ଅବିଶ୍ବାସରୁ ଅସମ୍ମତି

ସରକାର ଓ କୃଷକ ସଂଗଠନ ଭିତରେ ବିଶ୍ବାସର ବାତାବରଣ ରହିବା ବେଶି ମହତ୍ତ୍ବପୂର୍ଣ୍ଣ

ଏଗାର ଥର ବୈଠକ; କିନ୍ତୁ ଫଳ ଶୂନ। କୃଷକ ସଂଗଠନ ଓ କେନ୍ଦ୍ର ସରକାର ଏବେ ଆଉ ଏକାଠି ବସି ଆଲୋଚନା କରିବା ସ୍ଥିତିରେ ମଧ୍ୟ ନାହାନ୍ତି, ଯାହା ନିଶ୍ଚିତଭାବେ ଦୁର୍ଭାଗ୍ୟଜନକ। ସରକାର ଦେଢ଼ବର୍ଷ ପର୍ଯ୍ୟନ୍ତ କୃଷି ଆଇନକୁ ସ୍ଥଗିତ ରଖିବାପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହା ବୈଠକର ଏକ ଗୁରୁତ୍ବପୂର୍ଣ୍ଣ ନିର୍ଯ୍ୟାସ ହୋଇଥିଲେ ହେଁ ତାକୁ ଚାଷୀ ସଂଗଠନ ଅଗ୍ରାହ୍ୟ କରିଦେବାପରେ ଏହା ଗୁରୁତ୍ବହୀନ ହୋଇପଡ଼ିଛି। ଆରମ୍ଭରୁ ସରକାର ଯଦି ଏହି ପ୍ରସ୍ତାବ ଦେଇଥା’ନ୍ତେ, ହୁଏତ ତାକୁ ଚାଷୀ ଗ୍ରହଣ କରିଥା’ନ୍ତେ; କିନ୍ତୁ ବର୍ତ୍ତମାନ ଉଭୟ ପକ୍ଷ ଭିତରେ ଅବିଶ୍ବାସ ଏତେ ବଢ଼ିଯାଇଛି ଯେ ଚାଷୀମାନେ ସରକାରଙ୍କ ସବୁ ପ୍ରସ୍ତାବ ଓ ପଦକ୍ଷେପକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି ଏବଂ ଅସମ୍ମତ ହେଉଛନ୍ତି। ଏପରି ସ୍ଥିତି ଆଦୌ ବାଞ୍ଛନୀୟ ନୁହେଁ। ତେବେ ଏସବୁ ମୂଳରେ ସରକାରଙ୍କ ଦାୟିତ୍ବହୀନ କାର୍ଯ୍ୟ ରହିଛି, ଏହା ସରକାର ନିଜେ ବି ବୁଝିସାରିବେଣି। ଭାରତ ଭଳି ଏକ କୃଷିପ୍ରଧାନ ଦେଶରେ କୃଷି ଆଇନ ପ୍ରଣୟନ କଲାବେଳେ ଆଇନଟି ଯାହା ପାଇଁ ଗଢ଼ାଯାଉଛି, ସେହି କୃଷକମାନଙ୍କ ସହିତ ବିସ୍ତୃତ ଆଲୋଚନା ଓ ପରାମର୍ଶ ନକରିବା ଯେ ଅବିମୃଶ୍ୟକାରିତା, ସେଥିରେ କୌଣସି ସନ୍ଦେହ ନାହିଁ। ପୁଣି ଅଧ୍ୟାଦେଶ ଆଣି ଠିକ୍‌ଭାବେ ସଂସଦରେ ତର୍କବିତର୍କ ନକରି ଆଇନ ପ୍ରଣୟନ କରିବାର ଫଳ ସରକାରଙ୍କୁ ଅବିଶ୍ବସନୀୟ କରିଛି ଏବଂ ଚାଷୀମାନେ ଦୁଇ ମାସରୁ ଊର୍ଦ୍ଧ୍ବକାଳ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଅଛନ୍ତି। କ୍ରମଶଃ ଚାଷୀ ଆନ୍ଦୋଳନ ସମଗ୍ର ଦେଶରେ ବ୍ୟାପୁଥିବା ଦେଖାଗଲାଣି। ସେମାନଙ୍କର ଦୁଇଟି ପ୍ରମୁଖ ଦାବି ତିନି ବିବାଦୀୟ କୃଷି ଆଇନର ପ୍ରତ୍ୟାହାର ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ପ୍ରଦାନକୁ ସରକାର ଏ ପର୍ଯ୍ୟନ୍ତ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ଏହି ଆଇନ ପ୍ରଣୟନ ପଛରେ ସରକାରଙ୍କ ଭଲ ବା ମନ୍ଦ ଯେଉଁ ଅଭିପ୍ରାୟ ଥାଉ ନା କାହିଁକି, ସରକାର କୃଷକମାନଙ୍କ ବିଶ୍ବାସ ଜିତିନପାରିବା ଫଳରେ ସମସ୍ୟା ବଢ଼ୁଛି। ଅନ୍ୟପକ୍ଷରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆନ୍ଦୋଳନର ପବିତ୍ରତା ନଷ୍ଟ ହୋଇଥିବା ଏବଂ କେତେକ ଶକ୍ତି ନିଜର ବ୍ୟକ୍ତିଗତ ତଥା ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଆନ୍ଦୋଳନ ଜାରି ରଖିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଓ ଅବିଶ୍ବାସର ଏହି ସ୍ଥିତି ସରକାରଙ୍କ ଅଡୁଆକୁ ଅଧିକ ବଢ଼ାଇବ।
କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ପରେଡ୍‌ ଆୟୋଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ପ୍ରାୟ ୧୦୦ କିଲୋମିଟର ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରେଡରେ ୧ ଲକ୍ଷରୁ ଅଧିକ ଟ୍ରାକ୍ଟର-ଟ୍ରଲି ସାମିଲ୍‌ ହେବ ବୋଲି କୃଷକ ସଂଘର ନେତାମାନେ ଦାବି କରିଛନ୍ତି। ଏଥିରେ କୃଷି ଓ କୃଷକ ସମ୍ପର୍କିତ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ମଧ୍ୟ ସ୍ଥାନ ପାଇବ ବୋଲି କୁହାଯାଇଛି। ଏହା ଦିଲ୍ଲୀ ଏନ୍‌ସିଆର୍‌ର କେଉଁକେଉଁ ରାସ୍ତାରେ ଅନୁଷ୍ଠିତ ହେବ, ସେ ନେଇ କୃଷକ ସଂଘ ଓ ଦିଲ୍ଲୀ ପୁଲିସ୍‌ ମଧ୍ୟରେ ଆଲୋଚନା ହୋଇଥିଲେ ହେଁ ଏପରି ପରେଡ଼ ପାଇଁ ଅନୁମତି ଦିଆଯାଇଛି ନା ନାହିଁ, ସେ ନେଇ ସ୍ଥିତି ଅସ୍ପଷ୍ଟ (କୃଷକ ସଂଘ ଶନିବାର ଅନୁମତି ମିଳିଛି ବୋଲି କହିଥିବାବେଳେ ଏକ ଟିଭି ଚ୍ୟାନେଲ୍‌ର ଖବର ଅନୁସାରେ ଦିଲ୍ଲୀ ପୁଲିସ ରବିବାର ସନ୍ଧ୍ୟା ସୁଦ୍ଧା ଅନୁମତି ଦେଇନାହିଁ)। ସେ ଯାହାହେଉ, ଚାଷୀମାନେ ଯେଉଁ ଟ୍ରାକ୍ଟର ପରେଡ଼ କରିବାକୁ ନିଷ୍ପତ୍ତି କରିଛନ୍ତି, ତାହା ଯଦି ଶାନ୍ତିଶୃଙ୍ଖଳାର ସହ କରାଯାଏ, ତେବେ କାହାର ଆପତ୍ତି ରହିବା କଥା ନୁହେଁ। ୨୦୧୯ରେ ନେଦରଲାଣ୍ଡ​‌େ​‌ର ହଜାରହଜାର ଚାଷୀ କୃଷି ସଂପର୍କିତ କେତେକ ଦାବି ନେଇ ବିରାଟ ଟ୍ରାକ୍ଟର ରାଲି ଆୟୋଜନ କରିଥିଲେ, ଯାହା ସେତେବେଳେ ବହୁଚର୍ଚ୍ଚିତ ହୋଇଥିଲା।
ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ଭିତରେ ବିଶ୍ବାସର ବାତାବରଣ ରହିବା ବେଶି ଗୁରୁତ୍ବପୂର୍ଣ୍ଣ। କୋର୍ଟକଚେରି ଏହା ଭିତରେ ପଶିବା ଅବାଞ୍ଛନୀୟ। ସେପରି ହେଲେ ଉଭୟଙ୍କ ଭିତରେ ଅବିଶ୍ବାସ ଆହୁରି ବଢ଼ିବ ସିନା କମିବ ନାହିଁ। ଏଥିପାଇଁ ସରକାରଙ୍କ ଦାୟିତ୍ବ ଅଧିକ। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦ୍ବାରା କୃଷକ ସଂଘର ନେତାମାନଙ୍କୁ ଯେଉଁ ହଇରାଣହରକତ କରାଯାଉଥିବା ଅଭିଯୋଗ ହେଉଛି, ତାହା ତୁରନ୍ତ ବନ୍ଦ ହେବା ଜରୁରୀ। ଶାସକ ଦଳର ନେତୃବୃନ୍ଦ ଆନ୍ଦୋଳନରତ ଚାଷୀଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେବାରୁ ମଧ୍ୟ ନିବୃତ୍ତ ରହିବା ଉଚିତ। କୃଷକ ସଂଘ ସରକାରଙ୍କୁ ସହଯୋଗର ହାତ ବଢ଼ାଇବା ଆବଶ୍ୟକ, ଯେପରି କି ସମସ୍ୟାର ସମାଧାନ ବାହାରିପାରିବ। ଏଥିପାଇଁ ସରକାର ଓ କୃଷକଙ୍କ ମଧ୍ୟରେ ଆଲୋଚନା ହିଁ ଗୋଟିଏ ବାଟ। କୃଷକ ଯେପରି ବଜାରୀ ଶକ୍ତିର ଖେଳନା ପାଲଟିବ ନାହିଁ ଓ ତା’ର ଉଚିତ ମୂଲ୍ୟ ପାଇବା ସହ ସମ୍ମାନର ସହ ବଞ୍ଚିପାରିବ, ତାହା ନିଶ୍ଚିତ କରିବା ସରକାରଙ୍କ ଦାୟିତ୍ବ। ଏଥିରେ ସନ୍ଦେହ ନାହିଁ ଯେ କୃଷି ନୀତିରେ ସଂସ୍କାର ଆବଶ୍ୟକ; କିନ୍ତୁ କୃଷକଙ୍କ ସ୍ବାର୍ଥକୁ ଉପେକ୍ଷା କରି ତାହା ପ୍ରଣୟନ କରାଯିବା ଅନୁଚିତ। ସରକାର ଏ ବିଷୟରେ ପୁଙ୍ଖାନୁପୁଙ୍ଖ ତର୍ଜମା ଓ ଆଲୋଚନା କରିବା ଜରୁରୀ।

Comments are closed.