ତିହାର ଜେଲରେ ଚିଦାମ୍ବରମଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ବୁଧବାର ପୁଣି ଥରେ ଗିରଫ କରିଛି। ସକାଳେ ଇଡିର ୩ ଜଣିଆ ଅଧିକାରୀ ତିହାର ଜେଲ ଯାଇ ଚିଦାମ୍ବରମଙ୍କୁ ମାମଲାର ଆର୍ଥିକ କାରବାର ଦିଗ ଉପରେ ପଚରାଉଚରା କରିଥିଲେ। ଇଡିର ଡେପୁଟି ଡାଇରେକ୍ଟର ମହେଶ ଶର୍ମା ତାଙ୍କୁ ପଚରାଉଚରା କରିଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କ ଆଦେଶ ପାଇବା ପରେ ଚିଦାମ୍ବରମଙ୍କୁ ଇଡିକୁ ହସ୍ତାନ୍ତର କରିବେ ବୋଲି ଇଡିର ଜଣେ ଅଧିକାରୀ କହିଛନ୍ତି।

ସୂଚନା ମୁତାବକ, ସ୍ବତନ୍ତ୍ର କୋର୍ଟ ବିଚାରପତି ଅଜୟ କୁମାର କୁହାର ଗତ ମଙ୍ଗଳବାର ଚିଦାମ୍ବରମଙ୍କୁ ପଚରାଉଚରା ପାଇଁ ଇଡିକୁ ଅନୁମତି ପ୍ରଦାନ କରିଥିଲେ। ଯଦି ଆବଶ୍ୟକ ପଡ଼େ ତାଙ୍କୁ ଇଡି ଗିରଫ କରିପାରେ ବୋଲି କୋର୍ଟ କହିଥିଲେ। ଏହା ପରେ ବୁଧବାର ସକାଳୁ ଇଡିର ଅଧିକାରୀମାନେ ତିହାର ଜେଲ ଯାଇଥିଲେ। ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଏବଂ ପତ୍ନୀ ନଳିନୀ ଚିଦାମ୍ବରମ ମଧ୍ୟ ତାଙ୍କୁ ଭେଟିବାକୁ ତିହାର ଜେଲରେ ଉପସ୍ଥିତ ଥିଲେ।

Comments are closed.