ତିଗିରିଆରେ ଇକୋ-ଟୁରିଜିମ୍‌ ଏବଂ ପ୍ରମୋଦ ଉଦ୍ୟାନ

ଭୂମି ଉନ୍ନୟନ କାର୍ଯ୍ୟର ସମୀକ୍ଷା ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ତିଗିରିଆଠାରେ ଇକୋ-ଟୁରିଜିମ୍‌ ଏବଂ ପ୍ରମୋଦ ଉଦ୍ୟାନ ପାଇଁ ପ୍ରସ୍ତାବିତ ଭୂମିର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସଂପର୍କରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କହିଲେ ଯେ ପ୍ରସ୍ତାବିତ ସ୍ଥାନରେ ପର୍ଯ୍ୟଟନର ବିକାଶ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି । କଟକ ଓ ଢେଙ୍କାନାଳ ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟନ ଓ ଦର୍ଶନୀୟ ସ୍ଥାନ ଯଥା ଅଂଶୁପା ହ୍ରଦ, କପିଳାସ, ଯୋରନ୍ଦା, ଭଟ୍ଟାରିକା, ସପ୍ତଶଯ୍ୟା, କଣ୍ଟିଲୋ, ସିଂହନାଥ ଆଦି ସ୍ଥାନର ନିକଟବର୍ତ୍ତୀ ହୋଇଥିବାରୁ ଅଧିକରୁ ଅଧିକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିହେବ ।
ବୈଠକରେ ନିଷ୍ପତ୍ତି ଅନୁଯାୟୀ ଅକେଫାବର ୬ ତାରିଖ ଦିନ ଆଠଗଡ଼ର ବନଖଣ୍ଡ ଅଧିକାରୀ, ରେଙ୍ଗାଲି ଦକ୍ଷିଣାଞ୍ଚଳ ଜଳସେଚନ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଏବଂ ଆଠଗଡ଼ ଉପଜିଲ୍ଲାପାଳ ମିଳିତ ଭାବେ ପ୍ରସ୍ତାବିତ ସ୍ଥାନର ପରିଦର୍ଶନ କରି ସେଠାରେ ଇକୋ-ଟୁରିଜିମ୍‌ ପାଇଁ ସମ୍ଭାବ୍ୟ ଉନ୍ନୟନ କାର୍ଯ୍ୟ ଏବଂ ବନୀକରଣ ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ । ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀମୁଖ୍ୟଙ୍କ ଦ୍ୱାରା ଏ ଦିଗରେ ପ୍ରସ୍ତୁତ ପ୍ଲାନ୍‌ ଆଠଗଡ଼ର ଡିଏଫ୍‌ଓ ଏବଂ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକଙ୍କୁ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ଆଠଗଡ଼ର ବନଖଣ୍ଡ ଅଧିକାରୀ ପ୍ରସ୍ତାବିତ ସ୍ଥାନରେ ଆବଶ୍ୟକୀୟ ବନୀକରଣ ଏବଂ ୱାଚ୍‌ଟାୱାର ନିର୍ମାଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା । ପ୍ରସ୍ତାବିତ ସ୍ଥାନର ଭୂମି ସମତଳ କାର୍ଯ୍ୟ ରେଙ୍ଗାଲି ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀଙ୍କ ଦ୍ୱାରା ନଭେମ୍ବର ୧୫ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ବୈଠକରେ ସ୍ଥିର କରାଗଲା।
ବୈଠକରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଏ.ଏନ୍‌.ଏସ୍‌. ଲାଗୁରି, ରେଙ୍ଗାଲି ଦକ୍ଷିଣ ପାଶ୍ୱର୍ ଇରିଗେସନ୍‌ କେନାଲ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ବିଜୟ କୁମାର ସାମଲ, ଓଏଫ୍‌ସିଡିସିର ପରିଚାଳନା ନିର୍ଦ୍ଦେଶକ ଏସ୍‌. ପନ୍ତ, ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଯାଦବଙ୍କ ସମେତ ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ, ଓଏଫ୍‌ଡିସିର ଡି.ଏମ୍‌. ଏବଂ ରେଙ୍ଗାଲି ଦକ୍ଷିଣାଞ୍ଚଳ ଜଳସେଚନ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।

Comments are closed.