ଚିଲିକାରେ ଜଳବିମାନ ବନ୍ଦର ବିପଜ୍ଜନକ

0

ଦେବେନ୍ଦ୍ରନାଥ ମାନସିଂହ

ଚିଲିକାହ୍ରଦ ଏସିଆର ବୃହତ୍ତମ ମଧୁର-ଲୁଣାଜଳ ହ୍ରଦ। ଇରାନ୍‌ର ରାମ୍‌ସାରଠାରେ ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କରେ ଆୟୋଜିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଜୈବ ବିିବିଧତାରେ ପରିପୁଷ୍ଟ ଉତ୍କୃଷ୍ଟ ଆର୍ଦ୍ରଭୂମି ସୁରକ୍ଷା ମରାଳମାଳିନୀ ଚିଲିକାହ୍ରଦ ସ୍ବତନ୍ତ୍ର ମାନ୍ୟତାପ୍ରାପ୍ତ ସ୍ଥଳଭାବେ ଅନ୍ତର୍ଜାତୀୟ ସ୍ବୀକୃତି ଲାଭ କରି ଓଡ଼ିଶାକୁ ଗୌରବ ମଣ୍ଡିତ କରିଛି। ଭାରତ ସରକାର ୧୯୮୧ରେ ଚିଲିକା ହ୍ରଦକୁ ‘ରାମସାର ସାଇଟ୍‌’ ରୂପେ ସ୍ବୀକୃତି ଦେଇଛନ୍ତି। ଚିଲିକା ହ୍ରଦର ଆୟତନ ବହୁ ପୂର୍ବରୁ ୨୨୦୦ ବର୍ଗକିଲୋମିଟର ଥିବାବେଳେ କ୍ରମଶଃ ପଟୁମାଟି ଦ୍ବାରା ପୋତି ହୋଇ ବର୍ଷାଋତୁରେ ୧୧୦୦ ବର୍ଗ କିଲୋମିଟର ଓ ଗ୍ରୀଷ୍ମଋତୁରେ ୮୦୦ବର୍ଗ କିଲୋମିଟରକୁ ହ୍ରାସ ପାଇଛି। ହ୍ରଦର ଲବଣାକ୍ତ ରମ୍ଭା ଅଞ୍ଚଳରେ ୧୫ରୁ ୨୦ ପି.ପି.ଟି ଥିବା ଜଳର ପରୀକ୍ଷଣରୁ ଜଣାଯାଇଛି। ଚିଲିକା ହ୍ରଦର ‘ନଳବଣ ଦ୍ବୀପ’କୁ ଓଡ଼ିଶା ସରକାର ‘ପକ୍ଷୀ ଅଭୟାରଣ୍ୟ’ରୂପେ ମାନ୍ୟତା ଦେଇଛନ୍ତି। ଏହାର ଆୟତନ ୧୫ ବର୍ଗକିଲୋମିଟର। ଏଠାରେ କେତେକ ଦେଶବିଦେଶର ପକ୍ଷୀ ସ୍ଥାୟୀ ଭାବରେ ନୀଡ଼ ସ୍ଥାପନ କରିରହିଲେଣି। ଚିଲିକା ହ୍ରଦର ନଳବଣ, ମଙ୍ଗଳାଯୋଡ଼ି, ସାତପଡ଼ା, କୃଷ୍ଣପ୍ରସାଦ, ବାଲୁଗାଁ ବଡ଼କୂଳ, କାଳିଜାଇ ପାହାଡ଼, ଚଢ଼େଇହଗା ପାହାଡ଼, ଖଲିକୋଟ, ରମ୍ଭା, କେଶପୁର ଆଦି ଅଞ୍ଚଳକୁ ଶୀତଋତୁରେ ସୁଦୂର ସାଇବେରିଆ, ବୈକାଲ ହ୍ରଦ, ହିମାଳୟ ଅବବାହିକା ଅଞ୍ଚଳ, ଦେଶବିଦେଶରୁ ୨୩୪ ପ୍ରଜାତିର ବ୍ରାଜକପକ୍ଷୀ ଖାଦ୍ୟ ଅନ୍ବେଷଣ, ସଙ୍ଗମ ଓ ଅଣ୍ଡା ଦେବାପାଇଁ ଆସିଥାନ୍ତି। ୨୦୧୬-୧୭ରେ ଚିଲିକା ହ୍ରଦକୁ ୮,୩୯,୪୭୮ ବ୍ରାଜକ ପକ୍ଷୀ ଆସିଥିବା ‘ଚିଲିକା ବନ୍ୟପ୍ରାଣୀ ଡିଭିଜନ’ କରିଥିବା ପକ୍ଷୀଗଣନାରୁ ଜଣାଯାଇଛି। ଏହି ହ୍ରଦରେ ୨୬୦ରୁ ଅଧିକ ପ୍ରଜାତିର ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଆଦି ଦେଖିବାକୁ ମିଳେ। ବିଦେଶକୁ ରପ୍ତାନୀ କରାଯାଇ ବୈଦେଶିକ ମୁଦ୍ରା ଆହରଣ କରାଯାଏ। ଚିଲିକା ହ୍ରଦରେ ୩୭ ପ୍ରଜାତିର ସରୀସୃପ, ଉପକୂଳ ବାଲିସ୍ତୂପ, ଝାଉଁ, ପୋଲାଙ୍ଗ ବଣରେ ହରିଣ, ବାରହା, ଠେକୁଆ ଆଦି ବନ୍ୟପ୍ରାଣୀ ବାସ କରନ୍ତି। ଚିଲିକାର ଜଳରାଶି ବିରଳ ପ୍ରଜାତିର ଉଦ୍ଭିଦ, ଗୁଳ୍ମ, ଲତା, ଘାସ, ଦଳ ଆଦିରେ ଭରପୂର ଏକ ଅମୂଲ୍ୟ ସମ୍ପଦ। ଜୈବ ବିବିଧତାରେ ପରିପୂର୍ଣ୍ଣ ଚିଲିକାର ପ୍ରାକୃତିକ ପରିବେଶର ସୁରକ୍ଷା, ପ୍ରଦୂଷଣକୁ ରୋକିବାପାଇଁ ତଥା ସ୍ଥାନୀୟ ନାଗରିକ ଓ ମତ୍ସ୍ୟଜୀବୀମାନଙ୍କର ସାମୂହିକ ବିକାଶ ପାଇଁ ‘ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ’ କାର୍ଯ୍ୟରତ। ଚିଲିକାହ୍ରଦ ଓ ତା’ର ଉପକୂଳରେ ଯେ କୌଣସ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ଆରମ୍ଭ କରିବାବେଳେ ‘କୋଷ୍ଟାଲ୍‌ ରେଗୁଲେସନ୍‌ ଜୋନ’ (ସିଆରଜେଡ) ଆଇନକୁ ଦୃଷ୍ଟିରେ ରଖି ଆନୁଷଙ୍ଗିକ ବିଧିବ୍ୟବସ୍ଥାର ଅନୁପାଳନ ପାଇଁ ସମ୍ପୃକ୍ତ ସରକାରୀ ଅବା ବେସରକାରୀ ସଂସ୍ଥା ଆଇନତଃ ବାଧ୍ୟ।
ବର୍ତ୍ତମାନ ଚିଲିକା ହ୍ରଦରେ ‘ଜଳବିମାନ ବନ୍ଦର’ ପ୍ରତିଷ୍ଠାପାଇଁ କେନ୍ଦ୍ର ସରକାରଙ୍କ ‘ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ’ ଅନୁମତି ଦେଇଥିବା ସମ୍ବାଦ ଗଣମାଧ୍ୟମରେ ପ୍ରଚାର ହେବାପରେ ଚିଲିକା ହ୍ରଦ ଉପରେ ନିର୍ଭରକରି ପୁରୁଷାନୁକ୍ରମେ ନିଜର ଜୀବନଜିବିକା ନିର୍ବାହ କରୁଥିବା ଉପକୂଳ ବ୍ରହ୍ମଗିରି, ଚିଲିକା, ସତ୍ୟବାଦୀ, ଖୋର୍ଦ୍ଧା, ଖଲିକୋଟ, ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୧୫୦ରୁ ଅଧିକ ଗ୍ରାମର ଦୁଇଲକ୍ଷରୁ ବେଶୀ ମତ୍ସ୍ୟଜୀବୀ ନିଜର ଜୀବନଜୀବିକା ହରାଇବେ। ଏହି ଜଳବିମାନ ବନ୍ଦର ପ୍ରତିଷ୍ଠାହେଲେ ରାଜସ୍ବ ବିଭାଗରୁ ଲିଜ୍‌ ନେଇ ବିଭିନ୍ନ ‘ମତ୍ସ୍ୟଜୀବୀ ପ୍ରାଥମିକ ସମବାୟ ସମିତି’ ଯେଉଁ ‘ମତ୍ସ୍ୟଦିଆ ସଇରାତ୍‌’-ଜାଣ, ଡିଆଁ, ଚିଙ୍ଗୁଡ଼ି ଖନ୍ଦାରେ ଓ କେତେକ ସମ୍ପ୍ରଦାୟ ଚିଲିକାରେ ବାହାଣୀରେ ଜାଲ, ବଜା, ତାଟ, ଧଉଡ଼ି ଆଦିରେ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଧରିଥାନ୍ତି, ସେହି ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ଜଳବିମାନ ବନ୍ଦର ପାଇଁ ଚିଲିକା ହ୍ରଦର କିଛି ଅଞ୍ଚଳକୁ ସଂରକ୍ଷିତ ରଖାଗଲେ ମତ୍ସ୍ୟଜୀବୀଙ୍କର ପାରମ୍ପରିକ ମତ୍ସ୍ୟଦିଆ ସଇରାତ୍‌ ଅଞ୍ଚଳ ସଙ୍କୁଚିତ ହୋଇଯିବ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏକ ବିବୃତିରେ କହିଛନ୍ତି ଯେ, ଚିଲିକାରେ ଜଳବିମାନ ବନ୍ଦର ପ୍ରତିଷ୍ଠାସହ ଗୁଜୁରାଟର ସାବରମତୀ ନଦୀ, ସର୍ଦାର ସରୋବର ଡ୍ୟାମ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ଆସାମ ରାଜ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାପାଇଁ ପ୍ରାଶାସନିକ ଅନୁମତି ଦେଇଛନ୍ତି। ପ୍ରଥମ ଦଫାରେ ଓଡ଼ିଶାର ଚିଲିକା ଓ ଗୁଜୁରାଟ ଦୁଇଟି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଜଳବିମାନ ବନ୍ଦର ପ୍ରକଳ୍ପମାନ କାର୍ଯ୍ୟକ୍ଷମ ହେଲେ ଦେଶ ଭିତରେ ବିଭିନ୍ନ ଧାର୍ମିକ, ଐତିହ୍ୟ ଓ ସାଂସ୍କୃତିକ ପୀଠସହ ସଂଯୋଗ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ଭିତ୍ତିଭୂମି ବିକାଶରେ ସହାୟକ ହୋଇପାରିବ। ଏହାକୁ କେନ୍ଦ୍ରସରକାର ଏକ ‘ପାଇଲଟ ପ୍ରୋଜେକ୍ଟ’ ରୂପେ ନେଇଛନ୍ତି। ଆଗାମୀ ଦିନରେ କେନ୍ଦ୍ର ସରକାର ‘ଉଡାନ ଯୋଜନା’ରେ ଦେଶର ବିଭିନ୍ନ ରାଜ୍ୟରେ ଜଳବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଛନ୍ତି। କିନ୍ତୁ ଦେଶରେ ଜଳବିମାନ ବନ୍ଦର ପ୍ରକଳ୍ପ ବି​‌େ​‌ଶଷ ଫଳପ୍ରଦ ହେବନାହିଁ। ସ୍ଥାନୀୟ ପରିବେଶର ପ୍ରଦୂଷଣ କରିବ ଓ ଉପକୂଳରେ ବାସ କରୁଥିବା ମତ୍ସ୍ୟଜୀବଙ୍କର ଜୀବନଜୀବିକାକୁ ପ୍ରଭାବିତ କରିବ।
ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କେରଳ ରାଜ୍ୟରେ ଆରବ ସାଗର ଉପକୂଳ ଓ ରାଜ୍ୟର କେତେକ ହ୍ରଦ ଓ ଡ୍ୟାମରେ, ରାଜ୍ୟ ସରକାରଙ୍କ ଦୁଇଟି ଉଦ୍ୟୋଗ ‘କେରଳ ପର୍ଯ୍ୟଟନ ବିକାଶ ନିଗମ’, ‘କେରଳ ପର୍ଯ୍ୟଟନ ଭିତ୍ତିଭୂମି ଲିମିଟେଡ଼’ ଓ କେନ୍ଦ୍ର ସରକାରଙ୍କ ଅନ୍ୟତମ ସହଯୋଗୀ ଉଦ୍ୟୋଗ ‘ପୱନହଂସ ହେଲିକପ୍ଟର ଲିମିଟେଡ଼’ର ମିଳିତ ଉଦ୍ୟମରେ ଅଗ୍ରାଧିକାର ଭିତ୍ତିରେ କୋଚି, କୋଲାମର ଆସ୍ଥାମୁଦି ହ୍ରଦ, ଅଲ୍ଲାପୁଝାରର ପୁନ୍ନାମାଦା ହ୍ରଦ, କୁମାରକୋମରେ ଭେମବାନାଦ ହ୍ରଦ, ଅୟିଥୀର କାସରାଗଡ଼, କୋଟ୍ଟାପୁରମ୍‌ର ବିକାଲ, ମାଟ୍ଟିପେଟ୍ରୀ ଡ୍ୟାମର ମନ୍ନାରରେ ଜଳବିମାନ ବନ୍ଦରମାନ ପ୍ରତିଷ୍ଠା ପାଇଁ ଗତ ୨୦୧୩ରୁ ସମ୍ପୃକ୍ତ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣ ଓ ଆବଶ୍ୟକୀୟ ଯନ୍ତ୍ରପାତି ଆଦି କ୍ରୟ କରିଥିଲେ; କିନ୍ତୁ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରେ ଦୀର୍ଘବର୍ଷ ଧରି ପୁରୁଷାନୁକ୍ରମେ ଜୀବନଜୀବିକା ନିର୍ବାହ କରିଆସୁଥିବା ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ଦୃଢ଼ ବିରୋଧ ଓ ଜୈବ ବିବିଧତା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ପରିବେଶବିତ୍‌ଙ୍କ ମତାମତକୁ ବିଚାରକୁ ନେଇ ରାଜ୍ୟ ସରକାର ୨୦୧୬ରେ ଏ ସମସ୍ତ ପ୍ରସ୍ତାବିତ ଜଳବିମାନ ବନ୍ଦରର ଭିତ୍ତିଭୂମି ପ୍ରତିଷ୍ଠାକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଥିବା କଥା କେରଳର ପର୍ଯ୍ୟଟନ ମନ୍ତ୍ରୀ ସୁରେନ୍ଦ୍ରନ ଏକ ବିବୃତିରେ କହିଛନ୍ତି। କେରଳର ପ୍ରାକୃତିକ ପରିବେଶ ପାଇଁ ତାକୁ ‘ଭଗବାନଙ୍କ ଆବାସସ୍ଥଳୀ’ ବୋଲି କୁହାଯାଇଥାଏ। ସମ୍ପ୍ରତି କେରଳରେ ଯେପରି ଭୟଙ୍କର ବନ୍ୟା ବିପର୍ଯ୍ୟୟ ଆସିଛି, ଏହା ମଧ୍ୟ ବ୍ୟାପକ ପରିବେଶ ପ୍ରଦୂଷଣ ଯୋଗୁଁ ଜଳବାୟୁରେ ଦେଖାଦେଇଥିବା ପରିବର୍ତ୍ତନ ଯୋଗୁଁ ହୋଇଛି ବୋଲି ପରିବେଶବିତ୍‌ମାନେ ମତ ଦେଉଛନ୍ତି। କେରଳ ସରକାର ପ୍ରସ୍ତାବିତ ଜଳବିମାନ ବନ୍ଦରର ଭିତ୍ତିଭୂମି, ଭାସମାନ ଜେଟ୍ଟି ନିର୍ମାଣ, ହାଉସ ବୋଟ୍‌, ସ୍ପିଡ଼ ବୋଟ୍‌, ଚାନେଲ ଚିହ୍ନଟ ପାଇଁ ଭାସମାନ କୁମ୍ଭ (ବୋୟ) ଏକ୍ସରେମେସିନ୍‌, ମେଟାଲ ଡିଟେକ୍ଟର, ଭିଏଚଏଫ, ଏକ୍ସପ୍ଲୋସିଭ ଡିଟେକସନ୍‌ କିଟ୍‌ସ, ଅଗ୍ନିନିର୍ବାପକ ଗାଡ଼ି ଆଦି ଆନୁଷଙ୍ଗିକ ଯନ୍ତ୍ରପାତି ଆଦି କ୍ରୟ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରିଥିଲେ। ବର୍ତ୍ତମାନ ସେ ସବୁକୁ ‘କାନ୍ନର ଇଣ୍ଟରନେସନାଲ ଏୟାରପୋର୍ଟ ଲିମିଟେଡ଼’କୁ ହସ୍ତାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି। ଏସବୁ ଜଳବିମାନ ବନ୍ଦର ପ୍ରତିଷ୍ଠାସହ ସକ୍ରିୟ ଭାବେ ସମ୍ପୃକ୍ତ ଘରୋଇ କମ୍ପାନୀ ଜାପାନର ସିଶେଚି ହୋଲଡିଙ୍ଗ ଓ ସ୍ପାଇସ୍‌ ଜେଟ୍‌ ଜାପାନରୁ ୧୦୦ଟି ଆମ୍‌ଫିବିଆନ ଜଳ ଓ ସ୍ଥଳରେ ଜେଟ୍‌ ଖରିଦ ପାଇଁ ୪୦୦ ନିୟୁତ ଆମେରିକୀୟ ଡଲାର ବ୍ୟୟ ପାଇଁ ପ୍ରସ୍ତାବ ରଖିଥିଲେ। ବର୍ତ୍ତମାନ ତାହାକୁ ବାତିଲ କରାଯାଇଛି। ଏପରି ସ୍ଥିତିରେ ଓଡ଼ିଶା ସରକାର କେରଳ ସରକାରଙ୍କଠାରୁ ସମସ୍ତ ତଥ୍ୟ ଆଣି ଚିଲିକା ହ୍ରଦରେ ଜଳବିମାନ ବନ୍ଦର ପ୍ରତିଷ୍ଠା ବନ୍ଦ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପତ୍ର ଲେଖନ୍ତୁ।
ଗତ କିଛି ଦଶନ୍ଧିଧରି ଇଂଲଣ୍ଡର ବ୍ୟସ୍ତବହୁଳ ହିଥ୍ରେ​‌ାବିମାନ ବନ୍ଦରରେ ଯାତ୍ରୀ ଭିଡ଼ କମାଇବା ପାଇଁ ଲଣ୍ଡନର ପୂର୍ବ ଉପକୂଳ ‘ଟେମସ୍‌ ନଦୀ’ ଏସଚ୍ୟୁଆରୀ ବା ନଦୀ ମୁହାଣରେ ଏକ ଜଳବିମାନ ବନ୍ଦର ପ୍ରତିଷ୍ଠା ପାଇଁ ‘ଲଣ୍ଡନ ମ୍ୟୁନିସିପାଲ୍‌ କର୍ପୋରେସନର ତତ୍କାଳୀନ ମେୟର ବୋରିସ ଜନସନ୍‌ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ୨୦୧୩ ଡିସେମ୍ବର ୧୭ରେ ଏ ସମ୍ପର୍କରେ ଗଠିତ ‘ଏୟାରପୋର୍ଟ’ କମିସନର ରିପୋର୍ଟକୁ ସାର୍ବଜନୀନ କରାଗଲା। ପରବର୍ତ୍ତୀ କାଳରେ ଟେମସ୍‌ ନଦୀ ଉପକୂଳରେ ଜଳବିମାନ ବନ୍ଦର ପ୍ରତିଷ୍ଠାର ଭଲମନ୍ଦ ଦିଗ ଉପରେ ବ୍ୟାପକ ତର୍ଜମା ପରେ ଅନେକ ପରିବେଶବିତ ଟେମସ୍‌ ନଦୀରେ ଜଳବିମାନ ବନ୍ଦର ହେଲେ ସ୍ଥାନୀୟ ପକ୍ଷୀମାନଙ୍କର ନୀଡ଼ ସଂରଚନାରେ ବାଧା ସୃଷ୍ଟି ହେବବୋଲି ମତ ଦେଇଥିଲେ। ଏହାପରେ ଏକ ସମୀକ୍ଷାରୁ ଜଣାଗଲା ଯେ ହିଥ୍ରୋ ବିମାନବନ୍ଦର ତୁଳନାରେ ଟେମସ୍‌ ନଦୀ ଜଳସ୍ତର ଉପରେ ଅଧିକ ଘନକୁହୁଡ଼ି ପଡ଼ିବ, ଏହାଦ୍ବାରା ଜଳବିମାନ ଯାତାୟାତରେ ବାଧା ସୃଷ୍ଟି ହେବ। ୨୦୧୬ ଅକ୍ଟୋବରରେ ଇଂଲଣ୍ଡ ସରକାର ହିଥ୍ରୋ ଆନ୍ତର୍ଜାତିକ ବିମାନବନ୍ଦରରେ ତୃତୀୟ ରନୱେ ନିର୍ମାଣ ପାଇଁ ନିଷ୍ପତ୍ତି ନେଇ ଟେମସ୍‌ ନଦୀ ବିମାନବନ୍ଦର ପ୍ରତିଷ୍ଠା ପ୍ରସ୍ତାବକୁ ବାତିଲ କରିଥିଲେ।
ଜଳବିମାନ ବନ୍ଦର ବିଶ୍ବରେ ଆମେରିକା, କାନାଡ଼ା, ମାଳଦ୍ବୀପ, ମାଲଟା ଆଦି ରାଷ୍ଟ୍ରମାନଙ୍କରେ ପ୍ରତିଷ୍ଠା ହୋଇଛି। ଏହି ବିମାନବନ୍ଦର ସପକ୍ଷରେ ଯୁକ୍ତି କରାଯାଉଛି ଯେ,ଏହି ପ୍ରକଳ୍ପରେ ନିୟୋଜିତ କ୍ଷୁଦ୍ର ଆମ୍‌ଫିବିଆନ ବିମାନରେ ଶୌଚାଳୟର ବ୍ୟବସ୍ଥା ନାହିଁ ତେଣୁ ଜଳ ପ୍ରଦୂଷଣ ହେବନାହିଁ। ସେପରି ଏହି ବିମାନ ସ୍ପିଡ଼ବୋଟ୍‌ଠାରୁ କମ୍‌ ଶବ୍ଦ ପ୍ରଦୂଷଣ କରିବ। ଦିନବେଳେ ଅନୁକୂଳ ପାଣିପାଗ ଦେଖି ଜଳବିମାନ ଯାତାୟାତ କରୁଥିବାରୁ ଦୁର୍ଘଟଣା କମ୍‌ହେବ। ଏହି କ୍ଷୁଦ୍ର ବିମାନରେ ଯାତ୍ରୀ ପରିବହନ କ୍ଷମତା ୧୦ରୁ ୧୫ ଭିତରେ। ଏଣୁ ବିମାନର ଅଧିକ ଭଡ଼ା ସାଧାରଣ ଓ ମଧ୍ୟବିତ୍ତ ଶ୍ରେଣୀର ପର୍ଯ୍ୟଟକଙ୍କ ପାଇଁ ଅପହଞ୍ଚ ହେବ।
ଚିଲିକା ହ୍ରଦରେ ବହୁ ସମୟରେ ବିଶେଷତଃ ଶୀତ ଋତୁରେ ବ୍ରାଜକ ପକ୍ଷୀମାନଙ୍କ ଭିଡ଼ ହୋଇଥାଏ। ଜଳବିମାନ ଅବତରଣ ଓ ଉଡ଼ାଣରେ ବ୍ରାଜକ ପକ୍ଷୀମାନେ ବିପଦସୃଷ୍ଟି କରିବେ। ଦୁର୍ଘଟଣା ଘଟିବ। ଏଣୁ ଏହି ପ୍ରକଳ୍ପ ପରିବେଶ ଅନୁକୂଳ ନୁହେଁ। ଚିଲିକା ହ୍ରଦର ନୈସର୍ଗିକ ଶୋଭା ଉପଭୋଗ ପାଇଁ ଦେଶବିଦେଶର ପର୍ଯ୍ୟଟକମାନେ ରାଜଧାନୀ ଭୁବନେଶ୍ବରରୁ ମଙ୍ଗଳାଯୋଡ଼ି, ସାତପଡ଼ା, ବାଲୁଗାଁ, ବଡ଼କୂଳ, କେଶରପୁର, ରମ୍ଭା ଆଦି ପର୍ଯ୍ୟଟନ କେନ୍ଦ୍ରକୁ ପ୍ରଶସ୍ତ ଜାତୀୟ ରାଜପଥ ଅବା ଟ୍ରେନରେ ୧୦୦ରୁ ୧୫୦ କିଲୋମିଟର ଅତିକ୍ରମ କରି ପହଞ୍ଚିପାରିବେ। ଏଣୁ ବହୁ ଅର୍ଥବ୍ୟୟ କରି ଜଳବିମାନରେ ଯାତ୍ରା କରିବାର ଆବଶ୍ୟକତା ନାହିଁ। ଏଣୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏହି ଜଳବିମାନ ବନ୍ଦର ପ୍ରସ୍ତାବ ବାତିଲ ପାଇଁ ପ୍ରଧାନମନ୍ତ୍ରୀ, ବେସାମରିକ ବିମାନ ଚଳାଚଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବା ଆବଶ୍ୟକ। ଏହି ଜଳ ବିମାନବନ୍ଦର ପ୍ରତିଷ୍ଠା ସମ୍ପର୍କରେ ‘ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ’ ଓ ରାଜ୍ୟ ସରକାରଙ୍କ ‘ଜଙ୍ଗଲ ଓ ପରିବେଶ ବିଭାଗ କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ‘ସବିଶେଷ ପ୍ରୋଜେକ୍ଟ ରିପୋର୍ଟ’ (ଡିପିଆର)କୁ ଭଲଭାବରେ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ତୁରନ୍ତ ବିହିତ ପଦକ୍ଷେପ ନେବାପାଇଁ ଅବଗତ କରାନ୍ତୁ।

Leave A Reply