ଚାପରେ ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର: ଅଭିଜିତ୍‌

ନୂଆଦିଲ୍ଲୀ  : ଚାପଗ୍ରସ୍ତ ହୋଇଛି ଦେଶର ଅର୍ଥନୀତି। ଦେଶର ଅର୍ଥନୀତି ଉପରୁ ଲୋକଙ୍କ ଆସ୍ଥା କମିବାରେ ଲାଗିଛି। ​‌ ଆର୍ଥିକ କ୍ଷେତ୍ରରେ ବି ଦେଖିବାକୁ ମିଳିଲାଣି ମାନ୍ଦାବସ୍ଥାର ପ୍ରଭାବ। ଏସବୁ ଭିତରେ ଦେଶର ବ୍ୟାଙ୍କିଙ୍ଗ୍‌ ​ କ୍ଷେତ୍ର ଚାପରେ ରହିଛି। ଏଭଳି ସ୍ଥିତିରୁ ବ୍ୟାଙ୍କିଙ୍କ୍ କ୍ଷେତ୍ରକୁ ମୁକୁଳାଇବା ଭଳି ସ୍ଥିତିରେ ସରକାର ନ ଥିବା ଭଳି ମନେ​‌ ​‌ହେଉଛି। ଏସବୁର ଏକ ପ୍ରତିକୂଳ ପ୍ରଭାବ ଦେଶରେ କାର୍ଯ୍ୟକାରୀ ହେଉଥିବା ଦାରିଦ୍ର୍ୟ ଦୂରୀକରଣ ଯୋଜନା ଉପରେ ପଡିବା ସମ୍ଭାବନା ରହିଥିବା କହିଛନ୍ତି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ୍‌ ବାନାର୍ଜୀ।
ସମ୍ପ୍ରତି ଦେଶର ଆର୍ଥିକ କ୍ଷେତ୍ର ସବୁଠାରୁ ଅଧିକ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି। ଅଟୋ ମୋବାଇଲ କ୍ଷେତ୍ରରେ ଚାହିଦା କମିବା​ରେ ଲାଗିଛି।  ଏଥିଯୋଗୁ କାର ଏବଂ ଦୁଇଚକିଆ ଯାନ ବିକ୍ରିରେ ହ୍ରାସ ଘଟିବାରେ ଲାଗିଛି। ଦେଶର ଅର୍ଥନୀତିରେ ଅଭିବୃଦ୍ଧି ଆସୁଥିବାକୁ ଲୋକେ ଆଉ ବିଶ୍ବାସ କରୁନାହାନ୍ତି। ଯାହାଫଳରେ ଅର୍ଥନୀତି ଉପରୁ ଲୋକଙ୍କ ଆସ୍ଥା କମିବାରେ ଲାଗିଛି।

ସବୁଠାରୁ ବଡ କଥା ହେଉଛି ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ଚାପଗ୍ରସ୍ତ ରହିଛି। ବ୍ୟାଙ୍କଗୁଡିକୁ ଏଭଳି ସ୍ଥିତିରୁ ମୁକୁଳାଇବା ସରକାରଙ୍କ କ୍ଷମତା ବାହାରେ। କାରଣ ସରକାର ବ୍ୟାଙ୍କଗୁଡିକୁ ଏଭଳି ସ୍ଥିତିରୁ ମୁକୁଳାଇବା ସ୍ଥିତିରେ ହିଁ ନ ଥିବା ଭଳି ମନେହେଉଥିବା ତ୍ରୟୋଦଶ ଜୟପୁର ସାହିତ୍ୟ ଉତ୍ସବରେ ଯୋଗଦେବା ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ବାନାର୍ଜୀ ଏହା କହିଛନ୍ତି। ‘କଠିନ ସମୟରେ ଭଲ ଅର୍ଥନୀତି’ର ରଚୟିତା ଏହି ଅର୍ଥନୀତିଜ୍ଞଙ୍କ ମତରେ ଅର୍ଥନୀତିରେ ଦେଖାଦେଇଥିବା ଏଭଳି ମାନ୍ଦାବସ୍ଥାର ପ୍ରତିକୂଳ ପ୍ରଭାବ ଦେଶର ଦାରିଦ୍ର୍ୟ ଦୂରୀକରଣ ଭଳି ଯୋଜନାକୁ ପ୍ରଭାବିତ କରିପାରେ। କାରଣ ଭାରତରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ପରସ୍ପର ଉପରେ ନିର୍ଭରଶୀଳ। ସହରାଞ୍ଚଳ ଗ୍ରାମାଞ୍ଚଳ କ୍ଷେତ୍ରର ଅଭିବୃଦ୍ଧିକୁ ମନ୍ଥର କରିଦେଉଛି। ନିର୍ମାଣ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କୁ କାମ ମିଳୁନାହିଁ। ଯଦି ଅର୍ଥନୀତି ସମ୍ପର୍କିତ ତଥ୍ୟ ଉପରେ ଲୋକଙ୍କର ଆସ୍ଥା ନାହିଁ ତେବେ ଅାର୍ଥିକ ନୀତିଗୁଡିକ କିଭଳି କାର୍ଯ୍ୟ କରିବ ​ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ, ଯେହେତୁ ବିଦେଶୀ ସଂସ୍ଥାଗତ ନିବେଶକମାନେ ହତାଶ ହୋଇପଡିଛନ୍ତି ସରକାର ଏ ନେଇ ଚିନ୍ତା କରିବା ଦରକାର। ସରକାର ପ୍ରକୃତ ସମସ୍ୟାକୁ ବୁଝିବା ଉଚିତ। ସରକାର ଯଦି ଅଧିକ ନିବେଶ ଆବଶ୍ୟକ କରୁଥାନ୍ତି ତେବେ ଲୋକଙ୍କୁ ପ୍ରଥମେ ସତ୍ୟ ଆଧାରିତ ତଥ୍ୟ ଦେବାକୁ ହେବ ବୋଲି ସେ କହିଛନ୍ତି।​‌

ଶ୍ରୀ ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ସେ ଭାରତରେ ରହୁଥାନ୍ତେ ତେବେ ଏହି ନୋବେଲ ପୁରସ୍କାର ପାଇ ନ ଥାନ୍ତେ। ଭାରତରେ ବହୁ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ରହିଛନ୍ତି ା ଏକାକୀ ସମସ୍ତଙ୍କୁ ଏକତ୍ର କରି ପରିବର୍ତ୍ତନ ଆଣିବା କାଠିକର ପାଠ। ସୂଚନାଯୋଗ୍ୟ, ଫ୍ରାନ୍ସ ଜନ୍ମିତ ଆମେରିକୀୟ ଏସ୍‌ଥର ଡଫ୍‌ଲୋ ଏବଂ ଆମେରିକାର ମାଇକେଲ୍‌ କ୍ରେମରଙ୍କ ସହ ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ବର୍ଷ ୨୦୧୯ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିଥିଲା। ତେବେ ଚଳିତବର୍ଷ ବିଶ୍ବର ୩ ଜଣ ଅର୍ଥନୀତିଜ୍ଞଙ୍କୁ ଅର୍ଥନୀତିରେ ମିଳିତ ଭାବେ ନୋବେଲ୍‍ ପୁରସ୍କାର ମିଳିଛି। କୌତୂହଳର ବିଷୟ ହେଉଛି ଅଭିଜିତଙ୍କ ପତ୍ନୀ ଡଫ୍‌ଲୋଙ୍କୁ ମଧ୍ୟ ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିଛି ା ଭାରତରେ ଏକ ଭଲ ବିରୋଧୀ ଦଳର ଆବଶ୍ୟକତା ରହିଛି।ବିରୋଧୀ ହେଉଛନ୍ତି ଗଣତନ୍ତ୍ରର ହୃଦୟ। ଶାସକ ଦଳକୁ ସର୍ବଦା ନିଘାରେ ରଖିବାକୁ ହେଲେ ଏକ ଭଲ ବିରୋଧୀ ଦଳର ଆବଶ୍ୟକତା ରହିଥିବା ଅଭିିଜିତ୍‌ କହିଛନ୍ତି।

Comments are closed.