ଇଡେନ୍ ଟେଷ୍ଟ: ପିଚ୍ ସବୁଜ; ବାକି ସବୁକିଛି ଗୋଲାପି

କଲକାତା : କଲକାତାରେ ଏବେ ‘ଗୋଲାପି’ ସବୁଠାରୁ ଲୋକପ୍ରିୟ ଶବ୍ଦ ପାଲଟି ଯାଇଛି ଏବଂ ଐତିହାସିକ କ୍ରିକେଟ ଷ୍ଟାଡିୟମ୍ ଇଡେନ୍ ଗାର୍ଡେନ୍‌ସ ଏହାର ବାର୍ତ୍ତାବହ ସାଜିଛି। ଷ୍ଟାଡିୟମ୍‌ର ସ୍ତମ୍ଭ ହେଉ ବା ଷ୍ଟାଡିୟମ୍‌ର ଚାରିପଟ; ସବୁଆଡ଼େ କେବଳ ଗୋଲାପି ରଙ୍ଗ। ତେବେ ଏଥିରେ ଏକମାତ୍ର ବ୍ୟତିକ୍ରମ ହେଉଛି ଷ୍ଟାଡିୟମ୍‌ର ୨୨ ଗଜର ପିଚ୍। ଶୁକ୍ରବାରଠାରୁ ଏଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ୨ୟ ଟେଷ୍ଟମ୍ୟାଚ୍‌ ଆରମ୍ଭ ହେଉଥିବା ବେଳେ ଏହି ମ୍ୟାଚ୍ ଭାରତୀୟ କ୍ରିକେଟ ଇତିହାସରେ ସର୍ବପ୍ରଥମ ଦିବାରାତ୍ର ଟେଷ୍ଟମ୍ୟାଚ୍ ହେବ ଏବଂ ଏହା ଗୋଲାପି ବଲ୍‌​‌େ​‌ର ଖେଳାଯିବ। ଏହି ଐତିହାସିକ ମ୍ୟାଚ୍ ପାଇଁ ଉଭୟ ଦଳର ଖେଳାଳି କଲକାତାରେ ପହଞ୍ଚିଛନ୍ତି। ବୁଧବାର ଉଭୟ ଭାରତ ଓ ବାଂଲାଦେଶର ଖେଳାଳି ଇଡେନ୍‌ରେ ଅଭ୍ୟାସ କରିଥିବା ବେଳେ ପିଚ୍‌କୁ ନେଇ କୌତୁହଳ ଲାଗିରହିଛି।
ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ବାଂଲାଦେଶ ଦଳର ମୁଖ୍ୟ ପ୍ରଶିକ୍ଷକ ରସେଲ ଡମିଙ୍ଗୋ ମଙ୍ଗଳବାର ଏଠାରେ ପହଞ୍ଚିବା ପରେ ହୋଟେଲ ନ ଯାଇ ସିଧା ଇଡେନ୍‌ ଗାର୍ଡେନସକୁ ଯାଇ ସେଠାରେ ପିଚ୍ ଦେଖିଥିଲେ। ଦିବାରାତ୍ର ମ୍ୟାଚ୍‌ ଏବଂ ଗୋଲାପି ବଲ୍‌ କ୍ରିକେଟ ଉଭୟ ଦଳଙ୍କ ପାଇଁ ନୂଆ ହୋଇଥିବାରୁ ଏଥିରେ ପିଚ୍‌ର ବଡ଼ ଭୂମିକା ରହିଛି। ବୁଧବାରର ସ୍ଥିତି ହେଲା ଯେ ଇଡେନ୍ ଗାର୍ଡେନ୍‌ସର ପିଚ୍ ଆବଶ୍ୟକଠାରୁ ଅଧିକ ସବୁଜ ଦିଶୁଛି। ଅବଶ୍ୟ ଘାସ ବଡ଼ ନଥିଲେ ବି ପେସ୍ ବୋଲରଙ୍କୁ ଉତ୍ସାହିତ କରିବାକୁ ଯଥେଷ୍ଟ। ବୁଧବାର ମଧ୍ୟ ପିଚ୍‌ରେ ପାଣି ଦିଆ ଯାଇଥିଲା। ଆୟୋଜକ କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ (ସିଏବି)ର ପୁରୁଖା କ୍ୟୁରେଟର ସୁଜନ ମୁଖାର୍ଜୀ ପିଚ୍‌ ପ୍ରସ୍ତୁତିରେ ଲାଗିଛନ୍ତି। ସୁଜନଙ୍କ କହିବା ଅନୁସାରେ ପିଚ୍‌ରେ ୪ରୁ ୬ ମିଲିମିଟର ମଧ୍ୟରେ ଘାସରହିବ। ମ୍ୟାଚ୍‌ର ପ୍ରଥମ ୨ ଦିନ ଏହି ପିଚ୍‌ରୁ ପେସ୍ ବୋଲର ସହାୟତା ପାଇବେ। ଅବଶ୍ୟ ୨ ସପ୍ତାହ ତଳୁ ଇଡେନ୍ ପିଚ୍ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା। ତେବେ ଘୂର୍ଣ୍ଣିବାତ୍ୟା ବୁଲ୍‌ବୁଲ୍‌ ଯୋଗୁଁ ୪/୫ ଦିନ ପିଚ୍ ପ୍ରସ୍ତୁତି ବନ୍ଦ ରହିଥିଲା। ଏତେଦିନ ପିଚ୍ ଘୋଡ଼ାଇକରି ରଖା ଯାଇଥିବାରୁ ସମ୍ଭବତଃ ପିଚ୍‌ର ତଳ ଅଂଶ ଶୁଖିଲା ରହିଛି। ଏହାକୁ ଦେଖି ପିଚ୍‌ରେ ପାଣି ଦିଆଯାଉଛି। କ୍ୟୁରେଟର ସୁଜନ ମୁଖାର୍ଜୀଙ୍କ ଆତ୍ମବିଶ୍ବାସ ରହିଛି ଯେ ପିଚ୍‌ ସ୍ବାଭାବିକ ରହିବ। ପିଚ୍ ବିଷୟରେ ସୁଜନ କହିଛନ୍ତି, ଏହା ସତ ଯେ ପିଚ୍‌ରେ ଅତିରିକ୍ତ ଘାସ ରହିଛି। ପିଚ୍‌ରେ ଘାସ ନ ରହିଲେ ଗୋଲାପି ବଲ୍‌ର ରଙ୍ଗ ଫିକା ପଡ଼ିଯିବାର ଆଶଙ୍କା ଥିବାରୁ ଏପରି କରାଯାଇଛି। ପୂର୍ବରୁ ଏହି ପିଚ୍‌ରେ ଗୋଲାପି ବଲ୍‌ରେ ମ୍ୟାଚ୍ ଖେଳାଯାଇଛି। ଉକ୍ତ ମ୍ୟାଚ୍ ଖେଳିଥିବା ଖେଳାଳି ଏବଂ ଅମ୍ପାୟାରଙ୍କ ସହ ଆଲୋଚନା କରିଛି। ସେମାନେ ଅତିରିକ୍ତ ଘାସ ଛାଡ଼ିବାର ପରାମର୍ଶ ଦେଇଥିଲେ। ଅଧିକ ଚିକ୍କଣ ଥିବାରୁ ଲାଲ ବଲ୍‌ ଅପେକ୍ଷା ଏସ୍‌ଜି ନିର୍ମିତ ଗୋଲାପି ବଲ୍ ଅଧିକ ସ୍ବିଙ୍ଗ୍ କରିଥାଏ। ଆଉଟ୍‌ଫିଲ୍‌ଡର ଘାସ କଟାଯାଇଛି। ଏହା ଗାଲିଚା ପରି ଲାଗୁଛି। ଆଉଟ୍‌ଫିଲ୍‌ଡ ଦ୍ବାରା ବଲ୍‌ ଖରାପ ହେବାର ସମ୍ଭାବନା ମଧ୍ୟ ନାହିଁ।
ଏହି ମ୍ୟାଚ୍ ଅପରାହ୍‌ଣ ୧ଟାରୁ ଆରମ୍ଭହେବ। ତେଣୁ ଅତିକମ୍‌ରେ ୩ ଘଣ୍ଟା ମ୍ୟାଚ୍ ଫ୍ଲଡ୍‌ଲାଇଟ୍‌ରେ ଖେଳାଯିବା ନିଶ୍ଚିତ। ସନ୍ଧ୍ୟା ୭ଟା ପାଖାପାଖି ପଡ଼ିଆରେ କାକର ପଡ଼ିବା ଆରମ୍ଭ ହୋଇଯାଉଛି। ତେବେ ଏହା ମ୍ୟାଚ୍‌କୁ ପ୍ରଭାବିତ କରିବାର ସମ୍ଭାବନା କମ୍। ତଥାପି ଚା’ପାନ ବିରତି ଓ ଜଳପାନ ବିରତିରେ କାକର କମ୍ କରିବା ଲାଗି ସ୍ବତନ୍ତ୍ର ​‌େ​‌ସ୍ପ୍ର କରାଯିବ। ଅଦ୍ୟାବଧି ମୋଟ ୧୧ଟି ଦିବାରାତ୍ର ଟେଷ୍ଟମାଚ୍ ଖେଳାଯାଇଛି। ଏଥିରୁ ପ୍ରଥମ ବ୍ୟାଟିଂ କରିଥିବା ଦଳ ୬ ଥର ଜିତିଥିବା ବେଳେ ପ୍ରଥମେ ଫିଲ୍‌ଡିଂ କରିଥିବା ଦଳ ୫ ଥର ବିଜୟୀ ହୋଇଛି। ପୁଣି ଏହି ୧୧ଟି ଟେଷ୍ଟରୁ ମାତ୍ର ୨ଟି ଟେଷ୍ଟରେ ଟସ୍ ଜିତିବା ପରେ ଦଳ ଫିଲ୍‌ଡିଂ ନେଇଛନ୍ତି। ପୁଣି ଇଡେନ୍‌ରେ ଅଦ୍ୟାବଧି ୪୧ଟି ଟେଷ୍ଟମ୍ୟାଚ୍ ଖେଳା ଯାଇଥିବା ବେଳେ ୫ ଥର ଦଳ ଟସ୍ ଜିତି ଫିଲ୍‌ଡିଂ ନେଇଛି। ଏଥିରୁ ଭାରତ ୩ ଥର ଟସ୍ ଜିତି ଫିଲ୍‌ଡିଂ ନେଇଥିବା ବେଳେ ଗୋଟିଏ ବି ମ୍ୟାଚ୍ ଜିତି ପାରିନାହିଁ। ଭାରତ ୨ ଥର ହାରିଥିବା ବେଳେ ଥରେ ମ୍ୟାଚ୍ ଡ୍ର ରଖିଛି। ଏପରି ରେକର୍ଡ ସତ୍ତ୍ବେ ଇଡେନ୍‌ର କ୍ୟୁରେଟର ସୁଜନ ମୁଖାର୍ଜୀ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଟସ୍ ଜିତି ଫିଲ୍‌ଡିଂ ନେବାର ପରାମର୍ଶ ଦେଇଛନ୍ତି। ଏପରି କରିବା ଦ୍ବାରା ଘରୋଇ ଦଳ ବାତାବରଣ ବିଷୟରେ ଭଲଭାବେ ଅବଗତ ହୋଇପାରିବ। ପୁଣି ବ୍ୟାଟ୍‌ସମ୍ୟାନଙ୍କୁ ଗୋଲାପି ବଲ୍‌ ସହ ନିଜକୁ ଖାପ୍ ଖୁଆଇବା ଲାଗି କିଛି ସମୟ ଲାଗିବ। ଅପେକ୍ଷା ଶୁକ୍ରବାରକୁ।

Comments are closed.