ସାଇବର ସୁରକ୍ଷା, ଭାରତ ନିଜସ୍ବ ସୁରକ୍ଷା ବଳୟ ନିର୍ମାଣ କରିବା ଖୁବ୍‌ ଜରୁରୀ

ମୋବାଇଲ୍‌ରେ ଇଣ୍ଟରନେଟ୍‌ର ବହୁଳ ପ୍ରଚଳନ ପରେ ଯେଉଁ ସମସ୍ୟାଟି ଦ୍ବାରା ଅଳ୍ପବହୁତେ ସମସ୍ତେ ପୀଡ଼ିତ, ତାହା ହେଲା ସାଇବର ଆକ୍ରମଣ। ବ୍ୟକ୍ତିଗତ ହେଉ ବା ସାମଗ୍ରିକ, ସାଇବର ଆକ୍ରମଣ ଅନ୍ୟ ସବୁ ଆକ୍ରମଣଠାରୁ ଭୟଙ୍କର ବିପତ୍ତି ଆଣିପାରେ। କେବଳ ଭାରତ ନୁହେଁ; ବିଶ୍ବର ପ୍ରାୟ ସମସ୍ତ ଦେଶ ଏହି ସଙ୍କଟ ସହ ଯୁଝୁଛନ୍ତି। ଅବଶ୍ୟ ୟୁରୋପୀୟ ଦେଶଗୁଡ଼ିକ ଏହାକୁ ନେଇ ଆରମ୍ଭରୁ ଖୁବ୍‌ ସଚେତନ ଥିବାରୁ ସେଠାରେ ଏପରି ଘଟନା କମ୍‌ ଘଟେ ବା ଘଟିଲେ ମଧ୍ୟ ତା’ର ସମାଧାନର ରାସ୍ତା ଖୁବ୍‌ ଶୀଘ୍ର ମିଳିଯାଏ। ଭାରତରେ ସେପରି ହୁଏ ନାହିଁ। ଅଧୁନା ଫେସ୍‌ବୁକ୍ ଭଳି ସାମାଜିକ ଗଣମାଧ୍ୟମ ଜରିଆରେ ସାଇବର ଅପରାଧୀମାନେ ଲୋକଙ୍କୁ ବିଭିନ୍ନ ପ୍ରକାରେ ଠକୁଛନ୍ତି। ଓଡ଼ିଶାରେ ମଧ୍ୟ ଏପରି ଅନେକ ଘଟନା ଏବେ ଲୋକଲୋଚନକୁ ଆସିଛି। ଏଠାରେ କାର୍ଯ୍ୟରତ ଆଇଏଏସ୍‌, ଆଇପିଏସ୍‌ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କର ଫେସ୍‌ବୁକ୍‌ ଆକାଉଣ୍ଟ୍‌ର ଅବିକଳ ନକଲି ଆକାଉଣ୍ଟ୍‌ ତିଆରି କରି ତା’ ଜରିଆରେ ଲୋକଙ୍କଠାରୁ ଆର୍ଥିକ ଠକେଇ କରାଯାଉଛି। ଫେସ୍‌ବୁକ୍‌ ଏପରି ନକଲି ଆକାଉଣ୍ଟ୍‌ଗୁଡ଼ିକୁ ଆପେ ଧରିପାରିବା ଭଳି ବ୍ୟବସ୍ଥା ରହିଥିବା କହୁଥିବାବେଳେ ତାହା ଠିକ୍‌ଭାବେ କାର୍ଯ୍ୟ କରୁଥିବା ମନେ ହୁଏନାହିଁ। ଫେସ୍‌ବୁକ୍‌ର ତଥ୍ୟସୁରକ୍ଷାକୁ ନେଇ ବହୁ ମାମଲା ଏବେ ମଧ୍ୟ ବିଚାରାଧୀନ ରହିଛି।
ମହାମାରୀଜନିତ ଲକ୍‌ଡାଉନ ସମୟରେ ଇଣ୍ଟରନେଟ୍‌ ବ୍ୟବହାର ସ୍ବାଭାବିକ ଭାବେ ବୃଦ୍ଧି ପାଇଥିଲା। ସେହି ସମୟରେ ଓଡ଼ିଶାରେ ସାଇବର ଅପରାଧ ପୂର୍ବାପେକ୍ଷା ବହୁଗୁଣ ବଢ଼ିଥିବା ଦେଖାଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଆଖିଆଗରେ ରଖି ଏହି ସାଇବର ଠକମାନେ ସାନିଟାଇଜର୍ ଓ ଅନ୍ୟ କୋଭିଡ କିଟ୍‌ର ବିଜ୍ଞାପନ ଦେଇ ମଧ୍ୟ ଲୋକଙ୍କୁ ଠକିଥିଲେ। ସେହିପରି ସେ ସମୟରେ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବାରୁ ମଦ ହୋମ୍‌ ଡେଲିଭରି ନାଁରେ କୋଟିକୋଟି ଟଙ୍କା ଲୁଟ୍‌ କରିଥିବା ଜଣାପଡ଼ିଥିଲା। ମୋବାଇଲ୍‌ ଫୋନ୍, ଟିଭି ଆଦିର ରିଚାର୍ଜ, ଏଟିଏମ୍‌, କୋରିଅର୍‌, ଡେବିଟ୍‌ କାର୍ଡ ଯାଞ୍ଚ ଆଦି ବିଭିନ୍ନ କଥା କହି ଅପରାଧୀମାନେ ଏବେ ମଧ୍ୟ ଲୋକଙ୍କୁ ଠକି ଚାଲିଛନ୍ତି। ସାମାନ୍ୟ ଅସତର୍କ ହେଲେ ଜଣେ ଏମାନଙ୍କ ଫାନ୍ଦରେ ପଡ଼ିବା ନିଶ୍ଚିତ। ରାଜ୍ୟରେ ସାଇବର ଅପରାଧ ନେଇ ଯେଉଁ ତଥ୍ୟ ଆସିଛି, ତାହା ଖୁବ୍‌ ଚିନ୍ତାଜନକ। ପ୍ରତିବର୍ଷ ଏହି ସଂଖ୍ୟା ବଢ଼ିବଢ଼ି ଚାଲିଛି। ୨୦୧୮ରେ ୮୪୩ଟି ସାଇବର ଅପରାଧ ମାମଲା ଦାୟର୍‌ ହୋଇଥିବାବେଳେ ଏହା ୨୦୧୯ରେ ୧୪୭୫ ଓ ୨୦୨୦ରେ ୧୯୩୧ରେ ପହଞ୍ଚିଛି। ଜାତୀୟ କ୍ରାଇମ୍‌ ରେକର୍ଡସ ବ୍ୟୁରୋ (ଏନ୍‌ସିଆର୍‌ବି)ର ତଥ୍ୟ ଅନୁସାରେ ସମଗ୍ର ଭାରତରେ ମଧ୍ୟ ଏହି ସମାନ କଥା ଦେଖିବାକୁ ମିଳିଛି। ୨୦୧୬ରେ ୧୨,୩୧୭ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବାବେଳେ ୨୦୧୭ରେ ଏହା ୨୧,୭୯୬କୁ ପହଞ୍ଚିଥିଲା ଏବଂ ୨୦୧୮ରେ ଏହି ସଂଖ୍ୟା ଥିଲା ୨୮,୨୪୮। ୨୦୧୯ରେ ଏହା ୬୩.୫ ଶତାଂଶ ବୃଦ୍ଧି ପାଇ ୪୪,୫୪୬ରେ ପହଞ୍ଚିଥିଲା। ଅବଶ୍ୟ ଏସବୁ ଭିତରୁ ଅଧିକାଂଶ ମାମଲା କଂପ୍ୟୁଟର ସମ୍ପର୍କିତ।

ଏହା ବ୍ୟତୀତ ଏବେ ସରକାରୀ କମ୍ପ୍ୟୁଟର ପ୍ରଣାଳୀକୁ ହ୍ୟାକ୍‌କରି ତଥ୍ୟ ଚୋରି କରିବା ଭଳି ସଂଗିନ ଅପରାଧମାନ ଘଟୁଛି। ଆମେରିକା ପରି ଦୃଢ଼ ପ୍ରଯୁକ୍ତିଗତ ସୁରକ୍ଷା ରହିଥିବା ଦେଶର ପ୍ରାୟ ୫୦ଟି ସରକାରୀ ସଂସ୍ଥାର ତଥ୍ୟକୁ ଅପରାଧୀମାନେ ନଅମାସ ଧରି ଚୋରି କରୁଥିବା ଜଣାପଡ଼ିଥିଲା; ଅର୍ଥାତ୍‌ ସେଠାକାର ବ୍ୟବସ୍ଥା ଏହି ତୀକ୍ଷ୍‌ଣ ବୁଦ୍ଧିସଂପନ୍ନ ସାଇବର୍‌ ଚୋରଙ୍କ ବିଷୟରେ ଦୀର୍ଘଦିନ ଧରି ଟେର୍‌ ପାଇପାରିନଥିଲା। ଏଥିରୁ ଭାରତ ମଧ୍ୟ ବହୁତ କିଛି ଶିକ୍ଷା ଗ୍ରହଣ କରିବାର ଅଛି। ସାଇବର୍‌ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେବାର ସମୟ ଆସିଛି। ଭାରତ ଯେତିକି ଡିଜିଟାଲ୍‌ ଦୁନିଆରେ ପରିବର୍ତ୍ତିତ ହେଉଛି, ତା’ର ସୁରକ୍ଷା ପ୍ରତି ସେତିକି ଧ୍ୟାନ ଦିଆଯାଉଥିବା ପରିଲକ୍ଷିତ ହେଉନାହିଁ। ବର୍ତ୍ତମାନ ଆର୍ଥିକ ଦେଣନେଣଠାରୁ ଆରମ୍ଭ କରି ଟିକସ ପ୍ରଦାନ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟଗୁଡ଼ିକ ଡିଜିଟାଲ୍‌ ମାଧ୍ୟମରେ ହେଉଛି; ଅର୍ଥାତ୍‌ ଅର୍ଥ ଓ ତଥ୍ୟ ସବୁକିଛି ସାଇବର୍‌ ଦୁନିଆରେ ଗତାଗତ ହେଉଛି। ଉତ୍ତମ ସୁରକ୍ଷା ବଳୟ ନଥିଲେ ଏସବୁକୁ ବିଭିନ୍ନ ଉପାୟରେ ଚୋରି କରାଯିବା ସହ ଦୁରୁପଯୋଗ କରାଯାଇପାରେ। କେବଳ ବ୍ୟକ୍ତିଗତ ହାନି ନୁହେଁ, ସାଇବର ଅପରାଧୀମାନେ ଦେଶର ସମ୍ବେଦନଶୀଳ ତଥ୍ୟଗୁଡ଼ିକୁ ମଧ୍ୟ ଚୋରି କରିନେଇଯିବାର ଆଶଙ୍କାକୁ ଏଡ଼ାଯାଇନପାରେ। ଚୀନ ଭଳି ଦେଶ ବିଭିନ୍ନ ଉପାୟରେ ତଥ୍ୟାବଳୀ ହରଣ କରିବାକୁ ଚାହୁଁଛି। ଏପରି ସ୍ଥିତିରେ ଭାରତ ଏକ ନିଜସ୍ବ ସୁରକ୍ଷା ବଳୟ ନିର୍ମାଣ କରିବାର ଆବଶ୍ୟକତା ରହିଛି। ଗତବର୍ଷ ସରକାର ଏକ ନୂଆ ସାଇବର ସୁରକ୍ଷା ନୀତି ପ୍ରଣୟନ କରିବେ ବୋଲି ଘୋଷଣା କରିଥିଲେ ହେଁ ଏହାର କାର୍ଯ୍ୟକାରିତା ଏ ଯାଏ ଅସ୍ପଷ୍ଟ। ସାଇବର ଅପରାଧୀଙ୍କ ଉପରେ ଲଗାମ ଲଗାଇବା ସହ ଡିଜିଟାଲ୍‌ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ବର୍ତ୍ତମାନ ସମୟର ବଡ଼ ଆହ୍ବାନ। ସରକାର ଏଥିପ୍ରତି ଯତ୍ନବାନ ହୁଅନ୍ତୁ।

Comments
Loading...