ଉତ୍ତରପ୍ରଦେଶର ଖଣି ଦୁର୍ନୀତି ମାମଲା; ଇଡି ପକ୍ଷରୁ ଚନ୍ଦ୍ରକଳାଙ୍କୁ ସମନ

0

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଖଣି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବରିଷ୍ଠ ଆଇଏଏସ୍‍ ଅଫିସର ବି. ଚନ୍ଦ୍ରକଳା ଓ ଅନ୍ୟମାନଙ୍କୁ ସମନ ଜାରି କରିଛି। ସରକାରୀ ସୂତ୍ରରେ କୁହାଯାଇଛି ଯେ, ଆସନ୍ତା ସପ୍ତାହରେ ସେମାନଙ୍କୁ ଜେରା କରାଯିବ। ଶୁକ୍ରବାର ଇଡି ଏହି ଅଭିଯୋଗ ଉପରେ କଳାଧନ ମାମଲା ରୁଜୁ କରିଥିଲା। ୨୦୧୨ରୁ ୨୦୧୬ ମଧ୍ୟରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମୟରେ ହମିରପୁର ଜିଲ୍ଲାରେ ବେଆଇନ୍‍ ଭାବେ ବାଲିଖନନ ହୋଇଥିବାର ଅଭିଯୋଗ ରହିଛି। ଅଖିଳେଶ ଯାଦବ ଓ କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରାଯାଇଥିଲା।

ଅଖିଳେଶ ଯାଦବ ୨୦୧୨ରୁ ୨୦୧୩ ପର୍ଯ୍ୟନ୍ତ ଖଣି ବିଭାଗର ଦାୟିତ୍ୱ ନିଜ ପାଖରେ ରଖିଥିଲେ। ଏହି ଘଟଣାରେ ତାଙ୍କର ଭୂମିକା ନେଇ ତଦନ୍ତ କରାଯାଉଛି। ଏନେଇ କିଛିଦିନ ପୂର୍ବେ ସିବିଆଇ ଫୌଜଦାରୀ ମାମଲା ଦାଏର କରିଥିଲା। ସିବିଆଇ ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ଅନୁସନ୍ଧାନ ଚଳାଇ ୧୧ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଥିଲା। ସେମାନଙ୍କ ମଧ୍ୟରେ ବି. ଚନ୍ଦ୍ରକଳା ଅନ୍ୟତମ। ୨୦୧୬ରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ମାମଲାକୁ ହାତକୁ ନେଇଥିଲା।

Leave A Reply