ଧର୍ମର ସାରତତ୍ତ୍ବ

0

ଧର୍ମର ସାରବତ୍ତା ଜାଣିବା ନିମନ୍ତେ ବି​‌େ​‌ଶଷ ଆଗ୍ରହୀ ଥିବା ଜନୈକ ଯୁବକ ସେଦିନ ପରିବାରର ସମସ୍ତଙ୍କ ଅଜ୍ଞାତରେ ଗୃହତ୍ୟାଗ କରି ଚାଲିଆସିଲେ। ଉଦ୍ଦେଶ୍ୟ ଥିଲା କୌଣସି ସନ୍ଥଙ୍କ ଆଶ୍ରିତ ହୋଇ ତାଙ୍କଠାରୁ ଏ ସମ୍ପର୍କରେ ଜାଣିବା। ସଂଯୋଗବଶତଃ ଜଣେ ସିଦ୍ଧତପା ଋଷିଙ୍କୁ ଭେଟିଥିଲେ। ଋଷିଙ୍କୁ ନିଜ ଅଭୀପ୍‌ସା ସମ୍ପର୍କରେ କହିବା ପରେ ସେ ନିର୍ଦେଶ ଦେଇଥିଲେ ଆଶ୍ରମରେ କିଛି ଦିନରହି ବିଭିନ୍ନ କାର୍ଯ୍ୟ ସଂପାଦନ କରିବା ନିମନ୍ତେ। ଯୁବକ ଜଣକ ତାହା ହିଁ କରିଥିଲେ। ଆଶ୍ରମବାସୀଙ୍କ ସହ ମିଶି ଆଶ୍ରମର ନୀତିନିୟମ ମାନି ବିିଭିନ୍ନ କାର୍ଯ୍ୟ ସଂପାଦନରେ ଦିନ କଟାଉଥାନ୍ତି।
ଏହା ଭିତରେ ବେଶ୍‌ କିଛିଦିନ ଅତିବାହିତ ହୋଇଗଲା। ଧର୍ମର ସାରବତ୍ତା ସମ୍ପର୍କରେ ଋଷି କିଛି ନକହିବାରୁ ମନ ଭିତରେ ଦ୍ବନ୍ଦ୍ବ ସୃ୍ଷ୍ଟିହେଲା- ଋଷିଙ୍କ ନିର୍ଦେଶ ଅନୁସାରେ ମୁଁ ତାଙ୍କର ସକଳ ପ୍ରକାର ସେବା କରୁଛି। ସବୁକଥା ମାନୁଛି। ହେଲେ କେବେ ମୋତେ କହିବେ? ବିଳମ୍ବ ସହ୍ୟ କରିପାରି ନଥିଲେ ଏଇଥିପାଇଁ ଯେ ଅନେକ ଦିନରୁ ଗୃହତ୍ୟାଗ କରି ଆସିଲେଣି। ଏହା ଜାଣିବା ପରେ ଗୃହକୁ ଫେରିଯିବେ।
ସେଦିନ ସାହସ ସଞ୍ଚୟ କରି ପ୍ରଶ୍ନ କରିଥିଲେ- ଗୁରୁଦେବ! ଏହା ଭିତରେ ଅନେକ ଦିନ ଅତିବାହିତ ହୋଇଗଲାଣି। ଆଉ କେବେ କହିବେ?
ସନ୍ଥ ଏହାଶୁଣି କିଛି ନଜାଣିଲା ପରି କହିଥିଲେ- କେଉଁ ପ୍ରସଙ୍ଗରେ ତୁମେ କହୁଛ ଯେ? ତୁମେ ତ ଯେଉଁଦିନ ଆଶ୍ରମର ଅନ୍ତେବାସୀ ଭାବରେ ରହିଲ ସେହିଦିନଠାରୁ ଧର୍ମର ସାରବତ୍ତା ସମ୍ପର୍କରେ ଜାଣି ପାରିଥିବ। ହେଲେ ତୁମେ ଏଥିପ୍ରତି ଧ୍ୟାନ ଦେଇନାହଁ ବୋଲି ମୋର ଧାରଣା।
ଯୁବକ ଆଶ୍ଚର୍ଯ୍ୟ ହୋଇ କହିଲେ- ଏହା କିଭଳି?
ଋଷି ବୁଝାଇ ଦେଇଥିଲେ- ଦେଖ, ଯେତେବେଳେ ମୁଁ ତୁମକୁ ପିଇବା ପାଇଁ ପାଣି ମାଗୁଛି ତୁମେ ମୋତେ ଶ୍ରଦ୍ଧାରେ ତାହା ଦେଉଛ, ମୁଁ ତାହା ଆଗ୍ରହରେ ଗ୍ରହଣ କରୁଛି। ପ୍ରତ୍ୟହ ତୁମେ ପ୍ରାତଃକାଳରେ ମୋତେ ଯେତେବେଳେ ପ୍ରଣାମ କରୁଛ ମୁଁ ତାହା ପରମପ୍ରେମରେ ସ୍ବୀକାର କରୁଛି। ତୁମର ସେବା ନିମନ୍ତେ ନିଜକୁ ଧନ୍ୟ ମନେକରୁଛି। ଏହା ହିଁ ତ ଧର୍ମ ଯାହା ନିତି ଆମର କ୍ରିୟାକଳାପରେ ପରିଲକ୍ଷିତ ହୋଇଥାଏ। ତୁମେ ମୋର କାର୍ଯ୍ୟକୁ ନିରୀକ୍ଷଣ କରିଥିବ ନିଶ୍ଚୟ। ବନବାସୀମାନଙ୍କ ସହ ମୁଁ କିଭଳି ବ୍ୟବହାର କରୁଛି, ଅସୁସ୍ଥ ବନବାସୀଙ୍କୁ କିପରି ସେବା କରୁଛି, ସର୍ବୋପରି ଆଶ୍ରମର ଅନ୍ତେବାସୀଙ୍କୁ କିଭଳି ବ୍ୟବହାର କରୁଛି, ସେଥିରୁ ମାନବୀୟ କ୍ରିୟା, ଗୁଣାବଳି ଲକ୍ଷ୍ୟ କରିପାରୁଥିବ। ଧର୍ମ କୌଣସି ପୁସ୍ତକୀୟ ଜ୍ଞାନରେ ସୀମିତ ନୁହେଁ। ଏହା ତୁମର, ମୋର, ଅନ୍ୟମାନଙ୍କର କାର୍ଯ୍ୟଧାରା, ଆଚାର ବ୍ୟବହାରରେ ହିଁ ପ୍ରତିଫଳିତ ହୋଇଥାଏ।

Leave A Reply