ଇଡିକୁ ନେଇ ସଂସଦ ଅଚଳ

ରାଜ୍ୟସଭାରେ ମଲ୍ଲିକାର୍ଜୁନ-ପୀୟୂଷ ମୁହାଁମୁହିଁ, ପରିବାର ଅଦାଲତ ବିଲ୍‌ ଗୃହୀତ

ନୂଆଦିଲ୍ଲୀ : ଦରଦାମ ବୃଦ୍ଧି ଓ ମୁଦ୍ରାସ୍ଫୀତି ପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ନେଇ ସଂସଦ ଅଚଳ ହୋଇଛି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ଲୋକସଭା ଓ ରାଜ୍ୟସଭାରେ ଦୁଇଦିନ ଆଲୋଚନା କରାଯିବା ପରେ ଗୁରୁବାର ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଛନ୍ତି। ବୁଧବାର ଇଡି ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟକୁ ସିଲ୍‌ କରିଥିବାବେଳେ ଏହାକୁ ବିରୋଧ କରି ଉଭୟ ଗୃହରେ ବିରୋଧୀ କଂଗ୍ରେସ ଓ ଅନ୍ୟ ସଦସ୍ୟମାନେ ନାରାବାଜି କରିଥିଲେ। ଫଳରେ ଉଭୟ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା। ବିରୋଧୀ ଦଳଗୁଡିକ ଅଭିଯୋଗ କରିଥିଲେ ଯେ ସରକାର କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡିକର ଦୁରୁପଯୋଗ କରୁଛନ୍ତି। ବିରୋଧୀ ରାଜନୈତିକ ପକ୍ଷଙ୍କୁ ଦମନ ନିମନ୍ତେ ସରକାର ଇଡିକୁ ଅସ୍ତ୍ର ଭାବେ ଉପଯୋଗ କରୁଛନ୍ତି। କଂଗ୍ରେସ ନେତା କେସି ବେଣୁଗୋପାଳ କହିଥିଲେ ଯେ ସଂସଦର ଅଧିବେଶନ ଚାଲିଥିବାବେଳେ ବିରୋଧୀ ଦଳ ନେତାଙ୍କୁ ଜେରା ନିମନ୍ତେ ଇଡି ସମନ ଜାରି କରିଛି। ସେହିପରି ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଇଡି ଗିରଫ କରିଥିବାବେଳେ ଏ ସମ୍ପର୍କରେ ଗୃହକୁ ଅବଗତ କରାଯାଇ ନାହିଁ। ଗଣତନ୍ତ୍ରକୁ ସୁରକ୍ଷା ଦେବା ଲାଗି ସଂସଦର ସଦସ୍ୟମାନଙ୍କୁ ସ୍ବାଧିକାର ଦିଆଯାଇଛି। ମାତ୍ର ବର୍ତ୍ତମାନର ସରକାର ସଦସ୍ୟଙ୍କ ସ୍ବାଧିକାରକୁ ନଷ୍ଟ କରିଛନ୍ତି। ଏ ସରକାର ଦେଶରେ ଗଣତନ୍ତ୍ର ଚାହୁଁ ନାହାନ୍ତି।
ମଲ୍ଲିକାର୍ଜୁନ ଦର୍ଶାଇଥିଲେ ସଂସଦର ଅଧିବେଶନ ଚାଲିଥିବା ବେଳେ ଇଡି ତରଫରୁ ତାଙ୍କୁ ହାଜର ହେବାକୁ ସମନ କରାଯାଇଛି। ଏପରି କରିବା ଇଡି ପକ୍ଷରେ ଯୁକ୍ତିଯୁକ୍ତ କି ? ତେବେ ସେ ଆଇନକୁ ସମ୍ମାନ ଦେଇ ଇସି କାର୍ଯ୍ୟାଳୟରେ ହାଜର ହେବେ। କେନ୍ଦ୍ର ସରକାର ବିରୋଧୀ ଦଳ ନେତାଙ୍କୁ ଡରାଇବା ସହ ସେମାନଙ୍କ ମନୋବଳ ଭାଙ୍ଗିବାକୁ ଏପରି କରୁଥିବା ସେ ଅଭିଯୋଗ କରିଥିଲେ। ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବାସଭବନକୁ ପୁଲିସ ଘେରାଉ କରି ରଖିଥିବା ମଲ୍ଲିକାର୍ଜୁନ ଅଭିଯୋଗ କରିବା ସହ ଏପରି କରିବା ଫଳରେ ଭାରତରେ ଗଣତନ୍ତ୍ର ସୁରକ୍ଷିତ ରହିପାରିବ କି ବୋଲି ପ୍ରଶ୍ନ କରିଛନ୍ତି। ତେବେ କଂଗ୍ରେସ କେନ୍ଦ୍ର ସରକାରଙ୍କ ଏପରି ମନୋଭାବକୁ ନେଇ ଆଦୌ ଭୟଭୀତ ନୁହେଁ ଏବଂ ଏହା ବିରୋଧରେ ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି। ଏ ସମସ୍ତ ଘଟଣାକ୍ରମ ଉପରେ ରାଜ୍ୟସଭାରେ ଆଲୋଚନା ହେବା ଉଚିତ୍‌ ବୋଲି ମଲ୍ଲିକାର୍ଜୁନ ଦାବି କରିଥିଲେ।
ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ୍‌ ପ୍ରତିକ୍ରିୟା ଦେଇ କହିଛନ୍ତି କଂଗ୍ରେସ ଦଳର ନେତାମାନେ ତଦନ୍ତରେ ସହଯୋଗ କରିବା ଉଚିତ୍‌। କେନ୍ଦ୍ର ସରକାର କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ। ସେମାନଙ୍କୁ ସ୍ବାଧୀନ ଭାବେ କାମ କରିବାକୁ ଦେଇଥାନ୍ତି। ଅନ୍ୟପକ୍ଷରେ କଂଗ୍ରେସ କ୍ଷମତା​‌େ​‌ର ଥିବା ବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲେ। ଯଦି କୌଣସି ବ୍ୟକ୍ତି ଦୋଷ କରିଥାନ୍ତି ତେବେ ସେ ଆଇନ ଅନୁଯାୟୀ ନିଶ୍ଚିତ ଭାବେ ଦଣ୍ଡିତ ହେବେ। ଏହି ପ୍ରସଙ୍ଗରେ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶ ମଧ୍ୟ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।
ଆଜିର ହୋହଲ୍ଲା ମଧ୍ୟରେ ରାଜ୍ୟସଭାରେ ପରିବାର ଅଦାଲତ ସଂଶୋଧନ ବିଧେୟକ ଗୃହୀତ ହୋଇଛି। ଏହି ବିଧେୟକ ଲୋକସଭାରେ ଗୃହୀତ ହୋଇ ସାରିଥିବାରୁ ଆଇନର ରୂପ ନେବା ସ୍ପଷ୍ଟ ହୋଇଛି । ଏହି ଆଇନ ଅନୁଯାୟୀ ହିମାଚଳ ପ୍ରଦେଶ, ନାଗାଲାଣ୍ଡରେ ପରିବାର ଅଦାଲତ ଖୋଲାଯାଇପାରିବ।

Comments are closed.