‘‘ ବିରି ମାଡ଼ ଦେଖି….’’

0

କିଏ ନିଜର, କିଏ ପର? କେହି ବି ନିଜର ବା କେହି ବି ପର ନୁହେଁ। ମାତ୍ର ‘ନିଜପର’ ଭାବରେ, ବୋଧରେ କରାଯାଉଥିବା କାର୍ଯ୍ୟମାନ ମୋହାନ୍ଧ ପ୍ରସୂତ ଓ ବୃଥା ଯାଏ। ଜୀବନରେ ସ୍ୱାମୀ ସ୍ତ୍ରୀ ସମ୍ପର୍କଠୁ ବଳି ସମ୍ପର୍କ ଆଉ କାଇଁ? ମାତ୍ର ସେ ସମ୍ପର୍କ ଏବେ କେମିତି ପାଣି ଫାଟୁଛି ତା’ ଦେଖିଲେ ମୁଣ୍ଡ ଝାଇଁ ମାରି ଯାଉଛି। ସୀତା, ସାବିତ୍ରୀଙ୍କ କଥା ଉଦ୍ଭଟ ଗପ ଭଳି ଆଜି ପିଲାମାନଙ୍କୁ ଲାଗୁଛି। ଏବେ ତ ଠିକା ବିବାହ କଣ୍ଟ୍ରାକ୍ଟ ମ୍ୟାରେଜ ହେଲାଣି, ପାଞ୍ଚ ବର୍ଷିଆ ବିବାହ ପରେ, ଛାଡ଼୍‌ବାଡ଼। ପଶୁଗୁଡ଼ା ବି ୟାଠୁ ଭଲ। ଛାଡ଼ନ୍ତୁ ସେ ଅନ୍ୟ ଏକ ପ୍ରସଙ୍ଗ। ଆଜିର କଥା ହେଲା ‘ମୋର’ ‘ତା’ର’ ଭାବରେ ଛନ୍ଦି ହେବାରେ ଘାଟା ଅଧିକ। ବ୍ୟକ୍ତିଗତ ଜୀବନରେ, ଏ ମୋହରେ ଅଙ୍କୁଶ ଯେତେ ଅଧିକ ଲାଗିବ, ଶାନ୍ତି ସେତେ ଅଧିକ ମିଳିବ। ଦେଖୁ ନାହାନ୍ତି, ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ବନୁଥିବା କ୍ରିକେଟ ଖେଳାଳି ଇମ୍ରାନ୍‌ ଖାଁଙ୍କ କଥା। ସେ କହୁଛନ୍ତି ଛାଡ଼ପତ୍ର ଦେଇଥିବା ତାଙ୍କ ପୂର୍ବତନ ପତ୍ନୀ ବିବିସି ସାମ୍ବାଦିକା ରେହାମଙ୍କୁ ବିବାହ କରି ସେ ଜୀବନରେ ମସ୍ତବଡ଼ ଭୁଲ କରିଛନ୍ତି। ରେହାମ ମଧ୍ୟ ଇମ୍ରାନଙ୍କୁ ବିବାହ କରି ‘ମସ୍ତବଡ଼’ ଭୁଲ କରିଛନ୍ତି ବୋଲି କହୁଛନ୍ତି। ବଡ଼ ମସ୍ତିରେ କିନ୍ତୁ ଏ ଦୁହେଁ ମସ୍ତବଡ଼ ଭୁଲ କରିଦେଲେ! ଦଶମାସ ଦିହକୁ ଦିହ, ମନକୁ ମନ ମିଶେଇ ଦେଇଥିବା ଏ ଦୁହେଁ, ଛାଡ଼ବାଡ଼ ପରେ, ସେ ଦଶମାସ ସ୍ମୃତିର ସମ୍ମାନ ଭାବରେ ନିରବ ରହିଲେ କ’ଣ ହୁଅନ୍ତା? ମାତ୍ର ୟେ ତ ବିବାହ ନ ଥିଲା, କାମ ପିପାସାର ଚରିତାର୍ଥତା ଥିଲା। ମୋହାନ୍ଧ ମନ ଏମିତି ଅବାଟରେ ଯାଇ ‘ପର ଆପଣା’ ପ୍ରବଣତାରେ କାଦୁଅ ଲଟପଟ ହୁଏ, କୁହୁଡ଼ି ପହଁରେ। ସତ୍ୟ ହେଲା, “ତ୍ୱମେବ ମାତା ଚ ପିତା ତ୍ୱମେବ, ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ…” ଏକୁ ମନରେ ଜଡ଼େଇ ରଖିବାକୁ ଓମାର ଖୈୟାମଙ୍କ ରୁବାୟତ ଦୋହରାଯାଉ, “ସବୁ କଥା ପରେ ଏକଇ ସତ୍ୟ ଏ ଜୀବନ ଯାଏ ବହି, ଏକଇ ସତ ଏଇ ଯେ ଜୀବନ ଆଉ ସବୁ ମିଛ ସହୀ। ଫୁଲ ଗଲେ ବୃନ୍ତୁ ଝରି, ନୁହଁଇ ତାହାକୁ ଧରି।” “କେତେ ଦିନ ଲାଗି ଏହି ଭବ ଚଟି, ଏଥିଲାଗି କିମ୍ପା ଏତେ କଟାକଟି।” ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନା ଆମ ଦୁଇ ଓଡ଼ିଆ ନୃତ୍ୟାଙ୍ଗନାଙ୍କ ବୈବାହିକ ଜୀବନ ବାଲିର ଦେଉଳ ପରି କେମିତି ଭୁଶୁଡ଼ି ପଡ଼ିଲା! ଦିନେ ଅଙ୍କଶାୟିନୀ ଥିବା ଏଇ ‘ସ୍ତ୍ରୀ’ମାନଙ୍କ ବିଷୟରେ ତାଙ୍କ ସ୍ୱାମୀମାନଙ୍କୁ ଆଭାସ ଟିକିଏ ଦିଅନ୍ତୁ ତ। ଦେଖନ୍ତୁ କେମିତି ଫଟ୍‌ କିନା ବଦଳି ଯାଉଛି ମୁହଁର ରଙ୍ଗ, କୁଞ୍ଚ ହୋଇ ଯାଉଛି କପାଳ ଓ ଟେକି ହୋଇଯାଉଛି ନାକ। କିନ୍ତୁ କାହିଁକି? ୟେ ଅରୁଚିକର ବାଟଝୁଣ୍ଟା, ମୋହର କଥା। ବ୍ୟକ୍ତିଗତ ଜୀବନରେ ୟେ ସିନା ଗଣ୍ଠିପକା, ବ୍ରହ୍ମଜ୍ଞାନଟେ, ମଣିଷକୁ ଅଧିକ ଉଦାର ଓ ପ୍ରଶସ୍ତ କରିଥାଏ, ମାତ୍ର ରାଷ୍ଟ୍ରୀୟ ଜୀବନରେ ଏ ଭାବ ସାହାଣମେଲା ହୋଇ ପାରିବନି। ପାକିସ୍ତାନ, ଚୀନବାସୀ ଆମ ପ୍ରତିବେଶୀ, ନାଗରିକ କେମିତି ହେବେ? ଏଠି ବାଛବିଚାର ଟିକିଏ ଟିପିଟାଣିଆ ନ ହେଲେ ସମସ୍ୟା ବଢ଼ିଯିବ, ଏଠି ସଭିଙ୍କୁ ସମାନ ଭାବରେ ଗଉଣ ଭାବ ବରଂ ନିର୍ବୋଧତା ହେବ। କୁହାଗଲା ତ “ସବୁଠି ହରିପ୍ରକାଶ, ଯିବୁକି ତେଣୁ ତୁ ସଭିଙ୍କ ପାଶ ମୋ ବାଇଧନ, ଗଲେ ହେବୁଟି ନିରାଶ, ବାଘ ମଧ୍ୟେ ହରିଛନ୍ତି, ଯିବୁକି ତେଣୁ ତୁ ବାଘର କତି, ମୋ ବାଇଧନ, କୁସଙ୍ଗ ଜାଣ ସେମିତି। ନକସଲପନ୍ଥୀ, ଆତଙ୍କବାଦୀଗୁଡ଼ା ମଣିଷ ଦେହରେ ଜଘନ୍ୟ ପଶୁ। ଏଙ୍କ ଝୁଙ୍କ ଏଙ୍କୁ ଘାରୁଚି, ସାରୁଚି। ଗୀତା ଭାଗବତ ଏଠି କୋଉ କାମ କରିବ? କୁହ ତ ଯାଇଛି, “ସିଂହୋ ବ୍ୟାକରଣସ୍ୟ କର୍ତୁରହରତ୍‌ ପ୍ରାଣାନ୍‌ ପ୍ରିୟାନ୍‌ ପାଣିନେଃ, ମୀମାଂସା କୃତମୁନ୍ମମାଥ ସହସା ହସ୍ତୀ ମୁନିଂ ଜୈମିନିଂ। ଛନ୍ଦୋଜ୍ଞାନ ନିଧିଂ ଜଘାନ ମକରୋ ବେଳାତଟେ ପିଙ୍ଗଳଂ”। ଅଜ୍ଞାନାବୃତ୍ତ ଚେତସାମତିରୁଷାଂ କୋଽର୍ଥସ୍ତିରଶ୍ଚାଂ ଗୁଣୈଃ”। ବ୍ୟାକରଣ ସ୍ରଷ୍ଟା ମହାଜ୍ଞାନୀ ପାଣିନିଙ୍କୁ ସିଂହ ଖାଇଗଲା, ମୀମାଂସା ଶାସ୍ତ୍ର ପ୍ରଣେତା ଜୈମିନି ମୁନିଙ୍କୁ ହାତୀ ପାଦରେ ଦଳି ମାରିଦେଲା। ଛନ୍ଦଜ୍ଞାନ ପ୍ରଣେତା ପିଙ୍ଗଳଙ୍କୁ କୁମ୍ଭୀର ଖାଇଦେଲା। ଏଥିରୁ ଜଣାଯାଏ, ଅଜ୍ଞାନଚେତର ମୂର୍ଖଗୁଡ଼ାଙ୍କର ଗୁଣ ଜ୍ଞାନ ସହ କି ସମ୍ବନ୍ଧ, କି ଯା’ଆସ ଥାଏ? ଏମାନେ ସ୍ୱୀୟ ଇନ୍ଦ୍ରିୟାନୁଗତ ଲାଳସାରେ ମସ୍‌ଗୁଲ, ମସ୍ତ।
ସୀମା ପାର, ଏପାର ଏକା ମଣିଷ ହେଲେ ବି ପ୍ରକୃତି ଓ ପ୍ରବୃତ୍ତି କେତେ ଭିନ୍ନ! ସେଇଥିପାଇଁ ତ ତାରବାଡ଼ ଲାଗିଛି। ସୀମା ଡିଆଁ ସମସ୍ତେ ଶରଣାର୍ଥୀ ନୁହନ୍ତି। ଅନୁପ୍ରବେଶକାରୀ ଓ ଶରଣାର୍ଥୀ ଢେର ଭିନ୍ନ ଭାବର ଓ କିସମର। ତାଡ଼କା, ପୁତନା ବକାସୁରଗୁଡ଼ା ଆତଙ୍କବାଦୀ, ଅନୁପ୍ରବେଶକାରୀ। ସେମାନେ ବିଭୀଷଣ ହୋଇପାରିବେନି। ଆସାମରେ ଏ ସମସ୍ୟା ଉଗ୍ରରୂପ ଧାରଣ କରିବା ପରେ ସୁପ୍ରିମକୋର୍ଟ ନାଗରିକ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି, “ନ୍ୟାସନାଲ ରେଜିଷ୍ଟ୍ରେସନ ଅଫ୍‌ ସିଟିଜେନ୍‌ସ”। ନାଗରିକ ଜାତୀୟ ପଞ୍ଜୀକରଣ ବ୍ୟବସ୍ଥା। ଏ ବ୍ୟବସ୍ଥା କଡ଼ାକଡ଼ି ଲାଗୁ କରାଗଲା ପରେ ଦେଖାଗଲା ଯେ ‘ଚାଳିଶ ଲକ୍ଷ’ ଲୋକ ଏଥିରୁ ବାଦ୍‌ ପଡ଼ିଯାଇଛନ୍ତି। ଏତେଗୁଡ଼ାଏ ଲୋକଙ୍କ କିସମ କ’ଣ, ପରିଚିତି କ’ଣ? ଏ ପ୍ରକ୍ରିୟାରେ ଭୁଲ୍‌ଭଟକା ରହିଯାଇପାରେ। ମାତ୍ର ତା’ ତ ସୁଧୁରା ଯାଇ ପାରିବ। ପ୍ରଥମ ଗଣତି ବା ପଞ୍ଜୀକରଣ ତ ଚୂଡ଼ାନ୍ତ ନୁହେଁ। ଏଥକୁ ଏତେ ହୋହଲ୍ଲା କିଆଁ? ପୂର୍ବତନ ରାଷ୍ଟ୍ରପତିଙ୍କ ପରିବାରବର୍ଗ କୁଆଡ଼େ ଏ ପଞ୍ଜୀକରଣରୁ ବାଦ ପଡ଼ିଯାଇଛନ୍ତି। ଏହାକୁ ସୁଧୁରାଯିବ। ତେବେ ଏ ବ୍ୟବସ୍ଥା ଓ କାର୍ଯ୍ୟାନୁଷ୍ଠାନ ତ ଏକତରଫା ନୁହଁ, ଏଥିରେ ଜନସହଯୋଗ ଲୋଡ଼ା। ରାଷ୍ଟ୍ରପତିଙ୍କ ଏ ପରିବାରବର୍ଗ ସେଥିକୁ କେତେ ସହଯୋଗ ବା କେତେ ସମ୍ପୃକ୍ତି ବଢ଼ାଇ ବିଫଳ ହେଲେ ତା’ ମଧ୍ୟ ଅନୁଧ୍ୟାନର ବିଷୟ। ଗାଡ଼ି ମଟର ବ୍ୟୋମଯାନ ଦୁର୍ଘଟଣା ଘଟୁଛି ବୋଲି କିଏ ଏ ଯାତ୍ରାରୁ ବିରତ ରହିଛି? ନେତାଗୁଡ଼ା ଚୋର ଡକାୟତ ପରି ଦୁର୍ନୀତି, ଚୋରି ନାରୀ କରି ଜିଅଲ ଯାଉଛନ୍ତି ବୋଲି ନେତା କୋଉ ବଛା ନ ଯାଉଛନ୍ତି? ପାକିସ୍ତାନ, ବାଂଲାଦେଶ ସୀମାପାର ହୋଇ ବିନାନୁମତିରେ ଲକ୍ଷଲକ୍ଷ ବଙ୍ଗାଳୀ ମୁସଲମାନଙ୍କ ଅନୁପ୍ରବେଶ ଏବେ ସମ୍ପୃକ୍ତ ରାଜ୍ୟଗୁଡ଼ିକ ପାଇଁ ଦୁରୂହ ବୋଝ ବନିଗଲାଣି। ଏମିତିରେ ଶାସନ ଓ ନିରାପତ୍ତା ଭୁଶୁଡ଼ି ପଡ଼ିବାକୁ ବାଧ୍ୟ। ସେଇଥିପାଇଁ ସୁପ୍ରିମକୋର୍ଟ ତ ଶେଷରେ ହସ୍ତକ୍ଷେପ କଲେ ଆସାମର ଏ ଦୁର୍ଦଶାରେ। ଏବେ ଆମ ଓଡ଼ିଶାର କେନ୍ଦ୍ରାପଡ଼ା, ଆଳି, ରାଜକନିକା ଅଞ୍ଚଳରେ ବଙ୍ଗାଳୀ ମୁସଲମାନମାନେ ଖେଦି ଗଲେଣି। ସେଠା ଖଟିଖିଆ ଜନତା, ମତ୍ସ୍ୟଜୀବୀଙ୍କ ପାଇଁ ୟେ ଘୋର ସମସ୍ୟା ହେଲାଣି। ମାତ୍ର ଭୋଟ୍‌ଲୋଭୀ ରାଜନୀତିଆମାନେ ଏଙ୍କୁ କଳେବଳେ କୌଶଳେ ଭୋଟର ବନାଇ ଫାଇଦା ନେବାରେ ମସ୍‌ଗୁଲ। ତେଣୁ ଏମାନଙ୍କୁ ତଡ଼ିଲେ ଏ ରାଜନୀତିଆଙ୍କୁ ଘାଟା ଲାଗିବ। ବିରୋଧ ସେଇଥିପାଇଁ। ତୃଣମୂଳ ନେତ୍ରୀ ଓ କଲକାତା ମୁଖ୍ୟମନ୍ତ୍ରୀ ମମତା ଦିଦି ଏ ବ୍ୟବସ୍ଥା ବିରୋଧରେ ଗର୍ଜୁଛନ୍ତି। ତୃଣମୂଳର କେତେକ ଏମ୍‌.ପି.ଙ୍କୁ ଆସାମ ପଠାଇଥିଲେ। କାଚର ଅଞ୍ଚଳରେ ସେମାନେ କ’ଣ ଅନୁଧ୍ୟାନ କରିଥାନ୍ତେ? ସେଠି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ଥିଲା ଭିତିରି ଉଦ୍ଦେଶ୍ୟ। ବିମାନ ଘାଟିରେ ତାଙ୍କୁ ଅଟକାଇ ଦିଆଯାଇ ଫେରାଇ ଦିଆଗଲା। ଯଥାର୍ଥ ମନେ ହୋଇଛି ଏ ପଦକ୍ଷେପ। ଏ ବ୍ୟବସ୍ଥା ସଫଳ ହେଲେ, କଲକାତାକୁ ବ୍ୟାପିପାରେ। ଏଠି ତ ବାଂଲାଦେଶୀ ମୁସଲମାନ ଅନୁପ୍ରବେଶକାରୀଙ୍କ ଅନର୍ଗଳ ପ୍ରବେଶ ଜାରି ରହିଛି। ଏଙ୍କୁ ଭୋଟର ବନାଇ ଏ ନେତାମାନେ ଫାଇଦା ନେଉଥିବା ଅଭିଯୋଗ ହେଉଛି। ଏଙ୍କ ସଂଖ୍ୟା ତ ଗଣ୍ଡେ ଦି’ ଗଣ୍ଡା ନୁହଁ, ଲକ୍ଷଲକ୍ଷ। ଭୋଟ ରାଜନୀତିକୁ ଏମାନେ ଏପଟସେପଟ କରି ଦେଉଛନ୍ତି। ସେମିତି ‘ମଦ୍ରାସା’ଗୁଡ଼ିକ ବି ଆତଙ୍କବାଦୀଙ୍କ ଢାଲ ବନିଲାଣି। ଓଡ଼ିଶାରେ ଏମିତି ଜଣେ ଆତଙ୍କବାଦୀ ଧରାପଡ଼ିଛି। ଶିକ୍ଷା ଓ ସଂସ୍କୃତିର ପ୍ରସାର ପାଇଁ ଗଠିତ ଏ ପବିତ୍ର ସଂସ୍ଥାମାନଙ୍କଠି ଏ ଆତଙ୍କବାଦୀମାନେ ଦାଗ ଓ ଅବିଶ୍ୱାସ ଲେପି ଦେଉଛନ୍ତି। ଏମିତି ପରିସ୍ଥିତିରେ ଅନୁପ୍ରବେଶ ରୋକା ନ ଗଲେ ଏ ଦେଶର ସ୍ୱାଧୀନତା ଉପରେ ବିପଦ ଦେଖାଦେବ। ତା’ ସତ୍ତ୍ୱେ ଆସାମରେ ଚାଲିଥିବା ଏ ବ୍ୟବସ୍ଥାରେ ଦିଦି ଏତେ ଦ୍ରବି ଯାଉଛନ୍ତି, ଉତ୍ତେଜିତ ହୋଇପଡ଼ୁଛନ୍ତି କାହିଁକି? ବଙ୍ଗୋପସାଗରରେ ବାଂଲାଦେଶୀ ପଠାଣ ମତ୍ସ୍ୟଜୀବୀମାନେ ଆମ ଓଡ଼ିଆ ମତ୍ସ୍ୟଜୀବୀଙ୍କ ପ୍ରତି ଆକ୍ରମଣ ଘଟଣା କ’ଣ ସେ ଶୁଣିନାହାନ୍ତି? କଲକାତାରେ ମଧ୍ୟ ସେମାନଙ୍କ ଅନୁପ୍ରବେଶ ଜଟିଳ ସମସ୍ୟାମାନ ସୃଷ୍ଟି କରିନି କି? ମାତ୍ର ଏଥିରେ ଏମାନଙ୍କର କ’ଣ ଯା’ଆସ ଅଛି? ପାଣି ଯହୁଁ ଗୋଳିଆ କଙ୍କଡ଼ାକୁ ତହୁଁ ସୁବିଧା। ପାଣି ସଫା ଆରମ୍ଭ ବୋଇଲେ ତ ଅସୁବିଧା ଘନେଇବ। ଏବେ ଆସାମରେ ଯେଉଁ ସଫାସୁତୁରା ଚାଲିଛି, ତା’ କଲକାତାକୁ ବଢ଼ିଲେ ଦିଦିଙ୍କ ଭୋଟ ରାଜନୀତି ସତେ କ’ଣ ସମସ୍ୟାର ସମ୍ମୁଖୀନ ହେବ? ନୋହିଲେ, ସର୍ବୋଚ୍ଚ ବିଚାରାଳୟ ଦ୍ୱାରା ପରିଚାଳିତ ଏମିତି ଏକ ଗମ୍ଭୀର ବ୍ୟବସ୍ଥାର ସେ ଏମିତି ବିରୋଧ କାହିଁକି କରୁଛନ୍ତି? ଗାଁ ଗଣ୍ଡାରେ ଢଗ ଅଛି, “ବିରି ମାଡ଼ ଦେଖି କୋଳଥ ଚୋପା”। ମାନସିକ ଆତଙ୍କ ତ ସବୁ ଆତଙ୍କକୁ ବଳିଯାଏ। ଅଠର ବର୍ଷର ଯୁବତୀ ମ୍ୟାରୀ କୁଇନ ଅଫ୍‌ ସ୍କଟଙ୍କୁ ଅପରାହ୍ଣରେ ତାଙ୍କ ମୁଣ୍ଡକାଟ ଦଣ୍ଡ ଶୁଣାଇ ଦିଆଗଲା। ରାତିସାରା ଏ ଦଣ୍ଡର ଆତଙ୍କରେ ସେ ଏତେ ଜର୍ଜରିତ ହୋଇଗଲେ ଯେ ସକାଳୁ ତାଙ୍କ ଚୁଟି ସବୁ ଝୋଟ ବନିଯାଇଥିଲା। ସେମିତି ଏକ ଦୁର୍ଦଶା ଆଶଙ୍କାରେ ଦିଦି ବାୟାଣୀ ବନିଯାଉ ନାହାନ୍ତି ତ? ଦେଖାଯାଉ, ପରିଣତି କ’ଣ ହେଉଛି?

Leave A Reply