ଅଯଥା ଅହଂ

0

କେରଳର ବନ୍ୟାବିଧ୍ବସ୍ତ ଅଞ୍ଚଳରୁ ଯେତିକିଯେତିକି ପାଣି କମୁଛି, ବିପର୍ଯ୍ୟୟର ଭୟାନକ ଓ କରୁଣ ଚିତ୍ର ସେତିକି ଫୁଟିଉଠୁଛି। ହଜାରହଜାର ଲୋକଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ବହୁ ବସବାସଯୋଗ୍ୟ ହୋଇ ରହିନାହିଁ। ସେହିପରି ରାସ୍ତାଘାଟ, ପୋଲ ଆଦି ଧୋଇ ହୋଇଯାଇଛି। ବହୁ ଅଞ୍ଚଳ ଏବେ ମଧ୍ୟ ଜଳ, ବିଦ୍ୟୁତ୍‌, ପରିବହନ ଯୋଗାଯୋଗ ବିଚ୍ଛିନ୍ନ। ୧୪ଟି ଜିଲାରୁ ୧୧ଟି ଜିଲା ଗୁରୁତର ଭାବେ ବନ୍ୟାପ୍ରଭାବିତ ହୋଇଥିବା ଜଣାଯାଇଛି। ଲକ୍ଷାଧିକ ଲୋକ ଏବେମଧ୍ୟ ବାସଶୂନ୍ୟ ହୋଇ ରିଲିଫ୍ ଶିବିରମାନଙ୍କରେ ଆଶ୍ରୟ ନେଇଛନ୍ତି, ଯାହାଙ୍କ ପାଇଁ ତ୍ବରିତ୍‌ ସାହାଯ୍ୟ ସହାୟତା ଅତି ଜରୁରୀ। ଏହି ବନ୍ୟାରେ ଅତି କମ୍‌ରେ ୨୫ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଥିବାବେଳେ ପୁନର୍ନିମାଣ ଓ ଥଇଥାନ ନିମନ୍ତେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ଆବଶ୍ୟକ ପଡ଼ିବ ବୋଲି ଆନୁମାନିକ ଆକଳନ କରାଯାଇଛି। ଏପରି ସ୍ଥଳେ କେବଳ ଆପଣାର ଅହଂ ବା ବଡ଼ିମା ଦେଖାଇବାକୁ ଯାଇ ଅନ୍ୟର ସାହାଯ୍ୟ ସହାୟତାକୁ ଉପେକ୍ଷା କରିବା କେତେ ଠିକ୍, ତାହା ବିଚାରଯୋଗ୍ୟ। ଏହା କହିବାକୁ ପଡ଼ୁଛି ଏଇଥିପାଇଁ ଯେ ସଂଯୁକ୍ତ ଆରବ ଏମିରେଟ୍ସ ଦେଶ ୭୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ଚାହୁଥିବାବେଳେ କେନ୍ଦ୍ର ସରକାର ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ଖବରକାଗଜ ବିବରଣୀଗୁଡ଼ିକରୁ ଜାଣିବାକୁ ମିଳୁଛି।
ଏହାର କାରଣ ସ୍ବରୂପ ୟୁପିଏ ସରକାର ଅମଳରେ ନିଆଯାଇଥିବା ଏକ ନିଷ୍ପତ୍ତିକୁ ଦର୍ଶାଯାଉଛି, ଯାହାକୁ ଦେଖାଇ ମନମୋହନ ସିଂହଙ୍କ ସରକାର କୌଣସି ବିଦେଶୀ ସରକାରଙ୍କଠାରୁ ଆର୍ଥିକ ସହାୟତା ଗ୍ରହଣ କରିବାକୁ ମନା କରିଦେଇଥିଲେ। ତେବେ ଭୁଲିଯିବା ଅନୁଚିତ ଯେ ୨୦୦୪ ଡିସେମ୍ବର ସୁନାମି ପରବର୍ତ୍ତୀ ସମୟରେ ୟୁପିଏ ସରକାର ଯେତେବେଳେ ଅନୁଭବ କଲେ ଯେ ପୁନର୍ବାସ ଓ ପୁନର୍ନିର୍ମାଣ ପାଇଁ ଅଧିକ ଅର୍ଥ ଆବଶ୍ୟକ, ସେତେବେଳେ ଉପଯୁକ୍ତ ବାଟ ଦେଇ ଅନୁଦାନ ଗ୍ରହଣର ବ୍ୟବସ୍ଥା କଲେ। ଏହାଠାରୁ ବି ଗୁରୁତ୍ବପୂର୍ଣ୍ଣ କଥା ହେଲା ବର୍ତ୍ତମାନର ଏନ୍‌ଡିଏ ସରକାର ଗତ ୨୦୧୬ ମେ’ରେ ଯେଉଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା (ଏନ୍‌ଡିଏମ୍‌ପି) ପ୍ରଣୟନ କରିଛନ୍ତି, ସେଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ ଅନ୍ୟ ଦେଶଦ୍ବାରା ସ୍ବେଚ୍ଛାରେ ପ୍ରଦତ୍ତ ଆର୍ଥିକ ସହାୟତା ଗ୍ରହଣ କରାଯାଇପାରିବ। ଅତଏବ ଏମିରେଟ୍ସ ଦ୍ବାରା ସ୍ବେଚ୍ଛାରେ ପ୍ରଦତ୍ତ ବିଶାଳ ସହାୟତା ରାଶିକୁ ଗ୍ରହଣ କରିବାରେ ସମସ୍ୟା କାହିଁକି ହେଉଛି ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍‌ ଯେଉଁ ପ୍ରଶ୍ନ କରିଛନ୍ତି, ତାହା ଅଯଥାର୍ଥ ନୁହେଁ। ସେଠାକାର ଅର୍ଥମନ୍ତ୍ରୀ ଥମାସ୍ ଆଇଜାକ୍ କହିଛନ୍ତି ଯେ ଯଦି କେନ୍ଦ୍ର ସରକାର ଏ କ୍ଷେତ୍ରରେ ନକାରାତ୍ମକ ମନୋଭାବ ଆପଣାନ୍ତି, ତେବେ କେରଳକୁ ସେତିକି ଅଧିକ ଅର୍ଥ ଯୋଗାଇ ଦିଅନ୍ତୁ।
ପ୍ରତ୍ୟେକ ଦେଶ କେବେ ନା କେବେ ପ୍ରାକୃତିକ ବିପର୍ଯ୍ୟୟ କବଳିତ ହୋଇଥାଏ। ସେତେବେଳେ ନିଜେ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଅନ୍ୟର ସାହାଯ୍ୟ ସହାୟତା ଆବଶ୍ୟକ କରେ। ଏଭଳି ସାହାଯ୍ୟ ସହାୟତା କେବଳ ମାନବୀୟ ସମ୍ପର୍କକୁ ଦୃଢ଼ କରିନଥାଏ, ଦେଶ-ଦେଶ ଭିତରେ ସମ୍ବନ୍ଧକୁ ମଧ୍ୟ ଆତ୍ମୀୟତାସଂପନ୍ନ କରିଥାଏ। ଆଧୁନିକ ବିଶ୍ବ ପାଇଁ ଏହା ବେଶି ଗୁରୁତ୍ବପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟଗ୍ରସ୍ତ ଦେଶକୁ ଅନ୍ୟ ଦେଶଗୁଡ଼ିକ ବିଭିନ୍ନ ପ୍ରକାରେ ସାହାଯ୍ୟ କରିଆସିଛନ୍ତି। ଏପରିକି ଆମେରିକା, ଜାପାନ ଭଳି ବିକଶିତ ଓ ସମୃଦ୍ଧ ଦେଶଗୁଡ଼ିକ ମଧ୍ୟ ଅନ୍ୟ ଦେଶର ସାହାଯ୍ୟକୁ ଉପେକ୍ଷା କରିନାହାନ୍ତି। ୨୦୦୫ରେ କଟ୍ରିନା ନାମକ ବାତ୍ୟା ପରେ ଆମେରିକା ବିଭିନ୍ନ ଦେଶରୁ ଆର୍ଥିକ ସାହାଯ୍ୟ ଗ୍ରହଣ କରିଥିଲା। ସେହିପରି ୨୦୧୧ରେ ଆସିଥିବା ଭୟଙ୍କର ଭୂମିକମ୍ପ ପରେ ପୀଡ଼ିତଙ୍କ ପୁନର୍ବାସ ପାଇଁ ଜାପାନ ବିଦେଶୀ ସହାୟତା ଗ୍ରହଣ କରିବାକୁ କୁଣ୍ଠାପ୍ରକାଶ କରିନଥିଲା। ୨୦୦୪ ପୂର୍ବରୁ ଭାରତ ମଧ୍ୟ ଉତ୍ତରକାଶୀ, ଲାଟୁର, ଗୁଜରାଟରେ ଆସିଥିବା ଭୂମିକମ୍ପ ଓ ବିହାର ବନ୍ୟା (୨୦୦୪) ପରେ ବିଦେଶୀ ସରକାରଙ୍କଠାରୁ ସହାୟତା ଗ୍ରହଣ କରିଥିଲା। ତେବେ ତା’ପରବର୍ତ୍ତୀ ସମୟରେ କାଶ୍ମୀର ଭୂମିକମ୍ପ (୨୦୦୫), ଉତ୍ତରାଖଣ୍ଡ ବନ୍ୟା (୨୦୧୩) ଓ କାଶ୍ମୀର ବନ୍ୟା (୨୦୧୪) ପାଇଁ ବିଦେଶୀ ସରକାରୀ ସହାୟତା ଗ୍ରହଣ କରିନଥିଲା।
ଇତିମଧ୍ୟରେ ଏମିରେଟ୍ସ ବ୍ୟତୀତ ମାଳଦ୍ବୀପ, କାତାର ଓ ଥାଇଲାଣ୍ଡ ସହାୟତା ଯୋଗାଇବେ ବୋଲି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ମୋଟ ୬୦୦ କୋଟି ଟଙ୍କା ପ୍ରଦାନ କରିଥିବା କହୁଥିବାବେଳେ ଏହା ଯେ ଆଦୌ ଯଥେଷ୍ଟ ନୁହେଁ, ତାହା କହିବା ବାହୁଲ୍ୟ। ଅତଏବ ଏ ନେଇ ସରକାର ଗୁରୁତ୍ବର ସହ ଚିନ୍ତା କରିବା ଆବଶ୍ୟକ। ଆତ୍ମନିର୍ଭରଶୀଳ ହେବା ଉତ୍ତମ; କିନ୍ତୁ ଆତ୍ମଗର୍ବ ମଧ୍ୟ ଠିକ୍‌ ନୁହେଁ। ଏପରି ‘ଭୟଙ୍କର ବିପର୍ଯ୍ୟୟ’ ସମୟରେ ଅନ୍ୟର ସ୍ବେଚ୍ଛାକୃତ ସାହାଯ୍ୟକୁ ଗ୍ରହଣ କଲେ ଯେ ଆମ ସମ୍ମାନ ଚାଲିଯିବ, ତାହା ଭାବିବା ଭୁଲ୍। ପୁଣି, ଏମିରେଟ୍ସ ଅନ୍ୟ ଦେଶ ସହ ତୁଳନୀୟ ନୁହେଁ; କାରଣ ସେହି ଦେଶର ବିକାଶରେ ପ୍ରବାସୀ କେରଳୀମାନଙ୍କ ଅବଦାନକୁ ସେଠା ସରକାର ମଧ୍ୟ ସ୍ବୀକାର କରୁଛନ୍ତି। ଏ ପ୍ରସଙ୍ଗକୁ କେନ୍ଦ୍ର ସରକାର ସେହି ଦୃଷ୍ଟିରୁ ଦେଖିବା ବିଧେୟ।

Leave A Reply