ଭିକ୍ଷାବୃତ୍ତି କ’ଣ ଏକ ଅପରାଧ?

0

ସୁଚିସ୍ମିତା ଦାସ

ଭିକ୍ଷାମ୍ ଦେହି-ଦିନ ଥିଲା ଯେବେ ଗାଁ ଦାଣ୍ଡରେ ଏଇ ଡାକ ଶୁଣାଗଲେ ପରଦା ଆଢୁଆଳରେ ରହୁଥିବା ଗୃହିଣୀଟି ମଧ୍ୟ ହାତେ ଲମ୍ବ ଓଢଣା ଟାଣି ଏରୁଣ୍ଡି ଡେଇଁ ଆସିଯାଉଥିଲା ପାତ୍ରରେ ଚାଉଳ ମୁଠା ନେଇ। ଆଜି ଅବଶ୍ୟ ଘରଘର ବୁଲି ଭିକ୍ଷା ଯାଚନା କରିବା ବିରଳ, କିନ୍ତୁ ଭିକ୍ଷାବୃତ୍ତିର ସଂଜ୍ଞାରେ ଢେର ପରିବର୍ତ୍ତନ ହେଇଛି ୟା ଭିତରେ। ବଦଳିଛି ମଧ୍ୟ ସମାଜର ମନୋଭାବ। ଭିକ୍ଷୁକ ବ୍ରାହ୍ମଣ, ଯୋଗୀ,ଚକୁଳିଆ ପଣ୍ଡାଙ୍କ ପରି ଲୋକଙ୍କ ପାରିମ୍ପରିକ ଜୀବିକା ନିର୍ବାହର ମୁଖ୍ୟ ସ୍ରୋତ ଥିଲା ଏଇ ଭିକ୍ଷାବୃତ୍ତି। ମୁଠାଏ ଚାଉଳ, କେଇଟା ପରିବା ପ୍ରଦାନ କରି ସାଧାରଣ ମଣିଷ ପୁଣ୍ୟ ଅର୍ଜନ କରିପାରିଛି ବୋଲି ଚିନ୍ତା କରୁଥିଲା।
କାଲି ଆଉ ଆଜି ମଧ୍ୟରେ ଫରକ ଏଇଆ ଯେ ସେତେବେଳେ ଭିକ୍ଷୁକମାନେ ପେସାଦାର ନଥିଲେ। ଆଜିର ଯୁଗରେ ପ୍ରକୃତ ଦରିଦ୍ର ଭିକାରିମାନଙ୍କୁ ଛାଡ଼ିଦେଲେ ଦେଖାଯାଉଛି ଯେ ଭିକ ମାଗିବା ଅନେକଙ୍କ ପାଇଁ ଏକ ଲୋଭନୀୟ ବୃତ୍ତି ପାଲଟି ଯାଇଛି। ହୃଷ୍ଟପୁଷ୍ଟ ଆଉ ଶାରୀରିକ ଭାବେ ସଂପୂର୍ଣ୍ଣ ସମର୍ଥ ବ୍ୟକ୍ତିବିଶେଷ ମଧ୍ୟ ଅର୍ଥ ଉପାର୍ଜନର ଏକ ଶସ୍ତା ଓ ସହଜ ମାଧ୍ୟମ ଭାବେ ଭିକ୍ଷାବୃତ୍ତି କରୁ। ଏଥିରେ ବଳି ପଡୁଛନ୍ତି ବୃଦ୍ଧ ଓ ବିକଳାଙ୍ଗମାନେ ଯେଉଁମାନେ ନିଜ ପେଟ ପୋଷିବାକୁ ଅକ୍ଷମ। ପେଟର ତାଡ଼ନା ଓ ଭାଗ୍ୟର ବିଡ଼ମ୍ବନାରେ କେତେ ଲୋକ ଭିକ ମାଗିବାକୁ ବାଧ୍ୟ ହୁଅନ୍ତି। ଦୟାକରି ହେଉ ଅବା ମାନବିକତା ପାଇଁ, ବିକଳ ମୁହଁ ଦେଖି ଟଙ୍କାଟିଏ ବଢାଇଦେଲେ ଆମକୁ ଅଜଣା ଏକ ଦୋଷୀଭାବରୁ ମୁକ୍ତି ମିଳେ। ପରିତାପର ବିଷୟ, କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ସମାଜର ଏହି ଦୁର୍ବଳତାର ଫାଇଦା ଉଠାଇ ବାଳୁତ ଶିଶୁ, ଅସହାୟ ମହିଳାମାନଙ୍କୁ ଭିକ୍ଷାବୃତ୍ତିରେ ନିୟୋଜିତ କରନ୍ତି। ‘ପ୍ରାୟୋଜିତ ଭିକ୍ଷା’ ବିଷୟରେ ଆଜିକାଲି କାହାକୁ ଅଛପା ନାହିଁ। ସହରର ଛକ, ମନ୍ଦିର ଆଉ ପାର୍କ ପରି ଜନଗହଳିପୂର୍ଣ୍ଣ ସ୍ଥାନକୁ ଆପଣ ଯିବେ ଓ କୋଉ ଛିଣ୍ଡା ପୋଷାକ ପରିହିତା, ନୁଖୁରା କେଶ, କାଖରେ ଗୋଟିଏ ଅସନା ଛୁଆ ଜାକି ଅଳ୍ପବୟସର ଭିକାରି ପିଲାଟି ଆପଣଙ୍କୁ ବାଟରେ ହାବୁଡିବ ନାହିଁ, ଏହା କଦବାକ୍ବଚିତ ଦେଖାଯାଏ। ଭାରତର ମୁଖ୍ୟ ସହରମାନଙ୍କରେ ଏଭଳି ଦୃଶ୍ୟ ଅତି ସାଧାରଣ। ଏକ ଗଣନା ଅନୁଯାୟୀ ଆମ ଦେଶରେ ପାଞ୍ଚ ଲକ୍ଷରୁ ଅଧିକ ଭିକାରି ଅଛନ୍ତି, ଯଦିଓ ଏହି ସଂଖ୍ୟା ଢେର ଅଧିକ। ସେ ଯାହାହେଉ, ଭାରତ ପରି ଏକ ଦ୍ରୁତ ବିକାଶୋନ୍ମୁଖୀ ଦେଶ ପାଇଁ ଏକବିଂଶ ଶତାବ୍ଦୀରେ ମଧ୍ୟ ଏତେ ସଂଖ୍ୟକ ଭିକାରି ରହିବା ବିଶ୍ବଦରବାରରେ ଏକ ମଳିନ ଚିତ୍ର ସୃଷ୍ଟି କରୁଛି।
ଭିକ୍ଷାବୃତ୍ତି ଓ ସଂପର୍କିତ ସମସ୍ୟାମାନଙ୍କୁ ଦୂର କରିବାରେ ସରକାର ସଂପୂର୍ଣ୍ଣ ବିଫଳ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏମିତିକି ୧୯୫୯ ମସିହାରେ ପ୍ରଣୀତ ଏକ ପୁରୁଣା ଆଇନକୁ ଛାଡିଦେଲେ ଆମ ବ୍ୟବସ୍ଥାରେ କୌଣସି ସ୍ପଷ୍ଟ ଆଇନ ନାହିଁ। ସେଥିରେ ପୁଣି ନିକଟରେ ଏହାକୁ ନେଇ ବିତର୍କ ଉଠିଛି। ଅଧିକାଂଶ ରାଜ୍ୟରେ ଭିକ୍ଷାବୃତ୍ତି ଏକ ଦଣ୍ଡନୀୟ ଅପରାଧ। ତେବେ ବିଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ମାନବାଧିକାର କର୍ମୀଙ୍କ ଆବେଦନକୁ ବିଚାରକୁ ନେଇ ଭିକ୍ଷାବୃତ୍ତିକୁ ବୈଧ ଓ ଦୋଷରହିତ ବୋଲି ଦର୍ଶାଇଛନ୍ତି। ହାଇକୋର୍ଟର ସରକାରଙ୍କୁ ଏ ପ୍ରସଙ୍ଗରେ ସିଧାସଳଖ ପ୍ରଶ୍ନ ଥିଲା – ‘ଯେଉଁ ଦେଶରେ ସରକାର ଲୋକଙ୍କୁ ଖାଦ୍ୟ ଓ କର୍ମସଂସ୍ଥାନ ଯୋଗାଇବାରେ ବିଫଳ, ସେଠାରେ ଭିକ୍ଷାବୃତ୍ତିକୁ କିପରି ଅପରାଧ ଭାବେ ବିବେଚନା କରାଯାଇପାରିବ?’ ଏହା ନିଶ୍ଚୟ ଦରିଦ୍ର ଭିକାରିମାନେ ଯେଉଁମାନେ ସରକାରୀ ଜୁଲୁମର ଶିକାର ହେଉଛନ୍ତି ସେମାନଙ୍କ ପାଇଁ ଆଶ୍ବାସନା, କିନ୍ତୁ କଥା ହେଉଛି ଭିକ୍ଷାବୃତ୍ତି ନାମରେ ଯେଉଁ ମଣିଷ ବେପାର, ଶିଶୁ ଶ୍ରମିକ ପରି ଘୃଣ୍ୟ କାର୍ଯ୍ୟସବୁ ଚାଲିଛି ସେଥିରେ ପୂର୍ଣ୍ଣଚ୍ଛେଦ କେବେ ପଡିବ? ନକଲି ଭିକାରି ଓ ପରଦା ପଛର କାର୍ପଟଦାରମାନଙ୍କ ପାଇଁ ହିଁ ଆଜିକାଲି ଲୋକମାନେ ପ୍ରକୃତ ଅସହାୟଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି।
ଭିକାରି ସମସ୍ୟାର ସମାଧାନ ନିମନ୍ତେ ଉପଯୁକ୍ତ ଆଇନ ପ୍ରଣୟନ ସହ ସେମାନଙ୍କ ପାଇଁ ବିକଳ୍ପ ରୋଜଗାର ପନ୍ଥା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା କରିବା ଜରୁରୀ। ଭିକାରୀମାନେ ମଧ୍ୟ ମଣିଷ ଓ ସେମାନଙ୍କର ସମାଜରେ ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ଅଛି। କିଛି ମନ୍ଦ ଉଦ୍ଦେଶ୍ୟଧାରୀଙ୍କ ପାଇଁ ଅନ୍ୟ ନିଃସ୍ବ ବ୍ୟକ୍ତିମାନଙ୍କୁ ଘୃଣାପୂର୍ଣ୍ଣ ବ୍ୟବହାର ଦେଖାଇବା ଉଚିତ ମନେ ହୁଏନାହିଁ। ଯେ ପର୍ଯ୍ୟନ୍ତ ସମାଜରୁ ଦାରିଦ୍ର୍ୟ ଓ ଅନ୍ୟାନ୍ୟ କୁସଂସ୍କାର ନ ହଟିଛି, ଆମକୁ ଧାନବିଲରୁ ବାଳୁଙ୍ଗା ବାଛିବାକୁ ହିଁ ପଡିବ। ଅନ୍ୟଥା କାର୍‌ର କାଚ ବନ୍ଦ କରିଦେଉଥିବାବେଳେ ଆମେ ଘାରି ହେଉଥିବା ମାନବୀୟ ବିଚାରର ସେଇ ପୁରୁଣା ଦୋଛକିରେ- ହାବୁଡୁଥିବା- ‘ସାହାଯ୍ୟ କରିଥିଲେ ଭଲ ହେଇଥାନ୍ତା ବୋଧେ।’
ପର୍ଲ ରେସିଡେନ୍ସି, ଲେନ-୍୧୧,
ମଲ୍ଲିକ କଂପ୍ଲେକ୍ସ ,ଜାଗମରା, ଭୁବନେଶ୍ୱର

Leave A Reply