ଶକ୍ତି ନହେଉ ଦୁର୍ବଳତା

0

ଇଣ୍ଟରନେଟର ଜନ୍ମ ପରଠାରୁ ଏହାକୁ ବ୍ୟବହାର କରି ଯେଉଁ ମାଧ୍ୟମଟି ବିଶ୍ବବ୍ୟାପୀ ସର୍ବାଧିକ ଲୋକପ୍ରିୟ ହୋଇଛି, ତାହା ହେଲା ସୋସାଲ ମିଡିଆ ବା ସାମାଜିକ ଗଣମାଧ୍ୟମ। ଏହା ଏଭଳି ଏକ ବ୍ୟକ୍ତି-ନିରପେକ୍ଷ ତନ୍ତ୍ର, ଯାହାକୁ ବିଶ୍ବର ଯେ କୌଣସି ଇଣ୍ଟରନେଟ୍‌ସଂଯୁକ୍ତ ଲୋକଟିଏ ନିଜ ସୁବିଧା ଓ ଅନୁକୂଳତା ଅନୁସାରେ ବ୍ୟବହାର କରିପାରେ। ଭୌଗୋଳିକ ସୀମା ଭିତରେ ଏହା ଆବଦ୍ଧ ହୋଇନଥିବାରୁ ଏହାର ବୈଶ୍ବିକ ପ୍ରଭାବ ପରିଲକ୍ଷିତ ହୋଇଥାଏ। ଏହା ହିଁ ଏହାର ବଡ଼ ଶକ୍ତି। ତେବେ ଧୀରେଧୀରେ ଏହି ଶକ୍ତି ହିଁ ଏହାର ଦୁର୍ବଳତାରେ ପରିଣତ ହେବାରେ ଲାଗିଛି। ଆରମ୍ଭରୁ ଲୋକେ କେବଳ ଯୋଗାଯୋଗର ମାଧ୍ୟମ ଭାବେ ବ୍ୟବହାର କରୁଥିବାବେଳେ ଏହାକୁ ଏବେ ଅନେକ ଗୁଜବ ଓ ମିଥ୍ୟା ପ୍ରଚାରର ମାଧ୍ୟମ କରିଛନ୍ତି। କେବଳ ସେତିକି ନୁହେଁ, ଅତି ସିଆଣିଆମାନେ କେତେକ ଦେଶରେ ଏହା ଜରିଆରେ ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଛନ୍ତି ଓ ସେଥିରେ ଆଶ୍ଚର୍ଯ୍ୟଜନକ ଭାବେ କିଛି ପରିମାଣରେ ସଫଳ ବି ହୋଇଛନ୍ତି।
ଭାରତ ସରକାର ଏବେ ଏହାକୁ ନେଇ ବେଶ୍ ଚିନ୍ତିତ। ଏହା ସ୍ବାଭାବିକ ମଧ୍ୟ; କାରଣ ନିକଟ ଅତୀତରେ ହ୍ବାଟ୍‌ସଆପ୍‌ ଭଳି ସାମାଜିକ ଗଣମାଧ୍ୟମରେ ପିଲାଚୋର ଗୁଜବ ପ୍ରଚାର ଯୋଗୁଁ ଦେଶର ବିଭିନ୍ନ ଅଞ୍ଚଳରେ ଯେପରି ହିଂସା ବ୍ୟାପିଲା, ଏପରିକି କେବଳ ସନ୍ଦେହରେ ୪୦ରୁ ଅଧିକ ନିରପରାଧ ବ୍ୟକ୍ତିଙ୍କୁ ନିର୍ବୋଧ ଲୋକଙ୍କ ଗୋଷ୍ଠୀ ପିଟିପିଟି ହତ୍ୟା କଲେ, ତାହା ଖୁବ୍ ଉଦ୍‌ବେଗଜନକ ନିଶ୍ଚୟ। କେବଳ ପିଲାଚୋର ନୁହେଁ, ଗୋଚାଲାଣ, ଗୋହତ୍ୟା ଆଦିକୁ ନେଇ ମଧ୍ୟ ଗୁଜବ ପ୍ରଚାର ହେଉଛି, ଯେଉଁଥିରେ ଲୋକେ ନବୁଝିନଶୁଝି ମଣିଷମାନଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି। ଏ କ୍ଷେତ୍ରରେ ସାମ୍ପ୍ରଦାୟିକତା ଭଳି ପ୍ରସଙ୍ଗ ଜଡ଼ିତ ଥିବାରୁ ଏହା ପରିସ୍ଥିତିକୁ ଆହୁରି ଜଟିଳ କରିଛି। ସେ ଯାହାହେଉ, ସାମାଜିକ ଗଣମାଧ୍ୟମ କେବଳ ମିଥ୍ୟା ତଥ୍ୟ ବା ସୂଚନା ପ୍ରଚାରର ମାଧ୍ୟମ ହୋଇନାହିଁ, ମିଛ ଖବରର ଗନ୍ତାଘର ମଧ୍ୟ ପାଲଟିଛି। ଏହାକୁ ରୋକିବା ପାଇଁ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଇତିମଧ୍ୟରେ ଯେଉଁ ପ୍ରଚେଷ୍ଟା ଚଳାଇଛନ୍ତି, ତାହା ଆଦୌ ଯଥେଷ୍ଟ ମନେ ହେଉନାହିଁ। ହ୍ବାଟ୍ସଆପ୍‌ କର୍ତ୍ତୃପକ୍ଷଙ୍କୁ ସରକାର ଏହାର ଦୁରୁପଯୋଗ ରୋକିବାକୁ ପଦକ୍ଷେପ ନେବାକୁ ନିକଟରେ ଚେତାଇବା ସହ କେତେକ ପ୍ରସ୍ତାବ ଦେଇଥିଲେ; କିନ୍ତୁ କମ୍ପାନୀ ଇତିମଧ୍ୟରେ ଏହାକୁ ଗ୍ରହଣ କରିବାକୁ ଏକ ପ୍ରକାର ମନା କରିଦେଇଛି। କେନ୍ଦ୍ର ସରକାର କହିଥିଲେ ଯେ ହ୍ବାଟ୍‌ସଆପ୍ କମ୍ପାନୀ ପକ୍ଷରୁ ଏଭଳି ସଫ୍ଟୱେୟାର୍ ବିକଶିତ କରାଯାଉ ବା ଏଭଳି ପ୍ରଯୁକ୍ତି ବ୍ୟବହାର କରାଯାଉ, ଯାହାଦ୍ବାରା ଜଣାପଡ଼ିବ ଯେ କୌଣସି ମିଥ୍ୟା ବା ନକଲି ସୂଚନା ଓ ଖବରର ମୂଳଉତ୍ସ କେଉଁଠି। ଯଦି ତାହା ଜଣାପଡ଼ିବ, ତେବେ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ। ଏହା ଠିକ୍ କଥା; କିନ୍ତୁ ସାମାଜିକ ଗଣମାଧ୍ୟମର ମୌଳିକ ଚରିତ୍ରର ହିଁ ଏହା ବିରୋଧୀ। ସେଥିପାଇଁ କମ୍ପାନୀ ଏହା ଉପରେ ବିଚାର କରିବାକୁ ମନା କରିଦେଇଛି। କମ୍ପାନୀର କହିବା ଅନୁଯାୟୀ ଯଦି ସେପରି କରାଯାଏ, ତେବେ ତାହା ବ୍ୟକ୍ତିଗତ ଗୋପନୀୟତା ନୀତିର ଉଲ୍ଲଙ୍ଘନ ହେବ ଓ ତା’ର ଦୁରୁପଯୋଗର ସମ୍ଭାବନା ମଧ୍ୟ ବଢ଼ିବ। ଏହା ଅଳ୍ପ କେତେକ ଅସାମାଜିକ ତତ୍ତ୍ବ ଦ୍ବାରା ସୃଷ୍ଟ ସମସ୍ୟା ହୋଇଥିବାବେଳେ ଅନ୍ୟ ଅଗଣିତ ଲୋକଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ କ୍ଷୁଣ୍ଣ କରିବ।
ସୂଚନାଯୋଗ୍ୟ, ହ୍ବାଟ୍ସଆପ୍‌ର ତଥ୍ୟାବଳୀକୁ ପ୍ରେରକ ଓ ପ୍ରାପକ ମଧ୍ୟରେ ହିଁ ସଂରକ୍ଷିତ ରଖିବାର ବ୍ୟବସ୍ଥା କରାଯାଇଛି, ଯାହାକୁ ନିଜେ ମଧ୍ୟ ଜାଣିବାର ଅବକାଶ ନଥାଏ ବୋଲି କମ୍ପାନୀ ଦାବି କରିଆସୁଛି। କେବଳ ପ୍ରାପକ ତାକୁ ‘ଫର୍‌ୱାର୍ଡ’ କରିବାର ସୁବିଧା ରହିଛି, ଯାହାଦ୍ବାରା ବାର୍ତ୍ତା କମ୍‌ ସମୟରେ ପ୍ରଚାରିତ ହେବାର ବେଶି ସୁଯୋଗ ଥାଏ। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଭାରତରେ ‘ଫର୍‌ୱାର୍ଡ’ ବାର୍ତ୍ତା ସଂଖ୍ୟାକୁ ମଧ୍ୟ ସୀମିତ କରିଦେଇଛି ଓ ଏପରି ବାର୍ତ୍ତା ଉପରେ ‘ଫର୍‌ୱାର୍ଡେଡ’ ବୋଲି ଚିହ୍ନିତ କରୁଛି। ତେବେ ମୂଳଉତ୍ସଟି ଜାଣିବାର ବ୍ୟବସ୍ଥା ବର୍ତ୍ତମାନ ମଧ୍ୟ ନାହିଁ।
ଅପରପକ୍ଷେ, ଏବେ ଆର୍ଜେଣ୍ଟିନାରେ ଅନୁଷ୍ଠିତ ଜି-୨୦ ଡିଜିଟାଲ୍‌ ଅର୍ଥନୈତିକ ମନ୍ତ୍ରିସ୍ତରୀୟ ବୈଠକରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ କୌଣସି ସାମାଜିକ ଗଣମାଧ୍ୟମକୁ ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଦିଆଯିବ ନାହିଁ ଓ ଏହାକୁ ସରକାର ଗୁରୁତ୍ବର ସହ ନିରୀକ୍ଷଣ କରୁଛନ୍ତି। ‘କେମ୍ବ୍ରିଜ୍ ଆନାଲିଟିକା’ ନାମକ ଏକ ବ୍ରିଟିଶ କମ୍ପାନୀ ଫେସବୁକରୁ ତଥ୍ୟ ଚୋରି କରି ବିଭିନ୍ନ ଦେଶର ନିର୍ବାଚନକୁ ପ୍ରଭାବିତ କରିଥିବା ଭଳି ଘଟନା ଅତୀତରେ ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିଲା। ଉକ୍ତ କମ୍ପାନୀ ଭାରତୀୟଙ୍କ ତଥ୍ୟ ମଧ୍ୟ ଚୋରି କରିଥିବା କୁହାଯାଇଥିଲା। ସିବିଆଇ ଏହାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି। ତେବେ ‘ଡିଜିଟାଲ ଇଣ୍ଡିଆ’ର ସ୍ବପ୍ନ ଦେଖାଉଥିବା ସରକାରଙ୍କୁ ଡିଜିଟାଲ୍ ତଥ୍ୟାବଳୀର ସୁରକ୍ଷା ନିମନ୍ତେ ବହୁତ କିଛି କରିବାର ଅଛି, ତାହା ସମସ୍ତେ ଅନୁଭବ କରୁଛନ୍ତି। ସାମାଜିକ ଗଣମାଧ୍ୟମ ସହ ବ୍ୟକ୍ତିଗତ ଗୋପନୀୟତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ସେଥିନେଇ ସରକାର ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କମ୍ପାନୀଗୁଡ଼ିକ ମଧ୍ୟ ସାମାଜିକ ଗଣମାଧ୍ୟମର ପ୍ରକୃତ ଶକ୍ତିକୁ ଅକ୍ଷୁଣ୍ଣ ରଖି କିପରି ଦୁରୁପଯୋଗକୁ ଏଡ଼ାଇହେବ, ତା’ର ବ୍ୟବସ୍ଥା କରିବା ଜରୁରୀ।

Leave A Reply