ସୂର୍ଯ୍ୟରେ ଲେଖିବା ନାଁ

0

ପ୍ରମୋଦ କୁମାର ମହାପାତ୍ର

ଅଗଷ୍ଟ ୧୨; ରବିବାର ଭୋର ୩ଟା ୩୧ମିନିଟ। ଏହିଦିନ ବୈଜ୍ଞାନିକମାନେ ସାଧାରଣ ଲୋକଙ୍କ ପାଇଁ ଏକ ଅବିଶ୍ବସନୀୟ, ଆଶ୍ଚର୍ଯ୍ୟଜନକ ଘଟଣା କ୍ରମରେ ଜଳନ୍ତା ପିଣ୍ଡ ସୌରଜଗତର ନିୟନ୍ତ୍ରକ ସୂର୍ଯ୍ୟଙ୍କ ସମ୍ପର୍କରେ ଗବେଷଣା କରିବାକୁ ଏକ ଗବେଷଣାଯାନ ପ୍ରେରଣ କରି ଅସମ୍ଭବକୁ ସମ୍ଭବ କରିବାରେ ସଫଳହେଲେ। ସୂର୍ଯ୍ୟ ସୌରଜଗତର ଏକମାତ୍ର ନକ୍ଷତ୍ର। ଅବଶ୍ୟ ବିଶ୍ବ ବ୍ରହ୍ମାଣ୍ଡରେ ଅଗଣିତ ନକ୍ଷତ୍ରଙ୍କ ମଧ୍ୟରେ ଯୋଡ଼ିଯୋଡ଼ି ହୋଇ ରହିଥିବା ଅନେକ ନକ୍ଷତ୍ରଙ୍କୁ ଦେଖିବାକୁ ମିଳେ। ଆମ ନକ୍ଷତ୍ର ସୂର୍ଯ୍ୟ କେବଳ ଯେ ଆମ ପୃଥିବୀ ଗ୍ରହଠାରୁ ପ୍ରାୟ ୧୫କୋଟି କିଲୋମିଟର ଦୂରରେ ରହିଛି ତାହା ନୁହେଁ, ଏହା ପୃଷ୍ଠଦେଶର ତାପମାତ୍ରା ପ୍ରାୟ ୨କୋଟି ଡିଗ୍ରୀ ସେଲସିୟସ ହୋଇଥିବାବେଳେ ଏହାର ପାର୍ଶ୍ବ ଅଞ୍ଚଳର ତାପମାତ୍ରା ୬ହଜାର ଡିଗ୍ରୀ ସେଲସିୟସ। ଏଭଳି ପ୍ରଚଣ୍ଡ ତାପରେ ଅହରହ ଜଳୁଥିବା ଏକ ଅଗ୍ନିପିଣ୍ଡୁଳାର ତାପମାତ୍ରାକୁ ଆମେ ସମସ୍ତେ ସୂର୍ଯ୍ୟଙ୍କଠାରୁ ଏତେ ଦୂରରେ ଥାଇ ମଧ୍ୟ ଗ୍ରୀଷ୍ମଦିନେ ଟାଣଖରାରେ କେତେ ମିନିଟ ଠିଆ ହୋଇଗଲେ ଅନୁଭବ କରିଥାଉ। ପୃଥିବୀ ପୃଷ୍ଠର ମଣିଷ ସମେତ ସମସ୍ତ ଜୀବଜନ୍ତୁ, ଉଦ୍ଭିଦଙ୍କ ଭଳି ସଜୀବ ସର୍ବାଧିକ ୪୫/୫୦ଡିଗ୍ରୀ ସେଲିସିୟସ ତାପମାତ୍ରା ସମ୍ଭାଳି କୌଣସି ମତେ ବଞ୍ଚିରହିବାରେ ସକ୍ଷମ ହେଉଥିବାବେଳେ ଏହାଠାରୁ ସାମାନ୍ୟ ତାପମାତ୍ରା ବୃଦ୍ଧିପାଇଲେ ପୃଥିବୀ ହୁଏତ ଜୀବନଶୂନ୍ୟ, ବୁଧ, ଶୁକ୍ର ଓ ଅନ୍ୟଗ୍ରହଙ୍କ ଭଳି ଏକ ନିରବ ନିସ୍ତବ୍ଧ ଗ୍ରହ ହେବା ନିଶ୍ଚିତ ମନେହୁଏ। ଆମେ ଭାଗ୍ୟବାନ ଯେ ଆମ ବାସସ୍ଥାନ ପୃଥିବୀ ଗ୍ରହ ସୌରଜଗତରେ ସୂର୍ଯ୍ୟଙ୍କଠାରୁ ଏପରି ଏକ ନିର୍ଦିଷ୍ଟ ଦୂରତାରେ ରହିଛି ଯାହା ଜୀବନର ସୃଷ୍ଟି ତଥା ବିକାଶ ପାଇଁ ସହଯୋଗୀ।
ତେବେ ଯୁକ୍ତରାଷ୍ଟ୍ର ଆମେରିକା ୧୫୦ କୋଟି ଆମେରିକୀୟ ଡଲାର ଭଳି ବିପୁଳ ଅର୍ଥ ବ୍ୟୟକରି ସୂର୍ଯ୍ୟଙ୍କ ନିକଟକୁ ଏହି ମାନବବିହୀନ ଗବେଷଣା ଯାନପ୍ରେରଣ କରିଛି କାହିଁକି ଓ ଏଥିରୁ ଆମେ କିଭଳି ଉପକାର ପାଇବୁ ତାହାହିଁ ଅନେକଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମ ପୁଣି ଅନେକ କ୍ଷେତ୍ରରେ ପୃଥିବୀବାସୀଙ୍କ ପାଇଁ ପ୍ରଥମ ଗବେଷଣା କାର୍ଯ୍ୟ ​‌େ​‌ହାଇ ଉଲ୍ଲେଖନୀୟ ସ୍ବୀକୃତି ହାସଲ କରିଛି। କୌଣସି ଏକ ନକ୍ଷତ୍ର ନିକଟକୁ ଏହା ମଣିଷର ପ୍ରଥମ ଯାନ ପ୍ରେରଣ ହୋଇଥିବାବେଳେ ଏହା ବର୍ତ୍ତମାନ ସୁଦ୍ଧା ମହାକାଶକୁ ପ୍ରେରିତ ସମସ୍ତ ଯାନ ମଧ୍ୟରେ ସର୍ବାଧିକ ବେଗଗାମୀ। ଘଣ୍ଟାପ୍ରତି ଏହାର ବେଗ ୬୯୨ ହଜାର କିଲୋମିଟର। ଅର୍ଥାତ୍‌ ଏହି ବେଗରେ ଆମେ ପୃଥିବୀ ପୃଷ୍ଠରେ ଯାତ୍ରାକଲେ ନ୍ୟୁୟର୍କ ସହରରୁ ଟୋକିଓ ସହରରେ ପହଞ୍ଚିବାକୁ ୧ ମିନିଟ ସମୟ ବା ଦିଲ୍ଲୀରୁ ମୁମ୍ବଇରେ ପହଞ୍ଚିବାକୁ ମାତ୍ର ୭ ସେକେଣ୍ଡ ସମୟ ଲାଗିବ। ସୂର୍ଯ୍ୟଠାରୁ ପ୍ରାୟ ୬୧ ନିୟୁତ କିଲୋମିଟର ଦୂରରେ ପହଞ୍ଚିବା ପରେ ଏହା ସୌରଝଡ଼, ସୌରଶିଖା ଇତ୍ୟାଦି ସମ୍ପର୍କରେ ଗବେଷଣା କରିବ।
ଆମେରିକାର ପ୍ରଖ୍ୟାତ ବୈଜ୍ଞାନିକ ୯୧ ବର୍ଷବୟସ୍କ ୟୁଜିନ ପାର୍କରଙ୍କ ନାମ ଅନୁସାରେ ନାମିତ ଏହି ଗବେଷଣାଯାନର ଉତ୍‌କ୍ଷେପଣ ସମୟରେ ନିଜେ ପାର୍କର ଫ୍ଲୋରିଡ଼ାସ୍ଥିତ ଉତ୍‌କ୍ଷେପଣ କେନ୍ଦ୍ରରେ ରହି ଏଭଳି ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ପାଇଁ ନିଜେ ଖୁସି ବ୍ୟକ୍ତ କରି ଯାହା କହିଥିଲେ ତାହା ଉଲ୍ଲେଖଯୋଗ୍ୟ। ୬୦ବର୍ଷ ତଳେ ୧୯୫୮ ମସିହାରେ ପାର୍କର ହିଁ ନିଜେ ପ୍ରଥମେ ସୌରଝଡ଼ ସମ୍ପର୍କରେ ସୂଚନା ଦେଇଥିଲେ। ପାର୍କର କହିଥିଲେ ସୂର୍ଯ୍ୟ ଅନେକ ବିସ୍ମୟର ଏକ ଅଜଣା ଜଳନ୍ତା ପିଣ୍ଡ। ବର୍ଷବର୍ଷ ଧରି ଭାରତର ତାଜମହଲର ଫଟୋଚିତ୍ର ଦେଖିଲେ ଯେପରି ପ୍ରକୃତ ତାଜମହଲର ସୌନ୍ଦର୍ଯ୍ୟ ନିଜେ ଭାରତଯାଇ ଏହାକୁ ନଦେଖିବାଯାଏ ଜଣାପଡ଼େ ନାହିଁ, ସେହିପରି ସୂର୍ଯ୍ୟଙ୍କ ସମ୍ପର୍କରେ ଆମେ କହୁଥିବା ତଥ୍ୟ ଓ ଏହାର ଅସଲ ରୂପଦର୍ଶନ ପରେ ରୂପ ଓ ତଥ୍ୟ ମଧ୍ୟରେ ଅନେକ ତଫାତ୍‌ ରହିଛି। ସାତବର୍ଷ କାଳ ଗତିକରି ଏହି ଗବେଷଣାଯାନ ୨୦୨୪-୨୦୨୫ ମସିହାବେଳକୁ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବ ଏବଂ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରିବା ଭିତରେ ୨୪ଥର ଜ୍ବଳନ୍ତ ଶିଖା କରୋନାକୁ ଭେଦ କରିବ। ତେବେ ପ୍ରଶ୍ନ ହେଉଛିଏଭଳି ଏକ ଗବେଷଣାରୁ ଆମେ କେଉଁସବୁ ତଥ୍ୟ ଲାଭ କରିବୁ?
ମାନବବିହୀନ ଏକ କାର ଆକୃତିର ୬୧୨ କିଲୋଗ୍ରାମ ଓଜନର ଓ ୯ଫୁଟ ୧୦ ଇଞ୍ଚ ଲମ୍ବର ଏହି ଗବେଷଣାଯାନର ମୁଖ୍ୟ କାର୍ଯ୍ୟ ହେଲା ସୌରବାୟୁ ଓ ଝଡ଼ ଉପରେ ଗବେଷଣା। ଆମେ ଜାଣୁ ଯେ ସୂର୍ଯ୍ୟଙ୍କଠାରୁ ସୃଷ୍ଟିହୋଇ ମହାକାଶରେ କ୍ଷିପ୍ର ବେଗରେ ବେଳେବେଳେ ଗତିକରି ପୃଥିବୀ ମୁହଁା ଆସୁଥିବା ଏହି ପ୍ରଚଣ୍ଡ ଶକ୍ତିଶାଳୀ ସୌରଝଡ଼ ପ୍ରଭାବରେ ପୃଥିବୀର ଚୁମ୍ବକୀୟ ବଳୟଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ଅହରହ କାର୍ଯକ୍ଷମ ଥିବା କୃତ୍ରିମ ଉପଗ୍ରହ, ଯୋଗାଯୋଗ ବ୍ୟବସ୍ଥା, ଶକ୍ତିକେନ୍ଦ୍ର ଇତ୍ୟାଦି ଅଚଳ ହେବାସହ ଅନେକ କ୍ଷତି ପହଞ୍ଚାଇଥାଏ। ଏଭଳି ସୌରଝଡ଼ର ସୃଷ୍ଟି ସମ୍ପର୍କରେ ବିସ୍ତୃତ ତଥ୍ୟ ଆମେ ଜାଣିପାରିଲେ ଏହାର ଆଗୁଆ ସୂଚନା ବୈଜ୍ଞାନିକମାନେ ଦେବାସହ ଏସବୁ ଯନ୍ତ୍ରପାତିକୁ ଏହାର କୁପ୍ରଭାବରୁ ରକ୍ଷାକରି କୋଟିକୋଟି ଟଙ୍କାର ମୂଲ୍ୟବାନ ଯନ୍ତ୍ରାଂଶକୁ ସୁରକ୍ଷିତ ରଖିପାରିବା। ଆମେ ଜାଣୁ ଯେ ସୂର୍ଯ୍ୟ ନଥିବା ଜୀବନ୍ତ ପୃଥିବୀ ଅସମ୍ଭବ। ଆମେ ତ ସୂର୍ଯ୍ୟଙ୍କ ନିକଟକୁ କେବେ ଯାଇପାରିବା ନାହିଁ, କିନ୍ତୁ ଏବେ ପଠାଇଥିବା ଯାନକୁ ଟିଟାନିୟମ, ଜିକୋନିୟମ ଓ ସୋଲିବିଡ଼େନିୟମର ମଧ୍ୟତାରେ ତାପ ବିରୋଧୀ କରି ଶକ୍ତଭାବେ ନିର୍ମାଣ କରିବାସହିତ ଏହାର ବାହ୍ୟ ଅଂଶକୁ ପ୍ରାୟ ସାଢ଼େ ୪ଇଞ୍ଚ ପ୍ରସ୍ଥର ଏକ ତାପରୋଧକ ଆବରଣ ଭିତରେ ରଖି ଏହାକୁ ଏପରି ନିର୍ମାଣ କରିଛୁ ଯାହାକି ସୂର୍ଯ୍ୟ ନିକଟର ପ୍ରଚଣ୍ଡ ତାପରେ ତରଳିଯିବ ନାହିଁ, ବରଂ ବାହାରର ତାପମାତ୍ରା ୧୩୭୧ ଡିଗ୍ରୀ ସେଲସିୟସ ବା ପୃଥିବୀର ତାପମାତ୍ରା ଠାରୁ ଅଧିକ ୫୦୦ଗୁଣ ତାପମାତ୍ରା ଯାଏ କାର୍ଯ୍ୟକ୍ଷମ ରହିପାରିବ। କରୋନାର ତାପମାତ୍ରା, ସୂର୍ଯ୍ୟପୃଷ୍ଠର ତାପମାତ୍ରା ମଧ୍ୟ ଜାଣିବାକୁ ଓ ଅଧିକ ତଥ୍ୟ ହାସଲ କରାଯିବାକୁ ଚେଷ୍ଟା କରାଯିବ।
ଏହି ଅଭିଯାନରେ ଯେଉଁ କୌତୂହଳପ୍ରଦ ବିଷୟଟି ରହିିଛି ତାହା ହେଲା ଏଥିରେ ମଣିଷଙ୍କ ସାଙ୍କେତିକ ଉପସ୍ଥିତି। ମଣିଷ ସ୍ବଦେହରେ ଏଥିରେ ବସି ସୂର୍ଯ୍ୟ ନିକଟକୁ ନଗଲେ ମଧ୍ୟ ବୈଜ୍ଞାନିକମାନେ ଏକ ମେମୋରି କାର୍ଡ଼ରେ ପୃଥିବୀର ୧୧ଲକ୍ଷ ୩୭ହଜାର ୨୦୨ ଲୋକଙ୍କ ନାମ ଲେଖି ଏହି ଯାନରେ ପ୍ରେରଣ କରିଛନ୍ତି। ସ୍ମାରକୀଭା​‌େ​‌ବ ଏସବୁ ନାଁ ତ ସୂର୍ଯ୍ୟଙ୍କୁ ସ୍ପର୍ଶ କରିବ, ଯାହାଙ୍କୁ ଛୁଇଁବା ହୁଏତ ଜୀବନ୍ତ ମଣିଷପକ୍ଷେ ଅସମ୍ଭବ ମନେହୁଏ। ମଣିଷର ନାଁ ସୂର୍ଯ୍ୟଙ୍କୁ ଛୁଇଁବା ବିଜ୍ଞାନୀ ମାନବର ଏକ କୌତୂହଳପ୍ରଦ ତଥା ଗୁରୁତ୍ବପୂର୍ଣ୍ଣ ଗବେଷଣା ନୁହେଁକି? ସବୁଠାରୁ ଉଲ୍ଲେଖନୀୟ ହେଉଛି ମଣିଷର ଜଳନ୍ତାପିଣ୍ଡ ସୂର୍ଯ୍ୟ ଅଭିମୁଖେ ଯାତ୍ରା ଯୋଜନା ପାଇଁ ସାହସ କରିବା ଓ ଏଥିରେ ସଫଳତା ହାସଲ କରିବା।
ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, କଟକ- ୮

Leave A Reply