ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହେଲା ଇକୋ ରିଟ୍ରିଟ୍‍

ପରିବେଶଭିତ୍ତିକ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପରିବେଶଭିତ୍ତିକ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବୁଧବାରଠାରୁ ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‍ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି, ଇକୋ ରିଟ୍ରିଟ୍‍ର ଅଦ୍ଭୁତ ସଫଳତା ପରେ ଚଳିତ ବର୍ଷ ଆଉ ଦୁଇଟି ସ୍ଥାନ କୋରାପୁଟ ଓ ଗଞ୍ଜାମରେ ମଧ୍ୟ ଇକୋ ରିଟ୍ରିଟ୍‍ର ଆୟୋଜନ କରାଯାଇଛି । ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, କରୋନା ନିୟମକୁ ଦୃଷ୍ଟିରେ ରଖି ଏହାର ଆୟୋଜନ କରାଯାଇଛି ।

ସୂଚନା ଅନୁସାରେ ୨୦୨୨ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍‍ ଚାଲିବ । ଚଳିତ ବର୍ଷ କୋଣାର୍କ ଚନ୍ଦ୍ରଭାଗ ବେଳାଭୂମି ସମେତ ହୀରାକୁଦ, ଦାରିଙ୍ଗବାଡ଼ି, ସାତକୋଶିଆ, ଭିତରକନିକା, ଗଞ୍ଜାମର ପତି ସୋନାପୁର ବେଳାଭୂମି ଏବଂ କୋରାପୁଟର ପୁଟସିଲ୍‍ ପ୍ରାକୃତିକ ପରିବେଶରେ ଏହି କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କ ରହଣି ପାଇଁ ସେଠାରେ ଅସ୍ଥାୟୀ କୁଟୀର ସହ ଅତ୍ୟାଧୁନିକ ସୁବିଧା ସୁଯୋଗ ବ୍ୟବସ୍ଥା କରାଯାଇଛି । ଚନ୍ଦ୍ରଭାଗା ବେଳାଭୂମିରେ ୭୦ଟି ତମ୍ବୁ ନିର୍ମିତ ହୋଇଛି । ଏହି କାର୍ଯ୍ୟକ୍ରମ ପାଇଁ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Comments are closed.