ଲକ୍‌ଡାଉନ୍‌କୁ ମାସେ ପୂରିଲା : ଦୋହଲିଲା ଆର୍ଥିକ ସ୍ଥିତି

-ସଙ୍କଟରେ ଚାଷ, ଶିଳ୍ପ, ବଣିଜ ଓ ସାମାଜିକ କ୍ଷେତ୍ର
-ବିକାଶ କାର୍ଯ୍ୟ ବନ୍ଦ, ରାଜସ୍ବ ବାଧାପ୍ରାପ୍ତ, ନିଯୁକ୍ତି ସଙ୍କୁଚିତ
-ସରକାରଙ୍କ ପାଇଁ ଚିନ୍ତା ବାହାରୁ ଫେରୁଥିବା ଶ୍ରମିକ

ଭୁବନେଶ୍ବର : କରୋନା ପ୍ରଭାବରେ ଗଁାରୁ ସହର ସବୁଠି ଜୀବିକା ବିପନ୍ନ। ରାଜ୍ୟ ସରକାରଙ୍କ ପାଇଁ ଏବେ ସବୁୁଠୁ ବଡ଼ ଆହ୍ବାନ ଅର୍ଥନୀତିକୁ କିପରି ବାଟକୁ ଅଣାଯିବ। ମାର୍ଚ୍ଚ ୧୫ ପରଠୁ ରାଜ୍ୟର ବିକାଶ କାର୍ଯ୍ୟ ପୂରା ଧିମେଇ ଯାଇଛି। ରାଜସ୍ବ ସଂଗ୍ରହ ହାର କମିବା ସହିତ ସବୁପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। କଳକାରଖାନା ବନ୍ଦ ହୋଇଯିବା ଫଳରେ ନିଯୁକ୍ତି କ୍ଷେତ୍ର ସଙ୍କୁଚିତ ହୋଇପଡ଼ିଛି। ଏଭଳି ସ୍ଥିତି ଆଉ କିଛି ଦିନ ରହିଲେ ରାଜ୍ୟରେ ବେକାରୀ ହାର ଉଦବେଗଜନକ ସ୍ଥିତିରେ ପହଞ୍ଚିବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ଦେଶବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ଓଡ଼ିଶାର ଆର୍ଥିକ ସ୍ଥିତି ବିଶେଷ ପ୍ରଭାବିତ ହୋଇ ନଥିଲା। କିନ୍ତୁ ଏବେ କରୋନା ପ୍ରଭାବରେ ରାଜ୍ୟର ଅର୍ଥ ବ୍ୟବସ୍ଥା ବିଗିଡ଼ିଯାଇଛି। ଆର୍ଥିକ ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ ହଟାଇବାରେ ଆଗଉଥିବା ଓଡ଼ିଶାକୁ ଶକ୍ତ ଧକ୍କା ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ପରଠୁ ରାଜ୍ୟ ସରକାରଙ୍କ ସବୁ ଧ୍ୟାନ କରୋନା ମୁକାବିଲାରେ କେନ୍ଦ୍ରୀଭୂତ ହୋଇଛି।
କରୋନା ମାଡ଼ ଯୋଗୁଁ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଖର୍ଚ୍ଚ ପୂର୍ବ ବର୍ଷ ତୁଳନାରେ କମିଛି। ନିର୍ବାଚନ ବର୍ଷ ଥିବାରୁ ଆଚରଣ ବିଧି ଲାଗୁ ଯୋଗୁଁ ପ୍ରଥମ ୬ମାସରେ ବଜେଟ ଖର୍ଚ୍ଚ ଧିମେଇଯାଇଥିଲା ଏବଂ ଆର୍ଥିକ ବର୍ଷ ​‌େ​‌ଶଷ ସୁଦ୍ଧା ଖର୍ଚ୍ଚରେ ଉନ୍ନତି ଘଟିବ ଓ ବଜେଟ ଖର୍ଚ୍ଚ ୮୦ପ୍ରତିଶତ ଟପିଯିବ ବୋଲି ଅର୍ଥମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ହେଲେ ବିଗତ ଆର୍ଥିକ ବର୍ଷର ଶେଷ ମାସଟିକୁ କରୋନା ବିଗାଡ଼ି ଦେଲା।
ଓଡ଼ିଶାରେ ମାର୍ଚ୍ଚ ୧୫ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଏ ସଂଖ୍ୟା ଏବେ ୯୪ରେ ପହଞ୍ଚିଲାଣି। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଦୁଇଟି ପର୍ଯ୍ୟାୟରେ ଲକଡାଉନ ମାର୍ଚ୍ଚ ୨୩ରୁ ମେ ୩ ପର୍ଯ୍ୟନ୍ତ ଜାରି ରହିଛି। ଆଗକୁ କ’ଣ ହେବ କହିବା ମୁସ୍କିଲ। ତେବେ ଏସବୁ ଭିତରେ ଓଡ଼ିଶା ପାଇଁ ବିଡ଼ମ୍ବନାର ବିଷୟ ହେଉଛି ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ସପ୍ତାହ ଏବଂ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ମାସ ସମ୍ପୂର୍ଣ୍ଣ ଭାବେ ତାଲା ବନ୍ଦ ଭିତରେ ରହିଗଲା। ତେଣୁ ଗତ ଆର୍ଥିକ ବର୍ଷର ​‌େ​‌ଶଷ ତ୍ରୈମାସିକ କାଳରେ ବଜେଟ ଖର୍ଚ୍ଚ ଧାର୍ଯ୍ୟ ଲକ୍ଷ୍ୟ ଛୁଇଁବାରେ ବିଫଳ ହେବା ସହିତ ୨୦୨୦-୨୧ ବର୍ଷର ପ୍ରଥମ ମାସଟି ଲକଡାଉନ ଭିତରେ ଥିବାରୁ ବଜେଟ ଅର୍ଥ ଯଥାବିଧି ବିନିଯୋଗ ସମ୍ଭବ ହୋଇନି।
ଅତିରିକ୍ତ ବଜେଟକୁ ଛାଡ଼ି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟରେ ୧ଲକ୍ଷ ୩୯ହଜାର କୋଟି ଟଙ୍କାର ବ୍ୟୟବରାଦ ମଧ୍ୟରୁ ଗତ ଡ଼ିସେମ୍ବର ଶେଷ ସୁଦ୍ଧା ୮୨,୨୦୧କୋଟି ଟଙ୍କା ବିନିଯୋଗ ହୋଇଥିଲା। ରାଜ୍ୟରେ ରାଜସ୍ବ ସଂଗ୍ରହ ହାର ଗତ ଆର୍ଥିକ ବର୍ଷ ତୁଳନାରେ ୮.୩୯ପ୍ରତିଶତ ବଢ଼ିଥିବା ଗତ ଜାନୁଆରୀରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକ ପରେ ସୂଚନା ଦିଆଯାଇଥିଲା। ହେଲେ ଆର୍ଥିକ ବର୍ଷର ଶେଷସୁଦ୍ଧା ଖର୍ଚ୍ଚ ରାଶି ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। କରୋନା ପାଇଁ ବଜେଟ ଖର୍ଚ୍ଚ ପ୍ରଭାବିତ ହୋଇଛି।
ଚଳିତବର୍ଷ ରାଜ୍ୟ ସରକାର ଏକ ବଡ଼ ଲକ୍ଷ୍ୟ ରଖି ଦେଢ଼ ଲକ୍ଷ କୋଟିର ବଜେଟ ତିଆରି କରିଥିଲେ। କିନ୍ତୁ କରୋନା ପାଇଁ ତାଲା ବନ୍ଦ ଯୋଗୁଁ ଆର୍ଥିକ ବର୍ଷର ପ୍ରଥମ ମାସଟି ତାଲା ବନ୍ଦ ଭିତରେ ବିତିଗଲାଣି। ଇତିମଧ୍ୟରେ ରାଜ୍ୟରେ ଚାଷ, ବେପାରବଣିଜ ପ୍ରାୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ସମୟରେ ଏସବୁକୁ ଆଂଶିକ କୋହଳ କରାଯାଇଥିଲେ ହେଁ ଘରୁ ପଦାକୁ ବାହାରିବା ଉପରେ କଟକଣା ଯୋଗୁଁ କୌଣସି ବୃତ୍ତି ସ୍ବାଭାବିକ ହୋଇପାରୁନି। ରାସ୍ତାକଡ଼ର ଛୋଟ ଦୋକାନୀଠାରୁ ଆରମ୍ଭ କରି ଦିନ ମଜୁରିଆ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ସକାଳ ହେଲେ ଜୀବିକା ଅନ୍ବେଷଣରେ ବାହାରୁଥିବା ଶ୍ରମିକକୁ ଏବେ ପେଟପାଟଣା ଚିନ୍ତା ଘାରିଛି।
ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ସବୁ ବନ୍ଦ ହୋଇଯାଇଛି। ମୋଟାମୋଟି ସାମାଜିକ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି। କଳାକାରଖାନା ବନ୍ଦ ଯୋଗୁଁ ଶ୍ରମିକ ଛଟେଇ ନେଇ ଆଶଙ୍କା ଦେଖାଦେଇଛି। କୋର୍ଟକଚେରିରେ କାମ କରୁଥିବା ଆଇନଜୀବୀ ହୁଅନ୍ତୁ କିମ୍ବା କଳାକୁ ପାଥେୟ କରି ବଞ୍ଚୁଥିବା କଳାକାର ସମସ୍ତଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି।
କରୋନାର ପରିସମାପ୍ତି ନେଇ ନିର୍ଦିଷ୍ଟ ସମୟସୀମା ଜଣାପଡ଼ି ନାହିଁ। ଏଭଳି ସ୍ଥିତିରେ ରାଜ୍ୟ ଭିତରେ ଥିବା ଗରିବଙ୍କୁ ରାଜ୍ୟ ସରକାର କୌଣସିମତେ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ସାନ୍ତ୍ବନା ଦେଇଥିବାବେଳେ ଏବେ ଆଗକୁ ବିପଦ ମାଡ଼ିଆସୁଛି। କାରଣ ରାଜ୍ୟ ବାହାରୁ ସରକାରଙ୍କ ହିସାବ ଅନୁସାରେ ୫ରୁ ୬ଲକ୍ଷ ଶ୍ରମିକ ଫେରୁଛନ୍ତି। ସେମାନେ ନିଜର ରୋଜଗାର କ୍ଷେତ୍ର ଛାଡ଼ି ଓଡ଼ିଶା ମୁହଁା ହୋଇଛନ୍ତି। ଏବେକାର ଆର୍ଥିକ ସ୍ଥିତିରେ ସେମାନଙ୍କୁ ଥଇଥାନ କରିବା ସରକାରଙ୍କ ପାଇଁ ମସ୍ତବଡ଼ ଚ୍ୟାଲେଞ୍ଜ ।
ଏସବୁ ଭିତରେ ରାଜ୍ୟ ସରକାର ଏବେ ଶ୍ରମଭିତ୍ତିକ ରୋଜଗାର ଯୋଜନା ଭଳି ଜରୁରୀ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଚିନ୍ତା କରୁଛନ୍ତି। ନଚେତ ବାହାରୁ ଫେରୁଥିବା ଓଡ଼ିଆ ଶ୍ରମିକଙ୍କ ଅବସ୍ଥା ଆଉ କିଛି ଦିନ ପରେ ସଙ୍ଗିନ ‌ହୋଇପଡ଼ିବାର ଆଶଙ୍କା ରହିଛି।
କରୋନା ପାଇଁ ସାମଗ୍ରିକ ଭାବେ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବାବେଳେ ଏବେ ସରକାରୀ ଓ ଘରୋଇ କ୍ଷେତ୍ରରେ ନିଯୁକ୍ତ ଲୋକେ ଚାକିରି ବଞ୍ଚାଇବା କଷ୍ଟକର ହୋଇପଡ଼ିଲାଣି। ଓଡ଼ିଶାରେ ସରକାରୀ ଚାକିରିଆଙ୍କ ସଂଖ୍ୟା ସାଢ଼େ ୪ଲକ୍ଷ। ପେନସନଭୋଗୀଙ୍କ ସଂଖ୍ୟା ସାଢ଼େ ୩ଲକ୍ଷରୁ ଅଧିକ। ସେମାନଙ୍କ ଚାକିରି ସୁରକ୍ଷିତ । ମାତ୍ର ଚିନ୍ତା ଘରୋଇ କ୍ଷେତ୍ର ପାଇଁ। ଘରୋଇ କ୍ଷେତ୍ରରେ ନିଯୁକ୍ତି ହାର ସରକାରୀ କ୍ଷେତ୍ରଠାରୁ କାହିଁ କେତେଗୁଣ ଅଧିକ । ସେମାନଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତାରେ। ଅଧିକାଂଶ ସଂସ୍ଥା ଆର୍ଥିକ ଦେବାଳିଆ ସ୍ଥିତିକୁ ଚାଲିଯିବାର ଭୟ ରହିଛି। ତେଣୁ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଚାକିରି କୁଟା ଖିଅରେ ଝୁଲିବା ଭଳି ଅବସ୍ଥାରେ। ରାଜ୍ୟ ସରକାର ଏବେ ମନରେଗା ଭଳି ଶ୍ରମଭିତ୍ତିକ ରୋଜଗାର ଉପରେ ଗୁରୁତ୍ବ ଦେବା ସହିତ ଚାଷବାସ ସୁଧାରିବା ପାଇଁ ଜୋରସୋର ଉଦ୍ୟମ ଚଳାଇଛନ୍ତି। ହେଲେ ଗ୍ରାମାଞ୍ଚଳର କୃଷକ ପାଖରେ ଆଉ ପୁଞ୍ଜି ନାହିଁ। ତେଣୁ କୃଷି ଭିତ୍ତିକ ଓଡ଼ିଶା ଅର୍ଥନୀତି ଅଣ୍ଟା ସଳଖିବା ଏବେ ମୁସ୍କିଲ ହୋଇପଡ଼ିଛି।

Comments are closed.