ସିକ୍କିମ୍‌ରୁ ଶିକ୍ଷା

0

ଶିବଚରଣ ନାୟକ

୧୬ମେ ୧୯୭୫ ଦିନ ମାତ୍ର ଚାରି ଜିଲା ବିଶିଷ୍ଟ ୭୦୯୬ ବର୍ଗ କିଲୋମିଟର ସୌନ୍ଦର୍ଯ୍ୟର ଗନ୍ତାଘର ସ୍ବାଧୀନ ସିକ୍କିମ ଦେଶଟି ପ୍ରାୟ ସ୍ବଇଚ୍ଛାରେ ଆମ ଦେଶସହ ମିିଶିଲା। ଏହା ଦେଶର ଦ୍ବିତୀୟ କ୍ଷୁଦ୍ର ରାଜ୍ୟ, ଜନସଂଖ୍ୟା ପ୍ରାୟ ୬ଲକ୍ଷ ୪୮ହଜାର। ସିକ୍କିମ୍‌ ଗଣତନ୍ତ୍ର ଦଳର ପ୍ରତିଷ୍ଠାତା ୬୭ ବର୍ଷର ପୱନକୁମାର ଚାମଲିଙ୍ଗ ୧୨ ଡିସେମ୍ବର ୧୯୯୪ ଦିନ ରାଜ୍ୟର ୫ମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ବିପୁଳ ଜନମତରେ ଗତ ପାଞ୍ଚଟି ନିର୍ବାଚନରେ ବିଜୟୀ ହୋଇ ଦେଶର ଆଜି ‘ଦୀର୍ଘକାଳ ବ୍ୟାପୀ’ ମୁଖ୍ୟମନ୍ତ୍ରୀ ଉପାଧି ପାଇଛନ୍ତି। ୨୦୦୯ ସାଧାରଣ ନିର୍ବାଚନରେ ତାଙ୍କ ଦଳ ୩୨ ସଂଖ୍ୟା ବିଶିଷ୍ଟ ବିଧାନସଭାକୁ ପୂର୍ଣ୍ଣ ସଂଖ୍ୟାରେ ଓ ଏକ ସଂଖ୍ୟା ବିଶିଷ୍ଟ ଲୋକସଭାର ଆସନଟିକୁ ବିଜୟ ଦ୍ବାରା ଗଣତାନ୍ତ୍ରିକ ନିର୍ବାଚନରେ ବିଶ୍ବରେ ରେକର୍ଡ଼ କରିଛି। ଶ୍ରୀ ଚାମଲିଙ୍ଗ ଏକ କୃଷକ ପରିବାରରେ ଜନ୍ମି ମାତ୍ର ମାଟ୍ରିକ ପଢ଼ି ଖ୍ୟାତିସମ୍ପନ୍ନ ସଂଗଠକ, ସାହିତ୍ୟିକ, ସମ୍ପାଦକ ଓ ଜନସେବକ ଭାବେ ରାଜ୍ୟ, ଦେଶ ଓ ବିଦେଶରୁ ବହୁତ ମୂଲ୍ୟବାନ ପ୍ରଶଂସାପତ୍ର ଓ ପୁରସ୍କାର ପାଇଛନ୍ତି। ତାଙ୍କୁ ଅନେକ ସମ୍ମାନୀୟ ଡକ୍ଟରେଟ୍‌ ଡିଗ୍ରୀ ମିଳିଛି।
୨୦୦୩ରେ ଚାମଲିଙ୍ଗଙ୍କ ସିକ୍କିମ ସରକାର ପ୍ରାକୃତିକ ବା ଜୈବିକ କୃଷି ପ୍ରଣାଳୀ ପ୍ରଚଳନ ପାଇଁ ନିୟମ କଲେ। ଗୋବର, ପଶୁମୂତ୍ର, ପଚାଶଢ଼ା ପତ୍ର, ପରିବା, ଫଳ, ମାଛ, ମାଂସ ଇତ୍ୟାଦିକୁ ଗାତ​‌େ​‌ର ପଚାଇ କମ୍ପୋଷ୍ଟସାର ବା ଜୈବିକ ସାର ତିଆରି କରି କୃଷିରେ ପ୍ରୟୋଗ ପାଇଁ କୃଷକଙ୍କୁ ଶିକ୍ଷା ଦିଆଗଲା। ରାସାୟନିକ ସାର ଓ ରାସାୟନିକ ପୋକମରା ଔଷଧ କ୍ରୟ ପାଇଁ ପ୍ରଚଳିତ ଆର୍ଥିକ ସାହାଯ୍ୟ ସ୍ଥଗିତ ହେଲା। ୨୦୦୪ରେ ରାଜ୍ୟରେ ଜୈବିକ କୃଷି ବୋର୍ଡ଼ ଗଠନ ହେଲା। ବିଦ୍ୟାଳୟ ପାଠ୍ୟକ୍ରମରେ ଜୈବିକ କୃଷି ବିଜ୍ଞାନ ଏକ ବାଧ୍ୟତାମୂଳକ ବିଷୟ ହେଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ବହୁତ ସକ୍ରିୟ ରହିଛି। ଜୈବିକ ସାର ଦ୍ବାରା ଭଲ ଫସଲ ପାଇଁ କୃଷିକ୍ଷେତ୍ର ସମୟ ଦେଲା। ଏଥିପାଇଁ କୃଷକମାନେ ଅସନ୍ତୋଷ ବା ବିଦ୍ରୋହ ପ୍ରକାଶ କଲେ ନାହିଁ। ରାସାୟନିକ ସାର ଓ ରାସାୟନିକ ପୋକମରା ଔଷଧର ବ୍ୟବହାର ଏକ ଅକ୍ଷମଣୀୟ ଅପରାଧ ବୋଲି ୨୦୧୪ରେ ନିୟମ ହେଲା। ଏହାକୁ ଅବମାନନା କଲେ ଏକ ଲକ୍ଷଟଙ୍କା ଜୋରିମାନା ସହ ତିନିମାସ ଜେଲ ଦଣ୍ଡ ଘୋଷଣାହେଲା। ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ନିଆଗଲା। ରାଜ୍ୟରେ ୨୦୧୪ରେ ବାଣ ଫୁଟାଇବା ନିଷେଧ କରାଗଲା। ଦେଶର ପ୍ରଥମ ରାଜ୍ୟ ହିସାବରେ ସିକ୍କିମ ୧୯୯୮ରେ ପ୍ଲାଷ୍ଟିକ ଥଳି ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ଦ୍ରବ୍ୟ ବ୍ୟବହାରକୁ ନିୟନ୍ତ୍ରଣ କଲା। ରାଜ୍ୟର ସର୍ବତ୍ର ଏବଂ ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ପ୍ରାୟ ଅଦୃଶ୍ୟ ହୋଇଛି। ପର୍ଯ୍ୟବେକ୍ଷକଟିଏ ପ୍ଲାଷ୍ଟିକ୍‌ ଦ୍ରବ୍ୟ ବା ଆବର୍ଜନା ପକାଇବା ଦେଖିବା ମାତ୍ରେ ସ୍ବେଚ୍ଛାସେବକଟି ତାକୁନେଇ ଢାଙ୍କୁଣିଥିବା ବଡ଼ ଡବାରେ ରଖନ୍ତି। ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ଦୁଇଶହ ଟଙ୍କା ଓ ପରିସ୍ରା କଲେ ପାଞ୍ଚ ଶତଟଙ୍କା ଜୋରିମାନା ଦେବାକୁ ହୁଏ। ଏସବୁ ସ୍ଥାନରେ ପରିସ୍ରାଘର ବା ଶୌଚାଳୟ ରହିଛି। ୨୦୧୬ରୁ ପ୍ରାୟ ପ୍ରତି ଅଧିବାସୀ ଅନ୍ତତଃ ଶୌଚାଳୟ, ବିଶୁଦ୍ଧ ପାନୀୟଜଳ ଓ ବାୟୁ ଏବଂ ପୁଷ୍ଟିକର ଖାଦ୍ୟ ପାଉଛନ୍ତି। ଜନସଂଖ୍ୟାର ପ୍ରାୟ ୧୦% କୃଷକ ଓ ରାଜ୍ୟର ୧୧% କ୍ଷେତ୍ର କୃଷି ଉପଯୋଗୀ। ଭାରତର ପ୍ରାୟ ୮୦% ଜୈବିକ କୃଷି ଦ୍ରବ୍ୟ ସିକ୍କିମ୍‌ରୁ ଉତ୍ପନ୍ନ ହୁଏ। ରାଜ୍ୟରେ ଶିକ୍ଷାପାଇଁ ଯଥେଷ୍ଟ ସାଧାରଣ, ବୈଷୟିକ, ଆଇନ୍‌, ଡାକ୍ତରୀ, ଫାର୍ମାସୀ, ନର୍ସିଂ ଓ ମ୍ୟାନେଜ୍‌ମେଣ୍ଟ ଅନୁଷ୍ଠାନ ଅଛି। ବିଦ୍ୟାଳୟ ଶିକ୍ଷା ସହ ବହୁ କ୍ଷେତ୍ରରେ ମହାବିଦ୍ୟାଳୟ ଶିକ୍ଷା ମାଗଣାରେ ମିଳେ। ଅଧୁନା ସାକ୍ଷରତା ହାର ୮୨% ଅଛି, ୨୦୨୦କୁ ପୂର୍ଣ୍ଣ ସାକ୍ଷରତା ମାନ୍ୟତା ପାଇଁ ରାଜ୍ୟ ଚେଷ୍ଟିତ ଅଛି। ରାଜ୍ୟରେ ମାତ୍ର ୮% ଦରିଦ୍ର ଅଛନ୍ତି। ସୁତରାଂ ସିକ୍କିମକୁ ‘ଦରିଦ୍ରଶୂନ୍ୟ’ ରାଜ୍ୟ ଆଖ୍ୟା ମିଳିଛି। ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଅତି ଲାଭଜନକ। ସୁନ୍ଦର ବୃକ୍ଷ ଓ ଘନ ଜଙ୍ଗଲରେ ଆଚ୍ଛାଦିତ ରାଜ୍ୟର ୪୮% ବରଫାବୃତ ପର୍ବତ, ତିସ୍ତା ପରି ନଦୀ, ୫୩୪ ହ୍ରଦ ଓ ଅନେକ ଝରଣା, ଛୋଟଛୋଟ ଉପତ୍ୟକା, ଚିଡ଼ିଆଖାନା, ଆକର୍ଷଣୀୟ ବୃକ୍ଷ ଓ ପୁଷ୍ପ ଉଦ୍ୟାନ, ସନ୍ନ୍ୟାସୀମାନଙ୍କର ପୁରାତନ ଆଶ୍ରମ, ଚିତ୍ତାକର୍ଷକ ୧୯.୨ ବର୍ଗକିଲୋମିଟର ଓ ଏକଲକ୍ଷ ସତୁରିହଜାର ଜନସଂଖ୍ୟା ବିଶିଷ୍ଟ ରାଜଧାନୀ ଗ୍ୟାଙ୍ଗ୍‌ଟକ, ସର୍ବତ୍ର ପରିଷ୍କୃତ ସ୍ଥାନ ଇତ୍ୟାଦି ପ୍ରତି ଦର୍ଶକକୁ ମୁଗ୍ଧ କରେ।
ସିକ୍କିମ୍‌ ସରକାର ଗ୍ରାମପଞ୍ଚାୟତରେ ଓ କର୍ମକ୍ଷେତ୍ରରେ ୫୦%ସ୍ଥାନ ନାରୀମାନଙ୍କ ପାଇଁ ସଂରକ୍ଷିତ ରଖିଛନ୍ତି। ରାଜ୍ୟରେ ଧାନ, ମକା, ଆଳୁ, ବନ୍ଧାକୋବି, ସେଓ, ଚାହା, କଫି, ଅଳେଇଚ ଇତ୍ୟାଦିର ଅମଳ ସନ୍ତୋଷଜନକ। ଚା’ କଫି ଓ ଅଳେଇଚ ରପ୍ତାନୀ ହୁଏ। କେତେକ ଜଳବିଦ୍ୟୁତ କେନ୍ଦ୍ର ଖଣି ସକ୍ରିୟ ଅଛନ୍ତି। ସିକ୍କିମ୍‌ର ହସ୍ତଶିଳ୍ପ ଦ୍ରବ୍ୟ ଅତ୍ୟନ୍ତ ସୁନ୍ଦର, ସୁଲଭ ଓ ଆକର୍ଷଣୀୟ। ରାଜ୍ୟକୁ ନିର୍ମଳ ରାଜ୍ୟ ପୁରସ୍କାର, ଗ୍ରାମ ପଞ୍ଚାୟତ ଦ୍ବାରା ସଫଳ କାର୍ଯ୍ୟପାଇଁ ଦେଶର ଶ୍ରେଷ୍ଠ ରାଜ୍ୟ ପୁରସ୍କାର, ବହୁମୁଖୀ ବିକଶିତ ରାଜ୍ୟପାଇଁ ପ୍ରଶଂସା ପତ୍ର ଏବଂ ଜାନୁଆରୀ ୨୦୧୬ରେ ଦେଶର ପ୍ରଥମ ଜୈବିକ କୃ​‌ଷି ରାଜ୍ୟ ଉପାଧି ମିଳିଛି। ‘ସବୁଜ ମୁଖ୍ୟମନ୍ତ୍ରୀ’ ଉପାଧି ପାଇଥିବା ଶ୍ରୀ ଚାମଲିଙ୍ଗ୍‌ ବେଳେବେଳେ ବିପ୍ଳବୀ ଓ ବିବାଦୀୟ ହେଉଛନ୍ତି। ଶେଷରେ ସିକ୍କିମ୍‌ର କେତେକ ପିଲା ଓ ତରୁଣଙ୍କର ସ୍ଲୋଗାନକୁ ଓଡ଼ିଆରେ ଲେଖା ହୋଇପାରେ।
ହୁଅନ୍ତୁ ନାହିଁ ବିବ୍ରତ, ରହନ୍ତୁ ସନ୍ତୁଷ୍ଟ ସର୍ବତ୍ର।
ସଫା, ସବୁଜ ଓ ସୁଖୀ,
ଆମେ ନୁହେଁ କେବେ ଦୁଃଖୀ।
ସିକ୍କିମ୍‌ଠୁ ଆମକୁ ବହୁତ କିଛି ଶିଖିବାର ଅଛି।
କସ୍‌ମୋପଲିସ, ଭୁବନେଶ୍ବର

Leave A Reply