ଇକୋ ରିଟ୍ରିଟରେ ତାଲା, ପର୍ଯ୍ୟଟକଙ୍କୁ ଟାଣିପାରୁନି ପୁଟସିଲ

ନିର୍ଦେଶକଙ୍କ କଥା ଶୁଣିଲାନି ଠିକା ସଂସ୍ଥା

କୋରାପୁଟ: ପର୍ଯ୍ୟଟନ ବିଭାଗ ନିର୍ଦେଶକଙ୍କ କଥା ଶୁଣୁନି ଠିକା ସଂସ୍ଥା । ଯେଉଁ ଆଶା ନେଇ କୋରାପୁଟରେ ଇକୋ ରିଟ୍ରିଟର ପରିକଳ୍ପନା କରାଯାଇଥିଲା ତାହା ଫସର ଫାଟିଛି । ପର୍ଯ୍ୟଟନର ଗନ୍ତାଘର କୋରାପୁଟକୁ ଚଳିତବର୍ଷ ପର୍ଯ୍ୟଟକଙ୍କ ଆଗମନ ପ୍ରାୟ ୧୦ଗୁଣା ବଢ଼ିଥିଲେ ମଧ୍ୟ ଇକୋ ରିଟ୍ରିଟ ମାଧ୍ୟମରେ କୋରାପୁଟର ଚିତ୍ରକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପର୍ଯ୍ୟଟନ ବିଭାଗ ଯେଉଁ ସ୍ବପ୍ନ ଦେଖିଥିଲା ସେଥିରେ କଣ୍ଟା ସାଜିଛି ସମ୍ପୃକ୍ତ ଠିକା ସଂସ୍ଥା। ଦେଓମାଳି ପାଦଦେଶରେ ସୌନ୍ଦର୍ଯ୍ୟଭରା ପରିବେଶରେ ଖୋଲିଥିବା ପୁଟସିଲ ଇକୋ ରିଟ୍ରିଟ ଏବେ ଅତିଥି ଖୋଜୁଛି।

କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ଦୁଧାରୀ ପଞ୍ଚାୟତ ଅନ୍ତର୍ଗତ ପୁଟସିଲ ଇକୋ ରିଟ୍ରିଟରେ ୨୭ଟି କୁଟୀର ସ୍ଥାପନ କରାଯାଇଛି । ଏହା ୯୦ଦିନ ପର୍ଯ୍ୟନ୍ତ ଚାଲିବ। ସ୍ୱତନ୍ତ୍ର ଭାବେ ନିର୍ମିତ ଏହି କୁଟୀରରେ ପର୍ଯ୍ୟଟକଙ୍କୁ ତିନିତାରକା ହୋଟେଲ ଭଳି ସୁବିଧା ମିଳିବ ବୋଲି ଆଶା କରାଯାଉଥିଲା । ପର୍ଯ୍ୟଟକଙ୍କ ପାଇଁ କ୍ରୀଡ଼ା ସହ ପାରା ମୋଟର, ପାହାଡ଼ ଟ୍ରାକିଂ ନିମନ୍ତେ ଇ-ବାଇସାଇକଲ, ଧନୁ ତୀର, ଗନ ସୁଟିଂର ବ୍ୟବସ୍ଥା ସାଙ୍ଗକୁ ସନ୍ଧ୍ୟାରେ ଦେଶିଆ ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି । ଡିସେମ୍ବର ୮ତାରିଖରେ ପରିବ​‌େ​‌ର୍ତ୍ତ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏହାକୁ ୧୫ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ୧୬ ଓ ୧୯ତାରିଖ ପାଇଁ ଏହି କୁଟୀର ନିମନ୍ତେ ଅଗ୍ରୀମ ଦେଇଥିବା ପର୍ଯ୍ୟଟକ କୁଆଡ଼େ ବୁକିଂ ବାତିଲ କରିଦେଇଛନ୍ତି, ଯାହା ପର୍ଯ୍ୟଟନ ବିଭାଗର ଚିନ୍ତା ବଢ଼ାଇଥିଲା । ଖୋଦ ନିର୍ଦେଶକ ମଧ୍ୟ ଚିଠି କରି ଚରମବାଣୀ ଶୁଣାଇଥିଲେ । ତଥାପି କୁଟୀରରୁ ତାଲା ନ ଖୋଲିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ା ଅନ୍ୟପକ୍ଷରେ ଫାଟକ ବାହାରେ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଉକ୍ତ ସ୍ଥାନକୁ ପହଞ୍ଚିବା ପାଇଁ ଥିବା ରାସ୍ତାର ଅନେକ ସ୍ଥାନରେ ଖାଲଖମା ଥିବାବେଳେ ପ୍ରାୟ ଏକ କିମି ରାସ୍ତାରେ ପିଚୁ ପଡ଼ି ନ ଥିବାରୁ ଧୂଳି ଧୂଆଁରେ ନାକ, କାନ ଭର୍ତ୍ତି ହୋଇଯାଉଛି । ପୁଟସିଲର ନଁ। ଶୁଣି ସେଠାକୁ ଯାଉଥିବା ପର୍ଯ୍ୟଟକ ଦ୍ବିତୀୟଥର ଯିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ।

୯୦ଦିନ ମଧ୍ୟରୁ ୨୦ଦିନ ବିତିଗଲାଣି, ତଥାପି ଫାଟକରୁ ତାଲା ଖୋଲୁନି । ଅବଶ୍ୟ ଇକୋ ରିଟ୍ରିଟ ଘୋଷଣା ପରେ ଏହି ସ୍ଥାନ ଏବେ ବଣଭୋଜିର ପ୍ରକୃଷ୍ଟ ସ୍ଥାନ ପାଲଟିଛି । ଦୈନିକ ଶହଶହ ଯାନବାହାନ ଏହି ପାହାଡ଼ ମୁହଁ। ହେଉଛି । ପାହାଡ଼ ସାରା ଗାଡ଼ି ଓ ଲୋକ ଭର୍ତ୍ତି । ରବିବାର ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଛି । କିନ୍ତୁ ଏହି ସ୍ଥାନରୁ ଟଙ୍କାଟିଏ ରାଜସ୍ବ ସଂଗ୍ରହ କରିପାରିନି ପର୍ଯ୍ୟଟନ ବିଭାଗ । ସବୁ ବ୍ୟବସ୍ଥା ଥିଲେ ମଧ୍ୟ ପୁଟସିଲ ଅତିଥି ଖୋଜିବା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଆଙ୍କିଛି। ଗୁରୁତ୍ବପୂର୍ଣ୍ଣ କଥା କୁଆଡ଼େ ଉକ୍ତ ଠିକା ସଂସ୍ଥା କେବଳ ପର୍ଯ୍ୟଟନ ନିର୍ଦେଶକଙ୍କ ନିର୍ଦେଶକୁ ଅବମାନନା କରିନି ବରଂ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ଦେଇ ନ ଥିବାରୁ ସମସ୍ତଙ୍କ ଭିତରେ ଅସନ୍ତୋଷ କୁହୁଳୁଥିବା ଜଣାଯାଇଛି । ପର୍ଯ୍ୟଟନ ନିର୍ଦେଶକଙ୍କ କଡ଼ା ତାଗିଦା ସତ୍ତ୍ବେ ନୀରବ ଏହି ଠିକା ସଂସ୍ଥା ବିରୋଧରେ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି, କିଏ ଏହି ସଂସ୍ଥାକୁ ଘଣ୍ଟ ଘୋଡ଼ାଉଛି ଏଭଳି ଅନେକ ପ୍ରଶ୍ନ ଉଙ୍କିମାରୁଛି । ଏହି ଠିକା ସଂସ୍ଥାକୁ ଅନୁକମ୍ପା ଦେଖାଇ କାର୍ଯ୍ୟାଦେଶ ଦିଆଯାଇଥିବା ଅଭିଯୋଗ ହେଉଥିବା ଯୋଗୁଁ ଏହାର ବିଧିବଦ୍ଧ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ।
ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଡିସେମ୍ବର ୧୫ତାରିଖରେ ଠିକା ସଂସ୍ଥାକୁ ଚିଠି କରି ୭୨ଘଣ୍ଟା ଭିତରେ ଏହାକୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିବା ପାଇଁ ଚରମବାଣୀ ଶୁଣାଇଥିଲେ । ଏଥିରେ ଖିଲାପ ହେଲେ ଚୁକ୍ତି ଅନୁଯାୟୀ ଆଦେଶ ଅବମାନନା ଭାବେ ବିବେଚନା କରାଯିବ ଓ ସମ୍ପୃକ୍ତ ସଂସ୍ଥା ବିରୋଧରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶକ ଚିଠିରେ ଜଣାଇଥିଲେ । ଏପରିକି ଚୁକ୍ତି ଉପରେ ପୁନର୍ବିଚାର କରାଯିବ ବୋଲି ମଧ୍ୟ ଚରମବାଣୀ ଶୁଣାଇଥିଲେ । ଏସବୁ ସତ୍ତ୍ବେ ଚିଠିର ୨୦ଦିନ ପରେ ମଧ୍ୟ ଠିକା ସଂସ୍ଥା ଏହାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିପାରିନାହିଁ ା ତଥାପି କାର୍ଯ୍ୟାନୁଷ୍ଠାନ ଅଭାବରୁ ସଂସ୍ଥାକୁ ପରୋକ୍ଷ ଆର୍ଶୀବାଦ ରହିଥିବା ଚର୍ଚ୍ଚା ହେଉଛି। ଗୁରୁତ୍ବପୂର୍ଣ୍ଣ କଥା କେତେ ପର୍ଯ୍ୟଟକ ଅଗ୍ରୀମ ବୁକିଂ କରିଥିଲେ, କେତେଜଣ ଅଗ୍ରୀମ ଫେରାଇ ନେଇଛନ୍ତି, କେବେ ଫାଟକରୁ ତାଲା ଖୋଲିବ ସେ ନେଇ କେହି ସ୍ପଷ୍ଟ ଭାବେ କହିପାରୁନାହାନ୍ତି। ଏ ନେଇ ପର୍ଯ୍ୟଟନ ଅଧିକାରୀ କହନ୍ତି, ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଯାଞ୍ଚ ପରେ ରିପୋର୍ଟ ଦିଆଯିବ । ସର୍ବଦା ନିଜର ପ୍ରକୃତି ଓ ପରିବେଶକୁ ନେଇ ଗର୍ବିତ କୋରାପୁଟ ଅନେକ ପର୍ଯ୍ୟଟକଙ୍କୁ ନିଜ କୋଳକୁ ଟାଣି ରେକର୍ଡ ସୃଷ୍ଟି କରିଥିବାବେଳେ ଏକ ଠିକା ସଂସ୍ଥାର ଅବହେଳାରୁ ଏହି ଇକୋ ରିଟ୍ରିଟ ଆଜି ଅତିଥିଙ୍କ ଅପେକ୍ଷାରେ।

Comments are closed.