ଶ୍ରେଷ୍ଠ ମାର୍ଗ

0

ସାମର୍ଥ୍ୟ ବଢ଼ିବା ସହିତ ମନୁଷ୍ୟର ଦାୟିତ୍ବ ଓ କର୍ତ୍ତବ୍ୟବୋଧ ଅନୁରୂପ ଭାବରେ ବଢ଼ିଥାଏ। ଏହା ଆର୍ଥିକ ସାମର୍ଥ୍ୟ ହେଉ ଅଥବା କ୍ଷମତା କିମ୍ବା ପ୍ରତିପତ୍ତି ହେଉ। ସାମର୍ଥ୍ୟ ବଢ଼ିଗଲେ ଜ୍ଞାନୀ ପୁରୁଷ ଏହାର ସଦୁପଯୋଗ କରିଥାଏ। ପୀଡ଼ିତ ମାନବର ଆର୍ତ୍ତିହରଣ, ସମାଜକଲ୍ୟାଣ, ସର୍ବୋପରି ମାନବତାବାଦର ଦିଶା ନିର୍ଣ୍ଣୟକାରୀ ଭାବରେ ସେ ଏହାର ସଦ୍‌ବ୍ୟବହାର କରିଥାଏ। ଅନ୍ୟପକ୍ଷରେ ଅଜ୍ଞାନ, ମୂଢ଼ବ୍ୟକ୍ତି କ୍ଷମତା ବଢ଼ିଗଲେ ଏହାର ଭୟଙ୍କର ଦୁରୁପଯୋଗ କରିଥାଏ। କ୍ଷମତା ବା ଦାୟିତ୍ବର ଅପବ୍ୟବହାର କରି ଅନ୍ୟକୁ ପୀଡ଼ା ଦେବା, ଶୋଷଣ କରିବା, ଅସୁବିଧାରେ ପକାଇ ଆତ୍ମସନ୍ତୋଷ ଲାଭ କରିବା, ଅହଂକାର ମଦମତ୍ତ ​‌େ‌ହାଇ ଅପମାନିତ କରିବାରେ ସାମର୍ଥ୍ୟ ଉପଯୋଗ କରିଥାଏ। କୌଣସି ପୁଣ୍ୟବଳରୁ କ୍ଷମତା, ବିଶେଷ ସାମର୍ଥ୍ୟର ଅଧିକାରୀ ହୋଇ ଏହାର ଅପବ୍ୟବହାର କରିବାର ପରିଣାମ ଆଦୌ ଶୁଭଙ୍କର ହୋଇନଥାଏ। ଏହାର ଭୁରିଭୁରି ଉଦାହରଣ ରହିଥିଲେ ମଧ୍ୟ ସ୍ବାର୍ଥାନ୍ବେଷୀ ମଣିଷ ଏହାକୁ ଭୁଲିଯାଇ ନାନାଭାବରେ କ୍ଷମତାର ଅସଦ୍‌ ବ୍ୟବହାର କରିଥାଏ।
ଜୟ-ବିଜୟ ଭଗବାନ ବିଷ୍ଣୁଙ୍କର ଦ୍ବାରପାଳ ଥିଲେ। ଶ୍ରେଷ୍ଠ ଦେବତାଙ୍କ ପାଖରେ ରହିଥିବାରୁ ନିଜକୁ ଦେବତାଙ୍କଠାରୁ ଶ୍ରେଷ୍ଠ ମଣୁଥିଲେ, ଅହଂକାରୀ ମଧ୍ୟ ହୋଇଯାଇଥିଲେ ବିଷ୍ଣୁଙ୍କ ନିକଟତମ ଭାବରେ। ଏହି ଅହଂକାର ତାଙ୍କୁ କର୍ତ୍ତବ୍ୟ ସୁଚାରୁରୂପେ ନିର୍ବାହ କରିବାକୁ ଦେଇନଥିଲା। ପଦକୁ ନେଇ ଖୁବ୍‌ ଅଭିମାନ ଥିଲା। ଏହି ଅହଂକାର କାରଣରୁ ଦିନେ ସନକ, ସନନ୍ଦନ, ସନତକୁମାର ଓ ସନାତନଙ୍କ ଭଳି ପ୍ରମୁଖ ଋଷିମାନଙ୍କୁ ଅପମାନିତ କରିଥିଲେ। ଦେବୋପମ ଋଷିଙ୍କୁ ଅପମାନିତ କରିବାର ପରିଣାମ ସ୍ବରୂପ ଦୁହେଁ ଶାପଗ୍ରସ୍ତ ହୋଇଥିଲେ। ସାମର୍ଥ୍ୟର ଦୁରୁପଯୋଗରେ ଅତି କଠୋର ଦଣ୍ଡ ଭୋଗିବାକୁ ପଡ଼ିଥିଲା ତିନିକଳ୍ପ ପାଇଁ। ପ୍ରଥମ ଜନ୍ମରେ ରାକ୍ଷସ ଭାବରେ ହିରଣ୍ୟାକ୍ଷ- ହରିଣ୍ୟକଶିପୁ, ଦ୍ବିତୀୟ ଜନ୍ମରେ ରାବଣ-କୁମ୍ଭକର୍ଣ୍ଣ ଓ ତୃତୀୟ ଜନ୍ମରେ ଶିଶୁପାଳ-ଦୁ​‌େ​‌ର୍ଯ୍ୟାଧନ ଭାବରେ ଜନ୍ମନେବାକୁ ପଡ଼ିଥିଲା।
ବାସ୍ତବତା ଏହା ଯେ ପଦ ଯେତେ ଉଚ୍ଚ ହେବ, ଦାୟିତ୍ବବୋଧ ସେତିକି ଗମ୍ଭୀର ହେବ। ସାମର୍ଥ୍ୟ ମଧ୍ୟ ସେତିକି ପରିମାଣରେ ଅଧିକ ହେବ। ଏହା ପଦର ଗୁରୁତ୍ବ ଅନୁସାରେ ହୋଇଥାଏ। ଅତି ଉଚ୍ଚ ପଦରେ ଥିବା ବ୍ୟକ୍ତିମାନଙ୍କର ସାଧାରଣଭାବେ ଦାୟିତ୍ବବୋଧ ଓ କର୍ତ୍ତବ୍ୟ ଢ଼େର ଅଧିକ। ପଦର ମର୍ଯ୍ୟାଦା ଉଲ୍ଲଙ୍ଘନ କଲେ, ଅର୍ଥାତ କୌଣସି ପରିସ୍ଥିତିରେ ଏହାର ସ୍ବକୀୟତାକୁ ଭୁଲିଯାଇ ଅସଦ୍‌ବ୍ୟବହାର କଲେ ସେହି ଅନୁପାତରେ ଦଣ୍ଡଭୋଗ କରିବାକୁ ହୋଇଥାଏ। ଯଦି ସାଧାରଣ ଦ୍ବାରପାଳଟିଏ ହୋଇ ଅନ୍ୟକୁ ଅପମାନିତ କରିବାର ପରିଣାମ ସ୍ବରୂପ ତିନିକଳ୍ପ ନିମନ୍ତେ ଏହି ଦଣ୍ଡଭୋଗ କରନ୍ତି। ସେ କ୍ଷେତ୍ରରେ ଅତି ଗୁରୁତ୍ବପୂର୍ଣ୍ଣ ପଦରେ ରହି ତା’ର ଦୁରୁପଯୋଗ କଲେ ଯାହା ହେବ ତାହା ପ୍ରତ୍ୟେ​‌େ​‌କ ଅନୁମାନ କରିବା କଥା। ପଦର ଗରିମାପୂର୍ଣ୍ଣ, ନ୍ୟାୟସମ୍ମତ ଉପଯୋଗ ହିଁ ସର୍ବଦା ଶ୍ରେଷ୍ଠମାର୍ଗ ଅଟେ।

Leave A Reply