ଅବିସ୍ମରଣୀୟ ରାଷ୍ଟ୍ରଭକ୍ତ

0

ଭାରତୀୟ ସ୍ବାଧୀନତା ସଂଗ୍ରାମର ତିନି ମହାନ୍‌ ରଥୀ ଭାବରେ ସୁପରିଚିତ ଲାଲ-ବାଲ-ପାଲ- ପଞ୍ଜାବ କେଶରୀ ଲାଲା ଲଜପତ ରାୟ, ବାଲ୍‌ ଗଙ୍ଗାଧର ତିଳକ ଓ ବିପିନ ଚନ୍ଦ୍ର ପାଲ। ପରାଧୀନତାର ବନ୍ଧନରୁ ଦେଶବାସୀଙ୍କୁ ମୁକ୍ତ କରିବା, ସର୍ବୋପରି ବିଦେଶୀ ଗୋରା ଶାସକଙ୍କୁ ଭାରତ ମାଟିରୁ ତଡ଼ିଦେବାପାଇଁ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ସେମାନଙ୍କ ଭଳି ଅନେକ ସଂଗ୍ରାମୀ। ସ୍ବାଧୀନତା ସମ୍ମୁଖରେ ସବୁକିଛି ତୁଚ୍ଛ କରି ଦେଇଥିଲେ। ସେମାନଙ୍କର ସ୍ବପ୍ନସାକାର ହୋଇଥିଲା ଅନେକ ବିଳମ୍ବରେ ଓ ଭାରତବାସୀ ଇଂରେଜ ଶାସନାଧୀନରୁ ମୁକ୍ତ ହୋଇ ସ୍ବାଧୀନତା ପାଇଥି​‌େ​‌ଲ।
ମହାରାଷ୍ଟ୍ରର ରତ୍ନଗିରି ଜିଲାର ବାସିନ୍ଦା ଥିଲେ ଜନୈକ ଗଙ୍ଗାଧର ତିଳକ। ତାଙ୍କର ପୁଅ ଭାବରେ ଯେଉଁ ଶିଶୁ ଭୂମିଷ୍ଠ ହୋଇଥିଲା ସେହି ଶିଶୁଟିର ନାମ ରଖାଯାଇଥିଲା ବଳବନ୍ତ ତିଳକ। ସମସ୍ତେ ଶ୍ରଦ୍ଧାରେ ବଳବନ୍ତ ସ୍ଥାନରେ ବାଳ ବୋଲି ଡାକୁଥିଲେ। ପରବର୍ତ୍ତୀ ସମୟରେ ସେ ସମସ୍ତଙ୍କ ନିକଟରେ ଏକ ଭିନ୍ନ ନାମରେ ପରିଚିତ ହୋଇଥିଲେ।
ଭାରତବର୍ଷ ଦୀର୍ଘବର୍ଷଧରି ବିଦେଶୀଙ୍କ ଶାସନାଧୀନ ଥିଲା। ବିଭିନ୍ନ ସମୟରେ ଶକ, ହୁନ୍‌, ଯବନ ଆଦିଙ୍କ ଦ୍ବାରା ଲୁଣ୍ଠନ ତଥା ଶୋଷଣର ଶିକାର ହୋଇ ସେମାନଙ୍କ ଶାସନାଧୀନ ଥିଲା। ସର୍ବଶେଷରେ ବଣିଜ କରିବାକୁ ଭାରତ ଆସିଥିବା ସୁଚତୁର ଇଂରେଜମାନଙ୍କ ଶାସନାଧୀନ ହୋଇଥିଲା। ଗୋରା ସରକାରଙ୍କ ଦ୍ବାରା ଅତିମାତ୍ରାରେ ନିର୍ଯାତିତ ଭାରତୀୟମାନଙ୍କ ମଧ୍ୟରେ ପରାଧୀନତାରୁ ମୁକ୍ତି ନିମନ୍ତେ ଦୁର୍ବାର ପିପାସା ଜାଗି ଉଠିଥିଲା ଯାହାର ଏକ ଝଲକ ଦେଖାଯାଇଥିଲା ବଳବନ୍ତଙ୍କ ଜନ୍ମର ଠିକ୍‌ ପରେ- ଏହାଥିଲା ୧୮୫୭ର ସିପାହି ବିଦ୍ରୋହ। ଏହି ବିଦ୍ରୋହ ଅସଫଳ ହୋଇଥିଲା। ଇଂରେଜମାନେ ଏହାକୁ ଦୃଢ଼ ହସ୍ତରେ ଦମନ କରିଥିଲେ ସତ, ହେଲେ ଭାରତୀୟମାନଙ୍କର ସ୍ବାଧୀନତାର ପିପାସା ଅବଦମିତ ହୋଇ ନ ଥିଲା। ଏହା ପାଉଁଶ ତଳର ନିଆଁ ଭଳି ଭିତରେଭିତରେ କାୟାବିସ୍ତାର କରିଚାଲିଥିଲା। ୧୮୫୭ର ଏହି ଅସଫଳ ବିଦ୍ରୋହ ସାକାର ହୋଇଥିଲା ୧୯୪୭ରେ- ଏହାର ୯୦ବର୍ଷ ପରେ।
ଭାରତୀୟମାନଙ୍କ ସ୍ବାଧୀନତା ସଂଗ୍ରାମର ଅଦ୍ବିତୀୟ ଯୋଦ୍ଧାଥିଲେ ବାଳଗଙ୍ଗାଧର ତିଳକ। ଭାରତୀୟମାନଙ୍କର ମନୋଭାବ ବିଶ୍ଳେଷଣ କରି ସେ ଜାଣିପାରିଥିଲେ ଯେ ସେମାନେ କେବଳ ରାଜନୀତିକ ଦୃଷ୍ଟିକୋଣରୁ ନୁହେଁ, ସାମାଜିକ, ସାଂସ୍କୃତିକ, ଆର୍ଥିକ ଦୃଷ୍ଟିକୋଣରୁ ଇଂରେଜ ସଭ୍ୟତାର ଗୋଲାମ ବନିଯାଇଛନ୍ତି। ଏଥିରୁ ସେମାନେ ମୁକ୍ତ ହେବା ସେ ସମୟର ଜରୁରୀ ଆବଶ୍ୟକତା ଥିଲା। ଏହାକୁ ଦୃଷ୍ଟିରେ ରଖି ଓକିଲାତି ପରୀକ୍ଷାରେ ଉତ୍ତୀର୍ଣ୍ଣ ​‌େ​‌ହାଇଥିଲେ ବି ଓକିଲାତି ବୃତ୍ତି ନକରି ଏକ ଶିକ୍ଷଣ ସଂସ୍ଥା ସ୍ଥାପନ କରିବାକୁ ନିଷ୍ପତ୍ତି ନେଲେ ଯେଉଁଠାରେ ସ୍ବାଭିମାନୀ, ସ୍ବାବଲମ୍ବୀ ଓ ରାଷ୍ଟ୍ରଭକ୍ତ ଯୁବକମାନଙ୍କୁ ପ୍ରଶିକ୍ଷିତ କରାଯିବାସହ ସେମାନଙ୍କୁ ଦେଶପ୍ରେମରେ ଅନୁପ୍ରେରିତ କରାଯିବ। ୧୮୮୦ ମସିହାରେ ନ୍ୟୁ ଇଂଲିଶ ସ୍କୁଲ ଓ ପରବର୍ତ୍ତୀ ସମୟରେ ୧୮୮୫ରେ ଫର୍ଗୁସନ କଲେଜ ସ୍ଥାପନ ଏବଂ ତିଳକ ସ୍କୁଲ ଅଫ୍‌ ପଲିଟିକ୍ସ ଏ ଦିଗରେ ଏକଏକ ବଳିଷ୍ଠ ପଦକ୍ଷେପ। ଏହା ତାଙ୍କର ସଂଗ୍ରାମୀ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ଥିଲା, ଯାହା କେବଳ ଦେଶପ୍ରେମୀ, ରାଷ୍ଟ୍ରଭକ୍ତ ଗଠନ ନିମନ୍ତେ ଉଦ୍ଦିଷ୍ଟ ଥିଲା। ତ୍ୟାଗପୂତ ସଂଗ୍ରାମୀ, ଉତ୍ସର୍ଗୀକୃତ ଯୋଦ୍ଧା ତଥାପି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଏହା ଭାରତୀୟ ସ୍ବାଧୀନତା ସମୟର ଏକ ସଶକ୍ତ ଆଧାର ଶିଳା ଭାବରେ ପରିଗଣିତ ହୋଇଥିଲା ପରବର୍ତ୍ତୀ ସମୟରେ।

Leave A Reply