମ ଆବଶ୍ୟକତା ହେଲା ନିର୍ଭରଯୋଗ୍ୟ ଆଗୁଆ ସୂଚନା ପାଇବା। ଏଥିପାଇଁ ବିଜ୍ଞାନ ଓ ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ ଯଥା ସମ୍ଭବ କରାଯିବା ଉଚିତ।
ପ୍ରାକୃତିକ ବିପତ୍ତି ସହିତ ମନୁଷ୍ୟକୃତ ବିତ୍ପାତ ଭାରତ ପାଇଁ ଆଉ ଏକ ବଡ଼ ସମସ୍ୟା ହୋଇଛି। ଦେଶର ସହରାଞ୍ଚଳରେ ଆବର୍ଜନା ପରିଚାଳନାରେ ଆମେ ବସ୍ତୁତଃ ବିଫଳ ହୋଇଛେ। ସ୍ବଚ୍ଛଭାରତ ଅଭିଯାନରେ ସରକାର ବିପୁଳ ଅର୍ଥ ବ୍ୟୟ କରୁଥିବାବେଳେ ଆମ ସହର, ନଦନଦୀ ଓ ଜଳଉତ୍ସ ସବୁ ଏବେ ପୁତିଗନ୍ଧମୟ ଆବର୍ଜନାକୁଣ୍ଡରେ ପରିଣତ ହୋଇଛି। ବନ୍ୟା, ବାତ୍ୟା ଓ ଭୂମିକମ୍ପରେ ମରୁଥିବା ଲୋକଙ୍କଠାରୁ ବହୁ ଅଧିକ ଲୋକ ପ୍ରତିବର୍ଷ ଭାରତରେ ଡେଙ୍ଗୁ, ମ୍ୟାଲେରିଆ, ମସ୍ତିଷ୍କପ୍ରଦାହ, ହଇଜା ଓ ଅନ୍ୟାନ୍ୟ ସଂକ୍ରାମକ ବ୍ୟାଧିରେ ପ୍ରାଣ ହରାଉଛନ୍ତି। ସହରୀବନ୍ୟା ସମସ୍ୟାର ସମାଧାନ କରିବାର ଉପାୟ ଆମେ ଖୋଜି ପାଇପାରୁନୁ। ଏଭଳି ସ୍ଥିତିରେ ଆମ ବିପର୍ଯ୍ୟୟ ପରିଚାଳନାର ସ୍ଥିତି କ’ଣ ଓ ଆମ ପ୍ରସ୍ତୁତି ତଥା ଦୂରଦୃଷ୍ଟି କେତେ, ତାହାର ସମୀକ୍ଷା କରିବାର ସମୟ ଆସିଛି। ଏକବିଂଶ ଶତାବ୍ଦୀ ବିଶ୍ବପାଇଁ ଚରମ ବିପତ୍ତିର ସମୟ ହେବ ବୋଲି ବିଶେଷଜ୍ଞ ସୂଚନା ଦେବାପରେ ଆନ୍ତର୍ଜାତିକ ସ୍ତରରେ ତତ୍ପରତା ବଢ଼ିଛି ଓ ସହଯୋଗ ବୃଦ୍ଧି ପାଇଛି। ଭାରତ ମଧ୍ୟ ସେଥିରେ ସାମିଲ ହୋଇଛି। ତେଣୁ ଉଭୟ ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାର ସମୟ ଆସିଛି। ପ୍ରଧାନମନ୍ତ୍ରୀ ଏନେଇ ସଚେତନ ଥିବା ଭଲ କଥା। ସେ ଏଦିଗରେ ଯେତେ ଅଧିକ ପ୍ରସ୍ତୁତି ଓ ପ୍ରୟାସ କରିବେ ସେତେଭଲ। ଆମକୁ ମନେ ରଖିବାକୁ ପଡ଼ିବ ବିପତ୍ତି ଆମ ପ୍ରସ୍ତୁତି ଅନୁସାରେ ଆସେ ନାହିଁ କିମ୍ବା ଆମକୁ ସୂଚନା ଦେଇ ସବୁବେଳେ ଆସେନା। ଏହା ଆମ ପ୍ରସ୍ତୁତିିର ପରୀକ୍ଷା ନିଏ ଏବଂ ଆମ ଅବହେଳା ପାଇଁ ଆମକୁ ଶାସ୍ତି ଦିଏ।

Leave A Reply