ଅନନ୍ୟ ସମ୍ଭାଷଣ

0

ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଅଶ୍ବମେଧ ଯଜ୍ଞ କରିବାକୁ ନିଷ୍ପତ୍ତି ନେଇଥିଲେ। ସର୍ବଲକ୍ଷଣଯୁକ୍ତ ଅଶ୍ବକୁ ପରିକ୍ରମା ନିମନ୍ତେ ପଠାଯାଇଥିଲା। ଅଶ୍ବରକ୍ଷା ଦାୟିତ୍ବ ଥିଲା ଏକାନ୍ତ ପ୍ରଭୁଭକ୍ତ ଶ୍ରୀ ହନୁମାନ, ଭ୍ରାତା ଶତ୍ରୁଘ୍ନ, ଅଙ୍ଗଦ, ଦଧିମୁଖି, ନଳ, ସୁଗ୍ରୀବ ପ୍ରମୁଖଙ୍କ ଉପରେ। ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଯଜ୍ଞାଶ୍ବକୁ ସର୍ବତ୍ର ସ୍ବାଗତ କରାଯାଉଥାଏ। ପରିକ୍ରମା ପଥରେ ଅଶ୍ବ ଭୃଗୁ ମୁନିଙ୍କ ପୁତ୍ର ମହର୍ଷି ଚ୍ୟବନଙ୍କ ଆଶ୍ରମରେ ପହଞ୍ଚିଥିଲା। କମନୀୟ ପରିବେଶ ମଧ୍ୟରେ ଚ୍ୟବନ ଋଷିଙ୍କ ଆଶ୍ରମ ଦେଖି ସମସ୍ତେ ବିମୋହିତ ହୋଇଯାଇଥିଲେ।
ଶତ୍ରୁଘ୍ନ ନମ୍ରତା ସହକାରେ ଋଷି ଚ୍ୟବନଙ୍କୁ ଆପଣା ପରିଚୟ ଦେଇ, ଯଜ୍ଞରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଚ୍ୟବନ ଋଷିଙ୍କ ଆନନ୍ଦର ସୀମା ନଥିଲା। ଏହା ଥିଲା ତାଙ୍କ ପାଇଁ ମହାର୍ଘ ଅବସର। ମର୍ଯ୍ୟାଦା ପୁରୁଷୋତ୍ତମ, ସତ୍ୟନିଷ୍ଠ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭ୍ରାତା ଶତ୍ରୁଘ୍ନଙ୍କୁ ଆଶୀର୍ବାଦ କରି ଆଶ୍ରମର ଋଷିମାନଙ୍କୁ ଚ୍ୟବନ କହିଥିଲେ, ରୁଷିଗଣ! ଯାହାଙ୍କ ନାମ ସ୍ମରଣ ମାତ୍ରେ ସକଳ ପାପରାଶି ଧୌତ ହୋଇଯାଏ, ଘୋର ପାପୀ ମଧ୍ୟ ପରମଗତି ପ୍ରାପ୍ତ ହୋଇଥାଏ, ଯିଏ ମୁକ୍ତିଦାତା, ସେହି ପରମପୁରୁଷ ଶ୍ରୀରାମଚନ୍ଦ୍ର ଅଶ୍ବମେଧ ଯଜ୍ଞ କରୁଛନ୍ତି। ମୋର ପରମ ସୌଭାଗ୍ୟ ଯେ ମୁଁ ନିଜ ତପସ୍ୟାର ଫଳ ସ୍ବରୂପ ସେହି ପରମ କରୁଣାମୟଙ୍କ ଯଜ୍ଞରେ ଯୋଗଦେଇ ତାଙ୍କର ଦର୍ଶନ ଲାଭ ସୁଯୋଗ ପାଇବି, ମୋର ଜୀବନ ଧନ୍ୟ ହେବ।
ଅତ୍ୟନ୍ତ ଭାବବିହ୍ବଳିତ ହୋଇପଡ଼ିଥିଲେ ଋଷି ଚ୍ୟବନ। ତାଙ୍କର ଚକ୍ଷୁଯୁଗଳ ପ୍ରେମାଶ୍ରୁରେ ଢ଼ଳଢ଼ଳ ହୋଇଯାଇଥିଲା। ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ କହିଥିଲେ- ନିଜର ପଦରଜରେ ନିଖିଳ ବ୍ରହ୍ମାଣ୍ଡକୁ ପବିତ୍ର କରୁଥିବା ପ୍ରଭୁଙ୍କ ଦର୍ଶନ ଲାଭର ଦୁର୍ଲଭ ସୁଯୋଗ ମିଳିଛି। ଯଜ୍ଞ​‌େ​‌ର ଯୋଗଦେଇ ତାଙ୍କର ଦର୍ଶନଲାଭ କରି ମୁଁ କୃତାର୍ଥ ହେବି। ଭାବିବିଭୋର ​‌େ​‌ହାଇ କହିଥିଲେ- ହେ ରଘୁନନ୍ଦନ! ହେ ଧର୍ମମୂର୍ତ୍ତି ! ଆପଣଙ୍କ ପାବନଚରଣ ରଜ ପ୍ରଦାନ କରି ମୋତେ ପାପତାପ ପରିପୂର୍ଣ୍ଣ ଏହି ସଂସାର ସାଗରରୁ ଉଦ୍ଧାର କରନ୍ତୁ।
ନିମନ୍ତ୍ରଣ ରକ୍ଷା କରି ଋଷି ଚ୍ୟବନ ସପରିବାର ଅନ୍ୟ ଋଷିମାନଙ୍କ ପରିବେଷ୍ଟିତ ହୋଇ ଯଜ୍ଞସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲେ। ଚ୍ୟବନ ପଦଯାତ୍ରାରେ ଯଜ୍ଞସ୍ଥଳ ଅଯୋଧ୍ୟା ଅଭିମୁଖେ ଯାଉଥିବା ଦେଖି ହନୁମାନଙ୍କୁ ଅସୁଖ ଲାଗିଥିଲା। ନିମନ୍ତ୍ରିତ ଅତିଥିଙ୍କୁ ବିଶେଷ ସମ୍ଭାଷଣପୂର୍ବକ ଶତ୍ରୁଘ୍ନଙ୍କର ଅନୁମତି ନେଇ ହନୁମାନ ପରମ ଆନନ୍ଦରେ ଋଷିଙ୍କୁ ପିଠିରେ ବସାଇ ଅଯୋଧ୍ୟା ନେଇଯାଇଥିଲେ। ଖୁବ୍‌ କମ୍‌ ସମୟ ମଧ୍ୟରେ ଅଯୋଧ୍ୟାରେ ପହଞ୍ଚାଇ ଦେଇଥିବାରୁ ଚ୍ୟବନ ହନୁମାନଙ୍କୁ ଅନେକ ଆଶୀର୍ବାଦ କରିଥିଲେ। ଶ୍ରୀରାମ ମଧ୍ୟ ଚ୍ୟବନଙ୍କୁ ଦର୍ଶନ କରି ଅତ୍ୟନ୍ତ ଆନନ୍ଦିତ ହେବାସହ ତାଙ୍କର ଯଥୋଚିତ ଅଭ୍ୟର୍ଥନା କରିଥିଲେ।

Leave A Reply