ଭୁବନେଶ୍ୱର ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଏକ୍‍ମୋ ମେସିନ ଉଦଘାଟିତ; ସପ୍ତାହକ ମଧ୍ୟରେ ଆରମ୍ଭ ହେବ ଚିକିତ୍ସା

ଭୁବନେଶ୍ୱର: ଏଠାରେ ଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଇସିଏମଓ (ଏକ୍‍ମୋ) ମେସିନ ସ୍ଥାପନ କରାଯିବା ପରେ ଗୁରୁବାର ତାହା ଉଦଘାଟିତ ହୋଇଛି । ସପ୍ତାହକ ମଧ୍ୟରେ ଏହି ମେସିନ ସହାୟତାରେ ଗୁରୁତର ରୋଗୀଙ୍କର ଚିକିତ୍ସା ଆରମ୍ଭ ହେବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ ସରକାରୀ ଡାକ୍ତରଖାନାରେ ଏହା ପ୍ରଥମ ଏକ୍ସଟ୍ରା କର୍ପୋରିଆଲ ମେମ୍ବ୍ରେନ ଅକ୍ସିଜେନେସନ (ଇସିଏମଓ) ମେସିନ ବୋଲି ଜଣାଯାଇଛି ।

କୋଭିଡ-୧୯ ମହାମାରୀର ଚଳିତ ଦ୍ୱିତୀୟ ଲହର ସମୟରେ ଅନେକ ରୋଗୀ ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଏବଂ ସେମାନଙ୍କ ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ପାଇବା କାରଣରୁ ସେମାନେ ଗୁରୁତର ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ଅତି ଗୁରୁତର ହୋଇପଡୁଥିବା ରୋଗୀଙ୍କୁ ଏକ୍‍ମୋ ମେସିନରେ ଚିକିତ୍ସା ଆବଶ୍ୟକ ପଡିଥିଲା । ଓଡ଼ିଶାରେ ଏଭଳି ସୁବିଧା ନଥିବାରୁ ଏହିଭଳି କିଛି ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତା, ଚେନ୍ନଇ, ହାଇଦରାବାଦ ଆଦି ସ୍ଥାନକୁ ପଠାଯାଇଥିଲା । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏମ୍ସ କର୍ତ୍ତୃପକ୍ଷ ଭୁବନେଶ୍ୱରସ୍ଥିତ ହାସପାତାଳରେ ଏକ୍‍ମୋ ମେସିନ ସ୍ଥାପନ କରିବାକୁ ଘୋଷଣା କରିଥିଲେ ।

ଏଥିସହିତ ରାଜ୍ୟ ସରକାର ମଧ୍ୟ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହାସପାତାଳରେ ଏକ୍‍ମୋ ମେସିନ ସ୍ଥାପନ କରିବାକୁ ପଦକ୍ଷେପ ନେଉଛନ୍ତି । ନିକଟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଥିଲେ ଯେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହାସପାତାଳରେ ୯ଟି ଏକ୍‍ମୋ ମେସିନ ସ୍ଥାପନ କରାଯିବ । ସେହି ମେସିନଗୁଡିକ ପରିଚାଳନା କରିବାକୁ ଲୋକଶକ୍ତି ଚିହ୍ନଟ ହୋଇସାରିଛନ୍ତି ଏବଂ ସେମାନଙ୍କୁ ତାଲିମ ଦିଆଯାଉଛି । ଏହି ସୁବିଧା ଖୁବଶୀଘ୍ର ଆରମ୍ଭ କରାଯିବ । ଏହାଦ୍ୱାରା ଗୁରୁତର ରୋଗୀଙ୍କୁ ଆଉ ଅନ୍ୟ ରାଜ୍ୟକୁ ଯିବାକୁ ପଡିବ ନାହିଁ ।

Comments are closed.