ସଂଶୟ ମୋଚନ ଜରୁରୀ

କୃଷି ଓ କୃଷକଙ୍କ ହିତାହିତକୁ ଦୃଷ୍ଟିରେ ରଖି ସରକାର ନିର୍ଣ୍ଣୟ ନେବା ଆବଶ୍ୟକ

ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ରାଜଧାନୀ ଦିଲ୍ଲୀ ସୀମାରେ ଦୀର୍ଘ ପାଞ୍ଚଦିନ ଧରି ୩୬ଟି କୃଷକ ସଂଘ ଆନ୍ଦୋଳନ ଜାରି ରଖିଥିବାବେଳେ ଏହାର ଚାପ ଆଗରେ ଶେଷରେ କେନ୍ଦ୍ର ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଛି। ମଙ୍ଗଳବାର ସରକାରଙ୍କ ପ୍ରତିନିଧିଭାବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ପୀୟୂଷ ଗୋୟଲ ଓ ସୋମ ପ୍ରକାଶ କୃଷକ ସଂଘର ବଛାବଛା ନେତାଙ୍କ ସହ ବିଜ୍ଞାନ ଭବନରେ ବସି ଆଲୋଚନା କରିଥିଲେ। ତେବେ ଏହା ଫଳପ୍ରଦ ହୋଇପାରିନାହିଁ ଏବଂ ଆସନ୍ତା ଡିସେମ୍ବର ୩ରେ ପୁଣିଥରେ ଉଭୟ ପକ୍ଷଙ୍କ ଭିତରେ ଆଲୋଚନା ହେବାପାଇଁ ଦିନ ଧାର୍ଯ୍ୟ ହୋଇଛି। ଆଲୋଚନାବେଳେ ଏହି ବିଷୟରେ ବିଚାରବିମର୍ଶ ପାଇଁ ୫-୬ ଜଣଙ୍କୁ ନେଇ ଏକ କ୍ଷୁଦ୍ର କମିଟି ଗଠନ କରିବା ନିମନ୍ତେ ସରକାର ଚାଷୀନେତାଙ୍କୁ ପରାମର୍ଶ ଦେଇଥିଲେ; କିନ୍ତୁ କୃଷକ ସଂଘ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରିଦିଆଯାଇଛି। ତେଣୁ ଏହି ବୈଠକ ଆପାତତଃ ବିଫଳ ହୋଇଛି ବୋଲି କୁହାଯାଇପାରେ। ସରକାର ଠୋସ୍‌ ନିର୍ଣ୍ଣୟ ନନେଲେ ଆଗକୁ ଅଧିକ ସମସ୍ୟା ଉପୁଜିବାର ସମ୍ଭାବନା ଦିଶୁଛି; କାରଣ କୃଷକମାନେ କେବଳ ନୂତନ କୃଷି ଆଇନକୁ ବିରୋଧ କରୁନାହାନ୍ତି, ସେମାନେ ଏହାର ସଂପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଅଡ଼ି ବସିବା ସହ ଏହାକୁ ‘ବୁଝାମଣାଯୋଗ୍ୟ ନୁହେଁ’ ବୋଲି ପୂର୍ବରୁ କହିଆସୁଛନ୍ତି। ସୂଚନାଯୋଗ୍ୟ ଯେ ରବିବାର ‘ମନ୍‌ କୀ ବାତ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ କୃଷି ଆଇନ ସପକ୍ଷରେ ଉଦାହରଣମାନ ଉପସ୍ଥାପନ କରିଥିବାବେଳେ କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ କହିନଥିବାରୁ ଆନ୍ଦୋଳନରତ ଚାଷୀ ଗଭୀର କ୍ଷୋଭ ପ୍ରକାଶ କରିଥିଲେ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସସର୍ତ୍ତ ଆଲୋଚନା ପ୍ରସ୍ତାବକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ।

ସରକାର ଅଧ୍ୟାଦେଶ ରୂପରେ ଏହି ଆଇନକୁ ଉପସ୍ଥାପନ କରିବା ପରଠୁ ହିଁ ଚାଷୀମାନେ ଏହାର କେତେକ ନିୟମକୁ ଦୃଢ଼ ବିରୋଧ କରିଆସୁଛନ୍ତି। ସେହି ସମୟରେ ଯଦି ସରକାର ଚାଷୀଙ୍କ କଥା ଶୁଣିଥା’ନ୍ତେ ଓ ସେମାନଙ୍କୁ ବୁଝାଇବାର ଚେଷ୍ଟା କରିଥା’ନ୍ତେ, ବର୍ତ୍ତମାନ ସ୍ଥିତି ନିଶ୍ଚୟ ଭିନ୍ନ ହୋଇଥାନ୍ତା। ସବୁଠୁ ବଡ଼ ପ୍ରଶ୍ନ ଯେ ସରକାର ଏହାକୁ ଆଇନରେ ପରିଣତ କରିବାର ଏତେ ଦିନ ପରେ ମଧ୍ୟ କୃଷକମାନଙ୍କୁ ଏହାର ଉପଯୋଗିତା ବିଷୟରେ ବୁଝାଇବାରେ ବିଫଳ ହୋଇଛନ୍ତି।  ସରକାର କହିଆସୁଛନ୍ତି ଯେ ଏହା ଚାଷୀଙ୍କ ପାଇଁ ଖୁବ୍‌ ହିତକର ଏବଂ ଏହାର ପ୍ରୟୋଗ ଦ୍ବାରା ଚାଷୀଙ୍କ ଆୟ ଦୁଇଗୁଣ ହୋଇଯିବ। ତେଣୁ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କର ଏହା ବଡ଼ ଭେଟି ବୋଲି ମଧ୍ୟ ଶାସକ ଦଳର ନେତାମନ୍ତ୍ରୀ କହୁଛନ୍ତି; କିନ୍ତୁ ଚାଷୀମାନଙ୍କ ସଂଶୟ ମୋଚନ କରିବାରେ ମୋଦୀ ସରକାର ଏ ପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି, ତାହା ନିଃସନ୍ଦେହ। ରବିବାର ନୀତି ଆୟୋଗର କୃଷି ସମ୍ପର୍କିତ ଜଣେ ସଦସ୍ୟ ରମେଶ ଚାନ୍ଦ କହିଥିଲେ ଯେ ଆନ୍ଦୋଳନରତ ଚାଷୀମାନେ ନୂତନ କୃଷି ଆଇନକୁ ସଂପୂର୍ଣ୍ଣ ରୂପେ ବା ଠିକ୍‌ଭାବେ ଏ ପର୍ଯ୍ୟନ୍ତ ବୁଝିନାହାନ୍ତି। ଯଦି ତାଙ୍କ କଥନ ସତ୍ୟ ହୋଇଥାଏ, ତେବେ ତାହା ଚାଷୀଙ୍କ ଦୋଷ ନା ସରକାରଙ୍କ ଦୁର୍ବଳତା? ଦୀର୍ଘକାଳୀନ ପ୍ରଭାବ ପକାଇବା ଭଳି ଯେ କୌଣସି ଆଇନ ପ୍ରଣୟନ କ୍ରମରେ ପ୍ରଭାବିତ ପକ୍ଷଙ୍କୁ ସେ ସମ୍ବନ୍ଧରେ ବୁଝାସୁଝା କରିବାର ଦାୟିତ୍ବ କାହାର? ଏକ ଗଣତାନ୍ତ୍ରିକ ଢାଞ୍ଚାରେ କୌଣସି ବଡ଼ ବର୍ଗର ହିତଅହିତ ସହ ଜଡ଼ିତ ପ୍ରଶ୍ନଗୁଡ଼ିକ ଉପରେ ଯଦି ସମ୍ମତି ହାସଲ କରିନିଆଯାଏ, ତେବେ ସଂଶୟର ଅବକାଶ ରହେନାହିଁ। ସରକାରଙ୍କ ନିକଟରେ ଜନପ୍ରତିନିଧିଙ୍କ ସମେତ ଏକ ବ୍ୟାପକ ବ୍ୟବସ୍ଥା ମଧ୍ୟ ରହିଛି, ଯାହାର ଉପଯୋଗ କରି ଏହି କାମଟିକୁ ସହଜରେ କରାଯାଇପାରିଥା’ନ୍ତା; କିନ୍ତୁ ବିଡ଼ମ୍ବନା ଯେ ଏ କ୍ଷେତ୍ରରେ ତାହା ହୋଇନାହିଁ କିମ୍ବା ଠିକ୍‌ ଭାବରେ କରାଯାଇନାହିଁ।

ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ଆନ୍ଦୋଳନକୁ ଅଧିକାଂଶ ବିରୋଧୀ ଦଳ ସମର୍ଥନ କରୁଥିବାରୁ କେନ୍ଦ୍ର ସରକାର ଓ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦୁଃଖର କଥା ଯେ ହରିୟାଣା ଓ କେନ୍ଦ୍ରର ଶାସକ ଦଳ କଂଗ୍ରେସ ଓ ଅନ୍ୟମାନଙ୍କ ପ୍ରରୋଚନା ଚାଷୀ ଆନ୍ଦୋଳନ ପଛର କାରଣ ବୋଲି କହିଛନ୍ତି। କୃଷି ଓ କୃଷକଙ୍କ ସମସ୍ୟା ସମ୍ପର୍କରେ ଅଜ୍ଞ ଅଭିନେତ୍ରୀ କଂଗନା ରଣାୱତ୍‌ଙ୍କ ପରି କେତେକ ଏମାନଙ୍କୁ ‘ମାଓବାଦୀ’ ଓ ‘ଖଲିସ୍ତାନୀ’ ବୋଲି ଆକ୍ଷେପ କରିବାକୁ ପଛାଇନାହାନ୍ତି। ଏହା ଖୁବ୍‌ ଦୁର୍ଭାଗ୍ୟଜନକ। ଏହି କୃଷକ ଆନ୍ଦୋଳନରେ ପଞ୍ଜାବର ଚାଷୀ ପ୍ରମୁଖ ଭୂମିକା ତୁଲାଉଥିବାବେଳେ ନିକଟରେ ସେହି ରାଜ୍ୟର ଏକ ପ୍ରମୁଖ ରାଜନୀତିକ ଦଳ ଶିରୋମଣି ଅକାଳୀ ଦଳ ଓ ବିଜେପିର ଦୀର୍ଘକାଳର ମେଣ୍ଟ ଭାଙ୍ଗିବା ପରେ ବିଜେପି ସେଠାରେ ନିଜକୁ ଦୁର୍ବଳ ବୋଧ କରୁଛି। ଯଦି ଅକାଳୀ ଦଳ ଏବେ ବିଜେପି ସହ ଥାଆନ୍ତା, ଏହି ସମସ୍ୟାର ସମାଧାନ କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ସହଜ ହୋଇଥାଆନ୍ତା, ଯାହା ଏବେ ସମ୍ଭବ ନୁହେଁ। ତଥାପି ଆମେ ଆଶା କରିବା ଯେ ଏହି ସଙ୍କଟର ଏକ ସମାଧାନ ପନ୍ଥା ବାହାରୁ। ନିଜ ଅହଂକାର ଓ ଜିଦ୍‌ରେ ଅଟଳ ନରହି ସରକାର କୃଷକଙ୍କ ବାସ୍ତବ ସମସ୍ୟାକୁ ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ଚାଷୀଙ୍କ ଆଶଙ୍କା ଦୂର ହେବାଭଳି ପଦକ୍ଷେପ ନିଅନ୍ତୁ। ସର୍ବୋପରି ଏହାକୁ  ରାଜନୀତିକ ହାନିଲାଭ ଦୃଷ୍ଟିରୁ ବିଚାର ନକରି ସମ୍ବେଦନଶୀଳତା ସହ କୃଷି ଓ କୃଷକଙ୍କ ହିତାହିତକୁ ଆଖିରେ ରଖି ନିର୍ଣ୍ଣୟ ନେବା ବାଞ୍ଛନୀୟ।

Comments are closed.