କାର୍ଯ୍ୟାନୁଷ୍ଠାନର ସମୟ

0

ବ୍ରିଟେନ ସରକାର ସ୍ପଷ୍ଟ କରିଛନ୍ତି ଯେ ପଞ୍ଜାବ ନେସନାଲ ବ୍ୟାଙ୍କ (ପିଏନ୍‌ବି)ର ମହାଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ ତାଙ୍କ ଦେଶରେ ଅବସ୍ଥାନ କରୁଛି। ଫଳରେ ତାକୁ ଭାରତ ଅଣାଯାଇ ତା’ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ଉଜ୍ବଳ ହୋଇଛି। ନିରବ ବିରୋଧରେ ୧୪,୩୫୬ କୋଟି ଟଙ୍କାର ଠକେଇ କରିଥିବା ସଂପୃକ୍ତ କର୍ତ୍ତୃପକ୍ଷ ହିସାବ କରିଛନ୍ତି, ଯାହା ସରକାରୀ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସବୁଠୁ ବଡ଼ ଠକେଇ। ଅନ୍ୟପକ୍ଷରେ ଏହି ମହାଠକେଇରେ କେବଳ ନିରବ ବା ତା’ର ସାଥୀମାନେ ସମ୍ପୃକ୍ତ ନୁହନ୍ତି, ବ୍ୟାଙ୍କର କର୍ମଚାରୀମାନେ ମଧ୍ୟ ସମ୍ପୃକ୍ତ ଥିବା କ୍ରମଶଃ ସ୍ପଷ୍ଟ ହେଉଛି। ସେମାନଙ୍କ ସମ୍ପୃକ୍ତି କିଭଳି ରହିଥିଲା, ତା’ର ବିଧିବଦ୍ଧ ତଦନ୍ତ କରାଯିବା ସହ ସେମାନଙ୍କୁ ଗିରଫ କରାଯିବା ଆବଶ୍ୟକ। ଆର୍ଥିକ ଅପରାଧୀମାନଙ୍କ କ୍ଷେତ୍ରରେ ଆଇନ ସେତେଟା ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଉଦାହରଣ ଆମ ଦେଶରେ ନାହିଁ। ଏହା ହିଁ ଏଭଳି ମହାଠକେଇକୁ ପ୍ରୋତ୍ସାହିତ କରିଛି, ସେଥିରେ ସନ୍ଦେହ ନାହିଁ।
ଅପରପକ୍ଷେ ଏବେ ଭାରତୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ରଜନୀଶ କୁମାର ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା, ବିଶେଷକରି ଅନାଦାୟ ଋଣ ବା ଖରାପ ଋଣ ସଙ୍କଟ ଉପରେ ଯେଉଁ ମତ ରଖିଛନ୍ତି, ତା’ ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ। ସେ କହିଛନ୍ତି ଯେ ଅନାଦାୟ ଋଣ ଏକ ସଙ୍କଟ ପାଲଟିବା ପଛରେ କେବଳ ବ୍ୟାଙ୍କର ଦୋଷ ନାହିଁ; ଏଥିପାଇଁ ସରକାର, ଏପରିକି ଆମ ବିଚାର ବ୍ୟବସ୍ଥା ମଧ୍ୟ ଅଳ୍ପବହୁତେ ଦାୟୀ। ସମସ୍ୟାର ଚିହ୍ନଟ ବିନା ତା’ର ସମାଧାନ ଅସମ୍ଭବ। ତେଣୁ ପ୍ରଥମେ ପ୍ରକୃତ ସମସ୍ୟା କେଉଁଠି ରହିଛି, ତାହାର ଚିହ୍ନଟ କରାଯାଉ। ଭାରତରେ ଯେଉଁ ସମୟରେ ଅଧିକ ଆର୍ଥିକ ଅଭିବୃଦ୍ଧି ଘଟିବା ସହ ଅଧିକ ବିନିଯୋଗ ହୋଇଛି, ସେତେବେଳେ ହିଁ ଖରାପ ଋଣର ପରିମାଣ ବୃଦ୍ଧି ପାଇଛି। ଏହାକୁ ରୋକିବା ପାଇଁ ଯେଉଁ ପଦକ୍ଷେପ ଲୋଡ଼ା ଥିଲା, ତାହା ନିଆଯାଇନାହିଁ। ଏ କ୍ଷେତ୍ରରେ ଯଦି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ, ତେବେ ଆଗକୁ ଅବସ୍ଥା ଆହୁରି ଖରାପ ହେବା ନିଶ୍ଚିତ।

Leave A Reply