ପାଲି ଗଡ଼ିବା ପୂର୍ବରୁ

0

ସାଧାରଣ ନିର୍ବାଚନର ପାଲି ଗଡ଼ିବା ପୂର୍ବରୁ ନେତାଏ ଦଳବଳ ଘେନି ପ୍ରସ୍ତୁତ ହେବା ଓ ରଣନୀତି ପ୍ରସ୍ତୁତ କରିବା ସାଧାରଣ କଥା। ନିର୍ବାଚନ କମିସନଙ୍କ ପ୍ରାରମ୍ଭିକ ପ୍ରସ୍ତୁତି ଓ ବିଭିନ୍ନ ରାଜନୈତିକ ଦଳଙ୍କ ସଜବାଜ ସୂଚେଇ ଦେଉଛି ଆସନ୍ତାବର୍ଷ ମାର୍ଚ୍ଚ ବେଳକୁ ଦେଶରେ ଲୋକସଭା ନିର୍ବାଚନ ହୋଇପାରେ। ତା’ପୂର୍ବରୁ ଯଦି ଏହା ହୁଏ ସେଥିରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁି। ଏକା ସାଙ୍ଗରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ବିଧାନସଭା ପାଇଁ ମଧ୍ୟ ଭୋଟ ନିଆଯାଇ ପାରେ। ଓଡ଼ିଶାର ନବୀନବାବୁ ମଧ୍ୟ ସେଥିରେ ସାମିଲ ହୋଇପାରନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦେଶବ୍ୟାପୀ ତୋଫାନୀଗସ୍ତ ଏବଂ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ଲୋକଙ୍କସହ ନିବିଡ଼ ଭାବେ ଜଡ଼ିତ ହେଉଥିବା ଘଟଣାରୁ ଅନୁମାନ କରାଯାଉଛି ଯେ ସ୍ବୟଂ ବିଜେପି ମଧ୍ୟ ଆଗୁଆ ଲୋକସଭା ନିର୍ବାଚନ ଚାହୁଁଛି।
ମୋଦୀ ଓ ବିଜେପି ନେତୃତ୍ବରେ ପରିଚାଳିତ ଏନଡିଏ ମେଣ୍ଟ ପୁନର୍ବାର କ୍ଷମତାକୁ ଫେରିବାକୁ ଆଗ୍ରହୀ ହେବା ସ୍ବାଭାବିକ। ତେଣୁ ପ୍ରଧାନମନ୍ତ୍ରୀ ଓ ତାଙ୍କ ଦଳ ୨୦୧୯ ଲୋକସଭା ନିର୍ବାଚନ ଯେ ଏଥର ରାଜନୀତି ଅପେକ୍ଷା ଅର୍ଥନୈତିକ ଉପଲବ୍ଧିକୁ ମାଧ୍ୟମ କରି ଲଢ଼ିବେ, ଏ ସଙ୍କେତ ଜଳଜଳ ଦିଶୁଛି। ଗତ ଚାରିବର୍ଷରେ ମୋଦୀ ସରକାର ଆର୍ଥିକ କ୍ଷେତ୍ରରେ ଯେଉଁସବୁ ସଫଳତା ହାସଲ କରିଛନ୍ତି, ନିନ୍ଦୁକଙ୍କ କଟାକ୍ଷସତ୍ତ୍ବେ, ସେସବୁକୁ ଅସ୍ବୀକାର କରିହେବନାହିଁ! ଭାରତ ବିଶ୍ବର ଶ୍ରେଷ୍ଠ ପଞ୍ଚମ ଅର୍ଥନୀତିର ମାନ୍ୟତା ପାଇବା, ଜିଏସ୍‌ଟିର ସଫଳ ପ୍ରବର୍ତ୍ତନ ଏବଂ ଅଧିକ ଟିକସ ଆଦାୟର ଉଜ୍ବଳ ସମ୍ଭାବନା, ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି, ଅର୍ଥନୀତିରେ ସୁଧାର ଏବଂ ବିିଭିନ୍ନ ଧ୍ବଜାଧାରୀ ଯୋଜନାର ସଫଳତା ମୋଦୀଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛି। ସାମାଜିକ କ୍ଷେତ୍ରରେ ମଧ୍ୟ କିଛି ଉଲ୍ଲେଖନୀୟ କଲ୍ୟାଣକାରୀ ଯୋଜନା ଚାଲିଛି। ଏହି ବିକାଶ କାହାଣୀରେ ଅବଶ୍ୟ ଅନେକ ଅସଂଗତି ଓ ତ୍ରୁଟିବିଚ୍ୟୁତି ରହିଛି; ତଥାପି ମୋଦୀ ଷ୍ଟାଇଲ ରାଜନୀତି ପାଇଁ ଏହା ଏକ ଭଲ ପରିବେଶ ସୃଷ୍ଟି କରିଛି। ହେଲେ ରୋଜଗାର ସୁବିଧା ଓ ନିଯୁକ୍ତି ସୁଯୋଗ ଏ ଦେଶର ଯୁବଭୋଟର ଅଧିକ ଚାହାନ୍ତି। ତେଣୁ ସେମାନଙ୍କ ଆଶା ଆକାଙ୍‌କ୍ଷା ପୂରଣ ନ’ହେଲେ ଏହା ନିର୍ବାଚନ ଫଳକୁ ପ୍ରଭାବିତ କରିଥାଏ।
ଦ୍ବିତୀୟ କଥା ମୋଦୀ ଓ ତାଙ୍କ ମେଣ୍ଟ ଲଢ଼ିବ କାହା ସହିତ? ରାଜନୈତିକ ଲଢ଼େଇ ପାଇଁ ଜାତୀୟ ମଞ୍ଚରେ ତାହାର ଏକ ଶତ୍ରୁର ଆବଶ୍ୟକତା ରହିଛି। ବାସ୍ତବତା ହେଲା କେବଳ ଏକ ଦୁର୍ବଳ କଂଗ୍ରେସ ସହିତ ଜାତୀୟସ୍ତରରେ ମୋଦୀଙ୍କୁ ମାତ୍‌ ଦେବାକୁ ଆଉ କୌଣସି ଦଳ ବା ମେଣ୍ଟନାହଁି। ବିରୋଧୀ ଦଳଗୁଡ଼ିକ ବହୁଧା ବିଭକ୍ତ ଓ ଦୁର୍ବଳ, ତେଣୁ ବାସ୍ତବ ବିରୋଧୀ ଭାବେ ଯେଉଁ କଂଗ୍ରେସ ରହିଛି ତାକୁ ନୈତିକତା ଦୃଷ୍ଟିରୁ ଅଧିକ ଦୁର୍ବଳ କରିବାକୁ ମୋଦୀ ଓ ବିଜେପି ସବୁ ମନ୍ତେ ଉଦ୍ୟମ ଜାରି ରଖିଛନ୍ତି। ସ୍ବାଧୀନ ଭାରତର ୭୦ବର୍ଷର ଶାସନକାଳ ମଧ୍ୟରୁ ଏକା ୫୪ ବର୍ଷ କ୍ଷମତାରେ ଥିବା କଂଗ୍ରେସ ଉପରେ ଦେଶର ଦାରିଦ୍ର୍ୟ ଓ ଅନ୍ୟାନ୍ୟ ଦୁର୍ଦଶା ବିଫଳତାର ସବୁ ଦୋଷ ମୋଦୀ ଲଦୁଛନ୍ତି। ମୋଦୀ ଚତୁର ଏବଂ ପରିବେଶ, ପରିସ୍ଥିତି ତାଙ୍କୁ କଂଗ୍ରେସ ଉପରେ ଅକଶ ସାଧିବାକୁ ସୁଯୋଗ ଦେଇଛି।
ଦୁର୍ବଳ କଂଗ୍ରେସର ତା’ହେଲେ ନିର୍ବାଚନ ଲଢ଼ିବାର ରଣନୀତି ଓ ଦୃଷ୍ଟିକୋଣ କ’ଣ ହେବ? ଏହା ଅତି ସରଳ; କଂଗ୍ରେସ ନିଜର ସ୍ଥିତିରେ ଉନ୍ନତି ଆଣିବାକୁ ଲଢ଼ିବ, ଏହା କ୍ଷମତାକୁ ନ’ଆସିପାରିଲେ ମଧ୍ୟ ଲୋକସଭାରେ ସର୍ବକାଳୀନ କମ୍‌ ପ୍ରତିନିଧିତ୍ବ, ୪୪ରୁ ଉପରକୁ ଉଠି ଯଦି ତିନିଅଙ୍କ ହାସଲ କରିବାରେ ସଫଳ ହୁଏ, ତାହା ତା’ ପାଇଁ ଓ ଦଳର ଯୁବସଭାପତିଙ୍କ ପାଇଁ ଏକ ବଡ଼ ଉପଲବ୍ଧି ହେବ। ସାଧାରଣ ରାଜନୈତିକ ବୁଦ୍ଧି ବିଚାର କହୁଛି ମୋଦୀଙ୍କୁ ରାଜନୈତିକ ଚାଲେଞ୍ଜ ଦେବାର ସ୍ଥିତିରେ କେହି ନଥିବାରୁ ସେ ପୁଣି ଜିତିବେ। ହେଲେ ରାଜନୀତିରେ ସେ କଥା ଘଟିବ ବୋଲି ଧରି ନିଆଯାଇ ନ’ପାରେ। ବାଜପେୟୀ ସରକାର ମଧ୍ୟ ଏକାଭଳି ଭାବି ‘ଉତ୍ତମ ଅନୁଭବ’ରେ ଆପଣାଛାଏଁ ମାତି କ୍ଷମତାଚ୍ୟୁତ ହୋଇଥିଲେ। କେବଳ ଆର୍ଥିକ ବିକାଶ ନିର୍ବାଚନରେ ବିଜୟ ଆଣେ ନାହିଁ; ଏହା ସହିତ ସାମାଜିକ, ଜାତିଗତ ଓ ରାଜନୈତିକ ସମୀକରଣର ଯତ୍ନ ନେବାକୁ ପଡ଼େ।
ଦେଶର ଅର୍ଥନୀତିର ବିକାଶ ଓ ଲୋକଙ୍କ ସ୍ଥିତିରେ ଉନ୍ନତି ଘେନି ମୋଦୀ ଯେତେ କାହାଣୀ, ପରିସଂଖ୍ୟାନ ଓ ଉଦାହରଣ ଦେଲେ ମଧ୍ୟ ସତ କଥା ହେଲା, ଯାହା କୁହାଯାଉଛି ଓ ପ୍ରଚାର ଚାଲିଛି, ଦେଶର ଅର୍ଥନୀତିର ବାସ୍ତବ ସ୍ଥିତି ସେୟା ନୁହେଁ। ତେଣୁ ରାଜନୀତି ଗୁଳା ବାହା‌େ‌ର ଥିବା ଅର୍ଥନୈତିକ କାରଣଗୁଡ଼ିକ ମୋଦୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଏହାର ପ୍ରଭାବ ଅବଶ୍ୟ ୨୦୧୯ ନିର୍ବାଚନ ଉପରେ ପଡ଼ିବ। ମୋଦୀ ଏବେ ଯେଉଁ ଅପ୍ରତିଦ୍ବନ୍ଦ୍ବୀ ସ୍ଥିତିରେ ଅଛନ୍ତି ଆସନ୍ତା କେଇ ମାସ ମଧ୍ୟରେ ସେ ତାଙ୍କର ରାଜନୈତିକ ଗଣିତ କଷି ଭୋଟ ଗୋଟାଇବାର ନୂଆ କୌଶଳ ଯଦି ପ୍ରୟୋଗ ନ’କରନ୍ତି, ତାଙ୍କ ଆର୍ଥିକ ବିକାଶ ହୁଙ୍କାର ଓ କଂଗ୍ରେସ-ଭର୍ତ୍ସନା ତାଙ୍କ ପାଇଁ ଜୟମାଲ୍ୟ ଆଣି ନ’ପାରେ। ଭାରତୀୟ ଭୋଟରଙ୍କ ବୈଚିତ୍ର୍ୟ ହେଲା ସେମାନେ ବେଳେବେଳେ ସରକାରଙ୍କୁ ହଟାଇବା ପ୍ରୟାସରେ ବିକଳ୍ପ ଦଳ/ ମେଣ୍ଟକୁ ମଧ୍ୟ ପୂର୍ଣ୍ଣ ବହୁମତ ଦେବାକୁ ଭୁଲିଯାଆନ୍ତି ଯାହା ଝୁଲା ସଂସଦ ସୃଷ୍ଟି କରିଥାଏ। ଏହାର ଏକାଧିକ ନଜିର ରହିଛି।

Leave A Reply