ପୂର୍ବତଟ ରେଳପଥ : ପାର୍ସଲ ପରିବହନ ୫୪୧୩ ଟନ୍ ରାଜସ୍ବ ୨ କୋଟି ୧୮ ଲକ୍ଷ

ଭୁବନେଶ୍ବର : ଲକ୍‌ଡାଉନ୍‌ ସମୟରେ ପୂର୍ବତଟ ରେଳପଥ ୬୪୧୩ ଟନ୍ ପାର୍ସଲ୍‌ ପରିବହନ କରିଥିବାବେଳେ ସେଥିରୁ ପ୍ରାୟ ୨କୋଟି ୧୮ଲକ୍ଷ ରାଜସ୍ବ ମିଳିଛି ବୋଲି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଲକ୍ଡ଼ାଉନ୍ ଏବଂ କରୋନା ଭୂତାଣୁର ପ୍ରକୋପ ଜାରି ରହିଥିବା ସତ୍ତ୍ବେ ରେଳ ମନ୍ତ୍ରଣାଳୟ ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଅନବରତ ଯୋଗାଣକୁ ସୁନିଶ୍ଚିତ କରିଛି। ଭାରତୀୟ ରେଳପଥ ପେଟ୍ରୋଲିୟମ୍ ଉତ୍ପାଦ, କୋଇଲା ଇତ୍ୟାଦି ବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଖାଦ୍ୟ ଶସ୍ୟ, ଫଳ ଓ ପନିପରିବା, ଦୁଗ୍ଧ ଜାତ ଦ୍ରବ୍ୟ, ରନ୍ଧନ ତୈଳ, ଚିନି ଓ ଲୁଣ, ଡ଼ାକ୍ତରୀ ଉପକରଣ ଓ ଔଷଧ, ବ୍ୟକ୍ତିଗତ ସୁରକ୍ଷା ଉପକରଣ କିଟ୍ ଓ ଅନ୍ୟାନ୍ୟ ତେଜରାତି ସାମଗ୍ରୀ ଇତ୍ୟାଦି ଗୁଡ଼ିକର ପରିବହନ କରିଛି। ଖାଦ୍ୟ ଶସ୍ୟ ଓ ଦୈନିକ ବ୍ୟବହୃତ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଏହାକୁ ଏକ ଚ୍ୟାଲେଞ୍ଜ ରୂପେ ଗ୍ରହଣ କରିଥିଲା ଏବଂ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଏଗୁଡ଼ିକର ଅନବରତ ଯୋଗାଣକୁ ସୁନିଶ୍ଚିତ କରାଯାଇଥିଲା। ମଇ ୨୦୨୦ ସମୟାବଧିରେ ୧ ରୁ ୩୦ ମଇ ମଧ୍ୟରେ ପୂର୍ବ ତଟ ରେଳପଥ ପାର୍ସଲ ଏକ୍ସପ୍ରେସ୍ ମାଧ୍ୟମରେ ୫୪୧୩ ଟନର ପାର୍ସଲ ପରିବହନ କରିଛି ଏବଂ ପ୍ରାୟ ୨ କୋଟି ୧୮ ଲକ୍ଷର ରାଜସ୍ୱ ପ୍ରାପ୍ତ କରିଛି। ଅପ୍ରେଲ ୨୦୨୦ରେ ପୂର୍ବ ତଟ ରେଳପଥ ଏହାର ଅଧିକାରକ୍ଷେତ୍ରରୁ ଦେଶର ବିଭିନ୍ନ ସ୍ଥାନ ମାନଙ୍କୁ ୭୮୯ ଟନର ପାର୍ସଲ ପରିବହନ କରିଛି ଏବଂ ପ୍ରାୟ ୨୯ ଲକ୍ଷ ଟଙ୍କାର ରାଜସ୍ୱ ପ୍ରାପ୍ତ କରିଛି। ଏହା ବ୍ୟତୀତ ପୂର୍ବ ତଟ ରେଳପଥ ମେ’ ୨୦୨୦ ମାସ ସମୟାବଧିରେ ପ୍ରାୟ ୩୩୭୪ ଟନର ୧ ଲକ୍ଷ ୮୮ ହଜାର ପ୍ୟାକେଟ୍ର ବୁକିଂ ପାଇଛି। ଏଗୁଡ଼ିକ ଛଡ଼ା, ପୂର୍ବ ତଟ ରେଳପଥ ପରିସୀମାରୁ ଦେଶର ବିଭିନ୍ନ ସ୍ଥାନ ମାନଙ୍କୁ କୋଇଲା, ସାର ଓ ପେଟ୍ରୋଲିୟମ୍ ଉତ୍ପାଦ ଭଳି ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ପରିବହନ କରାଯାଇଛି। ପୂର୍ବ ତଟ ରେଳପଥର ସିଗ୍ନାଲିଂ, ଇଲେକ୍ଟିକାଲ୍, ମେକାନିକାଲ୍, ଇଞ୍ଜିନିୟରିଂ, ସିକ୍ୟୁରିଟି ପରି ସୁରକ୍ଷା ବର୍ଗର କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରି ଲୋକୋ ପାଇଲଟ୍, ଆସିଷ୍ଟାଣ୍ଟ୍ ଲୋକୋ ପାଇଲଟ୍, ଗାର୍ଡ଼, ଷ୍ଟେସନ ମ୍ୟାନେଜର, ଗୁଡ଼୍ସ କ୍ଲର୍କ ଭଳି ଯୋଦ୍ଧାମାନେ ଅହୋରାତ୍ର କଠିନ ପରିଶ୍ରମ କରି ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଲୋକ ମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିଥିଲେ। ଜନସାଧାରଣଙ୍କ ସହିତ ପ୍ରତ୍ୟକ୍ଷ କାରବାରରେ ସମ୍ପୃକ୍ତ ଏହି ଯୋଦ୍ଧା ମାନଙ୍କର ସୁରକ୍ଷା ନିମନ୍ତେ ସାମାଜିକ ଦୂରତ୍ୱ ନିମନ୍ତେ ସଚେତନତା କାର୍ୟ୍ୟକ୍ରମ, ମୁଖ ମାସ୍କ, ସାନିଟାଇଜର୍ ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ଆବଶ୍ୟକ ସ୍ଥଳେ)ର ବଣ୍ଟନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପୂର୍ବତଟ ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comments are closed.