ସ୍ବାସ୍ଥ୍ୟ ଓ ଫସଲ ବୀମାରେ ତ୍ରୁଟିପୂର୍ଣ୍ଣ ନୀତି

0

ସତ୍ୟନାରାୟଣ ମହାନ୍ତି

ଏକ ରାଷ୍ଟ୍ର ନୀତି ହିସାବରେ ବୀମା କେତେ ସଫଳ, ପ୍ରଭାବୀ ଏବଂ ପକ୍ଷପାତବିହୀନ ହୋଇପାରିଛି? ସ୍ୱାସ୍ଥ୍ୟ ହେଉ କିମ୍ବା କୃଷି ବୀମା, ପ୍ରଥମତଃ ଯେଉଁ ଉଦ୍ଦେଶ୍ୟରେ ଏହା ଆରମ୍ଭ କରାଯାଇଥିଲା ତାହାକୁୁ ଏହା ପୂରଣ କରୁଛି ତ? ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ବିପଦ ବା ଅନିଶ୍ଚିତତା, ଯାହାକି ମୌଳିକତଃ ବୀମାଯୋଗ୍ୟ ନୁହେଁ, ତାହାକୁ ଏହା କିପରି ପରିଚାଳନା କରୁଛି? ବିପଦକୁ କମାଇ ପାରିବା ବା ପ୍ରଶମିତ କରି ପାରିଲା ଭଳି ସୁଯୋଗ ଯାହାକୁ ହାତଛଡ଼ା କରି ଦିଆଯାଇଛି ସେଥିରେ ଉନ୍ନତି ଆଣିବା ଲାଗି ବର୍ତ୍ତମାନର ବୀମା ବ୍ୟବସ୍ଥାରେ ତାହାର ସୁବିଧା କରାଯାଇଛି କି?
ଏଠାରେ ସରକାରଙ୍କ ଦ୍ୱାରା କରାଯାଉଥିବା ଉଭୟ କୃଷି ଓ ସ୍ୱାସ୍ଥ୍ୟ ବୀମାର ବିଶ୍ଳେଷଣ ପାଇଁ ଉଦ୍ୟମ କରାଯାଇଛି।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫବିୱାଇ)ରେ କୃଷକମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଫସଲହାନିଜନିତ ବୀମା ସୁବିଧା ଯୋଗାଇ ଦିଆଯାଉଛି। ଚାଷରେ ହୋଇଥିବା ଖର୍ଚ୍ଚକୁ ଉଠାଇବା ପାଇଁ ବୀମାକୃତ ରାଶି ଅଧିକ ରହିଥାଏ। ଖରିଫ ଫସଲରେ ହୋଇଥିବା ଖର୍ଚ୍ଚର ୨ ପ୍ରତିଶତ ବୀମା ପାଇଁ ପ୍ରିମିୟମ ଦେବାକୁ ପଡ଼ିଥାଏ। ରବି ଫସଲ ପାଇଁ ୧.୫ ପ୍ରତିଶତ ଏବଂ ଉଦ୍ୟାନ କୃଷି ଏବଂ ବାଣିଜ୍ୟିକ କୃଷି ପାଇଁ ୫ ପ୍ରତିଶତ ପ୍ରିମିୟମ ଦେବାକୁ ହୋଇଥାଏ। ଅବଶିଷ୍ଟ ପ୍ରିମିୟମ ରାଶିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମାନୁପାତିକ ଭାବେ ପ୍ରିମିୟମ ଆକାରରେ ପ୍ରଦାନ କରିଥାନ୍ତି।
ବିଭିନ୍ନ ଅଂଚଳରେ ପିଏମ୍ଏଫବିୱାଇ ପାଇଁ ରାଜ୍ୟ ସରକାର ଫସଲର ବିଜ୍ଞପ୍ତି ଜାରି କରିଥାନ୍ତି। ଫସଲ ଋଣ ନେଇଥିବା ଚାଷୀଙ୍କ ପାଇଁ ଏହା ବାଧ୍ୟତାମୂଳକ ହୋଇଥିବାବେଳେ ଋଣ ନେଇ ନଥିବା ଚାଷୀଙ୍କ ପାଇଁ ଏହି ସୁବିଧା ନେବାର ସୁଯୋଗ ଖୋଲା ରହିଥାଏ। ୨୦୧୬-୧୭ରେ ଏହି ଯୋଜନା ପରିସରଭୁକ୍ତ ହୋଇଥିବା ମୋଟ ଅଂଚଳରେ ୬.୫ ପ୍ରତିଶତ ବୃଦ୍ଧି ଘଟି ୫୭.୨ ନିୟୁତ ହେକ୍ଟରରେ ପହଂଚିଥିଲା, କିନ୍ତୁ ଚାଷୀଙ୍କ ସଂଖ୍ୟାରେ ୨୦.୪ ପ୍ରତିଶତ ବୃଦ୍ଧି ଘଟି ୫୭.୨ ନିୟୁତରେ ଏବଂ ବୀମାକୃତ ରାଶିରେ ୭୨ ପ୍ରତିଶତ ବୃଦ୍ଧି ଘଟି- ୧.୧୫ ଲକ୍ଷ କୋଟି ଟଙ୍କାରୁ ୨.୦୧ ଲକ୍ଷ କୋଟି ଟଙ୍କାରେ ପହଂଚିଥିଲା। ପ୍ରିମିୟମ ପ୍ରଦାନ ରାଶିରେ ପାଖାପାଖି ୩୦୦ ପ୍ରତିଶତ ବୃଦ୍ଧି ଘଟି ଏହା ୨୧,୮୮୨ କୋଟିକୁ ବୃଦ୍ଧି ପାଇଥିଲା। ଏଥିରୁ କୃଷକମାନେ ୪୩୨୭.୪ କୋଟି ଟଙ୍କାର ପ୍ରିମିୟମ ପ୍ରଦାନ କରିଥିଲେ। ୨୦୧୭-୧୮ରେ ବୀମାଭୁକ୍ତ ହୋଇଥିବା ମୋଟ ଫସଲ ଅଂଚଳ ପ୍ରାୟ ୪୭.୫ ନିୟୁତ ହେକ୍ଟରକୁ ଖସିଆସିଥିଲା। ଫଳରେ ୨୦୧୬-୧୭ରେ ମୋଟ ଫସଲ ଅଂଚଳର ୩୦ ପ୍ରତିଶତ ଅଂଚଳ ବୀମାଭୁକ୍ତ ହୋଇଥିବାବେଳେ ୨୦୧୭-୧୮ରେ ଏହା ୨୪ ପ୍ରତିଶତକୁ ଖସିଆସିଥିଲା। ଲକ୍ଷ୍ୟ ରଖାଯାଇଛି ମୋଟ ଫସଲ ଅଂଚଳର ୪୦ ପ୍ରତିଶତ ବୀମାଭୁକ୍ତ ହେବ। ତେଣୁ ଏହି ଯୋଜନା ଆରମ୍ଭ ପୂର୍ବରୁ ଆମେ ଯେଉଁଠି ଥିଲେ ସେହି ସ୍ତରକୁ ମୂଳତଃ ଫେରିଆସିଛେ। ବୀମା ପାଇଁ ସରକାରଙ୍କ ଚାପ, ପ୍ରିମିୟମ ବାବଦରେ ଅଧିକ ସବ୍‌ସିଡି ପ୍ରଦାନ ଏବଂ ଅଧିକ ବୀମା ସୁବିଧା ପ୍ରଦାନ ସତ୍ତ୍ବେ ଏଥିରେ ଉନ୍ନତି ନଆସିବା ବଡ଼ ଚିନ୍ତାର ବିଷୟ।
୨୦୧୬-୧୭ରେ ଋଣ ନେଇ ନଥିବା ଚାଷୀଙ୍କ ସଂଖ୍ୟା ୧.୩୭ କୋଟି ଥିବାବେଳେ ଋଣ ନେଇଥିବା ଚାଷୀଙ୍କ ସଂଖ୍ୟା ୪.୩୫ କୋଟି ରହିଥିଲା। ବାସ୍ତବରେ ଆମେ ଯଦି ମହାରାଷ୍ଟ୍ର ସଂଖ୍ୟା( ଯେଉଁ ଅଦାଲତ ଆଦେଶ ବଳରେ, ସବୁ କୃଷକଙ୍କୁ ଅଣ- ଋଣୀ କୃଷକ ଭାବେ ଦର୍ଶାଯାଉଛି)କୁ ଦେଖିବା, ତା’ହେଲେ ସେମାନଙ୍କ ସଂଖ୍ୟା ମୋଟ ଅଂଚଳର ୧୦ ପ୍ରତିଶତରୁ କମ୍ ହେବ। ତେଣୁ, ପିଏମ୍ଏଫବିୱାଇ ବାସ୍ତବରେ ଫସଲ ଋଣୀଙ୍କ ନିର୍ଦ୍ଧାରିତ ବର୍ଗକୁ ପରିସରଭୁକ୍ତ କରିଛି, ତାହା ପୁଣି ଅଧିକାଂଶ କ୍ଷେତ୍ରରେ ଜଳସେଚିତ ଫସଲ କ୍ଷେତ୍ରରେ।
କ୍ଷୁଦ୍ର ଓ ନାମମାତ୍ର ଚାଷୀ, ବିଶେଷତଃ ଶୁଷ୍କ ଜମି ଅଂଚଳରେ ଚାଷ କରୁଥିବା ଚାଷୀଙ୍କ ପାଇଁ ବିପର୍ଯ୍ୟୟ ବୀମା ସବୁଠୁ ଅଧିକ ଅର୍ଥପୂର୍ଣ୍ଣ ମନେ ହୋଇଥାଏ। ଅଧିକାଂଶ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଋଣ ନେଇଥିବା ବିଷୟ ଯଦିଓ ନାବାର୍ଡର ପରିସଂଖ୍ୟାନ ଦର୍ଶାଉଛି ତଥାପି ଏହାର ଅର୍ଥ ନୁହେଁ ସର୍ବାଧିକ ଗରିବ ଚାଷୀମାନେ ହିଁ ଋଣ ପାଇଛନ୍ତି। ଶୁଖା ଅଂଚଳରେ ବାସ କରୁଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ବହୁଳ ଭାବରେ ଫସଲ ବୀମା ପରିସର ବାହାରେ ରହି ଯାଉଥିବାବେଳେ ଜଳସେଚିତ ଅଂଚଳରେ ବାସ କରୁଥିବା ବଡ଼ ଚାଷୀମାନେ ହିଁ ସୁବିଧାସୁଯୋଗ ପାଉଛନ୍ତି। କୃଷକମାନେ ପ୍ରଦାନ କରୁଥିବା ପ୍ରିମିୟମ ଖୁବ୍ କମ୍ ହୋଇଥିବା ବେଳେ ଏବଂ ସରକାର ପ୍ରିମିୟମ ବାବଦ ବାକିଆ ରାଶି ପ୍ରଦାନର ଦାୟିତ୍ୱ ବହନ କରୁଥିବାବେଳେ ଫସଲ ବୀମା କମ୍ ହେବା ବିଷୟ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି। ସେହିଭଳି ଚାଷୀ ଏବଂ ଭାଗଚାଷୀଙ୍କୁ ବାଦ୍ ଦିଆଯିବା ଦ୍ୱାରା କିମ୍ବା ଫସଲ ଋଣର ଢାଂଚା ଯୋଗୁଁ ଶୁଖା ଅଂଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀ ବାଦ୍ ପଡ଼ୁଛନ୍ତି ତାହା ମଧ୍ୟ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି।
୨୦୧୭-୧୮ ବର୍ଷ ପାଇଁ, ବୀମାଭୁକ୍ତ ହୋଇଥିବା ଅଂଚଳ ଏବଂ କୃଷକଙ୍କ ସଂଖ୍ୟା ହ୍ରାସ ପାଇଛି, କିନ୍ତୁ ପ୍ରିମିୟମ ବୃଦ୍ଧି ପାଇଛି। ୨୦୧୬-୧୭ ଭଳି, ମୋଟ ବୀମାକୃତ ରାଶିର ୧୨.୫ ପ୍ରତିଶତ ହେଉଛି ପ୍ରିମିୟମ, ଯାହା କି ଅଧିକ ବୋଲି ବିବେଚନା କରାଯାଏ। ପ୍ରିମିୟମ ନିର୍ଦ୍ଧାରଣ ଅନେକଗୁଡିଏ ବିଷୟ ଉପରେ ନିର୍ଭର କରେ। ସେଗୁଡ଼ିକ ମଧ୍ୟରେ ଫସଲ କ୍ଷୟକ୍ଷତି ବାବଦରେ କରାଯାଉଥିବା ଦାବି, ସ୍ୱଚ୍ଛତା ଏବଂ ବିଶ୍ୱାସ ସହିତ ସରକାରଙ୍କ ଦ୍ୱାରା ଠିକ୍ ସମୟରେ ପ୍ରିମିୟମ ସବ୍‌ସିଡି ପ୍ରଦାନ ଉପରେ ଏହା ନିର୍ଭରଶୀଳ ରହିଥାଏ। ଅଧିକାଂଶ ସ୍ଥାନରେ ନୈତିକ ଅବକ୍ଷୟଜନିତ ସମସ୍ୟା ଯୋଗୁଁ ବୀମାକୃତ ରାଶିର ପ୍ରାୟ ୩୦ରୁ ୪୦ ପ୍ରତିଶତ ଭଳି ଉଚ୍ଚା ପ୍ରିମିୟମ ଦେବାକୁ ପଡ଼ିଥାଏ।
ଦୁର୍ବଳ ଫସଲ କାଟିବା ପରୀକ୍ଷଣ ( ସିସିଇ) ଯୋଗୁଁ ସ୍ୱଚ୍ଛତା ବାଧାପ୍ରାପ୍ତ ହୋଇଥାଏ ଏବଂ ଏଥି ଯୋଗୁଁ ପ୍ରିମିୟମ ରାଶିକୁ ବଢ଼ାଇ ଦେଇଥାଏ, ଏବଂ କାର୍ଯ୍ୟକ୍ରମର ଦୀର୍ଘମିଆଦୀ ଅଭିବୃଦ୍ଧିକୁ ଗତିରୋଧ କରିଥାଏ। କୃଷକମାନେ ଯେତେବେଳେ ସରକାରୀ କଳ ସହ ଗୋପନଭାବେ ମିଳିମିଶି ଯେଉଁଠି ଫସଲ କ୍ଷତି ସର୍ବାଧିକ ହୋଇଛି ସେହି ପ୍ଲଟକୁ ସିସିଇ ପାଇଁ ମନୋନୀତ କରନ୍ତି ସେତେବେଳେ ପ୍ରିମିୟମ ବୃଦ୍ଧି ପାଇବା ଧାରା ସେଠାରେ ଅନିବାର୍ଯ୍ୟ। କର୍ଣ୍ଣାଟକ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର କେତେକ ସ୍ଥାନରେ ଏଭଳି ହୋଇଥିବା ରିପୋର୍ଟମାନ ରହିଛି। କେତେକ କ୍ଷେତ୍ରରେ ସିସିଇ କ୍ଷେତରୁ ହାରାହାରି ଅମଳର ଏକ-ଚତୁର୍ଥାଂଶ ଅମଳ ହୋଇଥାଏ, ଯାହାକି ହାରାହାରି ବ୍ୟତିକ୍ରମ ଅନୁଯାୟୀ ଗ୍ରହଣୀୟ ନୁହେଁ। ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି କେତେକ ପ୍ରମୁଖ ରାଜ୍ୟ ସମେତ ଉତ୍ତର ପୂର୍ବାଂଚଳ ରାଜ୍ୟଗୁଡ଼ିକରେ, ରାଜ୍ୟ ସରକାରଙ୍କ ବୀମା ସବ୍‌ସିଡି ରାଶି ସେହି ରାଜ୍ୟର ମୋଟ କୃଷି ବଜେଟ୍‌ର ୩୦ରୁ ୪୦ ପ୍ରତିଶତ ରହୁଛି। ଏଥିରେ ଆଉ ବୃଦ୍ଧି ଘଟିଲେ ତାହା ବିଭାଗର ବଜେଟ୍ ରାଶିକୁ ଖାଇଯିବ। ପୁନଶ୍ଚ ଏହା ବିଭାଗର ନିଜସ୍ୱ ପ୍ରମୁଖ କାର୍ଯ୍ୟକ୍ରମକୁ ଆଗକୁ ନେବାରେ ସମସ୍ୟା ସୃଷ୍ଟି କରିବ। ସମ୍ଭବତଃ ଏହି କାରଣ ପାଇଁ କେତେକ ରାଜ୍ୟ ଫସଲ ବୀମା ଯୋଜନାରେ ଅଂଶଗ୍ରହଣ ପାଇଁ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି ଏବଂ ନିଜଆଡ଼ୁ ସକ୍ରିୟତାର ସହ ବୀମାର ପ୍ରଚାରପ୍ରସାର କରୁନାହାନ୍ତି।
୨୦୧୬-୧୭ରେ କେନ୍ଦ୍ର କୃଷି ଓ କୃଷକ ମଙ୍ଗଳ ବିଭାଗ ବଜେଟର ଏକ-ତୃତୀୟାଂଶ ରାଶି କେନ୍ଦ୍ରର ପ୍ରିମିୟମ ଅଂଶ ପ୍ରଦାନ ବାବଦରେ ବ୍ୟୟ ହୋଇଛି। ଏହି କାର୍ଯ୍ୟକ୍ରମରେ କେବଳ ସ୍ୱଳ୍ପ ସଂଖ୍ୟକ କୃଷକ ଲାଭାନ୍ୱିତ ହେଉଥିବାରୁ ଏହା ଏକ ବଡ଼ ସମସ୍ୟା।
ଅପରପକ୍ଷେ ଦେଶର ୧୦.୮୯ କୋଟି ପରିବାରକୁ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦେବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ଏନ୍ଏଚପିଏସ୍) ନାମରେ ଏକ ସ୍ୱାସ୍ଥ୍ୟ ବୀମା ଯୋଜନା ଗତ ବଜେଟରେ ଆରମ୍ଭ କରାଯାଇଛି। ସାମାଜିକ ବୀମାର ଏହା ଅନ୍ୟ ଏକ ଉଦାହରଣ। ହିତାଧିକାରୀମାନଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ବୀମା ରାଶି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ଏହି ବୀମାରେ ସାମିଲ ହେଉଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରିମିୟମ ଦେବାକୁ ପଡ଼ୁନାହିଁ। କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ପ୍ରିମିୟମ ପ୍ରଦାନ ଦାୟିତ୍ୱ ୬୦: ୪୦ ଅନୁପାତରେ ଗ୍ରହଣ କରିଥାନ୍ତି। ପ୍ରତିଯୋଗିତାମୂଳକ ଭାବେ ଏହାର ପ୍ରିମିୟମ ନିର୍ଦ୍ଧାରଣ କରାଯିବ। ବୀମା ବା ଟ୍ରଷ୍ଟର ଢାଂଚା ( ମୁଖ୍ୟତଃ ଏକ ସ୍ୱାସ୍ଥ୍ୟ ସେବା ଅର୍ଥ ପ୍ରଦାନକାରୀ ଏଜେନ୍ସି) ଯାହା ହୋଇ ଥାଉ ନା କାହିଁକି ତାହାକୁ ଅନୁସରଣ କରାଯିବ। ଫଳାଫଳ କ’ଣ ହେବ ତାହା ମଧ୍ୟ ଭଲଭାବେ ଜଣା। କାରଣ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ରାଜ୍ୟଗୁଡ଼ିକ ଦ୍ୱାରା ପରିଚାଳିତ ଅନ୍ୟ ସ୍ୱାସ୍ଥ୍ୟ ବୀମା ନେଇ ପ୍ରାକ୍ ଅଭିଜ୍ଞତା ରହିଛି। ଏହି ଯୋଜନାରେ ବ୍ୟୟ ୨୦୦୦ କୋଟି ଟଙ୍କା ହେବ ବୋଲି ସୂଚାଯାଇଛି, କିନ୍ତୁ ଏହା ୧୦ ହଜାର କୋଟି ଟଙ୍କା ବା ତା’ଠାରୁ ଅଧିକ ହୋଇପାରେ। ତେଣୁ ବ୍ୟୟଜନିତ ଯୋଗାଣ ପାର୍ଶ୍ବ ଅସୁବିଧା ରହିବ।
ଏହା ମଧ୍ୟ ପ୍ରମାଣିତ ଯେ ଯେଉଁଠି ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି ସେଠାରେ ସ୍ୱାସ୍ଥ୍ୟ ଫଳାଫଳ ବହୁତ ଭଲ ରହିଥାଏ। ଦୁର୍ଭାଗ୍ୟବଶତଃ, ସରକାରୀ କ୍ଷେତ୍ରରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ବହୁ ସମସ୍ୟା ଦେଇ ଗତି କରୁଛି। ଯେପରିକି ରାଜ୍ୟବ୍ୟାପୀ ସମାନ ଭାବରେ ଏହି ସେବା ବିତରଣ କରାଯାଇ ପାରୁନାହିଁ, ବହୁ ପଦ ଖାଲି ପଡ଼ିଛି ଏବଂ ଡାକ୍ତରମାନଙ୍କୁ ସରକାରୀ ଚାକିରିରେ ଦୀର୍ଘଦିନ ରଖାଯାଇ ପାରୁନାହିଁ ଏବଂ ଚିକିତ୍ସକମାନେ ନିୟମିତ ଭାବେ ଉପସ୍ଥିତ ରହୁନାହାନ୍ତି। ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ଅନେକଗୁଡ଼ିଏ ସେବା ଯୋଗାଇ ଦିଆଯାଉଥିବାରୁ ଏ କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା ବ୍ୟାହତ ହେଉଛି। ସବୁଦିନେ ପାଣ୍ଠିର ଅଭାବ ମଧ୍ୟ ଏକ କିଛି ଛୋଟିଆ ସମସ୍ୟା ନୁହେଁ। ଠିକ୍ ସମୟରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ହେଲେ, ରୋଗକୁ ପ୍ରତିରୋଧ କରିବାକୁ ହେଲେ ଏବଂ ପୁରୁଣା ରୋଗକୁ ଚିକିତ୍ସା କରିବାକୁ ହେଲେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇଁ ପର୍ଯ୍ୟାପ୍ତ ପାଣ୍ଠିର ଯୋଗାଣର ଆବଶ୍ୟକତା ରହିଛି। ଏପ୍ରକାର ନିବେଶ ଦ୍ୱାରା ବ୍ରାଜିଲ, ଚାଇନା ଏବଂ ଶ୍ରୀଲଙ୍କାରେ ରୋଗଜନିତ ବୋଝ ହ୍ରାସ ଘଟିଛି, ଆୟୁ ବୃଦ୍ଧି ପାଇଛି ଏବଂ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ଜରୁରୀ ଚିକିତ୍ସା ଆଦି କମିଛି।
ପ୍ରାଥମିକ ସ୍ୱାସ୍ଥ୍ୟ ସେବାକୁ ନଦେଖି ଦ୍ୱିତୀୟ ଏବଂ ତୃତୀୟ ସୋପାନର ସ୍ୱାସ୍ଥ୍ୟ ସେବା ପାଇଁ ବୀମା ସୁବିଧା ଉପଲବ୍ଧ କରାଗଲେ ଏହା ଗରିବକୁ ଆହୁରି ଗରିବ କରିବା ଆଶଙ୍କା ରହିଛି। କାରଣ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥାକୁ ଦିଆଯାଉଥିବା ଅର୍ଥ ବହୁ ଅଧିକ ରହିଥାଏ। ଅଧିକାଂଶ କ୍ଷେତ୍ରରେ ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ କ୍ଷେତ୍ରରେ ଏହା ଅଧିକ ରହିଥାଏ। ଗରିବ ଲୋକ ନିକଟରେ ଭିନ୍ନଭିନ୍ନ ଚିକିତ୍ସାଳୟରେ ଚିକିତ୍ସା ବାବଦ ଖର୍ଚ୍ଚ ସମ୍ପର୍କରେ ତୁଳନାତ୍ମକ ସୂଚନା ନଥିବା ଯୋଗୁଁ ଗରିବ ଲୋକଟି ମୂଲଚାଲ ମଧ୍ୟ କରିପାରି ନଥାଏ। ଅଧିକନ୍ତୁ ରୋଗୀଠାରୁ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ନିକଟରେ ଅଧିକ ଜ୍ଞାନ ରହିଥାଏ। ରୋଗୀ କେବଳ ରୋଗର ଲକ୍ଷଣ ଜାଣିଥାଏ କିମ୍ବା ଆଦୌ କିଛି ଜାଣି ବି ନଥାଇ ପାରେ ଏବଂ ମାଗଣା ସ୍ୱାସ୍ଥ୍ୟସେବା କ୍ୟାମ୍ପକୁ ଟଣା ହୋଇ ନିଆଯାଇ ପାରିଥାଏ। ଡାକ୍ତରଖାନା ମଧ୍ୟ ମେଡିକାଲ କ୍ୟାମ୍ପ ଆଦି ଆୟୋଜନ କରି ରୋଗୀଙ୍କୁ ଆଣିବା ପାଇଁ ଚାହିଦା ସୃଷ୍ଟି କରିଥାନ୍ତି। ସବୁ ପ୍ରକାର ଖର୍ଚ୍ଚକୁ ମିଶାଇ ୫ ଲକ୍ଷ ଟଙ୍କା ମଧ୍ୟରେ ବି ରଖିଥାନ୍ତି।
ଏହା ପ୍ରମାଣିତ ଯେ ବିପର୍ଯ୍ୟୟମୂଳକ ବୀମା ପ୍ରଦାନ ଦ୍ୱାରା ଉଭୟ ସରକାର ଏବଂ ଲୋକଙ୍କ ପାଇଁ ଦୀର୍ଘମିଆଦୀ ନିବେଶର ଆବଶ୍ୟକତା ପଡ଼ିନଥାଏ। ନିର୍ବାଚନ ଦୃଷ୍ଟିରୁ ଏହା ଲାଭଦାୟକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଆକର୍ଷଣୀୟ ମଧ୍ୟ, କିନ୍ତୁ ବୀମାରେ ସମସ୍ୟା ହେଲା କେହି ଅନ୍ୟ ବିକଳ୍ପକୁ ଦେଖନ୍ତି ନାହିଁ। ଅଧିକ କିଛି କରୁ ନଥିବା ଦୋଷରୁ ଏହା ରାଜନେତାମାନଙ୍କୁ ମୁକ୍ତ କରିଦେଇ ପାରେ, କିନ୍ତୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ଯଦି ଦୂର କରା ନଯାଏ ତା’ହେଲେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସୁଧାରିବା ପାଇଁ କରାଯାଉଥିବା ଉଦ୍ୟମକୁ ଏହା ପ୍ରତିହତ କରିଥାଏ। ଫଳରେ ଏହାର ଦୀର୍ଘମିଆଦୀ ପ୍ରଭାବ ଭୋଗିବାକୁ ପଡ଼ିଥାଏ।

Comments
Loading...